Unknown

 

 

 

 

 

 

 

 

 

 

 

ଚତୁର୍ଥ ପରିସର

ଗୋକୁଳାନନ୍ଦ ମହାପାତ୍ର

 

ଉତ୍ସର୍ଗ

 

ଶ୍ରେଷ୍ଠ ହିତାକାଙ୍‍କ୍ଷୀ ଭାବେ

ଯେଉଁମାନେ ମୋ ଜୀବନର ଗତିପଥରେ ପ୍ରଧାନ

ସହାୟକ ହୋଇ ଆସିଛନ୍ତି, ସେହି ମୋର

ଜ୍ୟେଷ୍ଠା ଭଗିନୀ ଶ୍ରୀମତୀ ପ୍ରତିମାକୁମାରୀ

ଓ ଜ୍ୟେଷ୍ଠ-ଭଗିନୀପତି ଶ୍ରୀଯୁକ୍ତ

କିଶୋରୀମୋହନ ମହାନ୍ତିଙ୍କ

ଉଦ୍ଦେଶ୍ୟରେ ମୋର

ଏହି ପୁସ୍ତକଟିକ

ଉତ୍ସର୍ଗ କଲି ।

 

ବିନୀତ

–ଲେଖକ–

✽✽✽

 

ଲେଖକଙ୍କର ଅନ୍ୟାନ୍ୟ ବୈଜ୍ଞାନିକ ଉପନ୍ୟାସ ଓ ଗଳ୍ପ ପୁସ୍ତକ

 

୧.

ପୃଥିବୀ ବାହାରେ ମଣିଷ

 

 

୨.

ଉଡ଼ନ୍ତା ଥାଳିଆ

 

 

୩.

କୃତ୍ରିମ ଉପଗ୍ରହ

 

 

୪.

ସୁନାର ଓଡ଼ିଶା

 

 

୫.

ମଧ୍ୟାହ୍ନର ଅନ୍ଧକାର

 

 

୬.

ସ୍ଫୁଟନିକ୍

 

 

୭.

ଚନ୍ଦ୍ରର ମତ୍ୟୁ

 

ପ୍ରକାଶ ଅପେକ୍ଷାରେ ଲେଖକଙ୍କର ଲେଖନୀରୁ ଏକ ନୂତନ ଶୈଳୀରେ ଲିଖିତ, ଲୋକପ୍ରିୟ ବୈଜ୍ଞାନିକ ଗ୍ରନ୍ଥମାଳା ସିରିଜ ।

 

ପ୍ରଥମଖଣ୍ଡ–ଉଡ଼ନ୍ତା ଥାଳିଆ ଓ ଏହାର ରହସ୍ୟ

 

ଦ୍ୱିତୀୟଖଣ୍ଡ–ପ୍ରତିବସ୍ତୁ (Antitmatter) ଓ ଏହାର ପ୍ରହେଳିକା

 

ତୃତୀୟଖଣ୍ଡ–ଆପେକ୍ଷିକ ତତ୍ତ୍ୱ

 

ଏଗୁଡ଼ିକ ବିଜ୍ଞାନର ଜଟିଳତମ ବିଷୟ ବସ୍ତୁ ହେଲେହେଁ ଭାଷା ଓ ଶୈଳୀ ଅତି ସରଳ ଓ ସୁନ୍ଦର । ଉପନ୍ୟାସ ଭଳି ସୁଖ-ପାଠ୍ୟ ।

 

ପ୍ରକାଶକ—ବିଜୟ ସ୍ମୃତି ପାଠାଗାର ।

✽✽✽

 

ମୁଖବନ୍ଧ

 

‘ଚତୁର୍ଥ ପରିସର’ ଏକ ବୈଜ୍ଞାନିକ ଗଳ୍ପପୁସ୍ତକ । ପାଞ୍ଚ ଗୋଟି ବୈଜ୍ଞାନିକ ଗଳ୍ପକୁ ନେଇ ଏହି ପୁସ୍ତକଟି ରଚିତ ହୋଇଛି । ‘ଉଡ଼ନ୍ତା ଥାଳିଆ’ ଗଳ୍ପପୁସ୍ତକ ପରେ ‘ଚତୁର୍ଥ ପରିସର’ ହେଉଛି ମୋର ଦ୍ୱିତୀୟ ବୈଜ୍ଞାନିକ ଗଳ୍ପପୁସ୍ତକ । ଏହି ଗଳ୍ପସଞ୍ଚୟନର ପଞ୍ଚମ ତଥା ଶେଷ ଗପ ହେଉଛି ଚତୁର୍ଥ ପରିସର । ସେହି ଅନୁସାରେ ଗଳ୍ପ ପୁସ୍ତକଟିର ନାମକରଣ ହୋଇଛି । ଭଦ୍ରକର ‘ବିଜୟ ସ୍ମୃତି ପାଠାଗାର’ର ଏହା ହେଲା ତୃତୀୟ ଅବଦାନ ।

 

ଚତୁର୍ଥ ପରିସର ଗଳ୍ପଟି ବିଜ୍ଞାନର ଏକ ଜଟିଳତମ ବିଷୟବସ୍ତୁ ଚତୁର୍ଥ ପରିସର ବା Fourth dimension ଉପରେ ରଚିତ । ଚତୁର୍ଥ ପରିସର କହିଲେ କ’ଣ ବୁଝାଏ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାର ଅର୍ଥ କଅଣ, ଏହି ଜଟିଳ ବୈଜ୍ଞାନିକ ବିଷୟଟିକୁ ସାଧାରଣଙ୍କୁ ବୁଝାଇବା ପାଇଁ ଏହି ଗଳ୍ପ ମାଧ୍ୟମରେ ଚେଷ୍ଟା କରାଯାଇଛି । ଗଳ୍ପଟିକୁ ପଢ଼ିସାରିଲେ ଚତୁର୍ଥ ପରିସର ସମ୍ପର୍କରେ ଏକ ଧାରଣା ପାଠକ-ପାଠିକାମାନେ ପାଇ ପାରିବେ ବୋଲି ଆଶା । ସ୍ୱପ୍ନବିଳାସୀ ବୈଜ୍ଞାନିକ ଔପନ୍ୟାସିକମାନେ ଏହି ବିଶ୍ୱରେ କେଉଁଠି ନା କେଉଁଠି ଚତୁର୍ଥ ପରିସର ଜ୍ଞାନଯୁକ୍ତ ଜୀବଜଗତ ଥିବାର କଳ୍ପନା କରନ୍ତି । ଗତ କେତେ ବର୍ଷ ଧରି ଉଡ଼ନ୍ତା ଥାଳିଆ ନେଇ ଯେଉଁସବୁ ରହସ୍ୟମୂଳକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ମିଳିଛି, ସେଥିରୁ ଏହିଭଳି ଜଗତ ଥିବାର ସୂଚନା କେତେକ ବୈଜ୍ଞାନିକ ପାଇଛନ୍ତି । ଚତୁର୍ଥ ପରିସର ଜଗତର ବିଭିନ୍ନ ପଦାର୍ଥର ବିତିତ୍ର ପ୍ରକୃତି ସମ୍ପର୍କରେ ନାନା ଆଭାଷ ଦିଆଯାଇଛି ଏ ପୁସ୍ତକରେ, ଏମିତି କି ଭଗବାନଙ୍କ ଅସ୍ତିତ୍ୱ ସକର୍ମ୍ପରେ ଏକ ନୂତନ କଳ୍ପନା ବୈଜ୍ଞାନିକ ଦୃଷ୍ଟିକୋଣରୁ ଦିଆଯାଇଛି ଏହି ଗଳ୍ପ ମାଧ୍ୟମରେ । ତା ଛଡ଼ା ଆଧୁନିକ ବୈଜ୍ଞାନିକମାନେ ମତ ଦେଲେଣି—ଭବିଷ୍ୟତରେ ଆମ ସୂର୍ଯ୍ୟରେ ଏକ ବିରାଟ ବିସ୍ଫୋରଣ ଘଟି ଏହାର ଘଟାଇବ । ଏହି ଭଳି ବହୁ ତଥ୍ୟକୁ ନେଇ କଳ୍ପନାର ରୂପରେଖ ଭିତରେ ଯେଉଁ ସବୁ ତାଜୁବ୍ ତାଜୁବ୍ ଘଟଣା ଏହି ପୁସ୍ତକରେ ଦିଆଯାଇଛି, ତାହା ପାଠକ-ପାଠିକାମାନଙ୍କୁ ମୁଗ୍ଧ କରିବ ବୋଲି ଆଶା । ସମସ୍ତେ କହନ୍ତି, ଆମ ସୌରଜଗତରେ ଗ୍ରହସଂଖ୍ୟା ନଅ ବୋଲି; କିନ୍ତୁ ଏ ପୁସ୍ତକରେ ଆମ ସୌରଜଗତର ଗ୍ରହସଂଖ୍ୟା ଦଶ ବୋଲି ଦିଆଯାଇଛି । ଅନେକେ ଏହାକୁ ଲେଖକଙ୍କର ଭଦ୍ଭଟ କଳ୍ପନା ବୋଲି ବିଚାରି ପାରନ୍ତି । କିନ୍ତୁ ତା ପ୍ରକୃତରେ ନୁହେଁ । ସର୍ବାଧୁନିକ ବୈଜ୍ଞାନିକମାନେ ବର୍ତ୍ତମାନ ସୌରଜଗତରେ ଗ୍ରହଣସଂଖ୍ୟା ନଅ ବୋଲି ସନ୍ଦେହ କରିବାକୁ ଆରମ୍ଭ କଲେଣି । ସୂର୍ଯ୍ୟ ଓ ବୁଧ ମଧ୍ୟରେ ଆଉ ଏକ କ୍ଷୁଦ୍ର ଗ୍ରହ ଥିବା ସନ୍ଦେହ କେତେକ ବୈଜ୍ଞାନିକଙ୍କ ମନରେ ଉଠିଲାଣି । ଭଗବାନଙ୍କ ଅଦ୍ଭୁତ ପ୍ରକୃତି, ଇଚ୍ଛା କ୍ରମେ ସେ ଅଦୃଶ୍ୟ ହୋଇପାରନ୍ତି ଓ ଇଚ୍ଛାକଲେ ଦେଖା ଦେଇପାରନ୍ତି ବୈଜ୍ଞାନିକମାନେ ମୂଳରୁ ସନ୍ଦେହ-ଚକ୍ଷୁରେ ଦେଖି ଆସୁଥିଲେ । କିନ୍ତୁ ଚତୁଃପରିସର ଜଗତରେ ବସ୍ତୁର ଏଭଳି ପ୍ରକୃତି ଥିବା ଯୁକ୍ତିଯୁକ୍ତ ବୋଲି କେତେକ ବୈଜ୍ଞାନିକ ମତ ବ୍ୟକ୍ତକରି ପୃଥିବୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ତେଣୁ ବର୍ତ୍ତମାନ କେତେକଙ୍କ ମନରେ ପ୍ରଶ୍ନ ଉଠିଲାଣି, ଭଗବାନ୍ କ’ଣ ତା’ ହେଲେ ଚତୁଃପରିସର ଜଗତର ଅନ୍ତର୍ଗତ ? ଏହିଭଳି ବହୁ ବୈଜ୍ଞାନିକ କଳ୍ପନା ଓ ତଥ୍ୟର ସମନ୍ୱୟରେ ପୁସ୍ତକର ଗଳ୍ପଗୁଡ଼ିକ ରଚିତ । ପୁସ୍ତକଟିର ଏକାଧିକ ଗଳ୍ପ ଯନ୍ତ୍ର ମସ୍ତିଷ୍କ ବା କଂପ୍ୟୁଟରର କାର୍ଯ୍ୟଦକ୍ଷତା ଉପରେ ରଚିତ ହୋଇଅଛି ।

 

ଏହି ପୁସ୍ତକରେ ପ୍ରକାଶିତ କେତେକ ଗଳ୍ପ ଓଡ଼ିଶାର ବିଶିଷ୍ଟ ରହସ୍ୟମୂଳକ ପତ୍ରିକା ‘ଚକ୍ରାନ୍ତ’ର ପୂଜାସଂଖ୍ୟାରେ ପ୍ରକାଶ ପାଇଥିଲା । ଚକ୍ରାନ୍ତର ସମ୍ପାଦକ ସେଗୁଡ଼ିକୁ ଏଠାରେ ପ୍ରକାଶ କରିବାକୁ ଅନୁମତି ଦେଇଥିବାରୁ ଧନ୍ୟବାଦାର୍ହ ।

 

ଚତୁର୍ଥ ପରିସର ପୁସ୍ତକଟି ସମ୍ବନ୍ଧରେ ଆଉ କିଛି କହିବା ନିଷ୍ପ୍ରୟୋଜନ । ପୁସ୍ତକଟି ନିଜେ ନିଜ ସମ୍ପର୍କରେ କହିପାରିବ ବୋଲି ଆଶା । ପୁସ୍ତକଟି ଓଡ଼ିଆ ସାହିତ୍ୟରେ ବୈଜ୍ଞାନକ ଗଳ୍ପର ଦୈନ୍ୟତା ଦୂର କରି ଓଡ଼ିଶାର ଅଗଣିତ ପାଠକପାଠିକାଙ୍କୁ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ସର୍ବାଧୁନିକ ବୈଜ୍ଞାନିକ ତତ୍ତ୍ୱର ପ୍ରଚାର କରୁ, ଏହାହିଁ ମାତ୍ର କାମନା । ଇତି ।

 

ଦୋଳମୁଣ୍ଡାଇ, କଟକ,

ବିନୀତ

ଗଣେଶ ଚତୁର୍ଥୀ

ଶ୍ରୀ ଗୋକୁଳାନନ୍ଦ ମହାପାତ୍ର

ତା ୨୭/୮/୧୯୬୮

 

✽✽✽

 

ସୂଚିପତ୍ର

 

୧.

ଚେସ୍ ଖେଳାଳୀ

୨.

ମହାଶୂନ୍ୟର ବିଭୀଷିକା

୩.

ଗଣତନ୍ତ୍ରର ମୃତ୍ୟୁ

୪.

ଉଦ୍ଭାବନର ପୁରସ୍କାର

୫.

ଚତୁର୍ଥ ପରିସର

✽✽✽

 

ପ୍ରଥମ ଅଧ୍ୟାୟ

ଚେସ୍ ଖେଳାଳୀ

 

ମିଉନିକ୍ ବିଶ୍ୱବିଦ୍ୟାଳୟ । ପାଶ୍ଚାତ୍ୟ ଜଗତର କଳାବିଜ୍ଞାନ ଗବେଷଣାର ଏକ ଶ୍ରେଷ୍ଠ କେନ୍ଦ୍ରଭାବରେ ପୃଥିବୀପ୍ରସିଦ୍ଧ । ଜର୍ମାନୀର ଶ୍ରେଷ୍ଠ ଶିଳ୍ପନଗରୀ ମିଉନିକ୍‍ର ପୃଷ୍ଠ ଉପରେ ଗଢ଼ିଉଠିଛି ଏହି ବିଶ୍ୱବିଦ୍ୟାଳୟଟି । ବିରାଟ ଜର୍ମାନ୍ ଜାତି ଆଜି ଖଣ୍ଡ ବିଖଣ୍ଡିତ ହୋଇଥିଲେ ହେଁ ଓ ଏହାର ଶତ ଶତ ବୈଜ୍ଞାନିକ ଅର୍ଥଲୋଭରେ ହେଉ ବା ରାଜନୈତିକ ଚାପରେ ହେଉ, ଅପହରଣ କରାଯାଇଥିଲେହେଁ ଜର୍ମାନୀ ଜାତିର ବିଜ୍ଞାନରାଜ୍ୟରେ ଉତ୍କର୍ଷତା ଏବେ ସୁଦ୍ଧା ଯଦି ମଉଳି ଯାଇନି, ତେବେ ଏହା ମୂଳରେ ରହିଛି ମିଉନିକ୍ ବିଶ୍ୱବିଦ୍ୟାଳୟ ଭଳି କେତୋଟି ସୁବିଖ୍ୟାତ ବିଶ୍ୱବିଦ୍ୟାଳୟ । ଜର୍ମାନୀର ଏହି ଭଳି କେତୋଟି ବିଶ୍ୟବିଦ୍ୟାଳୟରେ ଯେଉଁ ବିଜ୍ଞାନ ମନୀଷୀମାନେ ନିଜ ଦୈହିକ ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଅପୂର୍ବ ଉତ୍ସାହ ଓ ଉନ୍ମାଦନାରେ ଅଦମ୍ୟ ଗବେଷଣା ଚଳାଇଛନ୍ତି, ସେହି ଗବେଷଣା ହିଁ ଆଜି ଟେକିଧରିଛି ସାରା ଜାତିର ବିଜ୍ଞାନପ୍ରତିଭା । ଜର୍ମ୍ମାନ୍ ଜାତି ଆଜି ଶତନିଷ୍ପେଷିତ ହୋଇଥିଲେ ହେଁ ତାର ବୁଦ୍ଧି ବିଚକ୍ଷଣତା, ସୃଜନିଶକ୍ତିକୁ କେହି ଛଡ଼ାଇ ନେଇ ପାରିନି କି ନେବା ସମ୍ଭବପର ନୁହେଁ । ଆମେରିକା, ଋଷିଆ ଆଧୁନିକ ବିଜ୍ଞାନରେ ଖୁବ୍ ଆଗେଇ ଥିଲେ ହେଁ ସେମାନେ ବିଭିନ୍ନ ବିଷୟରେ ଜର୍ମାନୀକୁ ମଧ୍ୟ ଅନାଇଁ ବସନ୍ତି । ସେସବୁ ଦେଶର ଶିଳ୍ପକାରଖାନାରେ ଆଜି ବି ଜର୍ମାନୀ ପ୍ରତିଭା ଲୁକ୍‍କାୟିତ ଭାବରେ କମ୍ କାର୍ଯ୍ୟ କରୁନି !

 

ଜର୍ମାନୀର ଏତାଦୃଶ ଉତ୍କର୍ଷତା ପାଇଁ ଯେଉଁ କେତେ ଜଣ ବରେଣ୍ୟ ବୈଜ୍ଞାନିକ ଦାୟୀ, ସେମାନଙ୍କ ମଧ୍ୟରେ ଡକ୍ଟର ବିଶ୍ୱବିଦ୍ୟାଳୟର ପଦାର୍ଥବିଜ୍ଞାନାଧ୍ୟାପକ ଭାବରେ ସେ ଯେତେ ଖ୍ୟାତି ଲଭି ନାହାନ୍ତି, ତା’ଠାରୁ ଅଧିକ ଖ୍ୟାତି ଭେର ନନ୍ ହେଉଛନ୍ତି ଅଗ୍ରଗଣ୍ୟ । ମିଉନିକ୍ ଲଭିଛନ୍ତି, ମିଉନିକ୍ ବିଶ୍ୱବିଦ୍ୟାଳୟର କଂପ୍ୟୁଟ-ଗବେଷଣାଗାରର ଡାଇରେକଟର ଭାବରେ । କଂପ୍ୟୁଟର–ବିଜ୍ଞାନରେ ସାରା ପୃଥିବୀରେ ଯେତେ ବିଶେଷଜ୍ଞ ଅଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ଭେର୍‍ନନ୍‍ ଅଗ୍ରଗଣ୍ୟ ଓ ପୃଥିବୀର ଶ୍ରେଷ୍ଠତମ କଂପ୍ୟୁଟର ଗବେଷଣାକେନ୍ଦ୍ର ଭାବରେ ପ୍ରସିଦ୍ଧ ଲଭିଥିବା ମିଉନିକ୍ ବିଶ୍ୱବିଦ୍ୟାଳୟରେ ଥିବା ତାଙ୍କର କଂପ୍ୟୁଟର ଗବେଷଣାଗାର ସମ୍ମୁଖରେ ଠିଆହେବା ପାଇଁ କୌଣସି ଗବେଷଣାଗାର ନାହିଁ । ଆମେରିକା ଓ ଇଂଲଣ୍ଡର ବହୁ କମ୍ପାନୀ ଆଜିକାଲି ଯେଉଁ ସବୁ ଜଟିଳତମ କଂପ୍ୟୁଟର ଯନ୍ତ୍ର ତିଆରିକରି ସାରା ପୃଥିବୀରେ ଅସଂଖ୍ୟ ଲୋକଙ୍କର ମାନସିକ ଶ୍ରମକୁ ଲାଘବକରି ଅପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରୁଛନ୍ତି, ସେହି ଅର୍ଥ ଉପାର୍ଜନ ମୂଳରେ ରହିଛି—ବୈଜ୍ଞାନିକ ଭେର୍‍ବନ୍‍ଙ୍କ ବୁଦ୍ଧି ଓ ପ୍ରତିଭା । ତାଙ୍କରି ଦ୍ୱାରା ଉଦ୍ଭାବିତ ବିଭିନ୍ନ ଧରଣର କଂପ୍ୟୁଟର ଯନ୍ତ୍ର ଉପାଦନ କରି ଆମେରିକାର ବହୁ କମ୍ପାନୀ ଅତି କୋଟିପତି । ସେଥିପାଇଁ ସାରା ଜର୍ମାନ୍ ଜାତିର ଅପୂର୍ବ ଶ୍ରଦ୍ଧା, ସମ୍ମାନ, ଅନୁରାଗ ଭାସିଆସୁଛି ମିଉନିକ୍ ବିଶ୍ୱବିଦ୍ୟାଳୟର ଏହି ଗବେଷଣାଗାର ତଥା ଏହାର ପରିଚାଳକ ଭେର୍‍ନନ୍‍ଙ୍କ ଆଡ଼କୁ । ଦ୍ୱିଖଣ୍ଡିତ ଜର୍ମ୍ମାନ ଜାତି ଗର୍ବ ଅନୁଭବ କରୁଛି, ଏବେ ବି ତାର ବୈଜ୍ଞାନିକ ପ୍ରତିଭା ଅପ୍ରତିହତ ।

 

ବୈଜ୍ଞାନିକ ଭେର୍‍ନନ୍‍ ଆଧୁନିକ ଯନ୍ତ୍ର ମସ୍ତିଷ୍କ ବା କଂପ୍ୟୁଟର ଯନ୍ତ୍ରର ସର୍ବପ୍ରଥମ ଉଦ୍ଭାବକ ନ ହେଲେ ହେଁ କଂପ୍ୟୁଟର ତିଆରି ବିଜ୍ଞାନରେ ଏକ ଅଦ୍ୱିତୀୟ ବିଶେଷଜ୍ଞ ଭାବରେ ପୃଥିବୀପ୍ରସିଦ୍ଧ । ପୃଥିବୀର ସବୁଠାରୁ ଜଟିଳତମ ତଥା ମୂଲ୍ୟବାନ ଯନ୍ତ୍ରକୁ ତିଆରି ତଥା ବିକ୍ରୟ କରି ଆମେରିକାର ଆଇ. ବି. ଏମ୍‍. ଆର୍. ସି. ଏ. ଆଦି କୋମ୍ପାନୀମାନେ ଆମେରିକାକୁ ଯେଉଁ ଅଜସ୍ର ଅର୍ଥ ପୃଥିବୀର ବିଭିନ୍ନ କୋଣରୁ ବୋହି ଆଣୁଛନ୍ତି, ସେହି ଧନ ମୂଳରେ ଯେ ଭେର୍‍ନନ୍‍ଙ୍କ ପ୍ରତିଭା କାର୍ଯ୍ୟ କରୁଛି, ଏହା ହୁଏତ ସାଧାରଣ ଲୋକେ ଅବଗତ ନୁହନ୍ତି । ପୃଥିବୀର ପ୍ରତ୍ୟେକ କୋଣରେ ଯଦି କଂପ୍ୟୁଟର ଯନ୍ତ୍ରର ପ୍ରଭାବ ପଡ଼ିଛି, ତେବେ ଏହି ପ୍ରଭାବ ପଛରେ ରହିଛି, ବୈଜ୍ଞାନିକ ଭେର୍‍ନନ୍‍ଙ୍କ ଅପୂର୍ବ ପ୍ରତିଭା । କଂପ୍ୟୁଟର ସମ୍ବନ୍ଧୀୟ ବହୁ ପ୍ରକାର ପେଟେଣ୍ଟ ବିକ୍ରୟ କରି ଭେର୍‍ନନ୍‍ ତାଙ୍କ ଗବେଷଣାଗାରକୁ ପୃଥିବୀର ଏକ ଅଦ୍ୱିତୀୟ କଂପ୍ୟୁଟର ଗବେଷଣାଗାରରେ ପରିଣତ କରି ପାରିଛନ୍ତି । ପୃଥିବୀର ସବୁଠାରୁ ଶକ୍ତିଶାଳୀ କଂପ୍ୟୁଟର ଯନ୍ତ୍ର ଯେ ସେଠି ଖାଲି କାର୍ଯ୍ୟ କରୁଛି ତା’ ନୁହେଁ, କମ୍ପ୍ୟୁଟରର ଅସଂଖ୍ୟ ପ୍ରକାର ନୂଆ ନୂଆ ବ୍ୟବହାର ସେଠି ଦେଖାଦେଇଛି । ଏହି ଗବେଷଣଆଗାରରେ କଂପ୍ୟୁଟର କେଉଁଠି ଖୁବ୍ ଜଟିଳ ଗଣିତର ସମାଧାନ କରୁଛି ତ କେଉଁଠି ଗୋଟିଏ ଭାଷାକୁ ଆଉ ଏକ ଭାଷାରେ ଅନୁବାଦ କରିପାରୁଛି ତ କେଉଁଠି ଯନ୍ତ୍ରଟିଏ ବସି ଛୋଟ ଛୋଟ ପିଲାଙ୍କୁ ସ୍କୁଲମାଷ୍ଟର ପଢ଼ାଇବାଭଳି ପଢ଼ାଉଛି । କମ୍ପ୍ୟୁଟର ଯନ୍ତ୍ର ବସି କେଉଁଠି କବିଙ୍କ ଭଳି କବିତା ରଚନା କଲାଣି ତ କେଉଁଠି ବଡ଼ ଋଷିଆ ଆଧୁନିକ ବିଜ୍ଞାନରେ ଖୁବ୍ ଆଗେଇ ଥିଲେ ହେଁ ସେମାନେ ବିଭିନ୍ନ ବିଷୟରେ ଜର୍ମାନୀକୁ ମଧ୍ୟ ଅନାଇଁ ବସନ୍ତି । ସେସବୁ ଦେଶର ଶିଳ୍ପକାରଖାନାରେ ଆଜି ବି ଜର୍ମାନୀ ପ୍ରତିଭା ଲୁକ୍‍କାୟିତ ଭାବରେ କମ୍ କାର୍ଯ୍ୟ କରୁନି ।

 

ଜର୍ମାନୀର ଏତାଦୃଶ ଉତ୍କର୍ଷତା ପାଇଁ ଯେଉଁ କେତେ ଜଣ ବରେଣ୍ୟ ବୈଜ୍ଞାନିକ ଦାୟୀ, ସେମାନଙ୍କ ମଧ୍ୟରେ ଡକ୍ଟର ଭେର୍‍ନନ୍‍ ହେଉଛନ୍ତି ଅଗ୍ରଗଣ୍ୟ । ମିଉନିକ୍ ବିଶ୍ୱବିଦ୍ୟାଳୟର ପଦାର୍ଥବିଜ୍ଞାନାଧ୍ୟାପକ ଭାବରେ ସେ ଯେତେ ଖ୍ୟାତି ଲଭି ନାହାନ୍ତି, ତା’ଠାରୁ ଅଧିକ ଖ୍ୟାତି ଲଭିଛନ୍ତି, ମିଉନିକ୍ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ଗବେଷଣାଗାରର ଡାଇରେକ୍ଟର ଭାବରେ । କଂପ୍ୟୁଟର-ବିଜ୍ଞାନରେ ସାରା ପୃଥିବୀରେ ଯେତେ ବିଶେଷଜ୍ଞ ଅଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ଭେର୍‍ନନ୍‍ ଅଗ୍ରଗଣ୍ୟ ଓ ପୃଥିବୀର ଶ୍ରେଷ୍ଠତମ କଂପ୍ୟୁଟର ଗବେଷଣାକେନ୍ଦ୍ର ଭାବରେ ପ୍ରସିଦ୍ଧ ଲଭିଥିବା ମିଉନିକ ବିଶ୍ୱବିଦ୍ୟାଳୟରେ ଥିବା ତାଙ୍କର କଂପ୍ୟୁଟର ଗବେଷଣାଗାର ସମ୍ମୁଖରେ ଠିଆହେବା ପାଇଁ କୌଣସି ଗବେଷଣାଗାର ନାହିଁ । ଆମେରିକା ଓ ଇଂଲଣ୍ଡର ବହୁ କମ୍ପାନୀ ଆଜିକାଲି ଯେଉଁ ସବୁ ଜଟିଳତମ କଂପ୍ୟୁଟର ଯନ୍ତ୍ର ତିଆରିକରି ସାରା ପୃଥିବୀରେ ଅସଂଖ୍ୟ ଲୋକଙ୍କର ମାନସିକ ଶ୍ରମକୁ ଲାଘବକରି ଅପର୍ଯ୍ୟାପ୍ତ ଅର୍ଥ ଉପାର୍ଜ୍ଜନ କରୁଛନ୍ତି, ସେହି ଅର୍ଥ ଉପାର୍ଜ୍ଜନ ମୂଳରେ ରହିଛି ବୈଜ୍ଞାନିକ ଭେର୍‍ନନ୍‍ଙ୍କ ବୁଦ୍ଧି ଓ ପ୍ରତିଭା । ତାଙ୍କରି ଦ୍ୱାରା ଉଦ୍ଭାବିତ ବିଭିନ୍ନ ଧରଣର କଂପ୍ୟୁଟର ଯନ୍ତ୍ର ଉତ୍ପାଦନ କରି ଆମେରିକାର ବହୁ କମ୍ପାନୀ ଆଜି କୋଟିପତି । ସେଥିପାଇଁ ସାରା ଜର୍ମ୍ମାନ୍ ଜାତିର ଅପୂର୍ବ ଶ୍ରଦ୍ଧା, ସମ୍ମାନ, ଅନୁରାଗ ଭାସିଆସୁଛି ମିଉନିକ୍ ବିଶ୍ୱବିଦ୍ୟାଳୟର ଏହି ଗବେଷଣାଗାର ତଥା ଏହାର ପରିଚାଳକ ଭେର୍‍ନନ୍‍ଙ୍କ ଆଡ଼କୁ । ଦ୍ୱିଖଣ୍ଡିତ ଜର୍ମ୍ମାନ ଜାତି ଗର୍ବ ଅନୁଭବ କରୁଛି, ଏବେ ବି ତାର ବୈଜ୍ଞାନିକ ପ୍ରତିଭା ଅପ୍ରତିହତ ।

 

ବୈଜ୍ଞାନିକ ଭେର୍‍ନନ୍‍ ଆଧୁନିକ ଯନ୍ତ୍ର ମସ୍ତିଷ୍କ ବା କଂପ୍ୟୁଟର ଯନ୍ତ୍ରର ସର୍ବପ୍ରଥମ ଉଦ୍ଭାବକ ନ ହେଲେ ହେଁ କଂପ୍ୟୁଟର ତିଆରି ବିଜ୍ଞାନରେ ଏକ ଅଦ୍ୱିତୀୟ ବିଶେଷଜ୍ଞ ଭାବରେ ପୃଥିବୀପ୍ରସିଦ୍ଧ । ପୃଥିବୀର ସବୁଠାରୁ ଜଟିଳତମ ତଥା ମୂଲ୍ୟବାନ ଯନ୍ତ୍ରକୁ ତିଆରି ତଥା କୋମ୍ପାନୀମାନେ ଆମେରିକାକୁ ଯେଉଁ ଅଜସ୍ର ଅର୍ଥ ପୃଥିବୀର ବିଭିନ୍ନ କୋଣରୁ ବୋହି ଆଣୁଛନ୍ତି, ସେହି ଧନ ମୂଳରେ ଯେ ଭେର୍‍ନନ୍‍ଙ୍କ ପ୍ରତିଭା କାର୍ଯ୍ୟ କରୁଛି, ଏହା ହୁଏତ ସାଧାରଣ ଲୋକେ ଅବଗତ ନୁହନ୍ତି । ପୃଥିବୀର ପ୍ରତ୍ୟେକ କୋଣରେ ଯଦି କଂପ୍ୟୁଟର ଯନ୍ତ୍ରର ପ୍ରଭାବ ପଡ଼ିଛି, ତେବେ ଏହି ପ୍ରଭାବ ପଛରେ ରହିଛି, ବୈଜ୍ଞାନିକ ଭେର୍‍ନନ୍‍ଙ୍କ ଅପୂର୍ବ ପ୍ରତିଭା । କଂପ୍ୟୁଟର ସମ୍ବନ୍ଧୀୟ ବହୁ ପ୍ରକାର ପେଟେଣ୍ଟ ବିକ୍ରୟ କରି ଭେର୍‍ନନ୍‍ ତାଙ୍କ ଗବେଷଣାଗାରକୁ ପୃଥିବୀର ଏକ ଅଦ୍ୱିତୀୟ କଂପ୍ୟୁଟର ଗବେଷଣାଗାରରେ ପରିଣତ କରି ପାରିଛନ୍ତି । ପୃଥିବୀର ସବୁଠାରୁ ଶକ୍ତିଶାଳୀ କଂପ୍ୟୁଟର ଯନ୍ତ୍ର ଯେ ସେଠି ଖାଲି କାର୍ଯ୍ୟ କରୁଛି ତା’ ନୁହେଁ, କମ୍ପ୍ୟୁଟରର ଅସଂଖ୍ୟ ପ୍ରକାର ନୂଆ ନୂଆ ବ୍ୟବହାର ସେଠି ଦେଖାଦେଇଛି । ଏହି ଗବେଷଣାଗାରରେ କଂପ୍ୟୁଟର କେଉଁଠି ଖୁବ୍ ଜଟିଳ ଗଣିତର ସମାଧାନ କରୁଛି ତ କେଉଁଠି ଗୋଟିଏ ଭାଷାକୁ ଆଉ ଏକ ଭାଷାରେ ଅନୁବାଦ କରିପାରୁଛି ତ କେଉଁଠି ଯନ୍ତ୍ରଟିଏ ବସି ଛୋଟ ଛୋଟ ପିଲାଙ୍କୁ ସ୍କୁଲମାଷ୍ଟର ପଢ଼ାଇବାଭଳି ପଢ଼ାଉଛି-। କମ୍ପ୍ୟୁଟର ଯନ୍ତ୍ର ବସି କେଉଁଠି କବିଙ୍କ ଭଳି କବିତା ରଚନା କଲାଣି ତ କେଉଁଠି ବଡ଼ ବଡ଼ ରାଷ୍ଟ୍ରର ଅର୍ଥଦପ୍ତରର କର୍ମଚାରୀ ଭଳି ବଜେଟ ତିଆରି କଲାଣି । କମ୍ପ୍ୟୁଟରର ଅଭୂତପୂର୍ବ ବ୍ୟବହାର ଦିନକୁ ଦିନ ଦେଖାଦେଇଛି ଭେର୍‍ନନ୍‍ଙ୍କ ଗବେଷଣାଗାରରେ । ଡକ୍ଟର ଭେର୍‍ନନ୍‍ଙ୍କୁ ଯଦି ପଚରାଯାଏ, ଆପଣ କମ୍ପ୍ୟୁଟରର ଏମିତି କେତେ ପ୍ରକାର ବ୍ୟବହାର ଆବିଷ୍କାର କରିବେ ? ସେ ହସି ହସି ଉତ୍ତର ଦିଅନ୍ତି—‘ମଣିଷ ଯା’ କରୁଛି, କଂପ୍ୟୁଟର ଯନ୍ତ୍ର ଠିକ୍ ସେମିତି ସବୁ କାମ କରିପାରିବ-। ମଟରଗାଡ଼ି ଚଳାଇବାଠାରୁ ଆରମ୍ଭକରି ଯୁଦ୍ଧ କରିବା ଓ ଗଭୀର ଚିନ୍ତାକରି ନାନା ତଥ୍ୟ ଆବିଷ୍କାର କରିବା ପର୍ଯ୍ୟନ୍ତ ସବୁ କାମ କମ୍ପ୍ୟୁଟର ଯନ୍ତ୍ର କରିପାରିବ । ମଣିଷ ତ ପ୍ରକୃତରେ ଆଉ କିଛି ନୁହେଁ; ପ୍ରକୃତିସୃଷ୍ଟି ଏକ ଅତି ଜଟିଳ କମ୍ପ୍ୟୁଟର ଯନ୍ତ୍ର ମାତ୍ର । ତେଣୁ ମଣିଷ ଯେଉଁ ଯେଉଁ କାମ କରୁଛି, କମ୍ପ୍ୟୁଟର ଯନ୍ତ୍ର ସେହି ସେହି କାମ କରି ପାରିବାରେ ବିଚିତ୍ରତା କେଉଁଠି ! ଖାଲି ସେତିକି ନୁହେଁ, ସେ ଆହୁରି କହନ୍ତି ଯେ ‘ଆମ ଗବେଷଣାଗାରରୁ ଦିନେ ଏମିତି ଯନ୍ତ୍ରମଣିଷ ବାହାରିବ, ଯାହାକି, ସାଧାରଣ ମଣିଷ ଭଳି ସବୁ କାମ କରିପାରିବ । ସେଇ ହେବ ମୋ କମ୍ପ୍ୟୁଟର ଗବେଷଣାର ଚରମ ଆବିଷ୍କାର ।’

 

ଭେର୍‍ନନ୍‍ଙ୍କ ଗବେଷଣାଗାରରେ କାମ କରିବାର ସୁବିଧା ପାଇବା ପାଇଁ ପୃଥିବୀର କେତେ ଆଡ଼ୁ କେତେ ଯୁବକଯୁବତୀ ଯେ ପ୍ରାର୍ଥୀ ହୁଅନ୍ତି, ତା’ର କଳନା ନାହିଁ । ପୃଥିବୀର ସବୁଠାରୁ ଜଟିଳତମ ଓ ଆବଶ୍ୟକୀୟ ଯନ୍ତ୍ରରେ ଗବେଷଣା କରିବାକୁ ଇଚ୍ଛା ନ କରିବ ବା କିଏ ? ଦିନକୁ ଦିନ ନୂଆ ନୂଆ ପ୍ରକାର ଉଦ୍ଭାବନ କରି ଅଧ୍ୟାପକ ଭେର୍‍ନନ୍‍ ନିଜ ସହକର୍ମୀ ଦଳରେ ଏତେ ମଜ୍ଜି ଯାଆନ୍ତି ଯେ ସେ ବେଳେ ବେଳେ ଭୁଲିଯାନ୍ତି ନିଜ କଥା, ନିଜ ପିଲାପିଲି, ସ୍ତ୍ରୀକୁଟୁମ୍ବ କଥା । ନିଜ ସୁଖଦୁଃଖ, ଖିଆପିଆ କଥା ।

 

ରାତି ପ୍ରାୟ ଦୁଇଟା । ହଠାତ୍ ମିସେସ୍ ଭେର୍‍ନନ୍‍ଙ୍କ ନିଦ ଭାଜିଗଲା । ଶେଯ ଅଣ୍ଡାଳି ପକାଇ ଦେଖନ୍ତି ତ ଶେଯରେ ସେ ଏକା । ଡକ୍ଟର ଭେର୍‍ନନ୍‍ ଏ ପର୍ଯ୍ୟନ୍ତ ଶୋଇବାକୁ ଆସି ନାହାନ୍ତି । ତାଙ୍କ ଦେହରେ ଏକ ପ୍ରକାର ଚମକ ଖେଳିଗଲା । ସଙ୍ଗେ ସଙ୍ଗେ ଆଲୁଅ ଜାଳି ଦେଖିଲେ ଘଡ଼ିରେ ବାଜିଛି ଦୁଇଟା । ବଡ଼ ଚିନ୍ତିତ ହୋଇ ପଡ଼ିଲେ ସେ । ଗବେଷଣାଗାରରୁ ଆସି ଆଉ କେଉଁ କୋଠରୀରେ ପଢ଼ାପଢ଼ି କରୁଛନ୍ତି କି କଅଣ ଜାଣିବା ପାଇଁ ଏ ଘର ସେଘର ଖୋଜିବାକୁ ଲାଗିଲେ । କିନ୍ତୁ ସବୁ ଆଡ଼ ଶୂନଶାନ୍ । ପାଖ ଘରେ ପିଲା ଦୁଇଟି ଗାଢ଼ନିଦ୍ରାରେ ଶୋଇଛନ୍ତି । ବଡ଼ ଅଡ଼ୁଆ ଅଡ଼ୁଆ ଲାଗିଲା ତାଙ୍କୁ । ରାତି ଦୁଇଟା ପର୍ଯ୍ୟନ୍ତ ଅଧ୍ୟାପକ କ’ଣ ଗବେଷଣାଗାରରେ ଗବେଷଣାରେ ରତ ଅଛନ୍ତି ?

 

ମିସେସ୍ ଭେର୍‍ନନ୍‍ କଣ କରିବେ କିଛି ଠିକ୍ କରିପାରିଲେନି । ଫୋନ୍ କରି ଜାଣିନେବେ, କି ଗବେଷଣାଗାରକୁ ସିଧାସଳଖ ଦୌଡ଼ିଯିବେ, ଭାବିପାରିଲେନି । ଅନ୍ୟମନସ୍କ ଭାବରେ ତାଙ୍କ ହାତ ଗାରେଜ୍ ଚାବିପେନ୍ଥା ଆଡ଼କୁ ଚାଲିଗଲା । ସେ ସେଇ ରାତ୍ରିପୋଷାକ ପିନ୍ଧି ଅନ୍ୟମନସ୍କ ଭାବେ ବାହାରି ପଡ଼ିଲେ ବିଥୋଭେନ୍ ଷ୍ଟ୍ରୀଟରେ ତାଙ୍କ ଗାଡ଼ି ଛୁଟି ଚାଲିଲା ମିଉନିକ୍ ବିଶ୍ୱବିଦ୍ୟାଳୟ ଅଭିମୁଖେ ।

 

ଗବେଷଣାଗାର ନିକଟରେ ପହଞ୍ଚିଲାବେଳକୁ ସାରା ଗବେଷଣାଗାର ଦିନଭଳି ଆଲୋକିତ । ରାତି ଅଢ଼େଇଟା ବାଜି ଯାଇଥିଲେ ହେଁ ଗବେଷଣାଗାରଟି ଦିନଭଳି ଗହଳ ଚହଳ ଜଣା ପଡ଼ୁଥାଏ । ଯାଉଁ ଯାଉଁ ମିସେସ୍ ଭେର୍‍ନନ୍‍ ଭାବୁଥାଆନ୍ତି, ସମ୍ଭବତଃ କିଛି ଗୋଟାଏ ଦୁର୍ଘଟଣା ଘଟିଯାଇଛି ଗବେଷଣାଗାରରେ, ଯା’ ପାଇଁ କି ଭେର୍‍ନନ୍‍ ଏ ପର୍ଯ୍ୟନ୍ତ ଗବେଷଣାଗାର ଛାଡ଼ି ପାରିନାହାନ୍ତି । ତେଣୁ ସେ ତରତର କରି ଗାଡ଼ିକୁ ପୋର୍ଟିକୋରେ ଥୋଇଦେଇ ଗବେଷଣାଗାର ଭିତରକୁ ପଶିବାକୁ ଲାଗିଲେ । କୋଠରୀ ପରେ କୋଠରୀ ଅତିକ୍ରମ କରି ଅଧ୍ୟାପକଙ୍କ କୋଠରୀ ଭିତରକୁ ପଶିଗଲା କ୍ଷଣି ଦେଖିଲେ ଗବେଷକମାନଙ୍କର ଏକ ବିରାଟ ସଭା ବସିଛି, ଅଧ୍ୟାପକଙ୍କ କୋଠରୀରେ । ସ୍ତ୍ରୀପୁରୁଷ ଗବେଷକ ମିଶି ପ୍ରାୟ ତିରିଶ ଚାଳିଶ ଜଣ ଅଧ୍ୟାପକଙ୍କୁ ଘେରି ବସିଛନ୍ତି । ଅଧ୍ୟାପକ ତାଙ୍କ ସହକର୍ମୀମାନଙ୍କୁ କ’ଣ ଏକ ବୁଝାଇବାରେ ଲାଗିଯାଇଥାନ୍ତି ।

 

ମିସେସ୍ ଭେର୍‍ନନ୍‍ଙ୍କୁ କୋଠରୀ ଭିତରକୁ ହଠାତ୍ ପଶି ଆସିବାର ଦେଖି ଅଧ୍ୟାପକ ଚମକି ପଡ଼ିଲେ—‘ଏଁ, ତୁମେ ହଠାତ୍ କ’ଣ ଏଠି କ୍ୟାଥି ? ହଠାତ୍ ତୁମେ ? କ’ଣ ଖାଇବା ପାଇଁ ଡାକିଆସିଛ ? ଖାଇବା ବେଳ ତ ବୋଧହୁଏ ହୋଇନି । ଏଇ ସନ୍ଧ୍ୟା ତ ହେଲା !’

 

‘ଆଁ, ଏଇ ସନ୍ଧ୍ୟା ହେଲା ? ହଁ, ଏଇ କ୍ଷଣି ସନ୍ଧ୍ୟା ହେବ ନାହିଁ ତ ଆଉ କଅଣ ? ଘଡ଼ି ଆଡ଼କୁ ଟିକିଏ ଦୃଷ୍ଟି ଅଛି ତ ବବ୍ ? ସମୟର ଗତି କ’ଣ ତୁମ ଇଚ୍ଛା ଦ୍ୱାରା ନିୟନ୍ତ୍ରିତ ହୁଏ, ନାଁ ତାହାର ଗୋଟିଏ ସ୍ୱତନ୍ତ୍ର ଗତି ଅଛି; ଯେଉଁ ଗତି ଉପରେ କାହାରି ନିୟନ୍ତ୍ରଣ ନାହିଁ ।

 

‘ତାହେଲେ ମୋର କଣ ଭୁଲ୍ ହୋଇଗଲା ନା କଅଣ’ ?

 

ଘଡ଼ିକୁ ଅନାଇ, ‘ଆଁ, ରାତି ସାଢ଼େ ଦୁଇଟା ? ତଥାପି କ’ଣ ବିଶେଷ ଡେରି ହୋଇଯାଇଛି ? ଜାଣିଛ କ୍ୟାଥି, ଆଜି ସନ୍ଧ୍ୟାବେଳୁ ଆମ ଗବେଷଣାଗାରରେ ଯେତେ ଖେଳ ହୋଇଯାଇଛି, ଆମେ ଏତେ ସମୟ ଧରି ଖାଲି ତା’ରି ଉପରେ ବସି ଆଲୋଚନା କରୁଛୁ, ଶେଷ ହେବାକୁ ନାହିଁ ।’

 

‘ଆଁ, ଖେଳ ? ଗବେଷଣାଗାରରେ ? ମୁଁ ତ କିଛି ବୁଝି ପାରୁନି ବବ୍ ତୁମ କଥାରୁ ।’

 

‘ହଁ, ହ, ଖେଳ, ଏଇ ଚେସ୍ ଖେଳ ! ତୁମର ଅତି ପ୍ରିୟ ଖେଳ । ଆଜି ସନ୍ଧ୍ୟାବେଳୁ ଏତେବେଳେ ପର୍ଯ୍ୟନ୍ତ ମିଉନିକର ବଛାବଛା ଚେସ୍ ଖେଳାଳୀଙ୍କର ପ୍ରତିଯୋଗିତା ପରା ଏଠି ଚାଲିଥିଲା ! ସମସ୍ତେ ତ ହାରିଗଲେ; ଛାଡ଼, ଆମେ ସେଥିପ୍ରତି ଦୃଷ୍ଟି ନ ଦେଇ ସେମାନଙ୍କର ଖେଳର ନାନ ପ୍ରକାର ବିଶ୍ଳେଷଣ କରୁଥିଲୁ ଏଠି ?

 

‘ଚେସ୍‍ ଖେଳ, ପୁଣି ତା’ର ସବୁ ବିଶ୍ଳେଷଣ, ସମସ୍ତେ ହାରିଗଲେ’–ଏ ସବୁର ଅର୍ଥ କଅଣ ମୁଁ ତ କିଛି ଧରି ପାରୁନି । ଚେସ୍ ଖେଳାଳୀମାନେ ଏଠି ଚେସ୍ ଖେଳୁଥିଲେ ? କାହିଁକି ? କାହା ସହିତ ?

 

‘ଆରେ, ସତେ ତ; ତୁମକୁ ଏ ପର୍ଯ୍ୟନ୍ତ ମୁଁ ଅସଲ କଥାଟା କହିନି । ତୁମେ ଜାଣିଛ କ୍ୟାଥି, ଏଥି ଭିତରେ ଆମ ଗବେଷଣାଗାରରେ ଏମିତି ଗୋଟାଏ କଂପ୍ୟୁଟର ଯନ୍ତ୍ର ତିଆରି କରାଯାଇଛି, ଯାହା କି ଜଣେ ମଣିଷ ଭଳି ଚେସ୍ ଖେଳିପାରୁଛି । ପୁଣି ସାଧାରଣ ଖେଳାଳୀ ଯେମିତି ଖେଳିବ, ତା’ଠାରୁ ଭଲ ଖେଳିପାରୁଛି, ଏହି ଯନ୍ତ୍ରଟି । ଆଜି ସନ୍ଧ୍ୟାବେଳୁ ଆମେ ମିଉନିକର କେତେ ଜଣ ବଛା ବଛା ଚେସ୍‍ ଖେଳାଳୀଙ୍କୁ ଗୋପନୀୟ ଭାବରେ ଡକାଇ ଏହି ଯନ୍ତ୍ର ସହିତ ଖେଳାଉଥିଲୁ । ସେମାନେ ସମସ୍ତେ ହାରିଗଲେ । ଆମ ଯନ୍ତ୍ରର ଦକ୍ଷତା ଭଲଭାବରେ ପରୀକ୍ଷା ନ କରି ଆମେ ଆମ ଯନ୍ତ୍ର ବିଷୟରେ ପ୍ରକାଶ କରିବାକୁ ଇଚ୍ଛା କରୁନୁ । ସେହି ଭୟରେ ଏ ଯନ୍ତ୍ର କଥା ମୁ ମଧ୍ୟ ତୁମକୁ କହିନି । ଆମ ଯନ୍ତ୍ର ଏକ ଦଷ ଚେସ୍‍ ଖେଳାଳୀ ବୋଲି ଆମେ ନିଶ୍ଚିତ ହେବା ପରେ ଏହାର ପ୍ରଚାର କରାଯିବ । ତୁମେ ତ ଖୁବ୍ ଭଲ ଚେସ୍‍ ଖେଳିପାର କ୍ୟାଥି ! ଖେଳିବ ଆମର ଏହି ଯନ୍ତ୍ର ସହିତ ? ତୁମେ ନିଜେ ହୃଦୟଙ୍ଗମ କରିପାରିବ ଆମ ଯନ୍ତ୍ରର ଦକ୍ଷତା କେତେ ? କଣ ଖେଳିବାକୁ ଯିବ ?

 

ମିସେସ ଭେର୍‍ନନ୍‍ ଅଧ୍ୟାପକଙ୍କ ଭାଷା ଅନୁବାଦ କରିବା ଯନ୍ତ୍ର, ସଙ୍ଗୀତ ରଚନା କରିବା ଯନ୍ତ୍ର, ସୁମଧୁର ସୁରରଚନା କରା ଯନ୍ତ୍ରର କାର୍ଯ୍ୟ କରିବା ଶକ୍ତି ଢେର ଥର ଦେଖିଛନ୍ତି । କିନ୍ତୁ ତାଙ୍କ ଧାରଣା ନ ଥିଲା ଯେ ଯନ୍ତ୍ରଟି ଦିନେ ମଣିଷ ଭଳି ଚେସ୍ ଖେଳିପାରିବ । ଯେତେବେଳେ ସେ ନିଜେ ଜଣେ ଖେଳାଳୀ, ଏମିତି ଏକ ଯନ୍ତ୍ରକୁ ସେ ନ ଦେଖିବା ବା କେମିତି ? ସେ ଯନ୍ତ୍ରଟିକୁ ଦେଖିବା ପାଇଁ ଉତ୍ସୁକ ହୋଇ ପଡ଼ିଲେ । ଅଧ୍ୟାପକଙ୍କ ସହିତ ସେ ସିଧାସଳଖ ଚାଲିଲେ କଂପ୍ୟୁଟର କକ୍ଷକୁ ।

 

ମିସେସ ଭେର୍‍ନନ୍‍ ଯଦିଚ ଖୁବ୍‍ ଭଲ ଚେସ୍‍ ଖେଳ ଜାଣନ୍ତିନି, ତେବେ ଯା’ ଜାଣନ୍ତି, ମନ୍ଦ ନୁହେ । ଚେସ୍ ଖେଳିବାକୁ ଭାରି ଆଗ୍ରହ । ଚେସ୍ ଖେଳର ନାଁ କହିଲେ ପାଞ୍ଚକୋଶ ଦୌଡ଼ିଯିବେ ।

 

ଅଧ୍ୟାପକ ଓ ସହକର୍ମ୍ମୀମାନଙ୍କ ସହିତ ମିସେସ ଭେର୍‍ନନ୍‍ ଚେସ୍ ଖେଳର ରୁମ୍‍କୁ ପଶିଲେ । ରୁମ୍‍ର ଗୋଟିଏ ପାଖରେ ରହିଛି—ବିରାଟ କଂପ୍ୟୁଟର ଯନ୍ତ୍ର । ଯନ୍ତ୍ରରେ ଲାଗିଛି ଦୁଇଟି ବିରାଟ ବିରାଟ ହାତ । ମୁହଁ ଉପରେ ଆଖି ଦୁଇଟା କେମେରା ଲେନସ୍ ଭଳି ଜକଜକ୍ ଦିଶୁଥାଏ । ଏହି ଆଖି ସାହାଯ୍ୟରେ ଯନ୍ତ୍ରଟି ଖେଳ ଦେଖି ନିଜ ବିବେଚନାନୁସାରେ ଦୁଇହାତ ସାହାଯ୍ୟରେ ଖେଳେ । ଯନ୍ତ୍ରଟିଠାରୁ ଅଳ୍ପଦୂରରେ ଗୋଟିଏ ଟେବୁଲ ଉପରେ ଚେସ୍‍ ଖେଳପଟା ପଡ଼ିରହିଛି । ରଜା ରାଣୀ, ସେନାପତି, ଘୋଡ଼ା, ଦୁର୍ଗ, ସୈନ୍ୟ ସାମନ୍ତମାନେ ଖେଳାମେଳା ହୋଇ ସେହି ପଟା ଉପରେ ପଡ଼ିଛନ୍ତି । ଟେବୁଲଟି ଯନ୍ତ୍ରକୁ ପ୍ରାୟ ଲାଗିଛି କହିଲେ ଚଳେ । ଯନ୍ତ୍ରଟି ସ୍ୱଚ୍ଛନ୍ଦରେ ହାତ ବଢ଼ାଇ ଏହି ଟେବୁଲ ଉପରେ ଖେଳିପାରିବ । ଯନ୍ତ୍ରର ବିପରୀତ ପାଖରେ ଖାଲି ଚେୟାରଟାଏ ପଡ଼ିଛି । ଯେଉଁମାନେ ଯନ୍ତ୍ର ସହିତ ଚେସ୍‍ ଖେଳିବେ, ସେମାନେ ଏହି ଚେୟାରରେ ବସି ଖେଳିବାର କଥା ।

 

ମିସେସ ଭେରୁନନ୍ ଚେସ୍‍ ଖେଳିବା ଅଭିପ୍ରାୟରେ ସଙ୍ଗେ ସଙ୍ଗେ ଖାଲି ପଡ଼ିଥିବା ଚେୟାରରେ ବସିପଡ଼ିଲେ । ସନ୍ଧ୍ୟାଠାରୁ ରାତି ଅଧ ପର୍ଯ୍ୟନ୍ତ ଛ’ ସାତ କଣ ବଛା ବଛା ଚେସ୍‍ ଖେଳାଳୀ ଯନ୍ତ୍ର ସହିତ ଚେସ୍‍ ଖେଳି ହାରିଗଲେଣି । ତେଣୁ ସେ ଯେ ଜିତିବେ, ସେ ଆଶା ତାଙ୍କର ନ ଥିଲେ ହେଁ ଯନ୍ତ୍ରର ଏହି କରାମତି ଦେଖିବା ତାଙ୍କର ଭାରି ଇଚ୍ଛା ।

 

ଚେୟାର ଉପରେ ବସି ପଡ଼ି ସେ ଖେଳ ସଜାଇବାକୁ ଯାଉଛନ୍ତି, ହଠାତ୍ ଯନ୍ତ୍ର କହିଉଠିଲା, ‘ଆପଣ କଷ୍ଟ କରନ୍ତୁନି ମିସେସ୍ ଭେର୍‍ନନ୍‍, ମୁଁ ସଜାଇ ଦେଉଛି । ଆପଣଙ୍କ ଅପେକ୍ଷା ମୁଁ ଶୀଘ୍ର ସଜାଇ ପାରିବି ।’

 

ଅନାଉଁ ଅନାଉଁ ଯନ୍ତ୍ରର ବିରାଟ ବିରାଟ ହାତ ଦୁଇଟା ରଜା ରାଣୀ, ସେନାପତି, ଦୁର୍ଗ, ଘୋଡ଼ା ଆଦିକୁ ଖେଳିବା ପଟା ଉପରେ ଯେମିତି ସଜାଇବାର କଥା, ଠିକ୍ ସେମିତି ଆଖି ପିଛୁଳାକେ ସଜାଇ ଥୋଇଦେଲା ।

 

ସଙ୍ଗେ ସଙ୍ଗେ ହାତ ଉଠାଇ ନେଇ କହିଲା, ‘ଏଥର ଆଉ ଡେରି କାହିଁକି ମିସେସ୍ ଭେର୍‍ନନ୍‍ ? ଖେଳ ଆରମ୍ଭ ହେଉ । ଆରମ୍ଭଟା ଆପଣଙ୍କ ପକ୍ଷରୁ ହେଉ ।’

 

ମିସେସ୍ ଭେର୍‍ନନ୍‍ ସାର ଚଳାଇବାକୁ ଆରମ୍ଭ କଲେ । ତାଙ୍କ ଖେଳକୁ ଅନୁଧ୍ୟାନ କରି ଯନ୍ତ୍ର ତା ପଷ ସାରକୁ ଚଳାଉଥାଏ ଠିକ୍ ଜଣେ ଦକ୍ଷ ଖେଳାଳୀ ଭଳି । ବେଳେ ବେଳେ ଗୋଟିଏ ଗୋଟିଏ ସାରକୁ ଠିକ୍ ରୂପେ ଚଳାଇବା ପାଇଁ ଯେଉଁଠି ମିସେସ୍ ଭେର୍‍ନନ୍‍ ଦୁଇ ତିନି ମିନିଟ୍‍ ସମୟ ନେଇ ନେଉଥାନ୍ତି, ସେଠି ଯନ୍ତ୍ରକୁ ସେକେଣ୍ଡଟାଏ ବି ଲାଗୁ ନ ଥାଏ । କେଉଁ ସାର କେଉଁଠାକୁ ଚଳାଇଲେ, କା’ କା’ ଉପରେ ତାର କି ପ୍ରଭାବ ପଡ଼ିବ, ସେ ସମ୍ବନ୍ଧରେ ଯନ୍ତ୍ରର ଧାରଣା ଏତେ: ସ୍ପଷ୍ଟ ଯେ ଯନ୍ତ୍ରକୁ ଖୁବ୍‍ ଜଟିଳ ପରିସ୍ଥିତି ପାଇଁ ସେକେଣ୍ଡ କି ଦି’ସେକେଣ୍ଡରୁ ଅଧିକ ସମୟ ଚିନ୍ତା କରିବାକୁ ପଡ଼ୁ ନ ଥାଏ । କେବଳ ଯନ୍ତ୍ରର ଏତାଦୃଶ ପଟୁତା ଓ ଚଞ୍ଚଳତା ଦେଖି ମିସେସ୍ ଭେର୍‍ନନ୍‍ ଅବାକ୍ । ମିସେସ୍ ଭେର୍‍ନନ୍‍ ଖେଳିବେ କଅଣ, ଯନ୍ତ୍ରର ଏତାଦୃଶ ପଟୁତା ଦେଖି ଯନ୍ତ୍ରର ଦକ୍ଷତା ସମ୍ବନ୍ଧରେ ମନେ ମନେ ଚିନ୍ତା କରୁଛନ୍ତି, ହଠାତ୍ ଯନ୍ତ୍ରଟି କହିଉଠିଲା, ‘କ୍ଷମା କରିବେ ମିସେସ ଭେର୍‍ନନ୍‍, ଆପଣ ବର୍ତ୍ତମାନ ଚାରିଆଡ଼ୁ ବନ୍ଦୀ, ଆପଣ ଆଉ ପାଦେ କେଉଁ ଆଡ଼କୁ ଚଳାଇପାରିବେନି, ଦେଖିଲେ ଆପଣ କେମିତି ହାରିଗଲେ !’

 

ମିସେସ୍ ଭେର୍‍ନନ୍‍ ଚମକିପଡ଼ି ଦେଖନ୍ତି, ଯନ୍ତ୍ର ଯା’ କହିଛି ପୂରାପୂରି ଠିକ୍ । ତାଙ୍କର ଆଉ କେଉଁ ଆଡ଼କୁ ଚଳାଇବା ପାଇଁ ବାଟ ନାହିଁ; ତେଣୁ ହାରିବା ଛଡ଼ା ଅନ୍ୟ ଉପାୟ ନାହିଁ ତାଙ୍କର-

 

ଏହି ସମୟରେ ଯନ୍ତ୍ର ପୁଣି କହିଲା, ‘ଧନ୍ୟବାଦ, ହାରିଗଲେ ବୋଲି ମନ କଷ୍ଟ କରିବେ ନାହିଁ, କିନ୍ତୁ ଖେଳଟି ଖୁବ୍‍ ମଜା ହେଲା; ନୁହେଁ ?

 

‘ଖାଲି ସେତିକି ନୁହେଁ; କ୍ୟାଥି’, ଅଧ୍ୟାପକ ପାଖରେ ଠିଆହୋଇ ଆରମ୍ଭ କଲେ, ‘ତୁମେ ଖେଳିଲାବେଳେ ଖେଳରେ କେଉଁଠି କେଉଁଠି ଭୁଲି କରିଥିବା ଯୋଗୁଁ ହାରିଲ, ତା’ର ବିଶ୍ଳେଷଣ ଶୁଣିବ ? ତା’ବି ତୁମକୁ ଏ ଯନ୍ତ୍ର ଶୁଣାଇ ଦେଇପାରିବ । ତା’ହେଲେ ଭବିଷ୍ୟତରେ ତୁମେ ସେଭଳି ଭୁଲ କେବେ କରିବନି । ଫଳରେ ତୁମର ଚେସ୍‍ ଖେଳରେ ଆହୁରି ଉନ୍ନତି ହେବ ।’’

 

‘ଆଁ, ତା ବି ଏ ଯନ୍ତ୍ର କହିଦେଇପାରିବ ?’

 

‘ହଁ, ମିସେସ୍ ଭେର୍‍ନନ୍‍ ! ଯନ୍ତ୍ର କହିଉଠିଲା, ‘ଦେଖନ୍ତୁ, ଆପଣ ଆପଣଙ୍କ ଘୋଡ଼ା, ଆପଣଙ୍କ ଦୁର୍ଗର ଅବସ୍ଥାନ ସେଠି ଯେମିତିଭାବରେ କଲେ, ସେମିତି ଭାବରେ କରିବାର ନ ଥିଲା; ଆପଣ ସେମିତିଭାବରେ କରିବାଦ୍ୱାରା ମୁଁ ସୁବିଧା ପାଇଗଲି । ତେଣୁ ମୋ ଘୋଡ଼ା ଓ ସେନାପତି ସେ ଦୁଇ ଜାଗାକୁ ଯାଇ ପାରିଲେ । ଫଳରେ ଆପଣଙ୍କ ହାରିବାରେ ଏହା ସାହାଯ୍ୟ କଲା । ଆପଣ ଏହି ଖେଳରେ ଏଇଭଳି ଛ’ ଥର ଭୁଲ୍‍ କରିଛନ୍ତି । ପଢ଼ନ୍ତୁ ଏହି କାଗଜ ଖଣ୍ଡିକ, ସେଥିରେ ଆପଣଙ୍କର ସବୁ ଭୁଲ୍‍ ଲେଖାହୋଇଛି ।’ କହୁ କହୁ ଯନ୍ତ୍ର ଭିତରୁ କାଗଜଖଣ୍ଡିଏ ବାହାରିଆସିଲା ।

 

ମିସେସ ଭେର୍‍ନନ୍‍ କାଗଜଖଣ୍ଡକୁ ନେଇ ପଢ଼ୁ ପଢ଼ୁ ଚମତ୍କୃତ ହୋଇ କହିଲେ, ‘ଆରେ ସତେ ତ, ହଁ ମୋର ତ ଠିକ୍ ମନେପଡ଼ୁଛି, ମୁଁ ସେଠି ଗୋଟାଏ ବିରାଟ ଭୁଲ୍‍ କରି ପକାଇଥିଲି । କାଗଜଟିକୁ ପରୀକ୍ଷା କରି ନିଜ ଭୁଲ୍‍ଗୁଡ଼ିକ ପଢ଼ୁ ପଢ଼ୁ ବହୁତ ଖୁସି ହୋଇଗଲେ ମିସେସ ଭେର୍‍ନନ୍‍-। ଯନ୍ତ୍ର ଯେଉଁ ଭୁଲଗୁଡ଼ିକ ଦେଖାଇ ଦେଇଛି, ସେଗୁଡ଼ିକ ପୂରାପୂରି ଠିକ୍ । ଯନ୍ତ୍ରର ଏତାଦୃଶ ଶକ୍ତିରେ ବିଭୋର ହୋଇ ସ୍ୱାମୀଙ୍କୁ କୁଣ୍ଢାଇ ଗଦଗଦ୍ ଚିତ୍ତରେ କହିଲେ, ‘ତୁମେ ଯନ୍ତ୍ର ଅତି ଅଦ୍ଭୁତ ବବ୍ ! ତୁମ ଯନ୍ତ୍ର ଅତି ଅଦ୍ଭୁତ ! ତୁମ ଯନ୍ତ୍ରର ଟେର୍‍ ପାଇଲେ ଆଜି ସାରା ପୃଥିବୀ ଚକିତ ହେବ-। ବିଜ୍ଞାନ ଜଗତରେ ଶ୍ରେଷ୍ଠ ଉଦ୍ଭାବଭାବରେ ତୁମକୁ ସ୍ୱାଗତ ନ କରି କେହି ରହିପାରିବେନି ବବ୍-! ତୁମର ଏହି ଉଦ୍ଭାବନ ସାରା ଜର୍ମାନ ଜାତିକୁ ଗୌରବାନ୍ୱିତ କରିବ ।’ କହୁଁ କହୁଁ ମିସେସ ଭେର୍‍ନନ୍‍ ଅତି ଖୁସି ହୋଇ ଅଧ୍ୟାପକ ଭେର୍‍ନନ୍‍ଙ୍କ କପୋଳ ଉପରେ ଆଙ୍କିଦେଲେ ସୁମଧୁର ଚୁମ୍ବନ ଏକ ସୁନେଲି ଦାଗ ।

 

ଯେଉଁ ଦିନ ବୈଜ୍ଞାନିକ ଭେର୍‍ନନ୍‍ଙ୍କ ଅଦ୍ଭୁତ ଚେସ୍ ଖେଳାଳୀ ଯନ୍ତ୍ର କଥା ବିଭିନ୍ନ ଦେଶର ଖବରକାଗଜରେ ବାହାରିପଡ଼ିଲା, ସାରା ପୃଥିବୀରେ ଚହଳ ପଡ଼ିଗଲା ଯନ୍ତ୍ରର ଅପୂର୍ବ ଖେଳ ପଟୁତା ଯୋଗୁ । ଯେଉଁ ଦିନ ଯନ୍ତ୍ର ସହିତ ପ୍ରତିଯୋଗିତା ମୂଳକ ଭାବରେ ଖେଳିବା ପାଇଁ ପୃଥିବୀର ବଡ଼ ବଡ଼ ଚେସ୍‍ ଖେଳାଳୀମାନଙ୍କୁନିମନ୍ତ୍ରଣ କରାଗଲା, ସେ ଦିନ ଇଉରୋପରେ ଯେଉଁ ଚହଳ ଦେଖାଦେଲା ସେକଥା କହିଲେ ନ ସରେ ! ଇଉରୋପର ସମସ୍ତଙ୍କ ମୁହଁରେ ଯନ୍ତ୍ର ତଥା ଏହାର ଉଦ୍ଭାବକ ଭେର୍‍ନନ୍‍ଙ୍କ ଉଚ୍ଛ୍ୱସିତ ପ୍ରଶଂସା । ମିଉନିକ୍ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ଗବେଷଣାଗାର ଦିନକୁ ଦିନ ଖେଳାଳୀ ତଥା ଦର୍ଶକଙ୍କ ଭିଡ଼ରେ ଅତୀଷ୍ଠ ହୋଇ ଉଠିଲା । ଯେଉଁ ଦିନ ଘୋଷିତ ହେଲା ଯେ ଯେଉଁ ଚେସ୍‍ ଖେଳାଳୀ ସେହି ଯନ୍ତ୍ରକୁ ଚେସ୍‍ ଖେଳରେ ପରାସ୍ତ କରି ଦେଇପାରିବ, ସେ ହେବ ସେହି ଯନ୍ତ୍ରର ମାଲିକ; ସେଦିନ ଚେସ୍‍ ଖେଳାଳୀଙ୍କ ଭିତରେ ଅପୂର୍ବ ଉତ୍ସାହ କଥା କହିଲେ ନ ସରେ ! ଏମିତି କି ଏହି ଖବର ପାଇ ଆଟଲାଣ୍ଟିକ ଆରପାରିରୁ ଚେସ୍‍ ଖେଳାଳୀମାନେ ଧାଇଁଲେ ଇଉରୋପର ଏହି ଯନ୍ତ୍ର ସହିତ ଖେଳିବା ପାଇଁ । ହାରିବା ଜିତିବା ଯା’ହେଉ ପଛକେ ଯନ୍ତ୍ର ସହିତ ଖେଳିଲେ ଅପୂର୍ବ ଅନୁଭୂତି ତ ଆହରଣ କରିପାରିବେ !

 

ମିଉନିକ୍‍କୁ ଯେତେବେଳେ ଚେସ୍‍ ଖେଳାଳୀମାନେ ଧାଡ଼ି ଛୁଟାଇଥାନ୍ତି, ସେତିକିବେଳେ ଠିକ୍‍ ସେହି ଗବେଷଣାଗାରକୁ ଧାଡ଼ି ଲଗାଇଥାନ୍ତି ଇଉରୋପ ତଥା ଆମେରିକାର ପୁଞ୍ଜି ପତିମାନେ-। କିଏ ସ୍ୱତନ୍ତ୍ର ପ୍ଲେନରେ ଆସୁଛି ତ କାହାପାଇଁ ନିଜ ପ୍ଲେନ୍ ପ୍ରେରିତ କରାହେଉଛି ଇଉରୋପ ଆସିବା ପାଇଁ । ଆଇ. ବି. ଏମ. ଆର: ସି.ଏ., ଜେନେରାଲ ଇଲେଟ୍ରିକ୍ ଆଦି କଂପ୍ୟୁଟର ପ୍ରସ୍ତୁତିକାରୀ କମ୍ପାନୀର କର୍ମକର୍ତ୍ତାମାନଙ୍କରନିଦ ନାହିଁ । ସମସ୍ତଙ୍କର ଚିନ୍ତା ଡକ୍ଟର ଭେର୍‍ନନ୍‍ଙ୍କର ଏହି ଅଦ୍ଭୁତ ପେଟେଣ୍ଟ କାହାର ହସ୍ତଗତ ହେବ ? ସମସ୍ତଙ୍କର ଆଶା, ଯେତେ ଅର୍ଥ ପଡ଼ୁପଛକେ ସେମାନେ ଏହି ପେଟେଣ୍ଟକୁ ହାସଲ କରିବେ । ଦିନକୁ ଦିନ ବଡ଼ ବଡ଼ ଚେସ୍‍ ଖେଳାଳୀମାନେ ଚେସ୍‍ ଖେଳରେ ଯନ୍ତ୍ରଠାରୁ ପରାସ୍ତ ହେଉଥିବା ଖବର ଯେତେ ବାହାରୁଥାଏ, ପୁଞ୍ଜିପତିମାନଙ୍କ ଠାରେ ପେଟେଣ୍ଟର ମୂଲ୍ୟ ସେତିକି ବଢ଼ୁଥାଏ । କିଏ ମନେ ମନେ ଭାବିଲାଣି ୧୦କୋଟି ଡଲାର ପର୍ଯ୍ୟନ୍ତ ଦେବ ତ କିଏ ଭାବି ସାରିଲାଣି ୨୦ କୋଟି ଡଲାର ଦେବ ବୋଲି । ଏମିତିକି ଶହେ କୋଟି ଡଲାର ପର୍ଯ୍ୟନ୍ତ ଦେବାର ଧାରଣା କାହା କାହା ମନକୁ ଯେ ନ ଆସିଛି, ତା ନୁହେଁ-

 

ହଠାତ୍ ଏହି ସମୟରେ ଖବରକାଗଜରେ ପ୍ରକାଶ ପାଇଲା ଆଉ ଏକ ଖବର । ଫ୍ରାନ୍‍ସ ଦେଶର ଜନୈକ ଚଷମାନିର୍ମାଣକାରୀ ଆଉ ଏକ ଯନ୍ତ୍ର ଉଦ୍ଭାବନ କରିଛି; ଯାହାକି ମିଉନିକ୍‍ର ଯନ୍ତ୍ର ଭଳି ଚେସ୍‍ ଖେଳିପାରୁଛି । ଏ ଯନ୍ତ୍ରର ସୁବିଧା ହେଉଛି ଯେ ଏହା ଆକାରରେ ଛୋଟ, ଏଥିରେ ଯାନ୍ତ୍ରିକ ଜଟିଳତା ଅପେକ୍ଷାକୃତ କମ୍ ଓ ଅତି ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରିବ । ଯନ୍ତ୍ରନିର୍ମାତା ଏହାକୁ ବିକ୍ରୟ କରିବାକୁ ଇଚ୍ଛୁକ; କିନ୍ତୁ ବର୍ତ୍ତମାନ ନୁହେ । ପୃଥିବୀର ବଡ଼ ବଡ଼ ଚେସ୍ ଖେଳାଳୀମାନଙ୍କୁ ହରାଇସାରିଲା ପରେ ସେ ଏହାକୁ ବିକ୍ରୟ କରିବା କଥା ଚିନ୍ତାକରିବେ । ସେତେବେଳେ ହୁଏ ମାତ୍ର ଏକ ଲକ୍ଷ ଡଲାର ମୁଦ୍ରାରେ ଏହାକୁ ସେ ହସ୍ତାନ୍ତରିତ କରିଦେଇପାରିବେ ।

 

ଏହି ଖବର ଯେତେବେଳେ ପ୍ରକାଶ ପାଇଲା, ଅଧ୍ୟାପକ ଭେର୍‍ନନ୍‍ଙ୍କ କଂପ୍ୟୁଟର ଯନ୍ତ୍ରର ଖ୍ୟାତି ଓ ଚାହିଦା ଉପରେ ପ୍ରବଳ ଆଘାତ ପଡ଼ିଲା । ଯେଉଁ ପୁଞ୍ଜିପତିମାନେ ଆମେରିକାରୁ ଫ୍ରାନ୍‍ସ ଦେଇ ଜର୍ମାନୀ ଆଡ଼କୁ ମୁହାଁଇଥିଲେ, ସେମାନେ ଏମିତି ଏକ ଖବରରେ କଣ କରିବେ ଠିକ୍ କରି ନ ପାରି ଫ୍ରାନ୍‍ସରୁ ଆଉ ଜର୍ମାନୀକୁ ନ ଯାଇ ନିଜ ନିଜ ଦେଶକୁ ବାହୁଡ଼ିଗଲେ । ଏକ ଲକ୍ଷ ଡଲାର ମୁଦ୍ରାରେ ଯଦି ଏମିତି ଗୋଟିଏ ଯନ୍ତ୍ର ମିଳିଯାଇପାରେ, ତେବେ ସେମାନେ ଶହ ଶହ କୋଟି ଡଲାର ଦେବା ପାଇଁ କାହିଁକି ବା ଯିବେ ? ଫ୍ରାନ୍‍ସ ଦେଶର ଏହି ଚେସ୍‍ ଖେଳାଳୀ ଯନ୍ତ୍ରଟି କେମିତି କାର୍ଯ୍ୟ କରୁଛି ଓ ଲୋକପ୍ରିୟ ହେଉଛି, ସେମାନେ ଲକ୍ଷ୍ୟ କରିବା ଉଚିତ ।

 

ଫ୍ରାନ୍‍ସ ଦେଶର ଏହି ଚେସ୍‍ ଖେଳାଳୀ ଯନ୍ତ୍ର କଥା ଯେଉଁ ଦିନରୁ ବାହାରିଲାଣି, ସେଦିନରୁ ମିଉନିକ ଯନ୍ତ୍ରର ଲୋକପ୍ରିୟତା କମିଆସିଲାଣି । ଯଦିଚ ଏହା ପୃଥିବୀର ସବୁ ବଡ଼ ବଡ଼ ଚେସ୍‍ଖେଳାଳୀଙ୍କୁ ପରାସ୍ତ କରି ପୃଥିବୀର ଶ୍ରେଷ୍ଠ ଚେସ୍‍ ଖେଳାଳୀର ଖ୍ୟାତି ଅର୍ଜନ କରିଛି, ତଥାପି ଏହି ଯନ୍ତ୍ରଟି ଆଡ଼କୁ ବେଶୀ ଲୋକଙ୍କର ଦୃଷ୍ଟି ନାହିଁ । ସମସ୍ତଙ୍କ ଦୃଷ୍ଟି ଏହାର ପ୍ରତିଯୋଗୀ ଯନ୍ତ୍ରଆଡ଼କୁ । ଏହା ଫ୍ରାନ୍‍ସଦେଶରେ ଚେସ୍‍ ଖେଳାଳୀମାନଙ୍କୁ ହରାଇବାରେ ଲାଗିଛି । ଖବରକାଗଜର ବର୍ଣ୍ଣନା ଶୁଣି ଲୋକମାନେ ଆନନ୍ଦରେ ବିହୋଳ ହୋଇଉଠୁଛନ୍ତି । ଦିନକୁ ଦିନ ଫ୍ରାନ୍‍ସର ଛୋଟ ବଡ଼ ସହରରେ ଏହି ଚଷମା-ବ୍ୟବସାୟୀ ତା ଯନ୍ତ୍ରକୁ ନେଇ ନାନା ପ୍ରକାର ପ୍ରତିଯୋଗିତା କରିବାରେ ଲାଗିଥାଏ । ଫ୍ରାନ୍‍ସ ଦେଶର ବଛା ବଛା ଖେଳାଳୀମାନେ ଏହି ଯନ୍ତ୍ର ସହିତ ଖେଳି ହାରିଯାଉଥାନ୍ତି । ଫ୍ରାନ୍‍ସର ସମସ୍ତ ଖେଳାଳୀଙ୍କୁ ପରାସ୍ତ କରି ସାରିବା ପରେ ଫ୍ରାନ୍‍ସ ବାହାରେ ସବୁ ବଡ଼ ବଡ଼ ଦେଶକୁ ଯିବା ପାଇଁ ଅସଂଖ୍ୟ ନିମନ୍ତ୍ରଣ । ଫ୍ରାନ୍‍ସରୁ ବାହାରି ହଲାଣ୍ଡ, ବେଲଜିୟମ, ଇଂଲଣ୍ଡ, ପୋଲାଣ୍ଡ, ଋଷିଆ ଆଦି ବହୁ ଦେଶ ଘୁରିସାରି ଯେତେବେଳେ ଜର୍ମାନୀରେ ପହଞ୍ଚିଲା, ଲୋକେ ଏହି ଯନ୍ତ୍ରକୁ ଦେଖିବା ପାଇଁ ପାଗଳ ହୋଇଉଠିଲେ । ଦିନକୁ ଦିନ ଜର୍ମାନୀର ସବୁ ବଡ଼ ବଡ଼ ସହର ବୁଲି ଜର୍ମାନୀର ବଡ଼ ବଡ଼ ଚେସ୍‍ ଖେଳାଳୀଙ୍କୁ ହରାଇବାକୁ ଲାଗିଲା । ଏହି ଯନ୍ତ୍ରର ଚେସ୍‍ ଖେଳରେ ସମସ୍ତେ ଏତେ ମୁଗ୍ଧ ହୋଇ ପଡ଼ିଲେ ଯେ ସମସ୍ତଙ୍କ ମୁହଁରେ ଏହାର ଉଚ୍ଛ୍ୱସିତ ପ୍ରଶଂସା । ଏହି ଯନ୍ତ୍ରର ମୂଲଭିତ୍ତି କମ୍ପ୍ୟୁଟର ନୁହେଁ ବୋଲି ଏହାର ନିର୍ମାତା ପ୍ରକାଶ କରନ୍ତେ ଲୋକଙ୍କର ବିସ୍ମୟର ସୀମା ଆଉ ରହିଲା ନାହିଁ ।

 

ଫରାସୀ ଚେସ୍‍ ଖେଳାଳୀ ଯନ୍ତ୍ରର ପ୍ରସିଦ୍ଧ ଦିନକୁ ଦିନ ଯେତେ ବଢ଼ୁଥାଏ, ଅଧ୍ୟାପକ ଭେର୍‍ନନ୍‍ଙ୍କ ଖ୍ୟାତିରେ ସେତେ କୁଠାରାଘାତ ହେଉଥାଏ । ତାଙ୍କ ତିଆରି କମ୍ପ୍ୟୁଟରର ଚାହିଦା ଯେ ଖାଲି କମିଗଲା ତାହା ନୁହେଁ, ତାଙ୍କର ପେଟେଣ୍ଟକୁ କେହି ଖରିଦ କରିବାକୁ ପୂର୍ବଭଳି ଆଗ୍ରହ ଦେଖାଇଲେ ନାହିଁ । ତେଣୁ ସେ ପେଟେଣ୍ଟ ରାଇଟକୁ ବିକ୍ରୟ କରି ସେହି ବିକ୍ରୟଲବ୍ଧ ଧନରେ ଗବେଷଣାଗାରର ପ୍ରସାର କରି ନୂଆ ନୂଆ ପ୍ରକାରର କମ୍ପ୍ୟୁଟର ଉଦ୍ଭାବନ କରିବାର ଯେଉଁ ଆଶା ପୋଷଣ କରିଥିଲେ, ସେ ଆଶା କେବଳ ଧୂଳିସାତ୍ ହିଁ ହେବା ସାର ହେଲା ।

 

ଫରାସୀ ଯନ୍ତ୍ରରନିର୍ମାତାଙ୍କ ଘୋଷଣା ଯେ ତାଙ୍କ ଯନ୍ତ୍ର କମ୍ପ୍ୟୁଟର ଚାଳିତ ନୁହେଁ, ଏହି ଘୋଷଣାଟି ଭେର୍‍ନନ୍‍ଙ୍କ ଚିନ୍ତାରାଜ୍ୟରେ ଅପୂର୍ବ ଆଲୋଡ଼ନ ସୃଷ୍ଟି କରିଥିଲା ।

 

ତାଙ୍କର ବିଂଶାଧିକ ବର୍ଷର କମ୍ପ୍ୟୁଟର ବିଜ୍ଞାନରେ ଗବେଷଣା ବି ବିଶେଷ ଜ୍ଞାନଲାଭ କଦାପି ସ୍ୱୀକାର କରିବନି ଯେ ଚେସ୍‍ ଖେଳାଳୀ ଯନ୍ତ୍ର କେବେ କମ୍ପ୍ୟୁଟର ବିନା ସମ୍ଭବପର ହୋଇପାରେ । ପୁଣି କପ୍ୟୁଟର ହୋଇଥିଲେ ଏହା କ’ଣ କେବେ ଏତେ ଶସ୍ତାରେ ବିକ୍ରୟ ହୋଇପାରନ୍ତା ! କମ୍ପ୍ୟୁଟର ନିର୍ମାତାମାନେ ଯଦି ଏତେ ଶସ୍ତାରେ ଯନ୍ତ୍ରଟାଏ ହାସଲ କରିପାରୁଛନ୍ତି, ତେବେ ସେମାନେ ତାଙ୍କ ଯନ୍ତ୍ର ପାଇଁ ଲାଳାୟିତ ହେବେ ବା କାହିଁକି ? ଫରାସୀ ଯନ୍ତ୍ରର ଲୋକପ୍ରିୟତା କମ୍ପ୍ୟୁଟର ବଜାରରେ ଏତେ ବଢ଼ି ଯାଇଥାଏ ଯେ ଫରାସୀ ଯନ୍ତ୍ରରନିର୍ମାତା ମାତ୍ର ଏକଲକ୍ଷ ଡଲାରରେ ବିକ୍ରୟ କରିବାକୁ ଚାହୁଁଥିଲାବେଳେ ଆମେରିକାର ଆଇ. ବି. ଏମ. ଓ ଆର. ସି. ଏ ଭିତରେ ପ୍ରତିଯୋଗିତା ଲାଗି ଏହାର ମୂଲ୍ୟ ଏକ କୋଟି ଡଲାରକୁ ଉଠିଗଲାଣି । ତେବେ ଚୁକ୍ତି ହୋଇଥାଏ, ଯେଉଁ ଦିନ ଫରାସୀ ଯନ୍ତ୍ର ପୃଥିବୀର ସବୁ ଚେସ୍‍ ଖେଳାଳୀଙ୍କୁ ପରାସ୍ତ କରି ବିଜୟ ହାସଲ କରିବ, ସେଇ ଦିନ ଏହା ଖରିଦ୍ ହେବ ଅଧିକ ଅର୍ଥ ଦେଉଥିବା ଆଇ. ବି. ଏମ୍‍. କମ୍ପାନୀଦ୍ୱାରା ।

 

ଜର୍ମାନୀର ବଡ଼ ବଡ଼ ସହରର ବଛା ବଛା ଚେସ୍‍ ଖେଳାଳୀମାନଙ୍କୁ ପରାସ୍ତ କଲାପରେ ଏହାରନିର୍ମାତା ଯନ୍ତ୍ରକୁ ଧରି ଆସିଲେ ମିଉନିକ ସହରକୁ । ମିଉନିକ୍ ହେଉଛି ଶେଷ ସହର । ଏହି ସହରର ଚେସ୍‍ ଖେଳାଳୀମାନଙ୍କୁ ଯଦି ଏହି ଯନ୍ତ୍ର ହରାଇ ଦେଇପାରେ, ତେବେ ଏହା ବିଶ୍ୱବିଜୟୀ ଆଖ୍ୟାରେ ଭୂଷିତ ହେବ । ଚତୁର ଚଷମା ବ୍ୟବସାୟୀ ସାରା ଇଉରୋପରେ ଏହି ଖେଳ ଦେଖାଇ ଦେଖାଇ ଯେଉଁ ଅଜସ୍ର ଅର୍ଥ ଉପାର୍ଜ୍ଜନ କରି ସାରିଲାଣି, ସେଥିରେ ତା’ର କେତେ ପୁରୁଷ ଯେ ସୁଖସ୍ୱାଚ୍ଛନ୍ଦ୍ୟରେ କଟିଯିବ ତାର କଳନା ନାହିଁ ।

 

ଯେଉଁ ଦିନଠାରୁ ଫରାସୀ ଯନ୍ତ୍ର ମିଉନିକ ସହରରେ ଖେଳ ଖେଳିବା ଆରମ୍ଭ କରିଛି, ବୈଜ୍ଞାନିକ ଭେର୍‍ନନ୍‍ଙ୍କ ଆତ୍ମାଗ୍ଳାନି ଓ ଦୁଶ୍ଚିନ୍ତାର ସୀମା ନାହିଁ । ଗବେଷଣାଗାରର ଗବେଷକମାନେ ମଧ୍ୟ ଭେର୍‍ନନ୍‍ଙ୍କ ଭଳି ଚିନ୍ତାକୁଳ । ସହର ସାରା ଲୋକେ କହି ବୁଲୁଥାନ୍ତି, ସାମାନ୍ୟ ଚଷମା ବ୍ୟବସାୟୀଟାଏ ଯଦି ଏଡ଼େ ବଡ଼ ଯନ୍ତ୍ରଟାଏ ଏତେ ଶସ୍ତା ଓ ସୁବିଧାରେ ତିଆରି କରିପାରିଲା, ଭେର୍‍ନନ୍‍ଙ୍କୁ ସେହି ଭଳି ଏକ ଚେସ୍‍ ଖେଳାଳୀ ଯନ୍ତ୍ର ପାଇଁ ଆଉ ଏତେ ବାହାଦୁରି ଦିଆଯିବ କାହିଁକି ?

 

ନିଜ ବୁଦ୍ଧିମତ୍ତା ଓ ଗବେଷଣାଗାରର ସମ୍ମାନହାନିରେ ବୈଜ୍ଞାନିକ ଭେର୍‍ନନ୍‍ ଯେତେ ଚିନ୍ତିତ ନୁହନ୍ତି, ତା’ଠାରୁ ସେ ଅଧିକ ଚିନ୍ତିତ ଫରାସୀ ଯନ୍ତ୍ରର ମୂଳ କୌଶଳ ନେଇ । ସେ ଯେତେ ଚିନ୍ତା କରି ମଧ୍ୟ ଧରି ପାରୁ ନ ଥାନ୍ତି ଏହାର କୋଶଳ ଏହି ଯନ୍ତ୍ରଟି ଯଦି କମ୍ପ୍ୟୁଟର ଯନ୍ତ୍ର ଦ୍ୱାରା ଚାଳିତ ନୁହେଁ, ତେବେ କମ୍ପ୍ୟୁଟର ସ୍ଥଳରେ ଆଉ କି ଯନ୍ତ୍ର ଏଥିରେ କାର୍ଯ୍ୟ କରିପାରେ ?

 

‘ବବ୍ ତୁମେ ଜାଣିଛ, ଆଜି ସନ୍ଧ୍ୟାରେ ଜର୍ମାନୀ ତଥା ମିଉନିକର ସର୍ବଶ୍ରେଷ୍ଠ ଚେସ୍‍ ଖେଳାଳୀ ସହିତ ଫରାସୀ ଯନ୍ତ୍ର ଚେସ୍‍ ଖେଳିବ ମିଉନିକରନିମଫେନବର୍ଗ କାସଲରେ । ମୁଁ ଭାବୁଛି ବବ୍, ଆଜି ସେଇ ଖେଳ ଦେଖିବାକୁ ଯିବା ? ତୁମେ କ’ଣ ମୋ ସହିତ ଯିବନି ଖେଳ ଦେଖିବାକୁ-?’

 

‘ଆଉ ଅଧିକ ଅପମାନ ଦିଅନି କ୍ୟାଥି, ଅଧିକ ଅପମାନ ଦିଅନି । ଚେସ୍‍ ଖେଳିବା ପାଇଁ ଦିନେ ପୃଥିବୀର ସବୁ କୋଣରୁ ଲୋକେ ଯେଉଁ ଯନ୍ତ୍ରଠାକୁ ଦୌଡ଼ୁଥିଲେ, ସେହି ଯନ୍ତ୍ରରନିର୍ମାତା କ’ଣ ଯିବ ଫରାସୀ ଯନ୍ତ୍ରର ଚେସ୍‍ ଖେଳ ଦେଖିବା ପାଇଁ ? ତୁମେ କ’ଣ ଭାବୁଛ କ୍ୟାଥି, ମୋର ଆତ୍ମସମ୍ମାନ ଏ ଭିତରେ ଏତେ ତଳକୁ ଖସିଆସିଲାଣି ବୋଲି ? ତୁମେ କିନ୍ତୁ ଯାଇପାର, ମୋର ସେଥିରେ ଆପତ୍ତି ନାହିଁ । ତେବେ ପୃଥିବୀର ଅଦ୍ୱିତୀୟ ଚେସ୍‍ ଖେଳାଳୀର ଗୌରବ ଅର୍ଜ୍ଜନ କରିବା ପୂର୍ବରୁ ଫରାସୀ ଯନ୍ତ୍ରକୁ ଏହି ଗବେଷଣାଗାରର ଦ୍ୱାରସ୍ଥ ହେବାକୁ ନିଶ୍ଚୟ ଦିନେ ପଡ଼ିବ । ପୃଥିବୀରେ ଅଦ୍ୱିତୀୟ ଚେସ୍‍ ଖେଳାଳୀ ଭାବରେ ଆମ ଯନ୍ତ୍ରର ଯେଉଁ ସୁଖ୍ୟାତି ଅର୍ଜିତ ହୋଇଅଛି, ଆମ ଯନ୍ତ୍ର ସହିତ ଚେସ୍‍ ଖେଳି ଏହାକୁ ନ ହରାଇଲା ପର୍ଯ୍ୟନ୍ତ, ସେ ଯନ୍ତ୍ରକୁ ପୃଥିବୀର ଅଦ୍ୱିତୀୟ ଚେସ୍‍ ଖେଳାଳୀର ଗୌରବ ଦେବ ବା କିଏ ? ତୁମେ ଦେଖିବ କ୍ୟାଥି, ଦିନେ ସେହି ଫରାସୀ ଯନ୍ତ୍ରଙ୍କୁ ଖେଳିବାକୁ ପଡ଼ିବ ଆମ ଯନ୍ତ୍ର ସହିତ ।’

 

ମିଉନିକ ସହରର ସୁବିଖ୍ୟାତ ବଟାନିକାଲ ଗାର୍ଡନ ଭିତରେ ଅବସ୍ଥିତ ନିମଫେର୍ନବର୍ଗ କାସଲ । ସପ୍ତଦଶ ଶତାବ୍ଦୀରେ ନିର୍ମିତ ଏହି ବିରାଟ ଦୁର୍ଗଟି ଏବେ ବି ଦର୍ଶକ ଗହଳିରେ ମୁଖରିତ ହୋଇ ଉଠେ ଗ୍ରୀଷ୍ମକାଳରେ, ଯେତେବେଳେ ପୃଥିବୀ ବିଖ୍ୟାତ ସଙ୍ଗୀତଜ୍ଞମାନେ ନିଜ ନିଜ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନାରେ ମିଉନିକ୍ ଅଧିବାସୀଙ୍କୁ ସଙ୍ଗୀତ ବିଭୋର କରିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ଏଠାକୁ ଦୌଡ଼ି ଆସନ୍ତି । ଆଭିଜାତ୍ୟପୂର୍ଣ୍ଣ ପ୍ରେଷାଳୟ ଭାବରେ ଏହି ପ୍ରେକ୍ଷାଳୟ ସାରା ଜର୍ମାନୀରେ ପ୍ରସିଦ୍ଧ । ଏହି ବିରାଟ ପ୍ରେକ୍ଷାଳୟରେ ଫରାସୀ ଯନ୍ତ୍ର ସହିତ ମିଉନିକ୍ ତଥା ଜର୍ମାନୀର ଶ୍ରେଷ୍ଠ ଚେସ୍ ଖେଳାଳୀ ରିଜେନବର୍ଗ ଖେଳିବା ଠିକ୍ ହୋଇଥାଏ । ରିଜେନ୍‍ବର୍ଗ ଭେର୍‍ନନ୍‍ଙ୍କ ଯଂନ୍ତ୍ର ସହିତ ଏଥି ପୂର୍ବରୁ ଖେଳି ପରାସ୍ତ ହୋଇ ସାରିଥାନ୍ତି । ଫରାସୀ ଯଂନ୍ତ୍ର ସହିତ ଖେଳି ଜର୍ମାନୀର ସମସ୍ତେ ପରାସ୍ତ ହୋଇ ସାରିଲେଣି, କେବଳ ସେ ଏକମାତ୍ର ବାକି ଥାନ୍ତି । ତାଙ୍କୁ ହରାଇ ସାରିଲେ ଫରାସୀ ଯଂନ୍ତ୍ର ପୃଥିବୀରେ ଶ୍ରେଷ୍ଠତମ ଚେସ୍‍ ଖେଳାଳୀର କୃତିତ୍ୱ ଅର୍ଜନ କରିବ ।

 

ଠିକ୍ ସନ୍ଧ୍ୟା ସାତଟାରେ ଖେଳ ଆରମ୍ଭ ହେବା କଥା । ନିମଫେନବର୍ଗ କାସ୍‍ଲ୍‍ର ବିରାଟ ପ୍ରେକ୍ଷାଳୟ ଉଜ୍ଜ୍ୱଳ ଆଲୋକରେ ଦିନଭଳି ଉଦ୍ଭାସିତ । ପ୍ରେକ୍ଷାଳୟଟି ଲୋକାରଣ୍ୟ । ମିସେସ୍ ଭେର୍‍ନନ୍‍ ଖେଳଠାରୁ ଅଳ୍ପ ଦୂରରେ ବସିଥାନ୍ତି । ଖେଳ ଆରମ୍ଭ ହେଲା । କି ଚମତ୍କାର ସେ ଖେଳ ! ଦୁଇ ପକ୍ଷର ଖେଳ ଚାଳନା ଖୁବ୍ ଉଚ୍ଚକୋଟୀର । ମିସେସ ଭେର୍‍ନନ୍‍ଙ୍କ ତୀକ୍ଷଣ ଦୃଷ୍ଟି ଯନ୍ତ୍ରର ଖେଳ ପରିଚାଳନା ଉପରେ । ଅଧ୍ୟାପକ ଭେର୍‍ନନ୍‍ଙ୍କ ଯଂନ୍ତ୍ର ଯେତେ ଶୀଘ୍ର ଖେଳିପାରୁ ଥିଲା, ଏ ଯନ୍ତ୍ରର ସେ କ୍ଷିପ୍ରତା ନାହିଁ । ସାଧାରଣ ମଣିଷ ଜଣେ ଯେମିତି ଖେଳିବ ଏ କିଛି ତା’ଠାରୁ ଅଧିକ ନୁହେଁ । ପୁଣି ଯନ୍ତ୍ରର ଖେଳରେ ଭମ ଯେ ନ ହେଉଥାଏ ତା ନୁହେଁ । ରିଜେନବର୍ଗ ପ୍ରାୟ ଅଧଘଣ୍ଟାଏ ଖେଳିବା ପରେ ହାରିଗଲେ । କିନ୍ତୁ ଖେଳଟା ମିସେସ ଭେର୍‍ନନ୍‍ଙ୍କ ଆଶାନୁରୂପ ହେଲାନି । ଚେସ୍ ଖେଳାଳୀ ଯନ୍ତ୍ରକୁ ସେ ଯେମିତି ଖେଳିବାକୁ ଆଶା କରୁଥିଲେ, ସେମିତି ଖେଳିପାରୁ ନ ଥିବା ଦେଖି ମିସେସ ଭେର୍‍ନନ୍‍ ଆଶ୍ଚର୍ଯ୍ୟାନିତ ହେଉଥିଲେ । ବେଳେବେଳେ ତାଙ୍କ ମନ ସନ୍ଦେହ ଗାଢ଼ ଛାୟାରେ ଆଚ୍ଛାଦିତ ହୋଇଯାଉଥାଏ ।

 

ଖେଳ ସରିବା ପରେ ଉପସ୍ଥିତ ଦର୍ଶକମାନଙ୍କ ଭିତରୁ କେତେକ ଯେତେବେଳେ ଫରାସୀ ଚେସ୍ ଖେଳାଳୀ ଯନ୍ତ୍ରକୁ ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳୀ ବୋଲି ଘୋଷଣା କରିବାକୁ ଯାଆନ୍ତି, ସେତେବେଳେ ଜନତା ଭିତରୁ ପାଟି ଉଠିଲା, ‘ତା କଦାପି ହୋଇ ନ ପାରେ । ଜର୍ମାନୀର ସବୁ ଖେଳାଳୀ ହାରିଗଲେ ବି ମିଉନିକର ଅଦ୍ୱିତୀୟ ଚେସ୍ ଖେଳାଳୀ ଯନ୍ତ୍ର ଏବେ ବି ଭେର୍‍ନନ୍‍ଙ୍କ ଗବେଷଣାଗାରରେ ରହିଛି । ଫରାସୀ ଯଂନ୍ତ୍ର ଜର୍ମାନୀ ଯନ୍ତ୍ରକୁ ପରାସ୍ତ ନ କଲା ପର୍ଯ୍ୟନ୍ତ ଏହା ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳୀର ଗୌରବ ଅର୍ଜନ କରି ନ ପାରେ ।’

 

ନାନା ତର୍କବିତର୍କ ପରେ ସିଦ୍ଧାନ୍ତ ହେଲା ଯେ ଫରାସୀ ଯନ୍ତ୍ରକୁ ଭେର୍‍ନନ୍‍ଙ୍କ ଯନ୍ତ୍ର ସହିତ ଖେଳିବାକୁ ପଡ଼ିବ । ଏହି ଯନ୍ତ୍ର ଯଦି ଭେର୍‍ନନ୍‍ଙ୍କ ଯନ୍ତ୍ରକୁ ଚେସ୍ ଖେଳରେ ହରାଇ ଦେଇପାରେ, ତେବେ ଏହା ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳୀର ଗୌରବ ଅର୍ଜନ କରିବ । ୧୯୬୫ମସିହା ଜୁଲାଇ ମାସ ୧୭ ତାରିଖ ଦିନ ଏହି ଐତିହାସିକ ଖେଳ ଦୁଇ ଯନ୍ତ୍ର ମଧ୍ୟରେ ଚାଲିବା ସ୍ଥିର ହେଲା ।

 

ଯେଉଁ ଦିନ ଏହି ଖବରଟି ଖବରକାଗଜଗୁଡ଼ିକର ସମ୍ମୁଖ ପୃଷ୍ଠା ଅଳଙ୍କୃତ କଲା, ସେଦିନ ଇଉରୋପ ତଥା ଆମେରିକାର ଚହଳ ଅବିସ୍ମରଣୀୟ । ଅଲଗା ଅଲଗା ଭାବରେ ପୃଥିବୀର ଶ୍ରେଷ୍ଠ ଚେସ୍ ଖେଳାଳୀର କୃତିତ୍ୱ ଅର୍ଜ୍ଜନ କରିଥିବା ଦୁଇଟି ଯନ୍ତ୍ର ଭିତରେ ଯେଉଁ ପ୍ରତିଯୋଗୀତାମୂଳକ ଖେଳ ଚାଲିବ, ସେ ଖେଳକୁ ବା ନ ଦେଖିବ କିଏ ? ଦିନକୁ ଦିନ ଦୁଇ ଯନ୍ତ୍ର ମଧ୍ୟରେ ହେବାକୁ ଯାଉଥିବା ଚେସ୍‍ ଖେଳକୁ ଦେଖିବା ପାଇଁ ଦର୍ଶକମାନଙ୍କୁ ସୁବିଧା ଦେବାଲାଗି ଏହି ଖେଳରୁ କର୍ମକର୍ତ୍ତାମାନଙ୍କ ଉପରେ ଏତେ ଚାପ ଆସି ପଡ଼ିଲା ଯେ ପ୍ରଥମରୁ ଠିକ୍‍ ହୋଇଥିବା ସ୍ଥାନ ନିମଫେନବର୍ଗ କାସଲକୁ ପରିବର୍ତ୍ତନ କରି ମିଉନିକ୍ ବିଶ୍ୱବିଦ୍ୟାଳୟର ସୁବିସ୍ତୃତ ଷ୍ଟେଡିୟମରେ ଏହି ଖେଳ ହେବା ସ୍ଥିର ହେଲା । ତା ଛଡ଼ା ପୃଥିବୀର ବିଭିନ୍ନ ଖବରକାଗଜ, ପ୍ରେସ, ରେଡିଓ, ଟେଲଭିଜନ ପ୍ରତିନିଧିମାନଙ୍କୁ ଯଥାଯଥ ସ୍ଥାନ ଦେବା ପାଇଁ ଜର୍ମାନ ସରକାର ଉପରେ ପ୍ରବଳ ଚାପ ପଡ଼ୁଥାଏ । ଏହିସବୁ ଦୃଷ୍ଟିରୁ ଶେଷରେ ନିଧାର୍ଯ୍ୟ ହେଲା ଯେ ଏହି ଖେଳ ଷ୍ଟେଡିୟମରେ ନ ହେବା ଛଡ଼ା ଅନ୍ୟ ଉପାୟ ନାହିଁ । ତା ଛଡ଼ା ପୃଥିବୀର ବହୁ ଦେଶର ରାଜନୈତିକ ପ୍ରତିନିଧି ମଧ୍ୟ ଏହି ପ୍ରତିଯୋଗୀତା ଦର୍ଶନରୁ ବଞ୍ଚିତ ନ ହେବା ପାଇଁ ମିଉନିକର କର୍ମକର୍ତ୍ତାମାନଙ୍କୁ ବାରମ୍ବାର ଅନୁରୋଧ ଆସୁଥାଏ ।

 

ଖେଳ ସିନା ବିଶ୍ୱବିଦ୍ୟାଳୟ ଷ୍ଟେଡିୟମରେ ହେବା ଠିକ୍‍ ହୋଇଗଲା, ସେଠାକୁ ଭେର୍‍ନନ୍‍ଙ୍କ ଯନ୍ତ୍ର କିମିତିନିଆଯିବ ସେଇ ହେଲା ପ୍ରଶ୍ନ । ଏପର୍ଯ୍ୟନ୍ତ ଭେର୍‍ନନ୍‍ଙ୍କ ଯନ୍ତ୍ର ସହିତ ଯେତେ ଖେଳ ହୋଇଛି, ସବୁ ହୋଇଛି କଂପ୍ୟୁଟର ଗବେଷଣାଗାର ଭିତରେ । କିନ୍ତୁ ଯେହେତୁ ଏହି ଐତିହାସିକ ଖେଳ ଦେଖିବାକୁ ପୃଥିବୀର ସମସ୍ତେ ଆଗ୍ରହୀ, ସେତେବେଳେ ଏହାକୁ କଂପ୍ୟୁଟର ଗବେଷଣାଗାରର ସଂକୀର୍ଣ୍ଣ ପରିସର ଭିତରେ କ’ଣ କରି ହେବ ? ବୈଜ୍ଞାନିକ ଭେର୍‍ନନ୍‍ ଓ ତାଙ୍କ ସହକର୍ମୀ ଦଳ ପ୍ରାୟ ଦୁଇ ସପ୍ତାହ ଲାଗି ତାଙ୍କ ଚେସ୍‍ ଖେଳାଳୀ ଯନ୍ତ୍ରକୁ ପୂରାପୂରି ଖୋଲିଦେଇ ଷ୍ଟେଡିୟମର ଏକ ନବନିର୍ମିତ ରଙ୍ଗମଞ୍ଚ ଉପରେ ପ୍ରତିଷ୍ଠା କଲେ । ଜର୍ମାନୀର ଟେଲିଭିଜନ୍ କମ୍ପାନୀ ସହିତ ଯୋଗସୂତ୍ର ସ୍ଥାପନ କରି ଆମେରିକାର ବଡ଼ ବଡ଼ ଟେଲିଭିଜନ କମ୍ପାନୀମାନେ ମହାକାଶରେ ଘୂର୍ଣ୍ଣାୟମାନ ଟେଲଷ୍ଟାର—ତୃତୀୟ ସାହାଯ୍ୟରେ ଏହି ଖେଳର ସଜୀବ ଦୃଶ୍ୟ ଆମେରିକାକୁ ଘେନି ଆସିବା ଠିକ୍‍ ହେଲା । ଏହା ଫଳରେ ଦୁଇ ଯନ୍ତ୍ର ମଧ୍ୟରେ ଚାଲିଥିବା ଖେଳକୁ ପାଞ୍ଚ ହଜାର ମାଇଲ ଦୂରରେ ଥିବା ଆମେରିକାର ଲୋକେ ନିଜ ନିଜ ଘରେ ବସି ଟେଲିଭିଜନ ଜରିଆରେ ଦେଖିପାରିବେ ।

 

୧୯୬୫ ମସିହା ଜୁଲାଇ ମାସ ତା୧୭ ରିଖ ଦିନ ତିନିଟା ବେଳେ ଏହି ଖେଳ ଆରମ୍ଭ ହେବା ଠିକ୍ ହୋଇଥାଏ । ଏହି ଖେଳକୁ ଦୁଇଟି ଯନ୍ତ୍ର ମଧ୍ୟରେ ଖେଳ ବୋଲି କେହି ଭାବୁ ନ ଥାନ୍ତି, ଭାବୁଥାନ୍ତି ସତେ ଯେମିତି ଏ ଖେଳ ହେଉଛି ଦୁଇ ଜାତି ଭିତରେ । ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ହେଉଛି, ଦୁଇ ଜାତି ମଧ୍ୟରେ ବଡ଼ କିଏ, ଜର୍ମାନ ଜାତି ନା ଫରାସୀ ଜାତି ? ବିଜ୍ଞାନରେ ଜର୍ମାନ ଜାତି କେବେ କାହା ଆଗକେ ମୁଣ୍ଡ ନୁଆଁଇନି । ସେ କ’ଣ କେବେ ମୁଣ୍ଡ ନୁଆଁଇବ ଛାର ଫରାସୀ ଜାତି ପାଖରେ ? ଯେଉଁ ଜାତିକୁ ସେ ପରିହାସ କରେ ‘ଚଷାଜାତି’ କହି, ଏ କଦାପି ହୋଇ ପାରେନା । ଫରାସୀ ଯନ୍ତ୍ର କଦାପି ହରାଇ ପାରିବନି ଜର୍ମାନୀ ଯନ୍ତ୍ରକୁ ।

 

ଖେଳ ଆରମ୍ଭ ହେବାକୁ ଆହୁରି ଢେର ସମୟ ବାକି, ମିଉନିକ୍ ବିଶ୍ୱବିଦ୍ୟାଳୟର ଷ୍ଟାଡିୟମ ଦର୍ଶକରେ ଭରପୂର । ବହୁ ମାନ୍ୟଗଣ୍ୟ ଦର୍ଶକ ଦେଶରୁ ଓ ଦେଶ ବାହାରୁ ଷ୍ଟାଡିୟମର ସ୍ୱପ୍ନ ସ୍ଥାନକୁ ଅଳଙ୍କୃତ କରିଥାନ୍ତି । ତାଛଡ଼ା ହଜାର ହଜାର ପ୍ରେସ ସମ୍ବାଦଦାତା, ଫଟୋ ଉଠାବାଲା, ସିନେମା, ରେଡିଓ, ଟେଲିଭିଜନ କୋମ୍ପାନୀର ଏଜେଣ୍ଟ ଦ୍ୱାରା ସ୍ଥାନଟି ମୁଖରିତ । ସମସ୍ତେ ଚାହୁଁଛନ୍ତି ନିଜେ ଖେଳ ଦେଖିବେ ଏବଂ ନିଜ ନିଜ ଦେଶର ଲୋକଙ୍କୁ ଓ ପାଠକ ପାଠିକାମାନଙ୍କୁ ସିନେମା, ରେଡିଓ, ଟେଲିଭିଜନ ଓ ଖବର କାଗଜ ଜରିଆରେ ଦେଖାଇବେ ।

 

ଷ୍ଟେଡିୟମର ମଧ୍ୟସ୍ଥାନରେ ତିଆରି ହୋଇଥାଏ ଏକ ବିରାଟ ରଙ୍ଗମଞ୍ଚ । ରଙ୍ଗମଞ୍ଚ ମଧ୍ୟସ୍ଥଳରେ ଛୋଟ ଟେବୁଲଟିଏ । ଟେବୁଲ ଉପରେ ଚେସ୍ ଖେଳପଟା । ଟେବୁଲର ଗୋଟିଏ ପାଖରେ ଭେର୍‍ନନ୍‍ଙ୍କ ବିରାଟ ଚେସ୍ ଖେଳାଳୀ ଯନ୍ତ୍ର ଅବସ୍ଥିତ । ଅନ୍ୟ ପାଖରେ ଫରାସୀ ଯନ୍ତ୍ର ଓ ଯନ୍ତ୍ରନିକଟରେ ଏହାରନିର୍ମାତା ଦଣ୍ଡାୟମାନ । ନାନା ପ୍ରକାର ଆଲୋକରେ ରଙ୍ଗମଞ୍ଚଟି ଉଛୁଳି ପଡ଼ୁଥାଏ । ବିଭିନ୍ନ ଟେଲିଭିଜନ ଓ ଚଳଚିତ୍ର ନିର୍ମାତାମାନଙ୍କର ନାନା ପ୍ରକାର କାମେରା ଏହି ରଙ୍ଗମଞ୍ଚର ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଥାଏ । ଭେର୍‍ନନ୍‍ଙ୍କ ଯନ୍ତ୍ର ସହିତ ଏତେ ପ୍ରକାର ଯନ୍ତ୍ର ଲାଗିଥାଏ ଓ ଏ ସବୁ କେତେ ପ୍ରକାର ତାପରେ ପରସ୍ପର ସହିତ ସଂଯୁକ୍ତ ହୋଇଥାଏ ଯେ ଦେଖିଲେ ଜଣେ ଲୋକ ଧାରଣା କରିବ ଯେ ଏହା ହେଉଛି ପୃଥିବୀର ସବୁଠାରୁ ଜଟିଳତମ ଯନ୍ତ୍ର । ଏହାଠାରୁ ଅଧିକ ଜଟିଳତମ ଯନ୍ତ୍ର ବୋଧହୁଏ ତିଆରି ହୋଇପାରିବନି । କିନ୍ତୁ ଅପର ପକ୍ଷକୁ ଅନାଇଲାବେଳକୁ ଠିକ୍ ତାର ବିପରୀତ । ଫରାସୀ ଯନ୍ତ୍ରଟି ଅତି ସାଧାସିଧା । ଚେସ୍‍ ଖେଳାଳୀ ଯନ୍ତ୍ରଟି ଠିକ୍‍ ଗୋଟିଏ କୃତ୍ରିମ ମଣିଷ ଭଳି ଦିଶୁଥାଏ । ଏଥିରେ ଯାନ୍ତ୍ରିକ ଜଟିଳତା କିଛି ଥିଲା ଭଳି ଜଣାପଡ଼ୁ ନ ଥାଏ । ଯନ୍ତ୍ରଟିର ଅଧା ଗୋଟିଏ ଟେବୁଲ ଭିତରେ । ବାକି ଅଧକ ଟେବୁଲ ଉପରେ । ଟେବୁଲ ଉପର ଅଂଶରେ ଖେଳାଳୀର ହାତ ଦୁଇଟି, ମୁଣ୍ଡ ଓ ବେକ ଥାଏ । ଦାନ ଚଳାଇ ଏହି ଅଂଶଟି ପ୍ରକୃତରେ ଖେଳେ । ଭେର୍‍ନନ୍‍ଙ୍କ ଯନ୍ତ୍ର ବିଦ୍ୟୁତଶକ୍ତି ସାହାଯ୍ୟରେ ଚାଳିତ ହେଉ ଥିବାରୁ ଏହି ଯନ୍ତ୍ରଟି ମେନ୍ ଲାଇନ୍ ସହିତ ସଂଯୁକ୍ତ ହୋଇଥାଏ । କିନ୍ତୁ ଫରାସୀ ଯନ୍ତ୍ରର ସେ ସବୁ କିଛି ନାହିଁ-। ଛୋଟ ଛୋଟ ବେଟେରୀ ସାହାଯ୍ୟରେ ଟ୍ରାନଜିଷ୍ଟର ପଦ୍ଧତିରେ ଏହା ପରିଚାଳିତ ବୋଲି ବାହାର ବିଦ୍ୟୁତ ଲାଇନ୍ ଏହାର ଦରକାର ନାହିଁ ।

 

ଠିକ୍‍ ସମୟରେ ଖେଳ ଆରମ୍ଭ ହେଲା । ମିଉନିକର ତିନିଜଣ ବିଶିଷ୍ଟ ବିଚାରପତି ଏହି ପ୍ରତିଯୋଗୀତାର ଫଳାଫଳ ପ୍ରକାଶ କରିବା ଦାୟିତ୍ୱରେ ରହିଥାନ୍ତି ।

 

ଖେଳ ଆରମ୍ଭ ହେବାକ୍ଷଣି କି ବିଚିତ୍ରନିସ୍ତବ୍ଧତା ! ହଜାର ହଜାର ଲୋକ ଏକତ୍ର ଜମା ହୋଇ ମଧ୍ୟ ଚାରିଆଡ଼ ନିସ୍ତବ୍ଧ; ବୋଧ ହେଉଥାଏ, ସତେ ଯେମିତି ସେଠି ଜଣେ ସୁଦ୍ଧା ଲୋକ ନାହିଁ-। ଖେଳ ଆରମ୍ଭ ହେବାକ୍ଷଣି ଭେର୍‍ନନ୍‍ଙ୍କ ଯନ୍ତ୍ରର ଧୀର ଗୁଞ୍ଜନ ଶବ୍ଦ ସଙ୍ଗେ ଟିକଟିକ୍ ଶବ୍ଦ, ସେଥି ସହିତ ଯନ୍ତ୍ରର ବିଭିନ୍ନ ପରଦାରେ ଚିକ୍‍ମିକ୍ ଆଲୋକ ଦର୍ଶକମାନଙ୍କୁ ସ୍ତବ୍ଧ କରି ପକାଉଥାଏ-। ଯନ୍ତ୍ରର ଆଉ ଏକ ପାଖରୁ ଗୋଟିଏ ବିରାଟ ଲମ୍ବ କାଗଜ ଉପରେ କ’ଣ ଗୁଡ଼ିଏ ବସ୍ତ୍ରରେଖା ମନକୁ ମନ ଟାଣି ହୋଇ ଯାଉଥାଏ । ଯନ୍ତ୍ର ନିଜ ହାତ ବଢ଼ାଇ ଖେଳପଟା ଉପରେ ସାରକୁ ଏପଟ ସେପଟ ଚଳାଇ ଖେଳୁଥାଏ । ଅପର ପକ୍ଷରେ ଖେଳୁଥିବା ଫରାସୀ ଯନ୍ତ୍ରଟିର ଭେର୍‍ନନ୍‍ଙ୍କ ଯନ୍ତ୍ର ଭଳି କିଛି ଯାନ୍ତ୍ରିକ ଜଟିଳତା ନ ଥାଇ ଜଣେ ସାଧାରଣ ମଣିଷ ଭଳି ଏହା ଖେଳି ଯାଉଥାଏ-। ଭେର୍‍ନନ୍‍ଙ୍କ ଯନ୍ତ୍ର କେମେରା ଲେନସ୍ ଭଳି ବିରାଟ ବିରାଟ ଆଖି ସାହାଯ୍ୟରେ ଗୋଟାସାରା ଖେଳକୁ ଦେଖି ନିଜେ ସାର ଚଳାଉଥାଏ । ଚାହୁଁ ଚାହୁଁ ପ୍ରତିଯୋଗୀତା ବେଶ୍‍ ଘନେଇ ଆସିଲା-। ଦୁଇ ପକ୍ଷର ଖେଳାଳୀ ବେଶ ଟାଣ ଥିଲା ଭଳି ମନେ ହେଉଥାଏ । ସତେ ଯେମିତି କେହି କାହାକୁ କମ୍ ନୁହନ୍ତି । ଫରାସୀ ଯନ୍ତ୍ରଟି ବେଶ ଦକ୍ଷତାର ସହିତ ସାର ଚଳାଉଥାଏ । ତେବେ କ୍ଷିପ୍ରତା ଟିକିଏ କମ୍‍ ଭେର୍‍ନନ୍‍ଙ୍କ ଯନ୍ତ୍ରଠାରୁ । ଦର୍ଶକମାନେ ଅନାଇ ରହିଥାନ୍ତି ଦୁଇ ଯନ୍ତ୍ରକୁ । ସେମାନଙ୍କ ମନରେ ବେଳକୁବେଳ କେତେ ପ୍ରକାରର ଧାରଣା ଉଙ୍କି ମାରୁଥାଏ । କେତେବେଳେ କିଏ ଭାବୁଥାଏ ତ ଜର୍ମାନୀ ଯନ୍ତ୍ର ଜିତିବ, ପର ମୁହୂର୍ତ୍ତରେ ମତ ବଦଳାଇ ଭାବୁଥାଏ ନା, ଫରାସୀ ଯନ୍ତ୍ର ବୋଧହୁଏ ଜିତିବ । ଯନ୍ତ୍ର ଯନ୍ତ୍ର ଭିତରେ ଏହି ଖେଳ ଯୁଦ୍ଧ ଦର୍ଶକମାନଙ୍କୁ ଜାତି ଜାତି ଭିତରେ ପ୍ରକୃତ ଯୁଦ୍ଧ ଭଳି ମନେ କରାଇ ଦେଉଥାଏ ।

 

ଖେଳ ପୂରା ଦସରେ ଚାଲିଛି; ହଠାତ୍ ଭେର୍‍ନନ୍‍ଙ୍କ ଯନ୍ତ୍ର କହି ଉଠିଲା, ବନ୍ଧୁ, ଏଥର ଯିବ କୁଆଡ଼େ ? ତୁମ ରଜା, ରାଣୀ ସୈନ୍ୟସାମନ୍ତ ସମସ୍ତେ ବର୍ତ୍ତମାନ ବନ୍ଦୀ । ଏଥର ଚଳାଇଲ ତୁମ ସାର । ମୁଁ ଦେଖିବି, ତୁମେ କେଉଁଆଡ଼େ ଯିବ ?

 

ଜର୍ମାନୀ ଯନ୍ତ୍ରର ଏହି ମନ୍ତବ୍ୟରେ ସମସ୍ତେ ଅବାକ୍ । ପ୍ରତ୍ୟେକ ପ୍ରତ୍ୟେକଙ୍କ ମୁହଁ ଚାହଁ ଚାହଁ ହେଲେ । ‘ଆରେ, ସତେ କଅଣ ଫରାସୀ ଯନ୍ତ୍ର ହାରିଗଲା ?’

 

ଫରାସୀ ଯନ୍ତ୍ର ପୂରାପୂରି ଚୁପ୍ । ତୀକ୍ଷଣ ଦୃଷ୍ଟିରେ ଖେଳକୁ ଅନାଇ ରହିଥାଏ ।

 

ଭେର୍‍ନନ୍‍ଙ୍କ ଯନ୍ତ୍ର କହିଲା, ‘ହେଉ ଚିନ୍ତା ନାହିଁ’ ବନ୍ଧୁ, ବଡ଼ ବଡ଼ ଖେଳାଳୀମାନେ ପ୍ରଥମ ଥର ହାରନ୍ତି । ତେଣୁ ସେଥିପାଇଁ ଚିନ୍ତିତ ହୋଇ ଲାଭ ନାହିଁ । ଆଉ ଥରେ ଖେଳିବା ।’

 

ପୁଣି ଥରେ ଖେଳ ଆରମ୍ଭ ହେଲା । କିନ୍ତୁ ଅଳ୍ପ କିଛି ସମୟ ପରେ ପୁଣି ଫରାସୀ ଯନ୍ତ୍ରର ପରାଜୟ । ତାଳିପରେ ତାଳିରେ ସଭାକକ୍ଷ କମ୍ପିଉଠିଲା । ଯେଉଁ ଫରାସୀ ଯନ୍ତ୍ର ପୃଥିବୀରେ ଶ୍ରେଷ୍ଠ ଚେସ୍ ଖେଳାଳୀର କୃତିତ୍ୱ ଅର୍ଜ୍ଜନ କରିଥିଲା, ତାକୁ ପରାସ୍ତ ହେବାର ଦେଖିଲେ କେଉଁ ଜର୍ମାନ ଲୋକ ଖୁସି ନ ହୋଇ ରହିପାରିବ ?

 

ପୁଣି ଥରେ ଖେଳ ହେଲା । ଏଥର ବି ଫରାସୀ ଯନ୍ତ୍ରର ପରାଜୟ । ଏମିତି ସାତ ଥର ଖେଳିବା ପରେ କୌଣସି ଥର ଫରାସୀ ଯନ୍ତ୍ର ବିଜୟ ହାସଲର ଗୌରବ ଅର୍ଜ୍ଜନ କରି ପାରିଲାନି । ଫରାସୀ ଯନ୍ତ୍ରରନିର୍ମାତା ଅପମାନରେ ମ୍ରିୟମାଣ ହୋଇ ପଡ଼ିଲେ । ନିଜର ପରାଜୟ ସ୍ୱୀକାର କରି ସେ ନିଜ ଯନ୍ତ୍ରକୁ ସେଠୁ ଯେତେବେଳେ ଉଠାଇନେବାକୁ ପ୍ରସ୍ତୁତ, ଠିକ୍ ସେତିକିବେଳେ ଭେର୍‍ନନ୍‍ଙ୍କ ଯନ୍ତ୍ର ବଜ୍ରଗମ୍ଭୀର କଣ୍ଠରେ କହି ଉଠିଲା, ‘ବନ୍ଧୁବର ! ଖେଳ ସିନା ସରିଗଲା, ତୁମ ଇତିହାସଟା ତ ସରିନି । ତୁମ ପରାଜୟ ପାଇଁ ମୁଁ ଯେତେ ଦୁଃଖିତ, ନୁହେଁ, ତୁମ ଭାଣ୍ଡାମି ପାଇଁ ଅତି ଦୁଃଖିତ । ଆହୁରି ଦୁଃଖିତ, ତୁମ ଭାଣ୍ଡାମିକୁ ମୋ ଛଡ଼ା ଆଉ କେହି ଧରି ପାରିଲେ ନାହିଁ ବୋଲି । ଏତେ ଦିନ ଧରି ତୁମେ ସାରା ଇଉରୋପକୁ ଠକାଇ ଠକାଇ ଆସିଲ, ଯେ ତୁମ ଚେସ୍‍ ଖେଳାଳୀ ଯନ୍ତ୍ର ପ୍ରକୃତରେ ଚେସ୍‍ ଖେଳୁଛି ବୋଲି । ତୁମେ ସିନା ବନ୍ଧୁ, ତୁମ ଭଳି ମଣିଷମାନଙ୍କୁ ଚିତାକାଟି ପାରିଲ, ମୋତେ ସେମିତି କଥା କହି ଚିତା କାଟିପାରୁଛ କେଉଁଠି ? ଖେଳ ଆରମ୍ଭରୁ ତୁମ ଯନ୍ତ୍ର କେମିତି ଭାବରେ ଖେଳିଛି, ତା’ର ପ୍ରମାଣ ଦେଉଛି ଏଇ ବକ୍ର ରେଖାଗୁଡ଼ିକ । ମୁଁ ତୁମ ରହସ୍ୟ ଉଦ୍‍ଘାଟନ କରିବା ପୂର୍ବରୁ ଏଇ ବକ୍ରରେଖାଗୁଡ଼ିକୁ ଲକ୍ଷ୍ୟ କରିବାକୁ ଅନୁରୋଧ କରୁଛି । ଏହି ବକ୍ରରେଖାରୁ ତୁମେ ଜାଣିପାରିବ, ତୁମେ ଖେଳରେ କେଉଁଠି କେଉଁଠି ଓ କିପରି ଧରଣର ଭୁଲ୍‍ କରିଛି । ପୁଣି ବିଚିତ୍ର, ଯେଉଁ ଭୁଲ୍‍ ଥରେ କରିଛ, ଠିକ୍‍ ସେମିତି ଭୁଲ୍‍ ପର ଖେଳମାନଙ୍କରେ କରିଛ, ତୁମର ସେହି ଭୁଲ୍‍ଗୁଡ଼ାକୁ ଅନୁଧ୍ୟାନ କରି ତୁମ ରହସ୍ୟ ଉଦ୍‍ଘାଟନ କରିବା ପାଇଁ ତୁମକୁ ସାତ ଥର ଖେଳିବା ପାଇଁ ମୁଁ କାହିଁକି ଅନୁରୋଧ କରିଥିଲି, ତୁମେ ବୋଧହୁଏ ଜାଣିପାରୁଥିବ ଏଥର । ତୁମେ ଗୋଟିଏ ଭୁଲ କେତେ ଥର କରି ପାର ଦେଖିବା ପାଇଁ ମୁଁ ଏ କାରସାଦି କଲି । ତୁମେ ଯେଉଁ ସବୁ ଭୁଲ ବାରମ୍ବାର କରିଛ, ସେମିତି ଭୁଲ କେବେ କୌଣସି ଯନ୍ତ୍ର କରେନି, ତୁମେ ଯେମିତି ଭୁଲ କଲ, ସେମିତି ଭୁଲ ସାଧାରଣତଃ ମଣିଷମାନେ ହିଁ କରନ୍ତି । ତେଣୁ ମୋର ପୁରା ବିଶ୍ୱାସ, ତୁମେ ପ୍ରକୃତରେ ମୋଭଳିନିର୍ଜୀବ ଯନ୍ତ୍ର ନୁହଁ, ତୁମେ ଗୋଟିଏ ଜୀବନ୍ତ ମଣିଷ, ଯନ୍ତ୍ର ଭିତରେ ଲୁଚି ରହି ଖେଳ ଖେଳୁଛ ।’’

 

ଭେର୍‍ନନ୍‍ଙ୍କ ଯନ୍ତ୍ର ଏତକ କହି ସାରିଛି କି ନାଇଁ ହଠାତ୍ ପ୍ରେଷାଳୟରେ ଉଠିଲା ବିରାଟ ବିଷୋଭ । ଦର୍ଶକମନେ ‘ଭଣ୍ଡ ଫରାସୀ ଯନ୍ତ୍ର’ ‘ଭଣ୍ଡ ଫରାସୀ ଯନ୍ତ୍ର’ କହି ପାଟି କରି ଉଠିଲେ ।

 

ସଭା ଭିତରୁ ରଙ୍ଗମଞ୍ଚ ଉପରକୁ ଉଠି ଆସି କେତେ ଜଣ ଦର୍ଶକ ଦାବୀ କଲେ ଫରାସୀ ଯନ୍ତ୍ରନିର୍ମାତାକୁ ଏହି ଅଭିଯୋଗର ଉତ୍ତର ଦେବାକୁ । ସେ ପ୍ରକୃତରେ ତା ଠକାମି ଯନ୍ତ୍ର ଭିତରେ ମଣିଷଟାଏ ରଖି ଖେଳ ଖେଳାଉଛି କି କଅଣ ଜାଣିବା ପାଇଁ ସେମାନେ ଦାବୀ କରି ବସିଲେ ।

 

ଦର୍ଶକମାନଙ୍କ ପକ୍ଷରୁ ପ୍ରବଳ ଚାପ ପଡ଼ିବାରୁ ବିଚରା ନିଜ ଦୋଷ ସ୍ୱୀକାର କଲା । ଦର୍ଶକମାନେ ରଙ୍ଗମଞ୍ଚ ଉପରକୁ ଉଠି ଆସି ତା ଟେବୁଲଟିର ଆବଦ୍ଧ ଥିବା ତଳ ଅଂଶଟାକୁ ରାଗରେ ଫାଡି ପକାଇଲାରୁ ସେଥି ଭିତରୁ ବାହାରିଲା ଅଠେଇଶ ଇଞ୍ଚ ଉଚ୍ଚର ବାମନଟିଏ । ଦର୍ଶକମାନେ ଏହି ବାମନଟିକୁ ନ ଚିହ୍ନି ରହି ପାରିଲେନି । ଏହି ବାମନଟି ଥିଲା ଏକ ସମୟରେ ୟୁରୋପରେ ଶ୍ରେଷ୍ଠ ଚେସ୍ ଖେଳାଳୀ । ଏହି ବାମନଟିକୁ ହରାଇବା କାହାରି ପକ୍ଷରେ ସମ୍ଭବପର ହେଉ ନ ଥିଲା । ହଠାତ୍ ଦିନେ ଏହି ବାମନଟି ରହସ୍ୟଜନକ ଭାବରେ ଇଉରୋପରୁ ଅନ୍ତର୍ହିତ ହୋଇଗଲା । ପୋଲିସଠାରୁ ଆରମ୍ଭକରି ଗୋଇନ୍ଦାମାନେ ଏହାର କୌଣସି ଠାବ କରିପାରିଲେନି-। କିଏ କହିଲା–ଏହା ସାଧାରଣଙ୍କ ସହିତ ମିଳି ଚଳି ନ ପାରିବାରୁ ଆତ୍ମହତ୍ୟା କଲା; କିଏ କହିଲା, ଚେସ୍‍ ଖେଳାଳୀମାନେ ମିଳି ଏହାକୁ ମାରିପକାଇଲେ, ଏମିତି କେତେ କଣ ଗୁଜବ୍ ଉଠିଲା, ଏହି ବାମନ ସମ୍ପର୍କରେ । ହରଣଚାଳ ହେବା ପରଠାରୁ ବାମନ ରହିଲା ଏହି ଚଷମା ବ୍ୟବସାୟୀ ଘରେ ବନ୍ଦୀହୋଇ । ବାମନକୁ ଜୋର ଜବରଦସ୍ତି ଏହି ଟେବୁଲ ଭିତରେ ପୂରାଇ ଚଷମା ବ୍ୟବସାୟୀ ଆରମ୍ଭ କଲ । ତା’ର ନୂତନ ଖେଳ, ଯାନ୍ତ୍ରିକ ଚେସ୍ ଖେଳାଳୀ ।

 

ବାମନଟିକୁ ଟେବୁଲ ଭିତରୁ ବାହାର କରି ଆଣି ଦର୍ଶକମାନେ ସମସ୍ତଙ୍କୁ ଦେଖାଇବା ପାଇଁ ତାକୁ ଟେବୁଲ ଉପରେ ଠିଆ କରାଇଲା ବେଳକୁ ଦୁଇ ଜଣ ସାଦା ପୋଷାକ ପିନ୍ଧାଫରାସୀ ପୋଲିସ ଅଫିସର କେତେ ଜଣ ଜର୍ମାନ୍ ପୋଲିସ ଅଫିସରଙ୍କୁ ସଙ୍ଗରେ ଧରି ସେଠି ହାଜର ହୋଇଗଲେ । ହାତରେ ସେମାନଙ୍କର ଚଷମା ବ୍ୟବସାୟୀକୁ ଏରେଷ୍ଟ କରବାର ପରଓ୍ୱାନା, ଚଷମା ବ୍ୟବସାୟୀର ହାତକୁ ଓ୍ୱାରିଣ୍ଟି ବଢ଼ାଇ ଦେଇ ଫରାସୀ ପୋଲିସ ଅଫିସର କହିଲେ, ‘ଆପଣ ଓ ଆଉ ଏହି ବାମନଟି ବର୍ତ୍ତମାନ ଆମ ଠାରେ ବନ୍ଦୀ ।’ ସେମାନଙ୍କ ହାତରେ ହାତକଡ଼ି ପିନ୍ଧାଉ ପିନ୍ଧାଉ କହିଲେ, ‘ସାରା ଜନତାକୁ ଠକାଇ ଅର୍ଥ ଉପାର୍ଜ୍ଜନ କରିବା, ବାମନକୁ ହରଣଚାଳ କରିବା ଓ ଅଟକ କରି ରଖିବା ଏବଂ ବାମନକୁ ଧମକ ଚମକ ଦେଖାଇ ତା’ଠାରୁ କାମ ଆଦାୟ କରିବା ଏହି ସବୁ ଅପରାଧରେ ଆଜି ତୁମକୁ ଆରେଷ୍ଟ କରାଯାଉଛି । ତମର ଏହି ଦୋଷବିଚାର ନ ହେବା ପର୍ଯ୍ୟନ୍ତ ତୁମକୁ ବନ୍ଦୀଭାବରେ ରଖାଯିବ ।

 

ଇଉରୋପର ମୋକଦ୍ଦମା ଇତିହାସରେ ଏ ହେଉଛି ସବୁଠାରୁ ରହସ୍ୟଜନକ ମୋକଦ୍ଦମା । ବିଚାରରେ ବିଚରା ଚଷମା ବ୍ୟବସାୟୀ ଦୋଷୀ ସାବ୍ୟସ୍ତ ହୋଇ ସାତବର୍ଷ ସଶ୍ରମ କାରାଦଣ୍ଡର ଆଦେଶ ପାଇଲା । ବାମନଟିକୁ ଖଲାସ କରି ଦିଆଯାଇ ଫ୍ରାନ୍‍ସର ଏକ ଅନାଥାଶ୍ରମକୁ ପଠାଇ ଦିଆଗଲା ।

 

ଠିକ୍ ଯେଉଁ ଦିନ ଏହି ବିଚାର ଶେଷ ହେଲା, ସେହି ଦିନ ବୈଜ୍ଞାନିକ ଭେର୍‍ନନ୍‍ଙ୍କ ଏହି ଚେସ୍ ଖେଳାଳୀ ଯନ୍ତ୍ରର ପେଟେଣ୍ଟ ରାଇଟକୁ ଆମେରିକାର ସୁବିଖ୍ୟାତ ଆଇ. ବି. ଏମ୍ କମ୍ପାନୀ ଖରିଦ୍ କରିନେଲେ ଶହେ କୋଟି ଡଲାର ମୂଲ୍ୟରେ, ସେଥି ସହିତ ଏହି କଂପ୍ୟୁଟର ଯନ୍ତ୍ରକୁ ମଧ୍ୟ । ଏହି ଯନ୍ତ୍ର ଛାଞ୍ଚରେ ଛୋଟ ବଡ଼ ବହୁ ଚେସ୍ ଖେଳାଳୀ ଯନ୍ତ୍ର ତିଆରି କରି ଆଇ. ବି. ଏମ୍. ଆଜିକାଲି ବଜାରରେ ବିକ୍ରୟ କରୁଛି । ଆଇ. ବି ଏମ୍.ରନିଉୟର୍କଠାରେ ଥିବା ପ୍ରସିଦ୍ଧ ପ୍ରଦର୍ଶନୀ ସୋ ରୁମରେ ଏହି ଭେର୍‍ନନ୍‍ଙ୍କ ତିଆରି ମୂଳ ଯନ୍ତ୍ର ରଖାଯାଇ ଲୋକମାନଙ୍କୁ ଦେଖାଯାଉଛି ।ନିଉୟର୍କର ପଞ୍ଚମ ଏଭିନିଉରେ ଥିବା ଆଇ. ବି. ଏମ୍.ର ବିରାଟ ସୋ-ରୁମକୁ ଯେଉଁମାନେ ଯାଇଛନ୍ତି, ସେମାନେ ଏହି କଂପ୍ୟୁଟର ଯନ୍ତ୍ରଟିକୁ ନ ଦେଖି ରହିପାରି ନାହାନ୍ତି । ଭବିଷ୍ୟତରେ ଯଦି କେହିନିଉୟର୍କ ଯାଆନ୍ତି ଓ ପଞ୍ଚମ ଏଭିନିଉରେ ଥିବା ଆଇ. ବି.ଏମ୍. କମ୍ପାନୀର ସେହି ସୋ ରୁମକୁ ଯିବାର ସୌଭାଗ୍ୟ ଅର୍ଜନ କରନ୍ତି, ତେବେ ସେମାନେ ଏହି ଐତିହାସିକ ଚେସ୍‍ ଖେଳାଳୀ ଯନ୍ତ୍ରଟିକୁ ଯେ ଦେଖିବାକୁ ପାଇବେ, ଏଥିରେ ସନ୍ଦେହ ନାହିଁ ।

✽✽✽

 

ଦ୍ୱିତୀୟ ଅଧ୍ୟାୟ

Unknown

ମହାଶୂନ୍ୟର ବିଭୀଷିକା

 

ସାନ୍‍ଫ୍ରାନ୍‍ସିସକୋ ଆନ୍ତର୍ଜାତିକ ଉଡ଼ାଜାହାଜଘାଟିରେ ଆମ ଜାହାଜ ଦିନ ସାଢ଼େ ଏଗାରଟା ସୁଦ୍ଧା ପହଞ୍ଚିଯିବ ବୋଲି ଜଣାଇ ଦିଆଗଲା । ସାନ୍‍ଫ୍ରାନ୍‍ସିସକୋରେ ଶୀଘ୍ର ପହଞ୍ଚିବୁ ବୋଲି ଆମେ ଖୁବ୍ ସହଳ ସଅଳନିଉୟର୍କ ଛାଡ଼ିଥିଲୁ । ଆଶା ଥିଲା ଟ୍ରାନସ୍ ଓ୍ୱାରଲ୍‍ଡ୍ ଏୟାର ଲାଇନସ୍‍ର ଡି.ସି.ଏଇଟ୍ ଜେଟ୍ ବିମାନ ଆମକୁ ନଅଟା ସୁଦ୍ଧା ସାନ୍‍ଫ୍ରାନ୍‍ସିସକୋ ଉଡ଼ାଜାହଜ ଘାଟିରେ ପହଞ୍ଚାଇଦେବ; କିନ୍ତୁ ବାଟରେ ହଠାତ୍ ପାଗ ଖରାପ ହେବାରୁ ଆମକୁ ମିଜୋରୀ ରାଜ୍ୟସ୍ଥ କାନସାସ୍‍ସିଟି ଉଡ଼ାଜାହାଜ ଘାଟିରେ କିଛି ସମୟ ପାଇଁ ଅଟକିବାକୁ ପଡ଼ିଲା । ସାନ୍‍ଫ୍ରାନ୍‍ସିସକୋରେ ଜାହାଜ ପହଞ୍ଚିବା ଯେତିକି ଡେରି ହେଉଥାଏ, ଜାହାଜ ଭିତରେ ସେତିକି ବ୍ୟସ୍ତ ହେଉଥାଏ ମୋ ସଙ୍ଗିନୀ ଲୁସି । ଦିନ ଏଗାରଟାବେଳେ ସାନ୍‍ଫ୍ରାନ୍‍ସିସକୋ ବିଶ୍ୱବିଦ୍ୟାଳୟରେ ବିଶ୍ୱନିଉକ୍ଲିଆର ପଦାର୍ଥ ବିଜ୍ଞାନର ଯେଉଁ ବିରାଟ ସମ୍ମିଳନୀ ବସୁଥାଏ, ସେଥିର ପ୍ରାରମ୍ଭିକ ଅଧିବେଶନରେ ସେ କେମିତି ଯୋଗ ଦେବ, ସେଇ ଥାଏ ତାର ଚିନ୍ତା । କିନ୍ତୁ ସାନ୍‍ଫ୍ରାନ୍‍ସିସକୋରେ ପହଞ୍ଚିବା ଡେରି ହୋଇ ଯାଉଥିବାରୁ ସେ ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ, ପ୍ରାରମ୍ଭିକ ଅଧିବେଶନରେ ଯୋଗଦେଇ ପାରିବନି ଭାବି ।

 

ଉଡ଼ାଜାହାଜର ଡେରି ହେତୁ ଲୁସିର ମନରେ ସରାଗ ନ ଥାଏ । ସେ କାନସାସ୍ ସିଟିଠାରୁ ମୁହଟି ଶୁଖାଇ ତା ନିଜ ସିଟରେ ଚୁପ୍‍କରି ବସି ରହିଥାଏ । କା ସହିତ କଥାବାର୍ତ୍ତା କି ହସଖୁସି ନାହିଁ । କଲମ୍ବିଆ ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ହିସାବରେ ଏତେ ବଡ଼ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେବା ଲୁସି ଜୀବନରେ ଏଇ ସର୍ବ ପ୍ରଥମ । ତାକୁ ବା ଏ ସୁଯୋଗ ମିଳିଥାନ୍ତା କୁଆଡ଼ୁ ? ଶେଷ ମୁହୂର୍ତ୍ତରେ ଅଧ୍ୟାପକ ହେନେରିକସନ୍ ଏକ ଜରୁରୀ କାର୍ଯ୍ୟ ଉପଲକ୍ଷେ ଇଉରୋପ ଚାଲି ଯାଉଥିବାରୁ ତାଙ୍କ ସ୍ଥାନରେ ଲୁସି ପ୍ରତିନିଧିତ୍ୱ କରିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତ୍ୱପକ୍ଷକୁ ଜଣାଇ ଦେଇ ଯାଇଥିଲେ । ଲୁସିର ଭାରି ଇଚ୍ଛା ସେ କେମିତି ଅଧିବେଶନ ଆରମ୍ଭ ପୂର୍ବରୁ ସେଠି ପହଞ୍ଚିଯିବ ।

 

ବାସ୍ତବିକ୍ ନୂଆ କରି ଯେଉଁମାନେ ଏହି ଭଳି ବଡ଼ ବଡ଼ ସମ୍ମିଳନୀରେ ଯୋଗଦିଅନ୍ତି, ସେମାନଙ୍କ ମନ ସାଧାରଣତଃ ସେମିତି ହୁଏ ଓ ହେବା ମଧ୍ୟ ସ୍ୱାଭାବିକ । ଅଧ୍ୟାପକଙ୍କ ସହିତ ମୁଁ ବହୁ ବାର ପ୍ରତିନିଧି ହିସାବରେ ଯୋଗ ଦେଇଥିବାରୁ ସମ୍ମିଳନୀଗୁଡ଼ାକ ମୋର ଦେହସୁହା ହୋଇ ଗଲାଣି । ଲୁସି ପି.ଏଚ. ଡି ପାଇ ସାରିଲା ପରେ ପୋଷ୍ଟଡକ୍ ଭାବରେ ନୂଆ ହୋଇ ଯୋଗ ଦେଇଥାଏ । ତେଣୁ ଚାରିଆଡ଼େ ନାନା ମିଟିଂ, ସମ୍ମିଳନୀ ଆଦିରେ ଯୋଗ ଦେବାକୁ ଭାରି ଆଗ୍ରହ । ସାନ୍‍ଫ୍ରାନ୍‍ସିସକୋ ସମ୍ମିଳନୀ ପାଇଁ ତା’ର ଆଗ୍ରହ ଏତେ ବେଶି ଯେ ସମ୍ମିଳନୀ ତାକୁ ପାଗଳ କରି ଦେଇ ଥାଏ କହିଲେ ଅତ୍ୟୁକ୍ତ ହେବନି ।

 

ଅଧ୍ୟାପକଙ୍କ ପୋଷ୍ଟଡ଼କ୍ ଭିତରେ ମୁଁ ସବୁଠାରୁ ପୁରୁଣା; ଲୁସି ସବୁଠାରୁ ନୂଆ । ଆମେ ଦୁଇ ଜଣ ଗୋଟିଏ ପ୍ରୋବ୍ଲେମ୍ ଉପରେ କାମ କରୁଥାଉଁ । ବସ୍ତୁ ଆଉ ପ୍ରତି ବସ୍ତୁ ଭିତରେ ପାର୍ଥକ୍ୟ କେଉଁଠି ? ପ୍ରତିବସ୍ତୁର ପ୍ରକୃତ ଗଠନ କେମିତି ଓ ଏହି ପ୍ରତିବସ୍ତୁକୁ କୃତ୍ରିମ ଉପାୟରେ ପୃଥିବୀରେ ପ୍ରସ୍ତୁତ କରିବା ସମ୍ଭବପର କି ନୁହେଁ, ତାତ୍ତ୍ୱିକ ଗଣନାରୁ ଆମେ ସେ ବିଷୟଉପରେ ଆଲୋକପାତ କରିବାକୁ ଚେଷ୍ଟା କରୁଥାଉଁ । ତା ଛଡ଼ା ଅଧ୍ୟାପକଙ୍କ ଇଚ୍ଛା ଯେ ସେ ତାଙ୍କ ଜୀବନକାଳ ଭିତରେ ଏହି ପୃଥିବୀରେ ଥାଇ ପ୍ରତିବସ୍ତୁ ପ୍ରସ୍ତୁତ କରିବାର ପଥ ଉନ୍ମୁକ୍ତ କରି ଯିବେ । ବିଶ୍ୱନିଉକ୍ଲିଆର ସମ୍ମିଳନୀର ଚାରିଦିନିଆ ଅଧିବେଶନ ଭିତରୁ ଦ୍ୱିତୀୟ ଦିନଟି ପ୍ରତିବସ୍ତୁ ଉପରେ ଆଲୋଚନା ପାଇଁ ସ୍ଥିର ହୋଇଥାଏ । ଲୁସି ଆଉ ମୁଁ ସେଇ ଆଲୋଚନାରେ ଭାଗ ନେବା ପାଇଁ ତିନି ହଜାର ମାଇଲ ଦୂରନିଉୟର୍କ ସହରରୁ ଦୌଡ଼ି ଆସି ଥାଉଁ ଏହି ପଶ୍ଚିମ ଉପକୁଳକୁ ।

 

ଏଗାରଟା ପାଇଁ ଚାଳିଶ ମିନିଟ୍‍ ରେ ଆମ ଜାହାଜ ସାନ୍‍ଫ୍ରାନ୍‍ସିସକୋ ଉଡ଼ାଜାହାଜ ଘାଟିରେ ଲାଗିଲା । ଜାହାଜ ଓହ୍ଲାଇଲା ବେଳେ ପ୍ରଶାନ୍ତ ମହାସାଗରର ନୀଳ ଜଳରାଶି ସଙ୍ଗେ ସାନ୍‍ଫ୍ରାନ୍‍ସିସକୋ ସହରର ଅପୂର୍ବ ସୌନ୍ଦର୍ଯ୍ୟ ବଡ଼ ମୁଗ୍ଧ କରୁଥାଏ ମୋତେ; କିନ୍ତୁ ଲୁସିର ସେ ଆଡ଼କୁ ଲକ୍ଷ୍ୟ ନାହିଁ । ଜାହାଜ ଭୂଇଁରେ ଲାଗିଲାକ୍ଷଣି ହଠାତ୍ ଦେଖିଲି ଲୁସିର ଶୁଖିଲା ମୁହଁ ପୁଣି ସତେଜ ହୋଇ ଉଠିଲା, ଠିକ୍ ଯେମିତି ଅପରାହ୍ନର ମଉଳା ଫୁଲ ମଧ୍ୟ ରାତ୍ରିର କାକର ସ୍ପର୍ଶରେ ସତେଜ ହୋଇ ଉଠେ । ମନ ଭିତରର ଆନନ୍ଦର ଏକ ଢେଉ ତା’ର ସୁନ୍ଦର ମୁଖମଣ୍ଡଳ ଉପରେ ଫୁଟିଉଠିଲା ଲୁସିକୁ ଆହୁରି ସୁନ୍ଦର କରି । ଲୁସିକୁ ଉତ୍ସାହିତ କରିବା ପାଇଁ କହିଲି, ‘‘ଏଥର ତ ଆମେ ସାନ୍‍ଫ୍ରାନ୍‍ସିସକୋରେ ପହଞ୍ଚିଗଲେ ଲୁସି, ଆଉ ଚିନ୍ତା କାହିଁକି ? ସମ୍ମିଳନୀରେ ପହଞ୍ଚିବାକୁ ଆଉ ବେଶି ଡେରି ଲାଗିବନି ବୋଧେ ।’’

 

‘‘ହୁଁ, ଡେରି ଲାଗିବନି ! ସମ୍ମିଳନୀ ତ କେତେବେଳୁ ଆରମ୍ଭ ହୋଇଯିବଣି । ଆମେ ଏଠୁଁ ଖଲାସ ହେଉଁ ହେଉଁ ବାରଟା । ପୁଣି ହୋଟେଲକୁ ଯିବା । ସେଠି ତ ପୁଣି ଡେରି ହେଉଛି କି କଅଣ ଜଣା ନାହିଁ । ତା ପରେ ସିନା ଯାଇ କନଫେରେନସ । ସମ୍ମିଳନୀରେ ପହଞ୍ଚୁ ପହଞ୍ଚୁ ଆହୁରି ଦୁଇ ତିନି ଘଣ୍ଟା ବାକି । ମୋର ବେଶି ରାଗ ହେଉଛି ଏଇ ଇଉଜ୍‍ଲେସ୍ ଟି. ଡବ୍‍ଲିଉ. ଏ. କୋମ୍ପାନୀ ଉପରେ ।’’

 

‘‘ବିଚରା ଉଡ଼ାଜାହାଜ କୋମ୍ପାନୀକୁ ଦୋଷ ଦେଇ ଲାଭ କଅଣ ? ପାଗ ପ୍ରତି ହାତ କାହାର ? ପାଗ ଖରାପ ହେଲା ବୋଲି ସିନା ଆମର ଡେରିହେଲା, ନଚେତ୍ ଆମେ ଏତେବେଳେକୁ ତ ସମ୍ମିଳନୀ ଭିତରେ ।’’

 

ସଅଳ ସଅଳ ଉଡ଼ାଜାହାଜ ଘାଟିରୁ ବାହାରି ପଡ଼ିଲୁଁ ‘ହୋଟେଲ ଗଭର୍ଣ୍ଣର’ ଅଭିମୁଖେ ।ନିଉୟର୍କରୁ ଫୋନ୍ କରି ଲୁସି ଓ ମୋ ପାଇଁ ଦୁଇଟି ରୁମ୍ ରିଜର୍ଭ କରିଥାଉଁ । ହୋଟେଲଟି ସାନ୍‍ଫ୍ରାନ୍‍ସିସକୋର ଡାଉନ ଟାଉନ ଅଞ୍ଚଳରେ । ବିଶ୍ୱବିଦ୍ୟାଳୟ ପାଖରୁ ବେଶୀ ଦୂର ନୁହେଁ । ହୋଟେଲରେ ପହଞ୍ଚି ମେନେଜରଙ୍କ ସହିତ କଥାବାର୍ତ୍ତା କଲା ବେଳକୁ ଆଉ ଏକ ବିପଦ ଆସି ଆମ ଆଗରେ ଠିଆହେଲା । ସମ୍ମିଳନୀ ପାଇଁ ସାନ୍‍ଫ୍ରାନ୍‍ସିସକୋ ସହରରେ ଏତେ ଭିଡ଼ ଯେ ଆମ ପାଇଁ ରିଜର୍ଭ ଥିବା ଦୁଇଟି ରୁମ୍ ଭିତରୁ ଗୋଟିଏ ରୁମ୍ ଦିଦେଶାଗତ ଜନୈକ ବିଶିଷ୍ଟ ବୈଜ୍ଞାନିକଙ୍କୁ ଦିଆହୋଇ ଯାଇଛି ସାନ୍‍ଫ୍ରାନ୍‍ସିସକୋ ସହର କର୍ତ୍ତୃପକ୍ଷଙ୍କ ଅନୁରୋଧ ତଥାନିର୍ଦ୍ଦେଶ କ୍ରମେ । ଆମ ଦୁଇ ଜଣଙ୍କ ପାଇଁ ଗୋଟିଏ ମାତ୍ର ରୁମ୍ ଥିବା ଦେଖି ବ୍ୟସ୍ତ ହୋଇ ପଡ଼ିଲୁ । ଅନ୍ୟ କୌଣସି ହୋଟେଲକୁ ଫୋନକରି ଆମ ପାଇଁ ରୁମ୍ ଦେଖିବା ପାଇଁ ହୋଟେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲୁ-। କିନ୍ତୁ ସମ୍ମିଳନୀ ଉପଲକ୍ଷେ ଏତେ ଭିଡ଼ ଯେ, ସବୁଆଡ଼େ ନାଁ ଛଡ଼ା ହଁ ମିଳୁ ନ ଥାଏ । ବଡ଼ ହତାଶ ହୋଇ ଲୁସି କହିଲା, ‘‘ଆଉ କ’ଣ ? ରୁମ୍ କଥା ଯା ହେଉଛି, ହେଉ, ଚାଲ ସମ୍ମିଳନୀକୁ ଯିବା-। ତେଣେ ଡେରି ହୋଇଯାଉଛି ଯେ !’’

 

‘‘ଆଗେ ରହିବା ବ୍ୟବସ୍ଥାଟା କଲେ ସିନା ପରେ ସମ୍ମିଳନୀକୁ ଯିବା । ଶେଷ ମୁହୂର୍ତ୍ତରେ ଏ ବିପଦ ଥିବ ବୋଲି କିଏ ଜାଣିଥିଲା ଲୁସି ?’’

 

‘‘ସେମାନେ ଆଉ ଗୋଟିଏ ରୁମ୍ ଯେ କୌଣସି ଉପାୟରେ ଠିକ୍ କରି ରଖିଥିବେ ବୋଲି କହିଦେଇ ଯିବା, ନଚେତ୍...’’

 

‘‘ନଚେତ୍ ଆଉ କ’ଣ ?

 

‘‘ନ ହେଲେ ଗୋଟାଏ ରୁମରେ ଶୋଇ ପଡ଼ିବା । ତା’ପାଇଁ ଚିନ୍ତା କରି ଏଠି ବସି ରହିଲେ ତେଣେ ସମ୍ମିଳନୀ ଯିବା ଯେ ଡେରି ହୋଇଯାଉଛି ।’’

 

ତରତରରେ ସିନା ଲୁସି ଏତକ କହିପକାଇଲା; କିନ୍ତୁ ପରମୁହୂର୍ତ୍ତରେ କ’ଣ ଭାବି ଶଙ୍କତ ହୋଇ ପଡ଼ିଲା ।

 

ସାନ୍‍ଫ୍ରାନ୍‍ସିସକୋ ବିଶ୍ୱବିଦ୍ୟାଳୟର ସାଣ୍ଟାମେରିଆ ହଲରେ ବିଶ୍ୱନିଉକ୍ଲିଅର ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନ ଅନୁଷ୍ଠିତ ହେଉଥାଏ । ପୃଥିବୀର ବହୁ ଦେଶରୁନିମନ୍ତ୍ରିତ ହୋଇନିଉକ୍ଲିଆର ବିଶେଷଜ୍ଞମାନେ ଆସି ଯୋଗ ଦେଇଥାନ୍ତି । ପ୍ରଥମ ଦିନର ଅଧିବେଶନରେ ସାନ୍‍ଫ୍ରାନ୍‍ସିସକୋ ବିଶ୍ୱବିଦ୍ୟାଳୟର ଡିରେକ୍ଟର ଅତିଥିମାନଙ୍କୁ ସ୍ୱାଗତ ସମ୍ଭାଷଣ ଦେଲା ପରେ ସମ୍ମିଳନୀର କାର୍ଯ୍ୟ ଆରମ୍ଭ ହେଲା । ଯୁକ୍ତରାଷ୍ଟ୍ରର ସର୍ବୋଚ୍ଚନିଉକ୍ଲିଆର ବିଶେଷଜ୍ଞ ଡକ୍ଟର ରସ୍ ସଭାପତିତ୍ୱ କରୁଥାନ୍ତି ଏହି ଅଧିବେଶନରେ । ଆମେ ସମ୍ମିଳନୀରେ ପହଞ୍ଚିଲାବେଳକୁ ସକାଳର ଅଧିବେଶନ ଶେଷ ହୋଇଗଲାଣି । ଲୁସି ମନ ବଡ଼ ଖରାପ; ପ୍ରାରମ୍ଭିକ ଅଧିବେଶନରେ ଯୋଗଦେଇ ପାରିଲାନି ବୋଲି । ହେଲେ ଉପରବେଳା ଅଧିବେଶନରେ ପୃଥିବୀବିଖ୍ୟାତ ସୋଭିଏଟ ବିଜ୍ଞାନବିତ୍ ଏକାଡେମିସିଆନ୍ ରଶୋଭସ୍କି ସଭାପତିତ୍ୱ କରିବେ ବୋଲି ଠିକ୍ ହୋଇଥିବାରୁ ଉପରଓଳି ଅଧିବେଶନ ଅତି ଅପଭୋଗ୍ୟ ହେବ ବୋଲି ଲୁସି ମନ ଖୁସିରେ ନାଚୁଥାଏ ।

 

ବୈଜ୍ଞାନିକ ରସୋଭସ୍କି ଖାଲି ଯେ ସୋଭିୟେଟ ରାଷ୍ଟ୍ରର ଶ୍ରେଷ୍ଠନିଉକ୍ଲିଆର ପଦାର୍ଥ ବିଦ୍ୟାବିତ୍, ତା ନୁହେଁ; ପୃଥିବୀରନିଉକ୍ଲିଆର ବିଶେଷଜ୍ଞମାନଙ୍କ ଭିତରେ ଅଗ୍ରଗଣ୍ୟ ।ନିଉକ୍ଲିଅର ପଦାର୍ଥବିଜ୍ଞାନର ତାତ୍ତ୍ୱିକ ଗଣନାରେ ତାଙ୍କ ସମକକ୍ଷ ହେବା ଭଳି କୌଣସି ବୈଜ୍ଞାନିକ ପୃଥିବୀରେ ନାହାନ୍ତି । ଅଧ୍ୟାପକ ହେନରିକସନ ଜର୍ମାନୀରେ ଗବେଷଣା କରୁଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ନିଜକୁ ଅଧିକ ଗୌରବାନ୍ୱିତ ମନେକରନ୍ତି । ତାଙ୍କ ବକ୍ତୃତା ଶୁଣିବାର ସୁଯୋଗ ମିଳିବାର ଆଶାରେ ଲୁସି ବଡ଼ ଆନନ୍ଦିତା ।

 

ଦ୍ୱିତୀୟ ଦିନର ଅଧିବେଶନ । ପ୍ରତିବସ୍ତୁ ବା ଏଣ୍ଟିମେଣ୍ଟର ଉପରେ ଏକ ସିମ୍‍ପୋସିଅମ୍‍ ହେବା ସ୍ଥିର ହୋଇଥାଏ । ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏଥିରେ ଭାଗ ନେଇଥାନ୍ତି । ସିମ୍ପୋସିୟମରେ ଭାଗ ନେବା ଛଡ଼ା ବହୁ ବୈଜ୍ଞାନିକ ଆଲୋଚନା ପାଇଁ ଗବେଷଣା ପ୍ରବନ୍ଧମାନ ପଠାଇଥାନ୍ତି । ଉଭୟ ତାତ୍ତ୍ୱିକ ଆଲୋଚନା ଓ ଅଭିକ୍ରିୟାମୂଳକ ପ୍ରବନ୍ଧମାନ ଆଲୋଚିତ ହେବା ପାଇଁ ସ୍ଥାନ ପାଇଥାଏ । ଲୁସି ଆଉ ମୋର ଦୁଇଟି ପ୍ରବନ୍ଧ ଆଲୋଚନା ପାଇଁ ଗୃହୀତ ହୋଇଥିବାରୁ ଲୁସିର ଗୋଡ଼ ଆନନ୍ଦରେ ଆଉ ତଳେ ଲଗୁ ନ ଥାଏ । ସିମ୍ପୋସିୟମରୁ ବହୁତ କିଛି ଶିଖିବାର ଆଶା । ପ୍ରତିବସ୍ତୁ ଉପରେ ବିଭିନ୍ନ ଦେଶରେ ବିଶେଷତଃ ଋଷିଆ, ଜର୍ମାନୀ, ଇଂଲଣ୍ଡ ଆଦି ଦେଶରେ କି କି ଧରଣର ଗବେଷଣା ଚାଲିଛି, ସେ ସମ୍ବନ୍ଧରେ ପ୍ରତ୍ୟକ୍ଷ ଧାରଣା ଅର୍ଜ୍ଜନ କରିବାର ଆଶା ନେଇ ଆମେ ପୂର୍ବ ଉପକୂଳରୁ ଏହି ପଶ୍ଚିମ ଉପକୂଳକୁ ହଜାର ହଜାର ମାଇଲ ଅତିକ୍ରମ କରି ଦୌଡ଼ି ଆସିଥାଉଁ ।

 

ଯଥା ସମୟରେ ସିମ୍ପୋସିୟମ୍‍ ଆରମ୍ଭ ହେଲା । ଏକାଡ଼େମିସିଆନ ରସୋଭସ୍କିଙ୍କ ନେତୃତ୍ୱରେ ଯେଉଁ ଦଳେ ରୁଷୀୟ ବୈଜ୍ଞାନିକ ଆସିଥାନ୍ତି, ପ୍ରତିବସ୍ତୁ ଉପରେ ସେମାନଙ୍କ ପଠିତ ପ୍ରବନ୍ଧମାନ ଦେଖି ଆମେ ତାଟଙ୍ଗା । ଆଶ୍ଚର୍ଯ୍ୟର କଥା, ଆମେ ପ୍ରତିବସ୍ତୁ ସମ୍ବନ୍ଧରେ ଯାହା କଳ୍ପନା କରିନାହୁଁ, ସେମାନେ ତାକୁ କାର୍ଯ୍ୟରେ ପରିଣତ କରି ସାରିଲେଣି । ଆମର ଯେଉଁ ବଦ୍ଧମୂଳ ଧାରଣା ଯେ ପ୍ରତିବସ୍ତୁ ପୃଥିବୀରେ ପ୍ରସ୍ତୁତ ହୋଇପାରିବନି, ତାହା ସେମାନଙ୍କ ଆଲୋଚନାରୁ ଭ୍ରମାତ୍ମକ ବୋଲି ମନେହେଲା । ସାଧାରଣ ବସ୍ତୁକୁ ପ୍ରତିବସ୍ତୁରେ ରୂପାନ୍ତର କରିବା ସମ୍ଭବପର, ଏହାର ତାତ୍ତ୍ୱକ ଆଲୋଚନା ଶୁଣି ଆମେ ଯେ ଖାଲି ତଟସ୍ଥ ହେଲୁଁ, ତା ନୁହେଁ; ଏ ଦିଗରେ ଆମର ଥିବା ବିରାଟ ଭ୍ରମଧାରଣା କଥା ଭାବି ଲଜ୍ଜିତ ହେଲୁଁ । ରୁଷୀୟ ବୈଜ୍ଞାନିକ କୋଜୋଲଭ୍ ଯେତେବେଳେ ତାତ୍ତ୍ୱିକ ଆଲୋଚନା ପରେ ବସ୍ତୁକୁ ପ୍ରତିବସ୍ତୁରେ ପରିଣତ କରିବା ପାଇଁ ଅଭିକ୍ରିୟାମୂଳକ ଯୋଜନାମାନ ଉପସ୍ଥାପିତ କଲେ, ଆମ ଆଖି ଯେ ଖାଲି ଉପରକୁ ଖୋସି ହୋଇଗଲା ତା ନୁହେଁ, ଆମେ ଯାହା ଦେଖୁଛୁ ଓ ଶୁଣୁଛୁ, ତାହା ସ୍ୱପ୍ନକି ସତ୍ୟ ଜାଣି ପାରିଲୁନି । ପ୍ରତିବସ୍ତୁସମ୍ବନ୍ଧୀୟ ଆମ ଧାରଣା କେତେ ପୁରୁଣା ଓ ଭ୍ରମାତ୍ମକ ଭାବି ଲଜ୍ଜିତ ହେଲୁଁ । ସୋଭିୟେଟ୍ ବୈଜ୍ଞାନିକମାନଙ୍କ କି ଅଦ୍ଭୁତ ଆବିଷ୍କାର ! ଯେ କୌଣସି ସାଧାରଣ ବସ୍ତୁକୁ ପ୍ରତିବସ୍ତୁରେ ରୂପାନ୍ତରିତ କରିହେବ, ତାତ୍ତ୍ୱିକ ଆଲୋଚନାରୁ ପ୍ରତିପାଦନ କରାଯାଇଛି ଓ ଅଭିକ୍ରିୟାମୂଳକ ଏତେ ଦିନ କାଳ ଭାବି ଆସୁଥିଲୁଁ ଯେ ପୃଥିବୀପୃଷ୍ଠରେ ଏଣ୍ଟିପ୍ରୋଟନ ଓ ଏଣ୍ଟିନିଉଟ୍ରନ ସୃଷ୍ଟି କରିବା ସମ୍ଭବ ହୋଇପାରେ; କିନ୍ତୁ ଏଣ୍ଟିମେଟରେ ବା ପ୍ରତିବସ୍ତୁ ମୋଟେ ସମ୍ଭବପର ନୁହେ । ପ୍ରତିବସ୍ତୁର ଯେଉଁ ବିଚିତ୍ର ପ୍ରକୃତି, ଏହା ବସ୍ତୁସଂସ୍ପର୍ଶରେ ଆସିଲେ ବିରାଟ ବିସ୍ପୋରଣ ଘଟେ, ପ୍ରତିବସ୍ତୁକୁ ବସ୍ତୁଠାରୁ ଅଲଗା କରି ରଖିବା ଅତୀବ କଷ୍ଟ ସାଧ୍ୟ; ସେହି ସବୁ ଅସୁବିଧାକୁ ଏଡ଼ି ବସ୍ତୁକୁ ପ୍ରତିବସ୍ତୁରେ ପରିଣତ କରିବା ଯୋଜନା କେତେ ଉଚ୍ଚକୋଟିର, ସେସବୁ ଯୋଜନାର କର୍ଣ୍ଣଧାର ସୋଭିୟେଟ୍ ବୈଜ୍ଞାନିକମାନଙ୍କୁ ମନେ ମନେ ଧନ୍ୟବାଦ ନ ଜଣାଇ ରହି ପାରୁଲୁନି । ସେମାନଙ୍କ ଯୋଜନା ଯଦି କାର୍ଯ୍ୟକାରୀ ହୁଏ, ତେବେ କିଏ କହିପାରିବ ଏହା ପୃଥିବୀରେ ଏକ ନୂତନ ଯୁଗ ସୃଷ୍ଟି କରିବନି ବୋଲି ।

 

ସାନ୍‍ଫ୍ରାନ୍‍ସିସକୋ ବିଶ୍ୱବିଦ୍ୟାଳୟର ରେଷ୍ଟୁରାଣ୍ଟ ହଲରେ ମଧ୍ୟାହ୍ନଭୋଜନ କରୁ କରୁ ଲୁସିକୁ ପଚାରିଲି, ‘‘ସୋଭିୟେଟ୍‍ମାନଙ୍କ ଅଗ୍ରଗତି ଦେଖି ତୁମେ କଣ ଭାବୁଛ, ଲୁସି ? ଦେଖୁଛ ତ ସେମାନେ ଆମଠାରୁ କେତେ ଆଗରେ, ଆମେ ସେମାନଙ୍କର କେତେ ପଛରେ ପଡ଼ି ଯାଇଛେଁ ।’’

 

ମୋ ସହିତ ଏକମତ ହୋଇ ଲୁସି କହିଲା, ‘‘ପ୍ରତିବସ୍ତୁ ସମ୍ବନ୍ଧୀୟ ଆମର କେତେ ଗୁଡ଼ିଏ ଭ୍ରମଧାରଣା ଏଥିପାଇଁ ଦାୟୀ । ଆମେ ବେଳେ ବେଳେ ଯେଉଁ ଭ୍ରମାତ୍ମକ ଦୃଢ଼ମତ ପୋଷଣ କରି ପକାଉଛୁ, ସେଥିପାଇଁ ଆମ ଗବେଷଣା ଆଗେଇ ପାରୁନି । ପ୍ରତିବସ୍ତୁ କାହିଁକି ପୃଥିବୀରେ ତିଷ୍ଠିପାରିବନି, ସେ ସଂପର୍କରେ ସେମାନଙ୍କ ଯୁକ୍ତି ଆପଣ ଦେଖିଲେ ତ ? କୁହନ୍ତୁ ତ କେତେ କନ୍‍ଭିନ୍‍ସିଙ୍ଗ ହୋଇଛି । ଅଥଚ ଆମେ ଏ ଦେଶରେ ଏଣ୍ଟିପ୍ରୋଟାନ୍ ସୃଷ୍ଟି କରିଦେଇ ସାରି ଆଖିବୁଜି ବସିରହିଲେ ଯେ ପୃଥିବୀରେ ଏଣ୍ଟିମେଟର ସୃଷ୍ଟିହେବା ସମ୍ଭବପର ନୁହେଁ । ଏଭଳି ପରିସ୍ଥିତିରେ ଆମେ ପଛାଇବୁ ନାହିଁ ତ ଆଉ କିଏ ପଛାଇବ ?

 

ଅଧିବେଶନର ତୃତୀୟ ଦିନ । ସକାଳୁ ଉଠିଲାକ୍ଷଣି ହଠାତ୍ ଦେଖିଲି ଲୁସି ରୁମ୍‍ଟା ମେଲା ପଡ଼ିଛି । ଲୁସି ତ ଏତେ ସକାଳୁ ଉଠେନି, ତା’ରୁମ୍ ମେଲାହେଲା କେମିତି ଭାବି ଲୁସି ରୁମ୍‍କୁ ଚାଲିଗଲି, ଦେଖିଲି ଲୁସି ରୁମରେ ନାହିଁ । ଏଣେତେଣେ ଖୋଜା ଖୋଜି କଲି । କେଉଁଠି ତାକୁ ପାଇଲନି । ମନ ବଡ଼ ସନ୍ଦେହୀ ହୋଇ ଉଠିଲା । ଭାବିଲି, ଲୁସି ଆଉ କ’ଣ ରୁମ୍ ବଦଳାଇ ଦେଲା କି ? ଜାଣିବା ପାଇଁ ହୋଟେଲ ଅଫିସକୁ ଯାଇ ପଚାରିଲି । ବଡ଼ ଆଶ୍ଚର୍ଯ୍ୟ, ଲୁସି ରୁମ୍ ବଦଳା ହୋଇନି । ମୋ ମନର ସନ୍ଦେହ ଆହୁରି ଦୃଢ଼ୀଭୂତ ହେବାକୁ ଲାଗିଲା । ପୋଲିସକୁ ଏ ସମ୍ପର୍କରେ ଖବର ଦେବି କି ଆଉ ଖୋଜା ଖୋଜି କରିବି, ଭାବି କିଛି ଠିକ୍ କରି ପାରିଲିନି । ମୋତେ ନ କହି ହୁଏତ ସକାଳୁ କେଉଁ ସାଙ୍ଗସାଥି ଘରକୁ ଚାଲିଯାଇଥିବ, ଅଧିବେଶନ ବେଳେନିଶ୍ଚୟ ସମ୍ମିଳନୀକୁ ଆସିବ, ଏହା ଭାବି ଶୀଘ୍ର ଅଧିବେଶନକୁ ଯିବା ପାଇଁ ପ୍ରସ୍ତୁତ ହେଲି ।

 

ବଡ଼ ଆଶ୍ଚର୍ଯ୍ୟର କଥା, ତୃତୀୟ ଦିନର ଅଧିବେଶନ ଶେଷ ହେବା ଉପରେ, ତଥାପି ଲୁସିର ଦେଖାନାହିଁ । ବେଳକୁ ବେଳ ମୋ ସନ୍ଦେହ ଦୃଢ଼ୀଭୂତ ହେବାକୁ ଲାଗିଲା । ବହୁ ବନ୍ଧୁଙ୍କୁ ଲୁସି କଥା ପଚାରିଲି । କେହି କିଛି କହି ପାରିଲେନି। ଲୁସିର ଏ ଅଦ୍ଭୁତ ଅନ୍ତର୍ଦ୍ଧାନ ପଛରେ ଯେ କିଛି ଗୋଳମାଳ ଅଛି, ଏହି ସିଦ୍ଧାନ୍ତରେ ପହଞ୍ଚିବାକୁ ମୋତେ ବେଶି ଡେରି ଲାଗିଲାନି।

 

ଲୁସି ସହିତ ମୋର ପରିଚୟ ବହୁ ଦିନରୁ । ଅଧ୍ୟାପକଙ୍କ ଅଧୀନରେ ସେ ଯେତେବେଳେ ଗବେଷଣା କରିବାକୁ ଆସିଲା, ତା’ର ସେଇ ମନମତାଣିଆ ରୂପରେ ମୁଗ୍ଧହୋଇ ମୁଁ ତା ଆଡ଼କୁ ଟାଣିହୋଇ ଯାଇଥିଲି । ଲୁସିର ଗବେଷଣା ଦାୟିତ୍ୱ ଅଧ୍ୟାପକ ମୋ ଉପରେ ଛାଡ଼ିଦେଇଥିଲେ । ତା ଗବେଷଣାକୁ ତଦାରଖ୍ କରିବା, ଦରକାର ବେଳେ ତାକୁ କାମରେ ସାହାଯ୍ୟ କରିବା ପାଇଁ ଅଧ୍ୟାପକ ମୋତେନିର୍ଦ୍ଦେଶ ଦେଇଥାନ୍ତି । ଲୁସି ଯେମିତି ରୂପରେ ଅଦ୍ୱିତୀୟା, ଗୁଣରେ ମଧ୍ୟ କମ୍ ନୁହେଁ । ତାତ୍ତ୍ୱିକ ପଦାର୍ଥ ବିଜ୍ଞାନରେ ବେଶ୍ ଦଖଲ୍ । ବେଳେ ବେଳେ ମୋତେ ମଧ୍ୟ ପାଠ ନ ପଢ଼ାଇ ଛାଡ଼ିନି। ଲୁସିର ରୂପ ଆଉ ଗୁଣ ଅଧ୍ୟାପକଙ୍କ ସମେତ ଆମ ସାରା ଗବେଷଣାଗାର ଉପରେ ପୂରା ଆଧିପତ୍ୟ ବିସ୍ତାର କରି ରଖିଥାଏ । ଲୁସିକୁ ଯେ ମୁଁ ଖାଲି ଭଲ ପାଉଥିଲି ତା ନୁହେଁ, ପ୍ରତିବଦଳରେ ସେ ମଧ୍ୟ ମୋତେ ଖୁବ୍ ଭଲ ପାଉଥିଲା ।ନିଉୟର୍କର କେନ୍ଦ୍ର ଉଦ୍ୟାନର ବୃକ୍ଷଲତାର ଆଢ଼ୁ ଆଳରେ ଆମର ଯେ କେତେ ମଧୁର ସନ୍ଧ୍ୟା ବିତିଯାଇଛି, ତାର କଳ୍ପନା ନାହିଁ । ଲୁସିର ଯେ ମୋ ଛଡ଼ା ଆଉ ପୁରୁଷବନ୍ଧୁ ନ ଥିଲେ ତା ନୁହେଁ, କିନ୍ତୁ ପୁରୁଷ ବନ୍ଧୁମାନଙ୍କ ଭିତରେ ମୋ ସ୍ଥାନ ଥିଲା ସବୁଠାରୁ ଉଚ୍ଚରେ । ଲୁସି ପି.ଏଚ୍.ଡି. ପାଇଲାବେଳକୁ ସବୁ ପୁରୁଷବନ୍ଧ, କଟିଯାଇ କେବଳ ମୁଁ ଏକା ରହିଯାଇଥିଲି । ଆମ ଦୁହିଁଙ୍କ ଭିତରେ ବିବାହ ହେବା ମଧ୍ୟ ଏକରକମ ଠିକ୍ ହୋଇଯାଇଥାଏ । ଲୁସିକୁ ମୁ ଏତେ ଭଲ ପାଉଥଇଲି ଯେ ତାକୁ କିଛି ସମୟ ଛାଡ଼ି ମୋ ପକ୍ଷରେ ଚଳିବା ଏକରକମ ଅସମ୍ଭବ ହୋଇ ପଡ଼ିଥାଏ । ତେଣୁ ଲୁସିର ଏତାଦୃଶ ଅନ୍ତର୍ଦ୍ଧାନରେ ମୋ ମୁଣ୍ଡ ପାଗଳହୋଇ ଉଠୁଥାଏ । ଏ ପରିସ୍ଥିତିରେ କ’ଣ କରିବି, ଠିକ୍ କରିବା କଷ୍ଟକର ହୋଇ ପଡ଼ିଥାଏ । ତେବେ ଶେଷରେ ପୋଲିସର ଆଶ୍ରୟ ନେବା ଛଡ଼ା ଅନ୍ୟ ଉପାୟ ନ ଦେଖି ପୋଲିସ ଷ୍ଟେସନକୁ ଯିବାକୁ ବାହାରିଲି ।

 

ଯିବାକୁ ବାହାରିଛି, ହଠାତ୍ ଏକ ଖବରରେ ମୁଁ ଏକା କାହିଁକି ଅଧିବେଶନରେ ଯୋଗଦେଇଥିବା ବୈଜ୍ଞାନିକମାନେ ଶଙ୍କିତ ହୋଇ ପଡ଼ିଲେ ।ନିଉୟର୍କର ଜାତିସଂଘ ଅପିସରେ ଏକ ତାରବାର୍ତ୍ତା କୌଣସି ଏକ ଅଜଣା ସ୍ଥାନରୁ ଆସି ପହଞ୍ଚିଛି ଯେ ପୃଥିବୀକୁ ଆକ୍ରମଣ କରିବାକୁ ଏକ ସୈନ୍ୟଦଳ ମହାଶୂନ୍ୟରେ ଆସି ହାଜର । ‘ଯୁଦ୍ଧଂ ଦେହି’ ଡାକରେ ସେମାନେ ମହାଶୂନ୍ୟରେ ଥାଇ ପୃଥିବୀକୁ ବାର୍ତ୍ତା ପଠାଇଛନ୍ତି । ଏହି ଖବରଟି ମହାଶୂନ୍ୟରୁ ଆସିଛି କି ଅନ୍ୟ କେଉଁଠୁ ଆସିଛି, ଜାଣିବା ବଡ଼ ମୁସ୍କିଲ ।ନିଉୟର୍କର ତାରବିଭାଗ ଏହି ସମ୍ବାଦର ପ୍ରେରିତ ସ୍ଥାନନିର୍ଣ୍ଣୟ କରି ପାରୁ ନ ଥାନ୍ତି । ଏହି ଖବର ପହଞ୍ଚିବା ସଙ୍ଗେ ସଙ୍ଗେ ସାରା ଯୁକ୍ତରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଧିବେଶନର ସଭାପତି ଏହି ଖବରରେ ଶଙ୍କିତ ହୋଇ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲ୍‍ତବି ରଖିଦେଇଛନ୍ତି । ମିଳିତ ଜାତିସଂଘ ଏଭଳି ସମ୍ବାଦରେ ଭୀତକ୍ରସ୍ତ ହୋଇ ଆମେରିକା, ରୁଷ ଓ ଇଂରେଜ ସରକାରଙ୍କର ସାହାଯ୍ୟ ଭିକ୍ଷାକରିଛି । ଏଭଳି ବିପଦବେଳେ କେଉଁ ନୀତି ଧରିବାକୁ ପଡ଼ିବ, କ’ଣ କରିବାକୁ ହେବ, ଜାତିସଂଘ ପୂରାପୂରି ଛାଡ଼ି ଦେଇଛି ଉପରୋକ୍ତ ଦେଶଗୁଡ଼ିକ ଉପରେ । ସଙ୍ଗେ ସଙ୍ଗେ ଆମେରିକା ସରକାର ରୁଷ ତଥା ଇଂରେଜ ସରକାର ସହିତ ମନ୍ତ୍ରଣା ଚଳାଇବା ଆରମ୍ଭ କରିଦେଇଛି, ଏ ଦିଗରେ କି ବିହିତ ବ୍ୟବସ୍ଥା କରିବାକୁ ପଡ଼ିବ, ତାହା ଠିକ୍ କରିବା ପାଇଁ ।

 

ମହାଶୂନ୍ୟର କେଉଁ ସ୍ଥାନରେ ଏହି ଶତ୍ରୁମାନେ ଅବସ୍ଥାନ କରି ପୃଥିବୀକୁ ‘ଯୁଦ୍ଧଂ ଦେହି’ ଡାକ ଦେଉଛନ୍ତି, ଜାଣିବା ପାଇଁ ଆମେରିକା ତଥା ରୁଷ ସରକାରଙ୍କର ସମସ୍ତ ଯନ୍ତ୍ରପାତି ମହ । ଶୂନ୍ୟକୁ ତନ୍ନ ତନ୍ନ କରି ପରୀକ୍ଷା କରି ସାରିଲେଣି; କିନ୍ତୁ ସେମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆକ୍ରମଣକାରୀଙ୍କୁ ଠାବକରିବା ସମ୍ଭବପର ହୋଇନି ।

 

ଅଧିବେଶନ ସିନା ମୁଲତବି ଥାଏ, ସଭ୍ୟମାନେ ଏହି ଘଟଣାରେ ଅସ୍ଥିର ହୋଇ ଏଣେତେଣେ ଦୌଡ଼ାଦୌଡ଼ି କରୁଥାନ୍ତି । ପୃଥିବୀ ପ୍ରତି ଏ ପୁଣି କି ବିପଦ ଭାବି ଭାବି କେତେ ସଭ୍ୟ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେଣି । କେତେକଙ୍କ ପାଟିରୁ ବାହାରି ପଡ଼ୁଥାଏ, ‘‘ଆମେ ତ ଖାଇପିଇ ବେଶ୍ ଆରାମରେ ଥିଲେଁ; ହଠାତ୍ ଆମ ପ୍ରତି ଏ ବିପଦ କାହିଁକି ?’’ ପୋଲିସ ଷ୍ଟେସନ୍ ଆଡ଼େ ମୁହାଁଇଛି, ଜନୈକ ଜାପାନୀ ବୈଜ୍ଞାନିକଙ୍କ ଅନୁରୋଧକ୍ରମେ ଅଟକିଗଲି । ଲୁସିର ଅନ୍ତର୍ଦ୍ଧାନ ପଛରେ ଏହି ଆକ୍ରମଣକାରୀ ଦଳଙ୍କ କିଛି ହାତ ଅଛି କି ନାହିଁ ଜାଣିବା ପାଇ ସେ ମୋତେ ଅଟକାଇଲେ । ଲୁସିର ଅଦ୍ଭୁତ ଅନ୍ତର୍ଦ୍ଧାନ ସବୁ ସଭ୍ୟଙ୍କ ଭିତରେ ଚହଳ ପକାଇଦେଇଥାଏ ।

 

ଜାପାନୀ ପଦାର୍ଥବିଦ୍ୟାବିତ୍ ଡକ୍ଟର ଇସୋ ଖାଲି ଯେ ବୈଜ୍ଞାନିକ ତା ନୁହେଁ, ସେ ମଧ୍ୟ ଜଣେ ବିଖ୍ୟାତ ବୈଜ୍ଞାନିକ ଔପନ୍ୟାସିକ । ବିଭିନ୍ନ ବୈଜ୍ଞାନିକ ଉପନ୍ୟାସ ରଚନା କରି ଓ ସେ ସମ୍ବନ୍ଧରେ ନାନା ଆଲୋଚନା କରି ତାଙ୍କର ଏପରି ଏକ ଦୂରଦୃଷ୍ଟି ହୋଇଗଲାଣି ଯେ, ବହୁ ରହସ୍ୟଜନକ ବ୍ୟାପାରକୁ ସେ ଖୁବ୍ ତୀକ୍ଷ୍‍ଣବୁଦ୍ଧି ସହିତ ବିଚାର କରି ସିଦ୍ଧାନ୍ତରେ ପହଞ୍ଚି ପାରନ୍ତି । ଡକ୍ଟର ଇସୋଙ୍କ ଏତାଦୃଶ ବ୍ୟୁତ୍ପତ୍ତି ମୁଁ ସେତେବେଳେ ଉପଲବ୍ଧି କରି ପାରି ନ ଥିଲି, ପରେ ଅବଶ୍ୟ ଉପଲବ୍ଧି କରି ତାଙ୍କୁ ଅଶେଷ ଧନ୍ୟବାଦ ନ ଦେଇ ରହି ପାରିଲିନି । ଡକ୍ଟର ଇସୋଙ୍କ ମତ ଯେ ଲୁସିକୁ ଏହି ଆକ୍ରମଣକାରୀମାନେ ଅପହରଣ କରି ନେଇଛନ୍ତି । ପୃଥିବୀ-ସମ୍ବନ୍ଧୀୟ ନାନା ବ୍ୟାପାର ଜାଣିବା ପାଇଁ ସେମାନଙ୍କର ଜଣେ ପୃଥିବୀବାସୀ ଲୋଡ଼ା, ସେହି ସ୍ଥାନ ପୂରଣ କରିଛି ଲୁସି । ଡକ୍ଟର ଇସୋଙ୍କ ମତ ମୋତେ ବେଶ ଯୁକ୍ତିଯୁକ୍ତ ଜଣାପଡ଼ିଲା; କିନ୍ତୁ ବିଶ୍ୱାସ ହେଲାନି । ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇ ବିଦାୟ ନେଉଛି, ଆକାଶରୁ ଏକ ବିରାଟ ଶବ୍ଦରେ ଚମକିପଡ଼ିଲି । ଶବ୍ଦ ପରେ ପରେ ମହାଶୂନ୍ୟରୁ ଭାସିଆସିଲା ଗୁରୁଗମ୍ଭୀର ସ୍ୱରରେ ଏକ ଇଂରାଜୀ ବକ୍ତୃତା । ବକ୍ତା ଆକାଶର ଅଳ୍ପ ଦୂରରେ ଥାଇ ଯେମିତି କଥା କହୁଛନ୍ତି, ସେମିତି ବୋଧହେଲା ।

 

‘‘ପୃଥିବୀବାସୀଗଣ, ଆମ୍ଭେମାନେ ହେଉଛୁଁ ଆଉ ଏକ ନୀହାରିକାର ଲୋକ । ଆପଣମାନଙ୍କ ପୃଥିବୀଠାରୁ ଆମ ନୀହାରିକା ଦେଢ଼କୋଟି ଆଲୋକବର୍ଷ ଦୂରରେ ଅଛି । ଆମେ ବିଶ୍ୱ ପରିକ୍ରମା କରିବା ଉଦ୍ଦେଶ୍ୟରେ ବାହାରି ଆପଣମାନଙ୍କ ଗ୍ରହନିକଟକୁ ଚାଲି ଆସିଛୁଁ । ଆପଣମାନଙ୍କ ଛାୟାପଥ ନୀହାରିକାର ବହୁ ଗ୍ରହ, ନକ୍ଷତ୍ର ଆଦି ବୁଲି ଦେଖିସାରିଲୁଣି । ଆପଣମାନଙ୍କ ନୀହାରିକା ବଡ଼ ଚମତ୍କାର, ଆମ୍ଭମାନଙ୍କୁ ଅତି ମୁଗ୍ଧ କରିଛି । ମଣିଷ ଜୀବଜନ୍ତୁପୂର୍ଣ୍ଣ ବହୁ ଗ୍ରହ ଉପଗ୍ରହ ଆପଣମାନଙ୍କ ଏହି ନୀହାରିକାରେ ଅଛି ଦେଖିଲୁ । ଆମ ନୀହାରିକା ଜନମାନବ ଶୂନ୍ୟ । ତେଣୁ ସେଠାରେ ଆମ୍ଭେମାନେ ଏକୁଟିଆ ପଡ଼ିରହିଛୁଁ । ଗ୍ରହମାନଙ୍କ ଭିତରେ ଆପଣମାନଙ୍କ ପୃଥିବୀ ଅତି ଚମତ୍କାର । ଆପଣମାନେ ଅତି ସୁନ୍ଦର । ହେଲେ, ଆପଣମାନେ ଆମ ଭଳି ବିଶେଷ ଉନ୍ନତ ନୁହନ୍ତି । ଆମର ଇଚ୍ଛା ହେଉଛି, ଆପଣମାନଙ୍କ ନୀହାରିକାରେ ରହିବା ପାଇଁ-। ଆମେ ରହିବାପାଇଁ ବହୁ ଉପଯୁକ୍ତ ଗ୍ରହର ସନ୍ଧାନ ପାଇଲୁଣି; କିନ୍ତୁ ଦୁଃଖର ବିଷୟ, ଆମେ ହେଉଛୁଁ ପ୍ରତିବସ୍ତୁ ଜଗତର ଲୋକ । ଆମେ ଯଦି ଆପଣମାନଙ୍କ ନୀହାରିକାର କୌଣସି ଗ୍ରହରେ ଓହ୍ଲାଉଁ, ତେବେ ସେହି ଗ୍ରହଟି ଓ ଆମେ ଆଖିପିଛୁଳାକେ ବିସ୍ପୋରିତ ହୋଇଯିବୁଁ । ଆପଣଙ୍କ ନୀହାରିକାରେ ପ୍ରତିବସ୍ତୁରୁ ତିଆରି ଗୋଟାଏ ସୁଦ୍ଧା ଗ୍ରହ ନାହିଁ । ତେଣୁ କୌଣସି ଗ୍ରହ ଆମ ରହିବା ପାଇଁ ସୁବିଧାଜନକ ନୁହେଁ; ତେଣୁ ଆମେ ଅନନ୍ୟୋପାୟ ହୋଇ ଆମ ନିଜ ଗ୍ରହକୁ ଫେରିଯାଉଛୁଁ-। ଯିବା ପୂର୍ବରୁ ଆପଣମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବୁଁ ବୋଲି ଠିକ୍ କରିଛୁଁ । ତେଣୁ ଆମେ ମହାଶୂନ୍ୟରୁ ଥାଇ ଆପଣମାନଙ୍କଠାକୁ ବାର୍ତ୍ତା ପଠାଇଛୁ । ଆପଣମାନେ ଭୁଲ ବୁଝିଛନ୍ତି, ଆମେ ଆପଣମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିଛୁ ବୋଲି । ଆପଣମାନେ ଆମ ତୁଳନାରେ ଏତେ ଅନୁନ୍ନତ ଓ ହୀନବଳ ଯେ ଆପଣମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଆମର ଇଚ୍ଛା ନାହିଁ, କାରଣ ଆପଣମାନଙ୍କୁ ଜୟ କରିବା ପାଇଁ ଆମକୁ ମାତ୍ର କେଇ ମିନିଟ୍‍ ରୁ ଅଧିକ ସମୟ ଲାଗିବନି-।’’

 

‘‘ହଁ, ଆପଣମାନେ ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ, ଆପଣମାନଙ୍କ ପୃଥିବୀର ଜନୈକା ମହିଳା ବୈଜ୍ଞାନିକ ବର୍ତ୍ତମାନ ଏଠି ଆମ ମେଳରେ ଅଛନ୍ତି । ଆପଣମାନେ କେତେ ଉନ୍ନତ, ବିଜ୍ଞାନରେ କି କି ଗବେଷଣା ଆପଣମାନଙ୍କ ଗ୍ରହରେ ଚାଲିଛି ଜାଣିବା ପାଇଁ ଆମେ ତାଙ୍କୁ ଏଠାକୁ ଧରିଆଣିଛୁଁ । ଗତ କେତେ ଘଣ୍ଟା ଧରି ସେ ଆମ ମେଳରେ ରହି ଆମ ପ୍ରଭାବରୁ ସେ ଆଉ ବସ୍ତୁ ହୋଇ ରହିନାହାନ୍ତି । ସେ ମଧ୍ୟ ଆମ ଭଳି ପ୍ରତିବସ୍ତୁରେ ପରିଣତ ହୋଇ ଗଲେଣି । ଏଭଳି ଅବସ୍ଥାରେ ଆମେ ତାଙ୍କୁ ପୃଥିବୀକୁ ଫେରାଇ ଦେବାକୁନିରାପଦ ମଣୁନୁ । କାରଣ ଆପଣମାନେ ଜାଣନ୍ତି, ସେ ଯଦି ପୃଥିବୀକୁ ଫେରିଯାନ୍ତି, ତାଙ୍କ ଅବସ୍ଥା କ’ଣ ହେବ ? ପୁଣି ବସ୍ତୁରେ ପରିଣତ ନ କଲା ପର୍ଯ୍ୟନ୍ତ ତାଙ୍କୁ ଆପଣମାନଙ୍କ ପୃଥିବୀକୁ ପଠାଇବାକୁ ଚାହୁଁନୁ । ବଡ଼ ଦୁଃଖରେ ବିଷୟ, ତାଙ୍କୁ ବସ୍ତୁରେ ପରିଣତ କରିବା ପାଇଁ ଆମଠାରେ ବର୍ତ୍ତମାନ କିଛି ଯନ୍ତ୍ରପାତି ନାହିଁ । ତେଣୁ ଆମର ଇଚ୍ଛା, ଆମେ ତାଙ୍କୁ ଆମ ଗ୍ରହକୁ ନେଇଯାଇ ସେଠାରେ ଆମ ଯନ୍ତ୍ରପାତି ସାହାଯ୍ୟରେ ବସ୍ତୁରେ ପରିଣତ କରି ଆପଣମାନଙ୍କଠାକୁ ପଠାଇଦେବୁଁ । ଆମେ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଆପଣମାନେ ଯଦି ଆମକୁ କି ତାଙ୍କୁ ଦେଖିବାକୁ ଚାହାନ୍ତି, ତେବେ ଆପଣମାନେ ମହାଶୂନ୍ୟର ଏହି ସ୍ଥାନକୁ ଆସିପାରନ୍ତି । ଆମଠାରୁ ଅଯଥା କୌଣସି ବିପଦ ଆଶଙ୍କା କରନ୍ତୁନି ।’’

 

ଏତିକି କହି ସାରିବା ସଙ୍ଗେ ସଙ୍ଗେ ମହାଶୂନ୍ୟରୁ ଭାସିଆସୁଥିବା ସେଇ ଶବ୍ଦ କୁଆଡ଼େ ଉଭେଇଗଲା । ଏହି ବକ୍ତବ୍ୟ ପୃଥିବୀର ସବୁ ଦେଶକୁ ସମାନଭାବରେ ଶୁଣାଯାଉଥିଲା । ଓ ପ୍ରତ୍ୟେକ ଦେଶର ପ୍ରଚଳିତ ଭାଷାକୁ ମନକୁ ମନ ରୂପାନ୍ତରିତ ହୋଇଯାଉଥିଲା ବୋଲି ପରେ ଶୁଣି ଆଶ୍ଚର୍ଯ୍ୟ ହେଲି । ସେମାନେ ପୃଥିବୀରୁ ଧରିନେଇ ଯାଇଥିବା ମହିଳା ବୈଜ୍ଞାନିକ ଯେ ଲୁସି ଏଥିରେ ମୋର ତିଳେ ମାତ୍ର ସନ୍ଦେହ ରହିଲାନି । ଲୁସିକୁ କେମିତି ଉଦ୍ଧାର କରିବାକୁ ହେବ ଭାବି ବିଚଳିତ ହୋଇ ପଡ଼ିଲି । ପୋଲିସ ସାହାଯ୍ୟ ବିନା ଏ ଦିଗରେ କିଛି କରିବା ସମ୍ଭବପର ନୁହେ ଭାବି ସଙ୍ଗେ ସଙ୍ଗେ ପୋଲିସ ଷ୍ଟେସନ୍ ଅଭିମୁଖେ ଦୌଡ଼ିଲି ।

 

ସେମାନେ ମଧ୍ୟ ସେତେବେଳକୁ ପୃଥିବୀରୁ ଅପହୃତ ହୋଇଥିବା ବୈଜ୍ଞାନିକଙ୍କ କଥା ଜାଣି ସାରିଲେଣି । ସେମାନେ ମୋ ପହଞ୍ଚିଲାବେଳକୁ ଯୁକ୍ତରାଷ୍ଟ୍ରର ଉଚ୍ଚ କର୍ତ୍ତ୍ୱପକ୍ଷଙ୍କନିର୍ଦ୍ଦେଶକ୍ରମେ ଏ ବିଷୟରେ କ’ଣ କରିବାକୁ ହେବ ସ୍ଥିର କରି ସାରିଲେଣି । ମୁଁ ପହଞ୍ଚିଲାକ୍ଷଣି ସେମାନେ ମୋତେ ଯୁକ୍ତରାଷ୍ଟ୍ରର ରକେଟ୍ କେନ୍ଦ୍ର କେପକାନାଭେରାଲକୁ ଯିବା ପାଇଁନିମନ୍ତ୍ରଣ କଲେ । ଲୁସିକୁ ଉଦ୍ଧାର କରିବା ପାଇଁ ମୁଁ ଯଦି ନିଜେ ମହାଶୂନ୍ୟର ସେହି ସ୍ଥାନକୁ ଯିବାକୁ ଉଚ୍ଛା କରେ, ତେବେ ସେମାନେ ମୋତେ ପଠାଇବାକୁ କୁଣ୍ଠାବୋଧ କରିବେନି । ସେମାନଙ୍କ ପ୍ରସ୍ତାବରେ ରାଜିହେବା ଛଡ଼ା ମୋର ଅନ୍ୟ ଉପାୟ ନ ଥିଲା । ତେଣୁ ସଙ୍ଗେ ସଙ୍ଗେ କେପ୍‍କାନାଭେରାଲ ଉଦ୍ଦେଶ୍ୟରେ ଯିବା ପାଇଁ ପ୍ରସ୍ତୁତ ହୋଇ ପଡ଼ିଲି ।

 

ଯଥା ସମୟରେ କେପ୍‍କାନାଭେରାଲରୁ ରକେଟଯାନ ଛାଡ଼ିଲା । ରକେଟଯାନ ଭିତରେ ଆମେ ଦଳେ ବୈଜ୍ଞାନିକ । ଲୁସିକୁ କୌଣସି ପ୍ରକାରେ ଉଦ୍ଧାର କରିବା ପାଇଁ ମୁଁ ଯାଇଥାଏ-। ଅନ୍ୟମାନେ ପୃଥିବୀ ତରଫରୁ ପ୍ରତିନିଧିତ୍ୱ କରି ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଯାଇଥାନ୍ତି । ଯଥାସ୍ଥାନରେ ପହଞ୍ଚିବାକୁ ବେଶୀ ସମୟ ଲାଗିଲାନି । ଦେଖିଲୁଁ, ମହାଶୂନ୍ୟ ଭିତରେ ବେଶ୍ ବଡ଼ ସହରଟିଏ ଗଢ଼ି ଉଠିଛି । ସାରା ସହରଟି ମହାଶୂନ୍ୟରେ ଭାସୁଛି । ସହରଟିକୁ ଚାରିଆଡ଼ୁ ଯାନ୍ତ୍ରିକ ପ୍ରହରୀମାନେ ଜଗିରହିଛନ୍ତି । ଆମେ ସେହି ସହରନିକଟରେ ହେଲା କ୍ଷଣି ମନକୁ ମନ ଶୂନ୍ୟରୁ ବାରଣ ଆସିଲା । ସେମାନେ ପ୍ରତିବସ୍ତୁ-ଜଗତର ବସ୍ତୁ ହୋଇଥିବାରୁ ଆମେ ସେମାନଙ୍କନିକଟରେ ହେବା ବିପଦଜନକ ଭାବି ପଛେଇ ଆସିଲୁ । ଦୂରରୁ ଥାଇ ସେମାନଙ୍କନିକଟକୁ ଖବର ଦେଲୁ ଯେ ଆମେ ସେମାନଙ୍କ ନେତାଙ୍କ ସହିତ ଦେଖାକରିବାକୁ ଇଚ୍ଛୁକ-। ଆମେ ପୃଥିବୀରୁ ସେମାନଙ୍କ ପାଇଁ ଶୁଭବାର୍ତ୍ତା ଘେନି ଆସିଛୁଁ ।

 

ଆମ ବାର୍ତ୍ତା ପାଇ ସେହି ସହର ଭିତରୁ ବାହାରିଲେ ଜନୈକ ଯୁବକ । ମହାଶୂନ୍ୟ ଭିତରେ ମହାଶୂନ୍ୟ ପୋଷାକ ନ ପିନ୍ଧି ସାଧାରଣ ପୋଷାକରେ ଆମ ଆଡ଼କୁ ଆଗେଇ ଆସିଲେ । ମହାଶୂନ୍ୟରେ ଯେମିତି ଚାଲିବା କଥା, ସେମିତି ନ ଚାଲି ଭୂଇଁରେ ଚାଲିଲା ଭଳି ଆମ ଆଡ଼କୁ ଆସୁଥାନ୍ତି । ଯୁବକଟି ଦେଖିବାକୁ ଅବିକଳ ଆମ ଭଳି । ପ୍ରତିବସ୍ତୁଜଗତର ଲୋକ ବୋଲି କିଛି ଚିହ୍ନ କେଉଁଠି ନାହିଁ । ଦେଖିଲେ କେହି କହିବନି ସେ ଆମ ପୃଥିବୀର ଲୋକ ନୁହନ୍ତି ବୋଲି ।

 

ସେ ଆସି ଆମଠାରୁ ଅଳ୍ପ ଦୂରରେ ଠିଆହେଲେ । ମୁଁ ତାଙ୍କଠାକୁ ଆଗେଇ ଯାଇ ଲୁସି କଥା ପଚାରିଲି । ସେ ଈଷତ୍ ହସି କହିଲେ, ‘‘ଲୁସିଠାରୁ ଆମେ ଜାଣିବାକୁ ପାଇଛୁଁ ଆପଣ କେମିତି ତାଙ୍କ ପାଇଁ ପାଗଳ । ଆମେ ତା ବୁଝିପାରିଛୁଁ; କିନ୍ତୁ ଆମେ ନାଚାର । ଲୁସିର ହଠାତ୍ ଏଭଳି ପରିବର୍ତ୍ତନ ହେବ ବୋଲି ଆମେ ମଧ୍ୟ ଆଶା କରି ନ ଥିଲୁଁ । ଲୁସିର ଗୋଟାଯାକ ଶରୀର ପ୍ରତିବସ୍ତୁକୁ ରୂପାନ୍ତରିତ ହେବାରେ ଆମେ ମଧ୍ୟ ଚିନ୍ତିତ । ତାଙ୍କୁ ଆପଣମାନଙ୍କଠାକୁ ଫେରାଇଦେବାକୁ ଇଚ୍ଛା ଥିଲେ ହେଁ ପୁନର୍ବାର ବସ୍ତୁରେ ପରିଣତ କରିବା ପାଇଁ ଆମଠାରେ କିଛି ଯନ୍ତ୍ରପାତି ନାହିଁ । ଆମେ ଲୁସିକୁ ସଙ୍ଗରେ ନେଇଯାଇ ଆମ ଗ୍ରହରେ ତାଙ୍କୁ ଆମର ଯନ୍ତ୍ରପାତି ସାହାଯ୍ୟରେ ବସ୍ତୁରେ ପରିଣତ କଲେ, ତା’ପରେ ଆମେ ଆପଣମାନଙ୍କଠାକୁ ପଠାଇଦେବୁଁ । ଏହାଦ୍ୱାରା ଲୁସି ଶରୀରରେ କିଛି କଷ୍ଟ ହେବ ବୋଲି ଆଶଙ୍କା କରିବା ଅନୁଚିତ । ଏହି ଅସୁବିଧା ପାଇଁ ଆପଣମାନେ ଆମ୍ଭମାନଙ୍କୁ କ୍ଷମା କରିବେ ବୋଲି ଆଶା ।’’

 

ଲୁସିକୁ ସେମାନେ ସେମାନଙ୍କ ଗ୍ରହକୁ ନେଇଯିବେ, ପୁଣି ଆଣି ଫେରାଇଦେବେ, ଏ କଥା ମୋତେ ଯେତିକି ଅସମ୍ଭବ ବୋଧହେଲା, ସେତିକି ସନ୍ଦେହ ଲାଗିଲା ମଧ୍ୟ । ମୁଁ ପଚାରିଲି, ‘‘ଆପଣମାନେ ପରା ଆମଠାରୁ ଦେଢ଼ କୋଟି ଆଲୋକ ବର୍ଷ ଦୂରରେ ଅଛନ୍ତି ? ଲୁସି ସେଠାକୁ ଯାଇ ଫେରିଆସିଲାବେଳକୁ ଆମେ କ’ଣ ଆଉ ଲୁସିକୁ ଦେଖିବାକୁ ବଞ୍ଚିରହିଥିବୁଁ ? ଲୁସି ତା ଜୀବନକାଳ ଭିତରେ ଆପଣଙ୍କ ଗ୍ରହକୁ ଯାଇ ଫେରି ଆସିପାରେ; କିନ୍ତୁ ସେ ଆସି ପୃଥିବୀରେ ପହଞ୍ଚିଲାବେଳକୁ ପୃଥିବୀରେ ଯେ କେତେ କୋଟି ବର୍ଷ ବିତି ଯାଇଥିବ, ସେଆଡ଼କୁ ଆପଣ ନଜର ଦେଇଛନ୍ତି କି ? ମୋ ଜୀବନର ଅତି ପ୍ରିୟ ଲୁସି ଏଠାକୁ ଫେରିଆସିବାର କେତେ କୋଟି ବର୍ଷ ପୂର୍ବରୁ ମୁଁ ଯେ ବୁଢ଼ାହୋଇ ଇହଧାମରୁ ବିଦାୟ ନେଇଥିବି, ତା’ ତ ଆପଣନିଶ୍ଚୟ ଅନୁମାନ କରିପାରୁଥିବେ ?’’

 

ମୋ କଥାରେ ଯୁବକଟି ହସିଲେ । ‘‘ଆପଣମାନଙ୍କ କଥା ଶୁଣି ମୋତେ ହସ ମାଡ଼ୁଛି ବୈଜ୍ଞାନିକ । ଆପଣମାନେ କେଉଁ ପୁରୁଣାକାଳିଆ କଥା କହୁଛନ୍ତି, ମୁଁ କିଛି ବୁଝିପାରୁନି । ଆପଣମାନଙ୍କର ଯଦି ଧାରଣା ଥାଏ ଯେ ଆମ ଗ୍ରହକୁ ଯାଇ ଫେରିଆସିବାକୁ ଲୁସିକୁ କୋଟି କୋଟି ବର୍ଷ ଲାଗିଯିବ, ତେବେ ମୁଁ ନାଚାର । ଆମ ଗ୍ରହ ଆପଣମାନଙ୍କ ଗ୍ରହଠାରୁ ଦେଢ଼ କୋଟି ଆଲୋକବର୍ଷ ଦୂରରେ ଥିଲେ ହେଁ ଆମେ ଆମ ଗ୍ରହଠାରେ ପହଞ୍ଚିବାକୁ ମାସକରୁ ଅଧିକ ସମୟ ଲାଗିବନି । ତେଣୁ ଦୁଇ ମାସ ଭିତରେ ଲୁସି ଆପଣ ମାନଙ୍କଠାରୁ ଫେରି ଆସିବାର ବିଚିନ୍ତ୍ରତା କଅଣ ମୁଁ ବୁଝି ପାରୁନି ।

 

‘କିନ୍ତୁ ଏ କେମିତି ହେବ ?’’ ମୁଁ କହିଲି, ‘‘ଆପଣମାନଙ୍କ ଯାନ ଯେଡ଼େ ଶକ୍ତିଶାଳୀ ହେଲେ ବି ଆଲୋକର ବେଗଠାରୁ ଅଧିକ ବେଗରେ ଯାଇପାରିବ କି ? ଆପେକ୍ଷିକ ତଥ୍ୟ–’’

 

‘‘ଆପଣ ହସାଇଲେ ବୈଜ୍ଞାନିକ, ହସାଇଲେ ।’’ ମୋ ମୁହରୁ କଥା ଛଡ଼ାଇ ନେଇ କହିଲେ, ଆପଣମାନେ ଯେ କେଉଁ ଯୁଗର କଥା କହୁଛନ୍ତି, ମୁଁ ବୁଝି ପାରୁନି । ଆପଣମାନେ ଏମିତି ପୁରୁଣାକାଳିଆ ତଥ୍ୟକୁ ନେଇ ଗବେଷଣା ଚଳାଇଛନ୍ତି । ଆପଣମାନେ ଯେଉଁ ଆପେକ୍ଷିକ ତଥ୍ୟ କଥା କହୁଛନ୍ତି, ତାହା ଯେ ପୂରାପୂରି ପ୍ରମାଦପୂର୍ଣ୍ଣ ଆମେ ବହୁ ଦିନରୁ ପ୍ରମାଣ କରି ସାରିଲୁଣି । ବିଶ୍ୱର କୌଣସି ବସ୍ତୁର ବେଗର କିଛି ସୀମା ନାହିଁ । ଆଲୋକର ବେଗଠାରୁ ଅଧିକ ବେଗରେ ଯିବା କୌଣସି ବସ୍ତୁ ପକ୍ଷରେ ସମ୍ଭବ ନୁହେଁ ବୋଲି ଯେଉଁ ତଥ୍ୟ ଆପଣଙ୍କ ପୃଥିବାରେ ପ୍ରଚାରିତ ହୋଇଛି, ସେଟା ପୂରାପୂରି ଭୁଲ୍‍ । ବସ୍ତୁ ଅବସ୍ଥାଚନ୍ତ୍ରରେ ଯେ କୌଣସି ବେଗରେ ଯାଇପାରେ । ବେଗର କିଛି ସୀମା ନାହିଁ । ଏହି ଦେଖନ୍ତୁ, ଆମେ ଆପଣଙ୍କଠାକୁ ଆସିଛୁ, ଆଲୋକବେଗରେ ବହୁ ଗୁଣ ବେଗରେ । ସେଥିପାଇଁ ସିନା ଆମେ ମାସକ ଭିତରେ ଏଠାରେ ଆସି ପହଞ୍ଚି ପାରିଛୁ ।’’

 

ଏହି ସମୟରେ ସେହି ଭାସମାନେ ସହର ଭିତରୁ ଲୁସି ବାହାରି ଆମ ଆଡ଼କୁ ଧୀରେ ଧୀରେ ଆସିଲା । ଲୁସିକୁ ଦେଖି ମୁଁ ସ୍ଥିର ହୋଇ ରହିପାରିଲିନି । ଲୁସି ଆସି ସେହି ଯୁବକର ପଶ୍ଚାତ୍ ଭାଗେ ଠିଆହେଲା । ଦେଖିଲି ଲୁସିର ମୁହଁ ଶୁଖି ମଳିନ ପଡ଼ିଯାଇଛି । ସେ ଯେମିତି ସେମାନଙ୍କ ଦ୍ୱାରା ବନ୍ଦୀ, ସେହିଭଳି ଅନୁଭବ କଲା ଭଳି ଜଣା ପଡ଼ୁଥାଏ ତା ମୁହଁରୁ । ଜୀବନର ଏତେ ପ୍ରିୟ ଲୁସିର ଏ ଅବସ୍ଥା ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି । ଲୁସି ଆଡ଼କୁ ଉପକ୍ରମ କରିଛି, ଯୁବକଟି ମୋତେ ସାବଧାନବାଣୀ ଶୁଣାଇ କହିଲା, ‘‘ଆପଣ ଆଉ ଆଗକୁ ଯିବାକୁ ଅଗ୍ରସର ହୁଅନ୍ତୁନି ବୈଜ୍ଞାନିକ, ମୋ ନିକଟର ହେଲେ ଆପଣଙ୍କ ବିକର୍ଷଣ ଫଳରେ ମୁଁ ନିଜକୁ ସମ୍ଭାଳି ନେଇ ଆପଣଙ୍କୁ ରକ୍ଷା କରି ପାରିବି, କିନ୍ତୁ ଲୁସି ବିଚାରୀକୁ ସେ ସବୁ କିଛି ଜଣା ନାହିଁ । ଆପଣ ଯଦି ଅଧିକ ଆଗେଇ ଯାନ୍ତି, ତେବେ ସେ ନିଜକୁ ସମ୍ଭାଳି ନ ପାରି ନିଜେ ତ ପାଇଯିବ, ସେଥିସହ ଆପଣ ବି । ବସ୍ତୁ ଓ ପ୍ରତି ବସ୍ତୁର ନ୍ୟୂନତମ ନିରାପଦ ବ୍ୟବଧାନ ଆପଣ ଜାଣି ନ ଥିବାରୁ ଆଉ ଆଗକୁ ଅଗ୍ରସର ହେବାକୁ ଚେଷ୍ଟା କରନ୍ତୁନି ।

 

ଯୁବକର କଥାରେ ମୁଁ ଆହୁରି ଅସ୍ଥିର ହୋଇ ପଡ଼ିଲି । ଆଖି ଆଗରେ ମୋର ପ୍ରିୟତମା ଲୁସିକୁ ଦେଖି ତା’ର ନିକଟର ହୋଇପାରିବିନି ଭାବି ପାଗଳ ହୋଇଉଠିଲି ? ଲୁସିକୁ ଦେଖି ମୁଁ ଏତେ ଦୁର୍ବଳତା ଅନୁଭବ କରୁଥିଲି ଯେ ସେଭଳି ମୁହୂର୍ତ୍ତରେ ମୋର କ’ଣ କରିବା ଉଚିତ୍ ଭାବିବାକୁ ମୋ ମନରେ ବଳ ନ ଥିଲା ।

 

କିଛି ସମୟ ପରେ ଲୁସି ସହ ସେମାନେ ସେମାନଙ୍କ ଗ୍ରହକୁ ଫେରି ଯାଉଛନ୍ତି ବୋଲି କହି ଆମଠାରୁ ବିଦାୟ ନେଲେ । ଯୁବକଟି ବିଦାୟ ନେଇ ସେହି ଭାସମାନ ସହର ଭିତରକୁ ଚାଲିଗଲା । ଲୁସି କେବଳ ରହିଗଲା ମୋଠାରୁ ଶେଷ ବିଦାୟ ନେଇ ଯିବ ବୋଲି ।

 

ଲକ୍ଷ୍ୟ କଲି, ଲୁସିର ଆଖି ଲୁହରେ ଭରିଯାଇଛି । ଦୁଃଖରେ ସେ ଏଭଳି ବାଷ୍ପରୁଦ୍ଧ ହୋଇ ଯାଇଥାଏ ଯେ ତା ପାଟିରୁ କଥା ବାହାରୁ ନ ଥାଏ ଲୁସି ବର୍ତ୍ତମାନ ମୋ ଆଗରୁ ଚାଲିଯିବ, ମୁଁ ତାକୁ ଆଉ ଦେଖିପାରିବିନି, ଭାବିଲାବେଳକୁ ମୋ ଆଖିରେ ଲୁହ ରହିଲାନି । ଲୁସି କ’ଣ ସତେ ପୁଣି ବସ୍ତୁରେ ପରିଣତ ହୋଇ ପୃଥିବୀକୁ ଫେରିବ, ମୋ ସମ୍ମୁଖରେ ଏହା ଏକ ବିରାଟ ପ୍ରଶ୍ନବାଚକ ଚିହ୍ନି ହୋଇ ଠିଆ ହେଲା । ସାଙ୍ଗ ହୋଇନିଉୟର୍କରୁ ଆସିଥିଲ, ସାଙ୍ଗ ହୋଇ ପୁଣି ଫେରିଥାନ୍ତୁ; କିନ୍ତୁ କି ଦୁର୍ଯ୍ୟୋଗ, ଆଜି ଆମେ ଦୁହେଁ ଆଲଗା ବାଟରେ ।

 

ଭାସମାନ ସହରରୁ ପ୍ରତ୍ୟାବର୍ତ୍ତନର ଶେଷ ସଙ୍କେତ ପାଇ ଲୁସି ଫେରିଯିବାକୁ ଉଦ୍ୟତ ହେଉଛି, ମୁଁ ନିଜକୁ ସମ୍ଭାଳି ନ ପାରି ଲୁସିଠାକୁ ଦୌଡ଼ି ଯାଇ ତା ମୁଖରେ ବିଦାୟ ଚୁମ୍ବନର ଏକ ସୁଦେଲି ଦାଗ ଆଙ୍କି ଦେବା ପାଇଁ ତାକୁ ଆଲିଙ୍ଗନ କରିଛି କି ନାହିଁ, ଆମ ଦୁଇଟି ଦେହର ସଂସ୍ପର୍ଶରେ ହେଲା ଏକ ବିରାଟ ବି-ସ୍ଫୋ-ର-ଣ ।

 

ଶତ ପରମାଣୁ ବୋମାର ଏକକାଳୀନ ବିସ୍ଫୋରଣ ଶବ୍ଦରେ ହଠାତ୍‍ ନିଦ ଭାଙ୍ଗିଗଲା । ଭୟରେ ‘ଲୁସି’ ‘ଲୁସି’ ଚିତ୍କାର କରି ଉଠିଲି । ମୋଠାରୁ ଅଳ୍ପ ଦୂରରେ ଆଉ ଏକ ଖଟରେ ଶୋଇଥିଲା ଲୁସି । ମୋ ଚିତ୍କାର ଶୁଣି ମୋଠାକୁ ଦୌଡ଼ି ଆସି କ’ଣ କ’ଣ କହି ମୋ ଉପରେ ନଇଁ ପଡ଼ିଲା । ଆଖି ମେଲି ଲୁସିକୁ ନଇଁ ପଡ଼ିଥିବା ଦେଖି, ତାକୁ କୁଣ୍ଡାଇ ପକାଇ ‘‘ଆମେ କ’ଣ ବିସ୍ଫୋରିତ ହୋଇ ନାହୁଁ ଲୁସି’’ ଆମେ କ’ଣ ବିସ୍ଫୋରିତ ହୋଇ ନାହୁଁ ‘‘ ପ୍ରଶ୍ନରେ ତାକୁ ବ୍ୟତିବ୍ୟସ୍ତ କରି ପକାଇଲି । ସେ ପର୍ଯ୍ୟନ୍ତ ମୋ ଛାତି ଭୟଙ୍କର ଭାବରେ ଥରୁଥିଲା । ମୁଁ ନିଜକୁ ଏତେ ଅସହାୟ ମଣୁଥିଲି ଯେ ଲୁସିର ପୀନୋନ୍ନତ ବକ୍ଷ ଭିତରେ ମୁହଁ ଲୁଚାଇ ସାହସ ସଞ୍ଚୟ କରିବାକୁ ଚେଷ୍ଟା କଲି । ‘‘କ’ଣ ହେଲା; କ’ଣ ହେଲା’’ କହି ଲୁସି ଜାଣିବାକୁ ଚାହୁଁଥିଲା ପ୍ରକୃତ ଘଟଣାଟା ।

✽✽✽

 

ତୃତୀୟ ଅଧ୍ୟାୟ

ଗଣତନ୍ତ୍ରର ମୃତ୍ୟୁ

(ଏକ)

 

ରବିବାର ସକାଳରନିଉୟର୍କ ଟାଇମସ୍ ଖବର କାଗଜ ଉପରେ ଆଖି ବୁଲାଉ ବୁଲାଉ ଚମକି ପଡ଼ିଲି । ବଡ଼ ଅଦ୍ଭୁତ ଖବର । ଖବରଟିର ହେଡିଂ ଯେତିକି ଅଦ୍ଭୁତ; ଖବରଟି ତା’ଠାରୁ କିଛି କମ୍ ନୁହେଁ । ଖବରଟି କେତେ ଦୂର ସତ୍ୟ, ଭାବି ପାରିଲି ନାହିଁ । ଏହାର ସତ୍ୟାସତ୍ୟ ଅନୁମାନ କରିବା ପାଇଁ ମେରିଆକୁ ଡାକିଲି । ରୋଷାଇ ଘରେ ମେରିଆ ସକାଳ ପାଇଁ ଜଳଖିଆ ତିଆରି କରୁଥିଲା ।

 

ମେରିଆ ହାତରେ ଦୁଇଟି ଆମେଲେଟ ପ୍ଲେଟ ଧରି ଡାଇନିଂ ଟେବୁଲ ଉପରରୁ ଆଣୁଥିଲା । ପଚାରିଲି, ‘ତୁମେ ଆଜିକାର ଏଇ ଅଦ୍ଭୁତ ଖବରଟି ଦେଖିଲଣି ମେରିଆ ?’’

 

ମେରିଆ ମୋ କଥାରୁ କିଛି ବୁଝିଲା କି ନାଇଁ ମୋ ମୁହଁକୁ ବଲବଲ କରି ଅନାଇ କହିଲା ।

 

‘ଆଜିର ଏ ସମ୍ବାଦ ବଡ଼ ବିଚିନ୍ତ୍ର ମେରିଆ । ଯାହା କୁହ ପଛକେ, ଆମେରିକାର ସିନେଟର ଯେଉଁ ପ୍ରସ୍ତାବଟି ଦେଇଛନ୍ତି, ତାହା କେତେ ଦୂର ବାସ୍ତବ ଜଣା ପଡ଼ୁନି; ହେଲେ ବେଶ ଆମୋଦ-ଜନକ ।’

 

ମେରିଆ ଟେବୁଲ ଉପରେ ପ୍ଲେଟ ଦୁଇଟି ଥୋଇ ମୋଠାକୁ ଦୌଡ଼ି ଆସିଲା । ଆଙ୍ଗୁଳି ଦେଖାଇ ମେରିଆର ଦୃଷ୍ଟି ସିନେଟର ମାକଡୋନାଲ୍‍ଡଙ୍କ ପ୍ରସ୍ତାବଟି ଉପରକୁ ଆକର୍ଷଣ କଲି । କହିଲି, ‘‘ମେରିଲ୍ୟାଣ୍ଡର ସିନେଟର ଜେମସ୍ ମେକ୍‍ଡୋନାଲ୍‍ଡ ଯୁକ୍ତରାଷ୍ଟ୍ରର ସିନେଟରେ ଯେଉଁ ଅସ୍ୱାଭାବିକ ପ୍ରସ୍ତାବଟି ବଢ଼ିଥାନ୍ତି, ତାହା ଯଦି ପାଶ୍ ହୋଇ କାର୍ଯ୍ୟକାରୀ ହୁଏ, ତେବେ ଆମ ସମ୍ବିଧାନରେ ଯଥେଷ୍ଟ ପରିବର୍ତ୍ତନ ଆଣିବାକୁ ପଡ଼ିବ’’ । ତାଙ୍କ ମତରେ ଆଧୁନିକ ବୈଜ୍ଞାନିକ ଯୁଗରେ ସଭାପତିନିର୍ବାଚନ ପୁରୁଣାକାଳିଆ ରୀତିରେ ନ ହୋଇ ଏକ ନୂଆ ପଦ୍ଧତିରେ ହେବା ଦରକାର । ପୁରୁଣା ପଥା ଅନୁଯାୟୀ ବିଭିନ୍ନ ଦଳରୁ ପ୍ରାର୍ଥୀ ଠିଆ କରାଇ ସେମାନଙ୍କ ଭିତରେ ଭୋଟ ଜରିଆରେ ପ୍ରତିଦ୍ୱନ୍ଦିତା କରାଇବା ଦରକାର ନାହିଁ । କାରଣ ତାଦ୍ୱାରା ଯେଉଁ ପ୍ରାର୍ଥୀଟି ନିର୍ବାଚିତ ହୁଅନ୍ତି ସେ ସାରା ଯୁକ୍ତରାଷ୍ଟ ଭିତରେ ସଭାପତି ପଦ ପାଇଁ ଯୋଗ୍ୟତମ ବ୍ୟକ୍ତି, ଏହା କୁହାଯାଇ ନ ପାରେ । ସେ ହୁଏତ କୌଣସି ଏକ ଦଳ ଭିତରେ ଯୋଗ୍ୟତମ ବ୍ୟକ୍ତି ହୋଇପାରିନ୍ତି, ସଭାପତି ପଦ ପାଇଁ ସାରା ଯୁକ୍ତରାଷ୍ଟ୍ର ଭିତରୁ ସେ ଯୋଗ୍ୟତମ ବ୍ୟକ୍ତି ବୋଲି କିଏ କହିବ ? ଏହି ଲୋକଠାରୁ ଆହୁରି ଯୋଗ୍ୟ ଲୋକ ଯୁକ୍ତରାଷ୍ଟ୍ରର କେଉଁ ଅଜଣା କୋଣରେ ରହିଥାଇ ପାରନ୍ତି । ସେମାନେ କୌଣସି ଦଳର ହୋଇ ନ ଥିବାରୁ ସଭାପତି ଆସନକୁ ଆସିପାରୁ ନାହନ୍ତି । ଆମେ ଯଦି ଆମ ଦେଶ ପାଇଁ ଏକ ଦକ୍ଷ ଓ ଯୋଗ୍ୟ ସଭାପତି ଦରକାର କରୁ, ତେବେ ସେପରି ଏକ ଦକ୍ଷ ଲୋକ ସାରା ଯୁକ୍ତରାଷ୍ଟ୍ର ଭିତରୁ ଖୋଜି ବାହାର କରିବା ଦରକାର । ଆମ ଗଣତନ୍ତ୍ର ପଦ୍ଧତିରେ ସେମିତି ଯୋଗ୍ୟ ଲୋକ ପାଇବା ସମ୍ଭବପର ନୁହେଁ । ସେମିତି ଏକ ଦକ୍ଷ ଲୋକକୁ ଚାରିବର୍ଷ ପାଇଁ ଆମ ଦେଶର ସଭାପତି ଭାବରେ ମନୋନୀତ କଲେ, ସେ ଏକ ଦକ୍ଷ ସଭାପତି ଭାବରେ ରାଷ୍ଟ୍ରର ଅଧିକ ସେବା କରିପାରିବ ।

 

ମେରିଆ ଏହି ଶେଷ ଧାଡ଼ିଟି ପଢ଼ି ଦେଇ ପରିହାସ ସମ୍ବରଣ କରି ନ ପାରି କହିଲା, ‘ବାଃ, ବେଶ ଧାରଣା ସିନେଟର ମହାଶୟଙ୍କର ? ଯୁକ୍ତରାଷ୍ଟ୍ରର ସଭାପତିନିର୍ବାଚିତ ନ ହୋଇ ମନୋନୀତ ହେବେ ? ଗଣତନ୍ତ୍ରରେ ତା’ହେଲେ ଡୋରି ବାନ୍ଧିବାକୁ ପଡ଼ିବ ।’

 

‘‘ତୁମେ ପୂରା ସମ୍ବାଦଟିକୁ ପଢ଼ି ନାହିଁ ମେରିଆ । ପଢ଼ୁ, ପରିହାସ କରିବାକୁ ମନ କରିବନି । ସିନେଟର୍ ଯେଉଁ ମନୋନୟନ କଥା କହୁଛନ୍ତି ତାହା କିଛି ଅବସ୍ତାବ ନୁହେ ।’’

 

‘କିନ୍ତୁ କିଏ ମନୋନୟନ କରିବ ଶୁଣେ ?

 

‘କାହିଁକି କଂପ୍ୟୁଟର ଯନ୍ତ୍ର ?’

 

‘କଂପ୍ୟୁଟର ଯନ୍ତ୍ର ତାହେଲେ ବାଛିବ ଆମ ଦେଶର ସଭାପତି କିଏ ହେବେ ?’

 

‘ହଁ, ଏଥିରେ ଅବାସ୍ତବତା କେଉଁଠି ରହିଲା ?

 

‘କ’ଣ ଯୁକ୍ତରାଷ୍ଟ୍ରର ଊଣେଇଶ୍ କୋଟି ଲୋକଙ୍କ ଭିତରୁ ଜଣେ ଲୋକଙ୍କୁ ବାଛିବ କମ୍ପ୍ୟୁଟର ?

 

‘ନା’ ସାରା ଊଣେଇଶ କୋଟି ଲୋକଙ୍କ ଭତରୁ ନୁହେ । ସିନେଟରଙ୍କ ମତ ଯୋଡ଼ି । ବର୍ଷ ତଳକୁ ଓ ସତୁରୀ ବର୍ଷ ଉପରକୁ ଲୋକମାନେ ସଭାପତି ପଦ ପାଇଁ ଯୋଗ୍ୟ ନୁହନ୍ତି । ତେଣୁ ସେମାନଙ୍କୁ ବାଦ ଦେଇ ବାକି ଏଗାର କୋଟି ଲୋକ ଆମ ଦେଶର ସଭାପତି ପଦପାଇଁ ବେଶ ଯୋଗ୍ୟ । ସେମାନଙ୍କ ଭିତରୁ ଜଣେ ଯୋଗ୍ୟତମ ଲୋକକୁ ବାଛିବ କମ୍ପ୍ୟୁଟର ଯନ୍ତ୍ର । ସିନେଟର ମହାଶୟଙ୍କ ମତ, ସେ ହେବ ସବୁଠାରୁ ଯୋଗ୍ୟତମ ସଭାପତି । ଏମିତିକି ଆମର ପ୍ରିୟ ଲିଙ୍କନ, ରୁଜଭେଲଟ୍, କେନେଡ଼ି ଆଦିଙ୍କୁ ସେ ବହୁ ଗୁଣରେ ବଳିଯିବ ।

 

କଥାଟା ସିନା କହିଦେଉଛି; କିନ୍ତୁ ଏହା ପ୍ରକୃତରେ କେମିତି କାର୍ଯ୍ୟକାରୀ ହେବ, ସେ ବିଷୟରେ ଧାରଣା ଥିବା ତ ଦରକାର । ଯନ୍ତ୍ର ତ ପ୍ରକୃତରେ ଗୋଳା ପକାଇ ସଭାପତି ବାଛିବନି । ଏହା ଲୋକର ଗୁଣ, ଯୋଗ୍ୟତା ଓ ଦକ୍ଷତା ଦେଖି ବାଛିବ ।

 

‘ହଁ, ତା ତ ନିଶ୍ଚୟ । ସେଥିପାଇଁ ସିନେଟର ଯେଉଁ ଯୋଜନା ବାଢ଼ିଛନ୍ତି ତାହା କିଛି ମନ୍ଦ ବା ଅବାସ୍ତବ ନୁହେଁ ମେରିଆ ।’’

 

ଯୋଜନାଟା ଶୁଣିବା ପାଇଁ ମେରିଆ ମୋ ମୁହଁକୁ ଆନାଇ ରହିଲା ।

 

ମୁଁ କହିଲି, ‘‘ଆରେ ଆମେ ଏମିତି କଥାବାର୍ତ୍ତା ହେଲେ ଆମଲେଟ, ଟୋଷ୍ଟ, କଫି ସବୁ ଥଣ୍ଡା ହୋଇଯିବ ଯେ । ଚାଲ ଆଗ ଖାଇ ବସିବା, ଖାଉ ଖାଉ ଆଲୋଚନା କରିବା ।’’

 

ମେରିଆ ମୋଠାକୁ ଆମଲେଟ ପ୍ଲେଟ, ଟୋଷ୍ଟ ବଢ଼ାଇଦେଇ ନିଜେ ନେଇ ଖାଇବାକୁ ଆରମ୍ଭ କଲା । ଆମ ମଝିରେ ଥୁଆ ହୋଇ ରହିଲା କଫି, ଦୁଧ ଓ ଚିନି ଆଦି ।

 

ଆମଲେଟକୁ ଛୁରୀରେ କାଟୁ କାଟୁ କହିଲି, ‘‘ଶୁଣ ମେରିଆ, ଯୋଜନାଟି ମୋ ମନକୁ ବେଶ ପାଇଛି । ସିନେଟରଙ୍କ ମତରେ ପ୍ରତି ଛ’ ମାସରେ ଥରେ ଯେମିତି ଆମର ଷ୍ଟାନେଟରଙ୍କ ଡିପାର୍ଟମେଣ୍ଟ ଜରିଆରେ ଓ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ନାନା ପ୍ରକାର ଲୋକମତ ସର୍ଭେ କରାଯାଉଛି, ଏଥିରେ ଠିକ୍ ସେହିପରି ନାନାପ୍ରକାର ମତ ସର୍ଭେ କରାଯିବ । ପ୍ରତି ଛ’ ମାସରେ ଥରେ ଲେଖାଁଏ ଷ୍ଟାଟିଟିକସ ଡିପାର୍ଟମାଣ୍ଟ ଦ୍ୱାରା ପ୍ରତ୍ୟେକ ଘର ବୁଲି ଘରର ଅଧିବାସୀଙ୍କଠାରୁ ଯେମିତି ସେମାନଙ୍କର ନାନାଦି ତଥ୍ୟ ସଂଗ୍ରହ କରାଯାଏ, ଏଥିରେ ଠିକ୍ ସେମିତି ହେବ । ଆମ ଦେଶର ପ୍ରତ୍ୟେକ ଲୋକର ଶିକ୍ଷା, ଚରିନ୍ତ୍ର, ବ୍ୟବସାୟ, ଆୟ, ବ୍ୟୟ, କାର୍ଯ୍ୟଦକ୍ଷତା ଆଦି ପ୍ରେସିଡେଣ୍ଟ ନିର୍ବାଚନ ହେବା ପୂର୍ବ ବର୍ଷ କେତେଗୁଡ଼ିଏ ପ୍ରଶ୍ନସମ୍ବଳିତ ଏକ କୋଶ୍ଚେନାୟାର ନେଇ ଏମାନେ ଆମ ଦେଶର ପ୍ରତ୍ୟେକ ଗୃହସ୍ଥର ଘରକୁ ଯିବେ । ୨୦ ବର୍ଷରୁ ଊର୍ଦ୍ଧ୍ୱ ଓ ୬୦ ବର୍ଷରୁ କମ୍ ବୟସର ବ୍ୟକ୍ତିମାନଙ୍କୁ ଏମାନେ ଏଇ ପ୍ରଶ୍ନ କାଗଜ ନେଇ, ଏଗୁଡ଼ିକର ଉତ୍ତର ସେମାନଙ୍କୁ ମନକୁ ଯା ଆସୁଛି ଲେଖି ଦେବାକୁ କହିବେ । ପ୍ରଶ୍ନଗୁଡ଼ିକ ଦେଶର ନାନାଦି ସମସ୍ୟା ସମାଧାନର ପନ୍ଥା, ଦେଶର ବୈଦେଶିକ ନୀତି, ଦେଶ ଭିତର ଶାସନ, ଆୟବ୍ୟୟ କ୍ଷୟକ୍ଷତି ସମ୍ବନ୍ଧରେ ତିଆରି ହୋଇଥିବ ଓ ସେଗୁଡ଼ିକର ସମାଧାନ ପନ୍ଥାର ବିଭିନ୍ନ ନିର୍ଦ୍ଦେଶ ଥିବା ଏହି ପ୍ରଶ୍ନଗୁଡ଼ିକ ବିଶେଷଜ୍ଞମାନଙ୍କ ଦ୍ୱାରା ଏମିତି ଭାବରେ ତିଆରି ହୋଇଥିବ ଯେ, ଉତ୍ତରଦାତାମାନଙ୍କୁ ପ୍ରଶ୍ନର ଉତ୍ତର ହେବା ପାଇଁ ବେଶୀ ସମୟ ଲାଗିବନି ବା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଚିନ୍ତା କରିବାକୁ ପଡ଼ିବନି । ପ୍ରଶ୍ନଗୁଡ଼ିକ ଏଭଳି କୌଶଳ ସହକାରେ ତିଆରି ହୋଇଥିବ, ଉତ୍ତର ପ୍ରଣାଳୀରୁ ବ୍ୟକ୍ତି ବିଶେଷର ଚିନ୍ତାର ଉତ୍କର୍ଷତା ସହଜରେ ଜାଣି ହେଉଥିବ । ଦେଶର ନାନାଦି ସମସ୍ୟାର ସମାଧାନ ଦିଗରେ ଲୋକର କି ପାରଦର୍ଶିତା ଅଛି, ଉତ୍ତରରୁ ବୁଝା ପଡ଼ିବ । ଏଇ ପ୍ରଶ୍ନାବଳୀ ଗୁଡ଼ିକର ଉତ୍ତର ଆମର କୌଣସି ଏକ ଡିପାର୍ଟମେଣ୍ଟ ଜରିଆରେ ସଂଗୃହୀତ ହୋଇ ରାଜଧାନୀର ଗୋଟିଏ ଗୋପନୀୟ ସ୍ଥାନରେ ସାଇତା ହୋଇ ରହିବ । ଆମ ଦେଶର ଏଗାର କୋଟି ଲୋକଙ୍କଠାରୁ ଏ ସବୁ ସଂଗ୍ରହ କରିବା ପାଇଁ ବର୍ଷକରୁ ଅଧିକ ସମୟ ଲାଗିବନି ।

 

ଆଉ ଗୋଟିଏ ବିଶେଷଜ୍ଞ ଦଳଙ୍କ ସାହାଯ୍ୟରେ ଉପଯୁକ୍ତ ପ୍ରଶ୍ନାବଳୀର ଯଥାଯଥ ଉତ୍ତର ତିଆରି ହେବ । ଯେଉଁ ଲୋକ ଦେଶର ସଭାପତି ହେବ, ସେ କିଭଳି ଭାବରେ ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଚିନ୍ତା କରିବେ, ତହିଁର ଏକ ଆଦର୍ଶ ବିବରଣୀ ତିଆରି ହେବ-। ବିଶେଷଜ୍ଞମାନଙ୍କ ଦ୍ୱରା ସ୍ଥିରକୃତ ହୋଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଓ ସମାଧାନ ପନ୍ଥା ସବୁଠାରୁ ଅଧିକ ମିଳିଯିବ, ସେ ପ୍ରକୃତରେ ହେବ ଦେଶର ଯୋଗ୍ୟତମ ପ୍ରେସିଡେଣ୍ଟ । ସେହି ଲୋକର ସମସ୍ୟା ସମାଧାନ ଦିଗରେ ସବୁଠାରୁ ଅଧିକ ଯୋଗ୍ୟତା ଯେ ଅଛି, ଏହାକୁ କେହି ଅସ୍ୱୀକାର କରିବେନି । ଏଣେ ତାର ଶିଷା, ସ୍ୱାସ୍ଥ୍ୟ, ଚରିତ୍ର, ସାଧୁତା, କାର୍ଯ୍ୟଦକ୍ଷତା ସମ୍ବନ୍ଧୀୟ ନାନାଦି ତଥ୍ୟ ସଂଗୃହୀତ ହୋଇଥିବ । ଏହି ସବୁ ଦିଗରୁ ଯେ ଶ୍ରେଷ୍ଠ ବିବେଚିତ ହେବ ସେ ହେବ ଦେଶର ଯୋଗ୍ୟତମ ପ୍ରେସିଡେଣ୍ଟ ।

 

କିନ୍ତୁ ଏଗାର କୋଟି ଲୋକଙ୍କ ସମ୍ବନ୍ଧରେ ସଂଗୃହୀତ ଏତେଗୁଡ଼ିଏ ତଥ୍ୟ ସମୀକ୍ଷାକରି ସେଥିରୁ ଯୋଗ୍ୟତମ ଲୋକକୁ ବାହାର କରିବା କ’ଣ ସହଜ ହେବ ?

 

ମଣିଷର ମସ୍ତିଷ୍କ ସାହାଯ୍ୟରେ ସିନା ବାହାର କରିବା ସମ୍ଭବ ନୁହେଁ; କିନ୍ତୁ କଂପ୍ୟୁଟର ଯନ୍ତ୍ର ସାହାଯ୍ୟରେ ଏହା ଅକ୍ଳେଶରେ ଲୋଇପାରିବ । ଖାଲି ଏହା ଯେ ଶୀଘ୍ର ହେବ ତା’ନୁହେଁ, ଏହା ମଧ୍ୟ ନିର୍ଭୁଲ ହୋଇପାରିବ । ମଣିଷ ପକ୍ଷରେ ଯେଉଁ କାମ କରିବା ସମ୍ଭବପର ନୁହେଁ, ଯନ୍ତ୍ର ସାହାଯ୍ୟରେ କରିବା ତାହା ସହଜ ।

 

‘‘ତୁମେ କଥାଟା କାନକୁ ବେଶ ଶୁଭୁଛି, କିନ୍ତୁ ପ୍ରକୃତରେ ଏହା କେତେ ଦୂର ସମ୍ଭବ, ମୁଁ ବିଚାର କରିପାରୁନି’’ ମେରିଆ କହିଲା ।

 

ଟୋଷ୍ଟଟାଏ କାମୁଡ଼ୁ କାମୁଡ଼ୁ କହିଲି, ‘‘ସିନେଟର ମାକ୍‍ଡୋନାଲ୍‍ଡ ଏହାକୁ ସ୍ୱପ୍ନ ଦେଖି ବିଳିବିଳେଇ ନାହାନ୍ତି ମେରିଆ, ସେ ଯେଉ ପ୍ରସ୍ତାବଟି ବାଢ଼ିଛନ୍ତି, ତାହା ପଛଆଡ଼େ ତାଙ୍କର ପ୍ରାମାଣିକ ତଥ୍ୟ ରହିଛି ବୋଲି ସୁଚାଇଛନ୍ତି ?’’

 

‘‘ଆଁ, ପ୍ରାମାଣିକ ତଥ୍ୟ ? ମେରିଆ ଚମକି ପଡ଼ି କହିଲା, ‘ତାହେଲେ ସିନେଟର୍ କ’ଣ ତାଙ୍କର ଏହି ପ୍ରସ୍ତାବଟି କେଉଁଠି ପରୀକ୍ଷା କରାଇ ନେଇଛନ୍ତି ?’’ କପରେ କଫି ଢାଳୁ ଢାଳୁ ମେରିଆ ପଚାରିଲା ।

 

ମେରିଆ ହାତରୁ କଫି ନେଉ କହିଲି, ‘‘ହଁ ସିନେଟର ତାଙ୍କର ଏହି ଯୋଜନାଟିକୁ ଯୁକ୍ତରାଷ୍ଟ୍ରର କୌଣସି ଏକ ଅଞ୍ଚଳରେ ପରୀକ୍ଷା କରାଇ ଦେଖି ନେଇଛନ୍ତି । କିନ୍ତୁ ସେ ତାହା ପ୍ରକାଶ କରିବାକୁ ରାଜି ନୁହଁନ୍ତି । ନ ହେବାର ଅନ୍ୟତମକାରଣ ହୋଇପାରେ, ସେ ଏ ଦିଗରେ ଏବେବି ମଧ୍ୟ ଆଉ କେଉଁଠି ପରୀକ୍ଷା ନଷ୍ଟ ହୋଇଯାଇପାରେ, ସେଥିପାଇଁ ସେ ଏହାକୁ ଗୋପନୀୟ ରଖିଛନ୍ତି । ତାଙ୍କ ପରୀକ୍ଷା କୃତକାର୍ଯ୍ୟତା ହାସଲ କଲେ, ସେ ସବୁଗୁଡ଼ିକୁ ପ୍ରକାଶ କରିବେବେ ବୋଲି ଆଶା । ସେ ଆହୁରି ସୂଚାଇଛନ୍ତି, ଯେଉଁମାନେ ଏ ସମ୍ପର୍କରେ ଅଧିକ ଜାଣିବାକୁ ଚାହାନ୍ତି, ସେମାନେ ତାଙ୍କ ସହିତ ସାକ୍ଷାତ କଲେ, ସେ ଅଧିକ ତଥ୍ୟ ଯୋଗାଇ ଦେଇପାରିବେ । ବିଷୟଟିର ଗୋପନୀୟତା ଦୃଷ୍ଟିରୁ ସେ ଅଧିକ କିଛି ପ୍ରକାଶ କରିବାକୁ ଇଚ୍ଛୁକ ନୁହନ୍ତି ।’’

 

କଫି କପରେ ମୁହଁ ଲଗାଉ ଲଗାଉ ମେରିଆ କହଲା, ‘‘ତାହେଲେ ଚାଲ ସିନେଟର ମାକଡୋନାଲ୍‍ଡଙ୍କ ୱାସିଙ୍ଗଟନରେ ସାକ୍ଷାତ କରିବା । ତାଙ୍କୁ ଫୋନରେ ପଚାରିବାକି କେଉଁ ଦିନ କେଉଁ ସମୟରେ ତାଙ୍କ ସହିତ ସାକ୍ଷାତ କରି ହେବ ?’’

 

‘‘ଧାରଣା କିଛି ମନ୍ଦ ନୁହେଁ ମେରିଆ । ମୁଁ ଭାବୁଛି ଆସନ୍ତା ଶନିବାର କିମ୍ବା ରବିବାର ଦିନ ୱାସିଙ୍ଗଟନ୍ ବୁଲି ଆସିଲେ କ୍ଷତି କ’ଣ ? ଯଦି ସୁବିଧା ଜୁଟିଯାଏ ତେବେ ଆଲୋଚନାଟା ହୋଇଯିବ ।

 

ମୋଠାରୁ ଏତକ ଶୁଣିଛି କି ନାହିଁ ମେରିଆ ସଙ୍ଗେ ସଙ୍ଗେ ଯାଇ ଫୋନ ଧରିଲା, ଲଙ୍ଗ ଡିଷ୍ଟାନସ୍ କଲ୍ ଅଫିସକୁ ଡାକି ମାକଡୋନାଲ୍‍ଡଙ୍କ ଫୋନ ସହିତ ସଂଯୋଗ କରିବାକୁ ଆନୁରୋଧ ଜଣାଇଲା ।

 

ବଡ଼ କୌତୂହଳୀ ହୋଇ କହିଲି, ‘ଏ ବିଷୟରେ ଅଧିକ ଜାଣିବା ପାଇଁ ତୁମର ତ ବେଶ୍ ଝଙ୍କ ଦେଖୁଛି ମେରିଆ । କିଏ ଜାଣେ ହୁଏତ କଂପ୍ୟୁଟର ଯନ୍ତ୍ର ତୁମ ମୁଣ୍ଡରେ ସୁନା କଳସୀ ନ ଢାଳିବ ?’’

 

‘‘ହଁ, ହଁ, ନ ହେବ କାହିଁକି ? ଆମ ଦେଶରେ ପ୍ରେସିଡେଣ୍ଟ୍ ହେବା ପାଇଁ ଏଗାର କୋଟି ଲୋକଙ୍କ ଭିତରୁ ମୁଁ ତ ଜଣେ । କିଏ ଜାଣେ, ମୁଁ ଯୋଗ୍ୟତମ ହେବି କି ନାହିଁ ?’’ ହସି ହସି ମେରିଆ କହିଲା ।

 

ଫୋନରେ ମେରିଆ କଣ ଶୁଣିଲା କେଜାଣି ମୁହଁଟାକୁ ବିକୃତ କରି କହିଲା, ‘ଆଁ, ଏନଗେଜଡ୍ ? ଫୋନ ଥୋଇ ଦେଇ ମୋ ଆଡ଼କୁ ମ୍ଳାନ ଶୁଷ୍କ ମୁଖରେ କହିଲା, ଚାରିଆଡ଼ୁ ତାଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ଅପେକ୍ଷା କରିଥିବା ଦୁଇ ହଜାର, ପାଞ୍ଚଷହ ସତଷଠି ଲୋକଙ୍କ ପରେ ଆମ ସ୍ଥାନ । ସିନେଟର ଜଣଙ୍କ ପାଇଁ ତିନି ମିନିଟ୍‍ ରୁ ଅଧିକା ସମୟ ନ ଦେବା ପାଇଁ ସ୍ଥିର କରିଥିବାରୁ ତାଙ୍କ ସହିତ ଆମକୁ କଥାବାର୍ତ୍ତା କରିବାକୁ ସୁଯୋଗ ମିଳିବ ପ୍ରାୟ ପନ୍ଦର ଦିନ ପରେ ।’

 

‘ଛାଡ଼, ତାହେଲେ ତାଙ୍କ ସହିତ ଫୋନରେ କଥା ହେବା ସମ୍ଭବ ନୁହେଁ । ମୁଁ ଭାବୁଛି, ଚାଲ ଆସନ୍ତା ସପ୍ତାହ ଶେଷରେ ୱାସିଙ୍ଗଟନ୍ ଯିବା । ସେଠାରେ ତାଙ୍କ ସହିତ ଦେଖା କରିବାକୁ ଚେଷ୍ଟା କରିବା ।’

 

‘ସେଠି କଣ ଲାଇନ ଲାଗି ନ ଥିବ କି ?’

 

‘ତାନିଶ୍ଚୟ, ହେଲେ ଆମନିଉୟର୍କ ସିନେଟର ହାରିସ୍‍ଙ୍କ ସାହାଯ୍ୟ ନେଲେ ମାକଡୋନାଲଡ୍‍ଙ୍କ ସହିତ ସାକ୍ଷାତ କରିବା ବିଶେଷ କଷ୍ଟକର ହେବ ନାହିଁ ।’

 

‘ତା ହେଲେ ସିନେଟର ହାରିସଙ୍କୁ କ’ଣ ଫୋନ କରିବା ? କହୁଁ କହୁଁ ମେରିଆ ଲଙ୍ଗ୍ ଡିଷ୍ଟାନସ କଲ୍ ଅଫିସକୁ ଡାକି ହାରିସଙ୍କ ସହିତ ଫୋନ୍ ସଂଯୋଗ କରିବାକୁ ଅନୁରୋଧ କଲା ।

 

ସଙ୍ଗେ ସଙ୍ଗେ ମିଳିଗଲା, ୱାସିଙ୍ଗଟନ୍‍ସ୍ଥ ହାରିସ୍‍ଙ୍କ ଫୋନ । ଫୋନ କାନ ପାଖରେ ଲଗାଇ କହିଲା, ‘ହଁ, ହଁ, ମୁଁ ମେରିଆ,ନିଉୟର୍କରୁ କହୁଛି । ମୋ ସ୍ୱାମୀ ଆପଣଙ୍କ ସହିତ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି । ତାଙ୍କୁ ଫୋନଟା ଦେଇ ପାରେ କି ?’

 

ଆନନ୍ଦ ଗଦ୍ ଗଦ୍ ଚିତ୍ତରେ ମୋ ହାତକୁ ଫୋନ ରିସିଭରଟା ବଢ଼ାଇ ଦେଉଁ ଦେଉଁ କହିଲା, ‘ ନିଜେ ହାରିସ କହୁଛନ୍ତି । ତୁମେ ତାଙ୍କ ସହିତ କଥାବାର୍ତ୍ତା କର ।’

 

‘ହଁ, କିଏ ହାରିସ, ଅନେକ ଦିନ ପରେ ତୁମକୁ ଫୋନ୍ କରୁଛି । ବଡ଼ କାର୍ଯ୍ୟବ୍ୟସ୍ତ ଥିବ ବୋଧହୁଏ ।’

 

‘ହଁ ଭାଇ, ଭାରି କାର୍ଯ୍ୟବ୍ୟସ୍ତ । ସିନେଟର ହେବାପାଇଁ ଆମ ସମସ୍ତଙ୍କୁ କେତେ ଖାଟିବାକୁ ପଡ଼ିଲା, ତୁମେ ତ ଜାଣିଛ । ତୁମେ, ମେରିଆ ମୋ ପାଇଁ କେତେ ପ୍ରଚାର କରିଛି, ଭୁଲି ନ ଥିବ ବୋଧହୁଏ । ହେଲେ ମୁଁ ଏଠାକୁ ଆସି ଭଲ କରିନି । ସବୁବେଳେ ନାନା କାମ । ନିଜ କଥା କି ଥାଉ କାହା କଥା ଭାବିବାକୁ ବେଳ ମିଳୁନି । ମୁଁ ନିଉୟର୍କରେ ବେଶ ଭଲରେ ଥିଲି । କାହିଁକି ଯେ ଏଠାକୁ ଆସିଲି, ମୁ ଜାଣି ପାରୁନି ।’

 

‘ହାରିସ୍, ମୁଁ ତୁମକୁ କାହିଁକି ଫୋନ୍‍ କରି ଜାଣ’ ତୁମେ ତ ଭାଇ ଜାଣି ଥିବ, ଆଜିନିଉୟର୍କ ଟାଇମସରେ ଯେଉଁ ଖବର ବାହାରିଛି, ତାହା ସାରା ଯୁକ୍ତରାଷ୍ଟ୍ରରେ କେମିତି ଚହଳ ପକାଇ ଦେଇଛି । ‘ଆମ ପ୍ରେସିଡେଣ୍ଟନିର୍ବାଚନ ପଦ୍ଧତି ବଦଳିବା ସରକାର,’ ଶିରୋନାମାରେ ସିନେଟର ମାକଡୋନାଲଡ୍ ଯେଉଁ ଯୋଜନା ଦେଇଛନ୍ତି, ତାହା ସାରା ଯୁକ୍ତରାଷ୍ଟ୍ରରେ ଚହଳ ପକାଇ ଦେଇନି ?

 

‘ଆରେ ଭାଇ, ମାକଡୋନାଲ୍‍ଡଙ୍କ ସେହି ଯୋଜନା ଆମ ସମସ୍ତଙ୍କୁ ଅଡ଼ୁଆରେ ପକାଇ ଦେଇଛି । ସେଇ ଯୋଜନା ସମ୍ପର୍କରେ ଯୁକ୍ତରାଷ୍ଟ୍ରର ବହୁ ଲୋକ ଆହୁରି ଅଧିକ ଜାଣିବା ପାଇଁ ଅତି ଆଗ୍ରହୀ । ମାକଡୋନାଲ୍‍ଡଙ୍କ ସହିତ ଟେଲିଫୋନ୍ ଯୋଗାଯୋଗ ସ୍ଥାପନ କରି ନପାରି ଅନ୍ୟ ସବୁ ସିନେଟରଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛନ୍ତି । ସାରା ଯୁକ୍ତରାଷ୍ଟ୍ରର ଟେଲିଫୋନ୍ ବର୍ତ୍ତମାନ ମାକ ଡୋନାଲ୍‍ଡଙ୍କ ଘର ଆଡ଼େ । ତାଙ୍କ ସହିତ ଫୋନରେ କଥାବାର୍ତ୍ତା କରିବା ପାଇଁ ଲୋକେ ଲାଇନ୍ ଦେଇଛନ୍ତି । କିଏ ଚାରିଦିନ ପରେ ପାଇବ ତ କିଏ ଆଠଦଶ ଦିନ ପରେ ପାଇବ । ଆମକୁ ବି କେତେକ ପଚାରୁଛନ୍ତି, ଆମେ ତାଙ୍କ ଯୋଜନା ସମ୍ପର୍କରେ ଅଧିକ କିଛି ଜାଣୁ କି’ କ’ଣ ? ସେ ତ ସନେଟରେ ଯେତିକି ବକୃତା ଦେଇଥିଲେ ସେତିକି ନିଉୟର୍କ ଟାଇମସ୍ ଖବର କାଗଜରେ ବାହାରି ଯାଇଥିଲା । ତେଣୁ ସାଧାରଣ ଲୋକଙ୍କଠାରୁ ଆମେ ଅଧିକ କିଛି ଜାଣୁନ୍ତୁ ବୋଲି କହିଲେ ହେ କେହି ବିଶ୍ୱାସ କରିବାକୁ ନାରାଜ । ସନେଟର୍ ରବର୍ଟ ଏବେ ମୋତେ ଫୋନ୍ କରିଥିଲେ ଯେ ବହୁ ଲୋକ ତାଙ୍କୁ ବି ବ୍ୟସ୍ତ କରି ପକାଉଛନ୍ତି । ସେ ଫୋନ୍ ଧରି ଧରି ବ୍ୟସ୍ତ ହୋଇ ପଡ଼ିଲେଣି । ଆଜି ସକାଳୁ ଭାଇ ମୋ ଅବସ୍ଥା ସେଇଆ ।’

 

‘ଆରେ ଭାଇ, ଆମେ ବି ସେଥିପାଇଁ ତୁମକୁ ଫୋନ୍ କରିଛୁ । ମାକ୍‍ଡୋନାଲଡଙ୍କୁ ଫୋନ୍ କରି ଅକୃତକାର୍ଯ୍ୟ ହୋଇ ତୁମକୁ ଧରିଛୁ ।’

 

‘ତା ହେଲେ ତୁମେ ବି ପାଗଳ ସେଇ ଖବରଟି ଯୋଗୁଁ ।’

 

‘ଆରେ, ସାରା ଯୁକ୍ତରାଷ୍ଟ୍ର ଯେତେବେଳେ ପାଗଳ, ଆମେ ନ ହେବୁ କାହିଁକି ? ହଁ, ହାରିସ୍, ତୁମେ ଏଇ ଉଇକ୍ ଏଣ୍ଡରେ ୱାସିଙ୍ଗଟନ୍‍ରେ ରହୁଛ ତ ?’

 

‘ହଁ, କାହିଁକି ?’

 

‘ସିନେଟର୍ ମାକଡୋନାଲଡ୍ ରହୁଛନ୍ତି ତ ?’

 

ବୋଧେ ହୁଏ, ରହୁଛନ୍ତି, ମୁଁ ଠିକ୍ ଜାଣିନି ।’

 

‘ଆମେ ଯଦି ଏଇ ଉଇକଏଣ୍ଡରେ ୱାସିଙ୍ଗଟନ୍ ଯାଉଁ ତେବେ ମାକଡୋନଲ୍‍ଡଙ୍କ ସହିତ ଆମକୁ ସାକ୍ଷାତ କରାଇ ଦେଇ ପାରିବ କି ?

 

‘ଆରେ ଭାଇ, ତାଙ୍କୁ ଏଠି ଦେଖିବାକୁ ଭାରି ଭିଡ଼ । ହେଲେ ତୁମେ ଯଦି ଏତା ଇଛୁକ, ତେବେ ଆସ, ଚେଷ୍ଟା କରିବି । କ’ଣ ମେରିଆ ବ ତୁମ ଭଳି ପାଗଳ ?’

 

‘ସେ ତ ମୋଠୁ ଆହୁରି ପାଗଳ । ସକାଳଠାରୁ ଆମର ପରା ଆଲୋଚନା ଚାଲିଛି, ସେହି ଯୋଜନା ସମ୍ପର୍କରେ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନୁ । ତେବେ ସିନେଟର ଯେଉଁ ବିଷୟଟି ଉପରେ ଅଧିକ କିଛି ଆଭାଷ ଦେବାକୁ ରାଜି ହୋଇ ନାହାନ୍ତି, ସେ ସମ୍ବନ୍ଧରେ ଆମେ ଜାଣିବାକୁ ଅତ୍ୟଧିକ ଆଗ୍ରହୀ ।’

 

‘ଆରେ ସିନେଟର ମାକଡୋନାଲ୍‍ଡ଼ଙ୍କ ଯୋଜନା ଉପରେ ତୁମେମାନେ ଏତେ ଆଲୋଚନା କରି ଗଲଣି । ଆମେ କେହି ଏ ପର୍ଯ୍ୟନ୍ତ ସେ ସମ୍ବନ୍ଧରେ ଅଧିକ କିଛି ଚିନ୍ତା କରୁନୁ । ଆସନ୍ତା ସପ୍ତାହରେ, ତାହା ଉପରେ ସିନେଟରେ ଆଲୋଚନା ହେବା ସ୍ଥିର ହୋଇଛି । ହେଉ, ତୁମେମାନେ ଆସ, ମୁଁ ମାକଡୋନାଲ୍‍ଡ଼ଙ୍କ ସହିତ କଥାବାର୍ତ୍ତା କରି ସମୟ ଠିକ୍ କରି ରଖୁଛି ।

 

(ଦୁଇ)

 

କ୍ଳେରେନସ୍‍ଙ୍କ କୋଠରୀକୁ ପଶି ଆସିଲା ତାଙ୍କ ସାନ ଝିଅଟୀ ଜୟସ୍ । ନିକଟବର୍ତ୍ତୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ । ମୁଖରେ ତାର ଫୁଟି ଉଠୁଛି ଏକ ତୀବ୍ର ଅନୁରୋଧର ବିଲୟମୁଖୀ ସଙ୍କେତ । ପଶି ଆସୁ ଆସୁ କହିଲା, ‘ଦାଦା, ଆପଣ ମୋତେ ସବୁଥର ଠକାଉଛନ୍ତି । ଆଜି ଶନିବାର, ମୁଁ ଆପଣଙ୍କୁ ଛାଡ଼ିବିନି ଆଜି । ଆପଣଙ୍କ ସହିତ ମୁଁ ନିଶ୍ଚେ ଯିବି କଂପ୍ୟୁଟର ଲାବୋରେଟରୀକୁ । କଂପ୍ୟୁଟର ଲାବୋରେଟରୀକୁ ମୋତେ ମେବା ପାଇଁ ସବୁ ଥର କହି ସବୁ ଥର ଠକାଉଛନ୍ତି । ବୋଉକୁ ପଚାରିଲି, ସେ କହିଛି, ତୁମେ ମୋତେ ଆଜିନିଶ୍ଚେ ନେଇଯିବ ।

 

ସାନ ଝିଆରୀ ଜୟିସ୍ ଏଇ କଥା କେଇ ପଦ କହି ପଶି ଆସିଲାବେଳେକୁ କ୍ଳେରେନସ୍ ଲାବୋରେଟରୀକୁ ଯିବାପାଇଁ କାଗଜପନ୍ତ୍ର ଠିକ୍ କରୁଥିଲେ । ବଡ଼ ଭାଇ କୌଣସି ଏକ କାର୍ଯ୍ୟୋପଲକ୍ଷେ ସକାଳୁ ସକାଳୁ ବାହାରି ଯାଇଥିବାରୁ ସାନ ଝିଆରୀର ଜୁଲମ ତାଙ୍କ ଉପରେ ସବୁଠାରୁ ବେଶୀ । ‘ଆପଣ ଆଜି ମୋତେ ନ ନେଲେ ମୁଁ ଜଳଖିଆ ଖାଇବିନି ଦାଦା ।’ ମୁଖମଣ୍ଡଳ ଉପରେ ଏଖ କୃତ୍ରିମ ରାଗ ଫୁଟାଇ କହିଲା ଜୟିସ୍ । ବୋଉ, ଅପା, ଭାଇ, ସମସ୍ତେ ଡାଇନିଂ ଟେବୁଲ ଉପରେ ଆପଣଙ୍କୁ ଅପେକ୍ଷା କରିଛନ୍ତି, ମୁଁ କିନ୍ତୁ ଯାଉନି ।

 

ଜୟିସକୁ ଧରିପକାଇ ତାକୁ କୋଳକୁ ଆଉଯାଇ ନେ କ୍ଳେରେନସ୍ କହିଲେ, ‘ଛୋଟ ପିଲାଙ୍କ ପରି ଏତେ ରାଗ କରନି ଝିଅ । ହେଉ, ଆଜି ତୋତେ ନିଶ୍ଚେ କଂପ୍ୟୁଟର ଗବେଷଣାଗାରକୁ ନେଇଯିବି । ତେବେ କହ, ସେଠି ଯେମିତି କିଛି ଦୁଷ୍ଟାମି ନ କରୁ । ତୋ ଭଳିଆ ଦୁଷ୍ଟ ଝିଅକୁ ସେଠିକି ନେବାନିରାପଦ ନୁହେଁ ।

 

‘ନା, ଦାଦା, ମୁଁ କିଛି ଦୁଷ୍ଟାମି କରିବିନି । ଆପଣ ଯାହା କହିବେ, ମୁଁ ସେଇଆ ମାନିବି । ମୋ––ଟେ କେଉଁଠି ଲାଗିବିନି, ଆପଣଙ୍କୁ ନ ପଚାରି ।’

 

‘ଆଉ ମୋତେ କ’ଣ ନେବେନି, ଦାଦା’ କହୁ କହୁ ପଶି ଆସିଲା ବଡ଼ ଝିଆରୀ ଓ ପୁତୁରା ଜେମସ୍ ।

 

‘ଆରେ, ତୁମେ ସବୁ ଡାଇନିଂ ଟେବୁଲ ଛାଡ଼ି କ’ଣ ଉଠି ଆସିଲାଣି । ତେଣେ ବୋଉ ବିରକ୍ତ ହେଉ ନ ଥିବ ? ଚାଲ ଚାଲ, ସେଠି ତୁମ କଥା ସବୁ ବିଚାର କରିବା ।’

 

‘‘ଆରେ ସମସ୍ତେ କ’ଣ ଏଠୁ ଉଠିଗଲ ଯେ ? କ’ଣ ଖେଳ ଲାଗିଛି ଏଠି ? ଖାଇବା ଟେବୁଲ ଉପରୁ ଉଠିଯିବା, କି ଖରାପ ଅଭ୍ୟାସ । ତୁମେମାନେ ତ ଛୋଟ ପିଲା ହୋଇନ । ତୁମକୁ ସବୁ କିଏ ଏତେ ତାଗିତ କରୁଥିବ ।’’

 

‘‘ନା, ନା, ନୂଆବୋଉ, ସେମାନଙ୍କୁ ଆଉ ଗାଳି ଦିଅନି । ସେମାନେ ସମସ୍ତେ କଂପ୍ୟୁଟର ଲାବୋରେଟରୀକୁ ଯିବା ପାଇଁ ଏତେ ବ୍ୟଗ୍ର ଯେ, ସେମାନେ ଖାଇବା ପାଇବା ସବୁ ଭୁଲି ଯାଉଛନ୍ତି-।’’

 

‘‘ଆରେ, ତୁମ କଂପ୍ୟୁଟର ଲାବୋରେଟରୀକୁ ବୁଲିଯିବା ପାଇଁ କାହାର ମନ ନ ହେବ ? ମୋର ବି ତ ମନ ହେଉଛି, ମୁଁ ଟିକିଏ ଯାଇ ସେଇ ଯନ୍ତ୍ରଟିକୁ ଦେଖି ଆସନ୍ତି କି ? ଆମ ମ୍ୟୁନିସିପାଲିଟି ଚେୟାରମ୍ୟାନ ବାଛିବାରେ ତୁମ ଯନ୍ତ୍ରଟି ଯେଉଁ କରାମିତ ଦେଖାଇଛି, ତାହା ବଡ଼ ଗୌରବର କଥା । କିନ୍ତୁ ଯା’ କୁହ କ୍ଳେରେନ୍‍ସ, ଯେଉଁ ମ୍ୟୁନିସିପାଲିଟି ଚେୟାରମ୍ୟାନ ବାଛିବାରେ ଗଲେ, ସେ ସବୁଠାରୁ ଉପଯୁକ୍ତ ଲୋକ ବୋଲି ମୋ ମନକୁ ଆସୁନି । ଆମେ ସମସ୍ତେ ଯା’ ଆଶା କରୁଥିଲୁ କଂପ୍ୟୁଟର ଆମ ସହରର ଦୁଇଲକ୍ଷ ଲୋକଙ୍କ ଭିତରୁ ଯୋଗ୍ୟତମ ଲୋକ ମୁଣ୍ଡରେ ସୁନା କଳସି ଢାଳିବ, ମୋତେ ତ କିନ୍ତୁ ତା ଜଣା ପଡ଼ୁନି । କଂପ୍ୟୁଟର ଚେୟାରମ୍ୟାନ ପଦ ପାଇଁ ଯେଉଁ ବ୍ୟକ୍ତିକୁ ବାଛିଲା, ସେ ତ କିଛି ଆମ ସହର ଭିତରେ ଯୋଗ୍ୟତମ ବ୍ୟକ୍ତି ଭଳି ଜଣା ପଡ଼ୁନାହାନ୍ତି । ତୁମ ଯନ୍ତ୍ରରେ କେଉଁଠି ଭୁଲଭାଲ ହୋଇ ନାହିଁ ତ କ୍ଳେରେନସ୍ ?

 

‘‘ଆମ ଯନ୍ତ୍ରରେ ଭୁଲଭାଲ ? ତୁମେ ଜାଣିଛ ନୂଆବୋଉ, ଆମ କଂପ୍ୟୁଟର ଯନ୍ତ୍ରଟି ଅତି ମୂଲ୍ୟବାନ ଯନ୍ତ୍ର । ତା ଭଳି ମୂଲ୍ୟବାନ ଯନ୍ତ୍ର ଖୁବ୍ କମ ଅଛି ସାରା ଯୁକ୍ତରାଷ୍ଟ୍ରରେ । ଆଇ. ବି.ଏମ୍‍ କମ୍ପାନୀର ଡିଲକସ୍ ମଡେଲ । ତା’ଛଡ଼ା କୌଣସି ପ୍ରୋଗ୍ରାମକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆମେ ଯନ୍ତ୍ରକୁ କ’ଣ ପରୀକ୍ଷା କରି ଦେଖୁନି, ଏହା ଠିକ୍ କାମ କରୁଛି କି ନାହିଁ ?’’

 

‘‘ତୁମେ ଯନ୍ତ୍ରଟି ଯେଉଁ ଯୋଗ୍ୟତମ ଲୋକକୁ ବାଛିଲା, ସହରସାରା କେହି ପସନ୍ଦ କରୁନାହାନ୍ତି । ସେମାନେ ସବୁ କ’ଣ କହୁଛନ୍ତି ଜାଣ, ତୁମ ଯନ୍ତ୍ରଟା ଠିକ୍ କାମ କରୁନି ବା ତୁମେ ସବୁ ଏଲ୍, ଏସ୍‍. ଡି. ଖାଇ ଭୁଲଭାଲ ଗଣନା କରିଛ ।’’

 

‘‘ନା, ନା, ନୂଆବୋଉ, ତୁମେ ସେମିତି, କିଛି ଆଶଙ୍କା କରନି । କଂପ୍ୟୁଟର ଚଳାଇବା ଦାୟିତ୍ୱରେ ମୁଁ ନିଜେ ଥିଲି । ମୋର ସ୍ପଷ୍ଟ ମନେ ଅଛି, କଂପ୍ୟୁଟର ପୂରାପୂରି ଠିକ୍ କାମ କରୁଥିଲା । କଂପ୍ୟୁଟର ଯେଉଁ ଲୋକଟିକୁ ବାଛିଲା ସେ ହେଉଛି ଚେୟାରମ୍ୟାନ ପଦ ପାଇଁ ଯୋଗ୍ୟତମ ବ୍ୟକ୍ତି-।’’

 

‘‘ଯେଉଁ ଲୋକଟି ବଛାଗଲା ସେ କି କାମ କରେଟି ? କେଉଟି ନା କଣ ପରା ? ପାଠଶାଠ ତ ବେଶୀ ପଢ଼ିନି ।’’

 

‘‘ସେ ଉଚ୍ଚ ଶିକ୍ଷିତ ନ ହେଲେହେଁ ଅଳ୍ପ ଶିକ୍ଷିତ ବି ତ ନୁହେଁ । ତେବେ ଆମ ସହର ପାଇ ନାନାଦି ସମସ୍ୟା ସମାଧାନ ଦିଗରେ ଏହି ଲୋକ ଅଧିକ ସାହାଯ୍ୟକାରୀ ହେବ ବୋଲି ଯନ୍ତ୍ର ଏହାଙ୍କୁ ବାଛିଲା ।’’

 

ଆମ ସହରର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଏତେ ଲୋକ ଆଉଁ ଥାଉଁ ଏହି କେଉଟଟି ଯେ କ’ଣ ସାହାଯ୍ୟ କରିବ, ମୁଁ ଜାଣିପାରୁନି । ମୋତେ କାହିଁକି ଜଣାପଡ଼ୁଛି, ଯନ୍ତ୍ର କେଉଁଠି ଭୁଲ କରିଛି । ଯା’ କୁହ କ୍ଳେରେନସ୍, ପଡ଼ାର ଅନ୍ୟ ସ୍ତ୍ରୀ ଲୋକମାନେ ଯା’ କହୁଚନ୍ତି ଯେ ତୁମ ଯନ୍ତ୍ରଟା ଭୁଲ, ମୁଁ ବି ସେଇଆ କହିବି ।’’

 

‘‘ଦାଦା, ଏଇଟା କ’ଣ କଂପ୍ୟୁଟର ଯନ୍ତ୍ର ? ଏଇଟିରେ କ’ଣ ସବୁପ୍ରକାର ଗଣନା କରିହେବ ? ଆମ ମ୍ୟୁନିସିପାଲିଟିର ଯେଉଁ ଚେୟାରମ୍ୟାନ ବଛାଗଲା, ତାଙ୍କୁ କ’ଣ ଏଇ ଯନ୍ତ୍ର ବାଛିଲା ?’’

 

‘ହଁ ଜୟିସ୍‍, ଏଇ ଯନ୍ତ୍ର ବାଛିଲା ।’

 

‘ଏଅ ଯନ୍ତ୍ର କ’ଣ ସବୁ ଗଣନା କରିପାରିବ ? ଯେତେ ବଡ଼ ଅଙ୍କ ହେଲେ ବି କ’ଣ କଷି ଦେଇପାରିବ ?’’

 

‘‘ହଁ, ଯେତେ କଷ୍ଟ, ଯେତେ ଅଡ଼ୁଆ ଅଙ୍କ ହେଲେ ବି ଏହା ଆଖି ପିଛୁଳାକେ କଷି ଥୋଇ ଦେଇପାରିବ । ହଜାରେ ଗଣିତଜ୍ଞ ବର୍ଷକ ଭିତରେ ଯେତେ ଅଙ୍କ କଷି ପାରିବେନି, ତା’ଠାରୁ ଅଧିକ ଅଙ୍କ କଷି ଦେଇପାରିବ ଏଇ ଯନ୍ତ୍ର ଆଖି ପଛୁଳାକେ ।’’

 

‘‘ଦାଦା, ଗୋଟିଏ ଅଙ୍କ କଷିଲ ମୁଁ ଦେଖିବି ।’’

 

‘‘ଆରେ ମୋର ତ ବର୍ତ୍ତମାନ ବହୁତ କାମ, ତୋତେ ଏ ଯନ୍ତ୍ରର କାମ ଦେଖାଇବା କ’ଣ ସମ୍ଭବପର ? ସେଥିପାଇଁ ମୁଁ ପରା ତୋତେ ଆଜି ଆଣିବା ପାଇଁ ମନା କରୁଥିଲି । ଆଉ ଦିନେ ଆସିଥାନ୍ତୁ । ପହରିଦିନ ପରା ମ୍ୟୁନିସିପାଲିଟି ଚେୟାରମ୍ୟାନ ବଛାବଛି କାମ ସରିଲା, ଆଜିକୁ ଢେର କାମ ବାକି ଅଛି । ସେଗୁଡ଼ାକ ଆଜି ନ କଲେ ନ ହୁଏ ।’’

 

ହେଉ ଦାଦା, ସେଗୁଡ଼ାକ ପରେ କରିବ, ମୋତେ ଗୋଟିଏ ଛୋଟ ଅଙ୍କ କଷି ଦେଖାଇ ଦିଅ । ମୁଁ ତାପରେ ଆଉ କିଛି କହିବିନି ।’

 

‘ହଉ, ଆଜି ତୋତେ ଛୋଟିଆ ଅଙ୍କଟିଏ କଷି ଦେଖାଇ ଦେଉଛି, ଆଉ ଦିନେ ଆସିଲେ ବଡ଼ ବଡ଼ ଅଙ୍କ କଷି ଦେଖାଇ ଦେବି । ଆଉ ଆଜି ଅଝଟ ଲଗାଇବୁନି ।’

 

‘ନା, ଦାଦା, ଆଉ ଲଗାଇବିନି ।’

 

‘‘ହେଉ, ଏ ଯନ୍ତ୍ର ପାଖକୁ ଆ, ଆମେ ବର୍ତ୍ତମାନ ଦୁଇରେ ଦୁଇ ଗୁଣିବା । ଦୁଇରେ ଦୁଇ ଗୁଣିଲେ କେତେ ହେବ, କହିଲୁ ।’’

 

‘ଚାରି’ ।

 

‘ଠିକ୍ କହିଛୁ, ହେଉ ଦେଖ, ମୁଁ ଦୁଇରେ ଦୁଇ ଗୁଣୁଛି, ଚାରି କେମିତି ହେଉଛି ଦେଖ ।’

 

ଏହା କହି କ୍ଳେରେନସ୍ ଯନ୍ତ୍ର ଚଳାଇବାବୁ ଆରମ୍ଭ କଲେ । ଦୁଇରେ ଦୁଇ ଗୁଣିଲାରୁ ଫଳ ଆସିଲା ୪.୦୦୦୦୦୦୦୨ ।

 

ହଠାତ୍ ଏ ଫଳ ଦେଖି କ୍ଳେରେନସ୍ ଚମକି ପଡ଼ିଲେ । ଦୁଇରେ ଦୁଇ ଗୁଣିଲେ ତ ଏମିତି ଫଳ ଆସିବା କଥା ନୁହେଁ । ଦୁଇରେ ଦୁଇ ଗୁଣିଲେ ୪.୦୦୦୦୦୦୦୦ ହେବା କଥା; କିନ୍ତୁ ଦଶମିକଠାରୁ ଅଷ୍ଟମ ସ୍ଥାନରେ ଶୁନ୍ ଯାଗାରେ ଦୁଇ ଆସିଲା କୁଆଡ଼ୁ ? ଯୟିସକୁ ଏଣୁ ତେଣୁ ବୁଝାଇ ଦେଇ ବିଦାୟ କରି ଦେଲେ । ମନ ଭିତରେ ତାଙ୍କର ଖେଳି ବୁଲିଲା ଅସଂଖ୍ୟ ପ୍ରଶ୍ନବାଚି ଚିହ୍ନ । ଆମ ଯନ୍ତ୍ର କ’ଣ ତାହାଲେ ଠିକ୍ କାମ କରୁନି ? ନୂଆବୋଉ ଓ ସହରର ସ୍ତ୍ରୀ ଲୋକମାନେ ଯାହା କହୁଛନ୍ତି, ଆମ ଯନ୍ତ୍ରଟା ଭୁଲ, ତା କ’ଣ ସତ ? ଆମ ଯନ୍ତ୍ରରେ ନ ଥିଲେ ଏମିତି ଏକ ଅଯୋଗ୍ୟ ଲୋକ ବଛା ଯାଇଥାନ୍ତା କେମିତି ? ତେବେ ଏ କଥା କ’ଣ ଡିରେକ୍ଟରଙ୍କୁ ଜଣାଇ ଦେବି-? ତା’ନ ହେଲେ କେତେ ବଡ଼ ଭୁଲଟି ବର୍ତ୍ତମାନ କାର୍ଯ୍ୟକାରୀ ହେବାକୁ ଯାଉଛି, ସେଥିରୁ ଆମ ସହର ତ ରଷା ପାଇଯିବ ।

 

‘ସାର୍, ଆପଣ କ’ଣ ଭାବୁଛନ୍ତି ଯେ ଆମ ଯନ୍ତ୍ର ଯେଉଁ ଲୋକଙ୍କୁ ଯୋଗ୍ୟତମ ଚେୟାରମେନ ଭାବରେ ବାଛିଚ, ସେହି ପଦବୀ ପାଇଁ ସେ ଆମ ସହରର ଯୋଗ୍ୟତମ ବ୍ୟକ୍ତି । ସହରର ଲୋକମାନେ ଲୋକଟିର ଯୋଗ୍ୟଚା ପ୍ରତି ସନ୍ଦିହାନ ହୋଇ ଆମ ଯନ୍ତ୍ରକୁ କେମିତି ଭାବରେ ସମାଲୋଚନା କରୁଛନ୍ତି ଶୁଣି ନାହାନ୍ତି ?’’

 

‘ହଁ’ ଶୁଣିଛି । ତୁମେ ବର୍ତ୍ତମାନ କ’ଣ କହିବାକୁ ଚାହୁଁଛ ? ତୁମେ କ’ଣ ସେମାନଙ୍କ ଭଳି ଜଣେ ହୋଇ ଆମ ଯନ୍ତ୍ରକୁ ସମାଲୋଚନା କରିବ, ଏଇନା ଆଉ କିଛି ?’’

 

ମୁଁ ତା’ କହୁନି ସାର୍ । ମୁଁ କ’ଣ କହିବାକୁ ଚାହୁଁଛି କି ବୋଧହୁଏ ଆମ କଂପ୍ୟୁଟର ଯନ୍ତ୍ର ଠିକ୍ କାମ କରୁନି ।’

 

‘ଆମ କଂପ୍ୟୁଟର ଯନ୍ତ୍ର ଠିକ୍ କାମ କରୁନି ? ତୁମେ କ’ଣ ପାଗଳ ହେଲ ନା କଅଣ କ୍ଳେରେନସ୍ ?’

 

‘ନା, ସାର୍ । ମୁଁ ପାଗଳ ନୁହଁ, ମୁଁ ଯାହା କହୁଛି ତାହା ଠିକ୍ । ଆମ ଯନ୍ତ୍ର ଠିକ୍ ଭାବରେ କାର୍ଯ୍ୟ କରୁନି ।’

 

‘ତୁମେ କେମିତି ଜାଣିଲ ? ତୁମେ ତ ଯନ୍ତ୍ରଟିକୁ ଚଳାଇବା ପୂର୍ବରୁ ପରୀକ୍ଷା କରିଥିବ ?’

 

‘ହଁ, କରିଥିଲି; କିନ୍ତୁ ଏହାର ଭୁଲ୍‍ ମୋ ଦୃଷ୍ଟି ଆକର୍ଷଣ କରି ନ ଥିଲା ।

 

‘ଏବେ କେମିତି ଦୃଷ୍ଟି ଆକର୍ଷଣ କଲା ।’

 

‘ସାର୍, ଏଇ କିଛି ସମୟ ତଳେ ମୋର ଝିଆରୀ ଆମ କଂପ୍ୟୁଟର ଯନ୍ତ୍ର ଦେଖିବାକୁ ଆସିଥିଲା । ସେ ଭାରି ଜିଦ୍ କରିବାରୁ ତାକୁ ଦୁଇରେ ଦୁଇ ଗୁଣି ଗୁଣନ ଫଳ ଦେଖାଉଥିଲି । ଦୁଇରେ ଦୁଇ ଗୁଣିବାରୁ ୪,୦୦୦୦୦୦୦୦ ହେବା ପରିବର୍ତ୍ତେ ୪,୦୦୦୦୦୦୦୨ ହେଲା; ଅର୍ଥାତ୍ ଦଶମିକ ବିନ୍ଦୁଠାରୁ ଅଷ୍ଟମ ସ୍ଥାନରେ ଶୂନ ପରିବର୍ତ୍ତରେ ୨ ଆସିଲା ।

 

ଏହି ଭୁଲଟି ଦୁଇ ସହିତ ଦୁଇ ଗୁଣନ କରି ଗୁଣଫଳର ମୂଲ୍ୟକୁ ବେଶି ବଦଳାଇ ଦେଇ ପାରିନି ସତ; କିନ୍ତୁ ଆମେ ଯେଉଁ ଲକ୍ଷ ଲକ୍ଷ ଲୋକଙ୍କ ଭିତରୁ ଚେୟାରମେନଙ୍କୁ ବାଛିଲେ, ସେହି ବଛାବଛିରେ ନିଶ୍ଚୟ କିଛି ଭୁଲ ରହି ଯାଇ ଥିବ । ବୋଧହୁଏ ସେଥିପାଇଁ ଆମେ ଆମ ଚେୟାରମେନ୍ ଭାବରେ ଏମିତି ଏକ ଅଯୋଗ୍ୟଲୋକଙ୍କୁ ପାଇଲେ । ଏ ଯେ ଆମ ସହରର ଯୋଗ୍ୟତମ ଲୋକ ନୁହେଁ, ଏହା ବର୍ତ୍ତମାନ ନିଃସନ୍ଦେହରେ କୁହା ଯାଇପାରେ । ‘ମୋର ଏହି ଭୁଲ ପାଇଁ ମୁଁ ଏଠୁ ଇସ୍ତଫା ଦେବାକୁ ଚାହେଁ ସାର୍ ।’

 

‘ଆଁ ଇସ୍ତଫା ? ସଙ୍ଗେ ସଙ୍ଗେ ?’

 

‘ହଁ, ସାର । ମୁଁ ଇସ୍ତଫା ନ ଦେଲେ ନିହାତି ଅନ୍ୟାୟ ହେବ । ମୁଁ ମୋ ଚାକିରି ପାଇଁ ଯେ ଯୋଗ୍ୟ ନୁହେଁ, ଏହା ପ୍ରମାଣିତ ହୋଇଯାଇଛି ।’

 

‘କିନ୍ତୁ ତୁମେ ଭୁଲିଯାଉଛ କ୍ଳେରେନସ୍, ଏହି ସାମାନ୍ୟ ଭୁଲରେ ଚେୟାରମେନ୍ ମନୋନୟନରେ ଭୁଲ ହୋଇଯିବ ବୋଲି ଆଶଙ୍କା କରିବା ଉଚିତ ନୁହେଁ । ମୁଁ ସେମିତି ଆଶଙ୍କା କରୁନି । ଯେହେତୁ ଆମ ସହରର ଲୋକ ସଂଖ୍ୟା ଦୁଇ ଲକ୍ଷରୁ ଅଧିକ ନୁହେ, ଦଶମିକ ସ୍ଥାନରୁ ଅଷ୍ଟମ ସ୍ଥାନରେ ଭୁଲ ଥିଲେ ହେ ଏହା ଆମ ଗଣନାକୁ ଦୋଷଯୁକ୍ତ କରି ପାରିବନି । ମୁଁ ଭାବୁଛି ଆମ ଯନ୍ତ୍ର ଯାହାକୁ ଯୋଗ୍ୟତମ ବ୍ୟକ୍ତି ବୋଲି ବାଛିଚି, ସେ ପ୍ରକୃତରେ ହିଁ ଆମ ସହରର ଯୋଗ୍ୟତମ ବ୍ୟକ୍ତି ।’

 

‘ନା ସାର୍ । କ୍ଷମା କରିବେ । ମୁଁ ଆପଣଙ୍କ ସହିତ ଏକମତ ହୋଇପାରୁନି ।’

 

ଏତିକି କହି କ୍ଳେରେନସ୍ ଇସ୍ତଫା ଦେଇ କଂପ୍ୟୁଟର ଗବେଷଣାଗାରୁ ବାହାରି ଆସିଲେ-

 

(ତିନି)

 

ମନରେ ବଡ଼ ବିଷାଦ, କ୍ଳେରେନ୍‍ସ ଭାବି ଚାଲିଲେ, ‘‘ସହରର ପ୍ରତ୍ୟେକ ଲୋକ ଯା’ କହୁଚନ୍ତି ଯେ ଆମ ଯନ୍ତ୍ର ଏକ ଅଯୋଗ୍ୟ ବ୍ୟକ୍ତିକୁ ଚେୟାରମେନ୍ ପଦରେ ଅଭିଷିକ୍ତ କରିଛି, ଏହା ଯଦି ପ୍ରକୃତରେ ସତ ହୋଇଥାଏ, ତେବେ ସେ ନିଜେ ଲଜ୍ଜିତ ହେବେ ନାହିଁ ତ ଆଉ କିଏ ହେବ-?’’

 

ମନ ଭିତରେ କେତେ କ’ଣ ଭାବି ସେ କାର ଚଳାଇ ନିଜ ଘରକୁ ଫେରୁଛନ୍ତି, ହଠାତ୍ ମନ ଭିତରକୁ ଏକ ବୁଦ୍ଧି ପଶି ଆସିଲା । ‘‘ଚାକିରି ତ ଛାଡ଼ି ଦେଇ ଆସିଲି, ଆଉ ଚିନ୍ତା କାହିଁକି ? ଏବେ ତ ମୁଁ ସ୍ୱାଧୀନ । ସହରର ନବନିର୍ବାଚିତ ଚେୟାରମେନ୍ ପ୍ରକୃତରେ ଯୋଗ୍ୟ ଲୋକ କି କଅଣ, ଗୋପନୀୟ ଭାବରେ ତଥ୍ୟ ସଂଗ୍ରହ କଲେ କ୍ଷତି କଅଣ ? ତେବେ ପ୍ରଥମତଃ ନବନିର୍ବାଚିତ ଚେୟାରମେନଙ୍କ ସହିତ ସେ ପରିଚିତ ହେବା ଦରକାର ।’’

 

ସେ କାର୍ ଚଳାଇ ନଦୀ କୂଳେ ଚାଲିଛନ୍ତି, ହଠାତ୍ ଯୁବତୀଟିଏ ରାସ୍ତାରେ ଲିଫଟ୍ ପାଇବା ଉଦ୍ଦେଶ୍ୟରେ ଠିଆ ହୋଇ ଥିବାର ଦେଖିଲେ ।

 

ଯୁବତୀଟି କ୍ଳେରେନସ୍‍ଙ୍କ ଗାଡ଼ି ଅଟକାଇ ଅନୁରୋଧ କଲା, କ୍ଷମା କରିବେ, ଏଠାରୁ ଅଳ୍ପ ଦୂରରେ ମୋ ଗାଡ଼ି ଖରାପ ହୋଇ ଯାଇଛି । ମୋତେ ଟିକିଏ ଦୟା କରି ଆମ ଘରେ ପହଞ୍ଚାଇ ଦେବେ କି ?’’

 

‘ନିଶ୍ଚୟ, ନିଶ୍ଚୟ । ଏଥିରେ ଦ୍ୱିଧା କରିବାର କିଛି ନାହିଁ । ଆପଣ ଗାଡ଼ିରେ ବସନ୍ତୁ, ମୁଁ ଆପଣଙ୍କୁ ଆପଣଙ୍କ ଘରେ ପହଞ୍ଚାଇ ଦେଇ ଆସିବି । ଏଡ଼ିକି ଟିକେ ଅନୁରୋଧଟାଏ କ’ଣ ମୁଁ ରକ୍ଷା କରିପାରିବନି ?’

 

ଯୁବତୀଟି ଗାଡ଼ି ଖୋଲି କ୍ଳେରେନ୍‍ସଙ୍କ ଡାହାଣ ପାଖରେ ବସିଲା । ଯୁବତୀଟିର ଘର ଠିକ୍‍ଣା ନେଇ କ୍ଳେରେନ୍‍ସ ଗାଡ଼ି ଚଳାଇଲେ ।

 

କିଛି ସମୟ ପରେ କ୍ଳେରେନ୍‍ସ ଯୁବତୀଟିକୁ ନେଇ କେଉଟମାନଙ୍କର ଏକ ପଡ଼ାରେ ଆସି ପହଞ୍ଚିଲେ । ସହରର ଏହି ଅଂଶରେ କେଉଟମାନେ ରହନ୍ତି, କ୍ଳେରେନ୍‍ସ ଆଗରୁ ଜାଣିଥିଲେ-

 

ଯୁବତୀଟିର ଇଙ୍ଗିତରେ କ୍ଳେରେନ୍‍ସ ନିଜେ ଗାଡ଼ିକୁ ଏକ ଛୋଟିଆ ଘର ଆଗରେ ଠିଆ କରାଇଲେ । ଯୁବତୀଟି ଗାଡ଼ିରୁ ଓହ୍ଲାଉ ଓହ୍ଲାଉ କହିଲା, ‘‘ଏଇ ହେଉଛି ଆମ ଘର ।’’ ମୁଁ ଆପଣଙ୍କୁ ଯଥେଷ୍ଟ କଷ୍ଟ ଦେଲି, କ୍ଷମା କରିବେ । ଆପଣ ଯଦି କିଛି ନ ଭାବନ୍ତି ତେବେ ଟିକିଏ ଆମ ଘର ଭିତରକୁ ଆସିଲେ ଖୁସି ହୁଅନ୍ତି । ସାମାନ୍ୟ କପେ କଫି––

 

‘‘ନା, ଥାଉ ଥାଉ, ଆପଣ ମୋ ପାଇଁ ବ୍ୟସ୍ତ ହୁଅନ୍ତୁନି । ଆପଣଙ୍କ ସହିତ ସାକ୍ଷାତ ହେଲା, ଏଇ ବେଶ୍ ଭଲକଥା ।

 

‘‘ନା, ନାଁ, ମୋର ଅନୁରୋଧ ଟିକକ ରଖନ୍ତୁ । ମୁଁ ଆପଣଙ୍କୁ ମୋ ପିତାଙ୍କ ସହିତ ଟିକିଏ ପରିଚିତ କରାଇ ଦିଏଁ ।’’

 

‘‘ଯୁବତୀଟିର ପଛେ ପଛେ କ୍ଳେରେନସ୍ ଘର ଭିତରକୁ ଚାଲିଲେ । ହଠାତ୍ ବୈଠକଖାନାରେ ନବନିର୍ବାଚିତ ଚେୟାରମେନଙ୍କୁ ଦେଖି ଚମକି ପଡ଼ିଲେ ।

 

ଯୁବତୀଟି ଚେୟାରମେନଙ୍କ ସହିତ କ୍ଳେରେନ୍‍ସଙ୍କୁ ପରିଚିତ କରାଇ ଦେଇ କହିଲେ, ‘‘ଏଇ ହେଉଛନ୍ତି ମୋ ବାପା । ନୂଆ ହୋଇ ମନୋନୀତ ହୋଇଥିବା ସହରର ମ୍ୟୁନିସିପାଲିଟି ଚେୟାରମେନ । ନିର୍ବାଚିତ ନ ହୋଇ ସାରା ସହର ଭିତରୁ ଚେୟାରମେନ ପଦ ପାଇଁ ଯୋଗ୍ୟତମ ବ୍ୟକ୍ତି ଭାବରେ ମନୋନୀତ ହୋଇଛନ୍ତି ।

 

‘‘ବଡ଼ ଆଶ୍ଚର୍ଯ୍ୟ ଲାଗିଲା କ୍ଳେରନ୍‍ସଙ୍କୁ; ଚେୟାରମେନ ନିଜେ ଏକ ଜାଲ ବୁଣିବାରେ ବ୍ୟସ୍ତ । ତାଙ୍କୁ ସେଭଳି ଅବସ୍ଥାରେ ଦେଖି କ୍ଳେରେନ୍‍ସଙ୍କ ମନହେଲା ବାସ୍ତବିକ ତାଙ୍କ ଯନ୍ତ୍ରଟି ଏକ ଅଯୋଗ୍ୟ ବ୍ୟକ୍ତିକୁ ବାଛିଛି । ତା ନ ହୋଇଥିଲେ ଏଡେ ବଡ଼ ମ୍ୟୁନିସିପାଲିଟି ଚେୟାରମେନ କ’ଣ ବେଳ ପାଆନ୍ତେ, ଜାଲ ବୁଣିବା ପାଇଁ ।

 

‘‘କ୍ଳେରେନ୍‍ସଙ୍କୁ ଦେଖି ଚେୟାରମେନ ବସିବାକୁ ଅନୁରୋଧ କରିଛନ୍ତି କି ନାହିଁ, ହଠାତ୍ ତାଙ୍କ ଟେଲିଫୋନ୍ ବାଜି ଉଠିଲା । ଚେୟାରମେନ ନିଜେ ଫୋନ୍ ଧରିଲେ ।

 

‘‘ହଁ, ହଁ, ମୁଁ ନିଜେ କହୁଛି । କ’ଣ, କଥା କ’ଣ ?’’

 

କ’ଣ ଶୁଣିଲେ କେଜାଣି ପଚାରିଲେ ।

 

‘‘ଆଁ, ସପ୍ତାହରେ ଦୁଇ ଦିନ ଛୁଟି ପାଇଁ ଦାବୀ କରି ଆମ କେଉଟମାନେ ଧର୍ମଘଟର ନୋଟିସ୍‍ ଦେଇଛନ୍ତି ?’’

 

‘ହଁ, ଆଜ୍ଞା ।’

 

‘‘ଧର୍ମଘଟ ନୋଟିସ ? ସେମାନଙ୍କୁ ଦୁଇ ଦିନ ଛୁଟି ଦେବା ବିରୁଦ୍ଧରେ ତ ମୁଁ ନୁହେଁ । ଧର୍ମଘଟ କାହିଁକି ?’’

 

‘‘ଆଁ, ଆପଣ ଦୁଇଦିନ ଛୁଟି ଦେବାକୁ କହିଛନ୍ତି ?’’

 

‘‘ହଁ, ମୁଁ ତ ଦୁଇଦିନ ଛୁଟି ସପକ୍ଷରେ ।’’

 

‘‘କିନ୍ତୁ ଅଜ୍ଞା, ଆମ କାଉନସିଲରମାନେ ଯେ ଏହା ବିପକ୍ଷରେ । ଆମର ମାଛ ବ୍ୟବସାୟ ଯେଉଁ କ୍ଷତିରେ ଚାଲୁଛି, ସେଥିରେ ପୁଣି ଆହୁରି କ୍ଷତି ହେବ, ଯଦି ସେମାନଙ୍କୁ ଦୁଇଦିନ ଛୁଟି ଦିଆଯାଏ । ଆପଣ ତ ଜାଣିଛନ୍ତି ଆମ ସହରର ପ୍ରଧାନ ସମସ୍ୟା ହେଉଛି, ଏହି ମାଛ ସମସ୍ୟା । ଯେଉଁ ମାଛ ବ୍ୟବସାୟରୁ ଆମ ମ୍ୟୁନିସିପାଲିଟିର ଅଜସ୍ର ଲାଭ ହେଉଥିଲା, ସେହି ମ୍ୟୁନିସିପାଲିଟି ବର୍ତ୍ତମାନ ତାର କର୍ମଚାରୀମାନଙ୍କୁ ଦରମା ଦେବାକୁ ଅର୍ଥ ପାଉନି । ସେ ପରିସ୍ଥିତିରେ ସେମାନଙ୍କୁ ସପ୍ତାହରେ ଦୁଇ ଦିନ ଛୁଟି ଦେଇ ଆପଣ ଆମ ମ୍ୟୁନିସିପାଲିଟିକୁ କ’ଣ ଆହୁରି ଦେବାଳିଆ କରିବାକୁ ଚାହୁଁଛନ୍ତି ?’’

 

ଚେୟାରମେନ ହସିଲେ, ‘‘ସେମାନଙ୍କୁ ଯଦି ଛୁଟି ନ ଦେବ, ତେବେ ସେମାନେ ଧର୍ମଘଟ କଲେ ତୁମର କ’ଣ ଅଧିକ ଲାଭ ହେବ ?

 

‘‘କିନ୍ତୁ ଛୁଟି ଦେଲେ ତ ଆହୁରି କ୍ଷତି ହେବ ?’’

 

‘‘ମୁଁ କ’ଣ ମ୍ୟୁନିସିପାଲିଟିର କ୍ଷତି ହେବା ଚାହୁଁଛି । ସେମାନେ ଦୁଦିନ ଛୁଟି ପାଇବେ ଅଥଚ ମ୍ୟୁନିସିପାଲିଟିର କ୍ଷତି ହେବନି, ବରଂ ଲାଭ ହେବ । ମୋ ମତରେ ସେମାନଙ୍କୁ ଶନିବାର ଓ ରବିବାର ଦୁଇଦିନ ଛୁଟି ଦିଆ ନ ଯାଇ ଶନିବାର ଓ ବୁଧବାର ଛୁଟି ଦିଆଯିବ । ସେଥିରେ ସେମାନେ ରାଜି ତ ? ସେମାନଙ୍କ ସହିତ ଆଲୋଚନା କରି ମୋତେ ଜଣାଅ ।’’

 

ଚେୟାରମେନଙ୍କ ଟେଲିଫୋନ କଥାବାର୍ତ୍ତା ଶୁଣି ମନେ ମନେ ହସୁଥାନ୍ତି କ୍ଳେରେନସ୍ । ମ୍ୟୁନିସିପାଲିଟି ଦେବାଳିଆ ହେବା ଉପରେ, କେଉଟମାନଙ୍କୁ ଦୁଇ ଦିନ ଛୁଟି । ମାଛ ଧରା ଆହୁରି କମି ଯିବ । ଏମିତି ଅଯୋଗ୍ୟ ଲୋକକୁ ବାଛି ଯନ୍ତ୍ର କି ଭୁଲ୍‍ କରିଛି, ସତେ, ? କ୍ଳେରେନ୍‍ସ କିଛି ଭାବି ପାରିଲେନି। ମନେ ଭାବୁ ଥାନ୍ତି, ନିଜେ ତ ଏ ଭୁଲ୍‍ ପାଇଁ ଦାୟୀ । ମ୍ୟୁନିସିପାଲିଟି ଆଜି ଯେଉଁ ଦେବାଳିଆ ଅବସ୍ଥାରେ ପହଞ୍ଚିବାକୁ ଯାଉଛି ସେଥିପାଇଁ ସେ ଦାୟୀ ନୁହେଁ ତ ଆଉ କିଏ ?

 

‘‘ଚେୟାରମେନ ଟେଲିଫୋନ୍ ଥୋଇ ଦେଇ ଆସି କ୍ଳେରେନ୍‍ସଙ୍କଠାରେ ବସିଲେ ।’’

 

କ୍ଳେରେନ୍‍ସ ନିଜ ପରିଚୟକୁ ଲୁଚାଇ ଚେୟାରମେନଙ୍କ ସହିତ କଥାବାର୍ତ୍ତା କରୁଥାନ୍ତି । ସେ କଂପ୍ୟୁଟର ଗବେଷଣାଗାରର ଲୋକ ଜାଣିଲେ କାଳେ ଆଉ କିଛି ଗୋଳମାଳିଆ ପରିସ୍ଥିତି ଉପୁଜି ପାରେ ସେଥିପାଇଁ ସେ ନିଜ ପରିଚୟ ଲୁଚାଇଥାନ୍ତି । ଦେଶ ପରିସ୍ଥିତି ନେଇ ନାନା ଆଲୋଚନା ହେଲା । ମ୍ୟୁନିସିପାଲିଟିର ସମସ୍ୟା ନେଇ ନାନା କଥା ପଡ଼ିଲା । ଜଣା ପଡ଼ୁଥାଏ, ସେ ଜଣେ କେଉଟ ହେଲେ ବି ବେଶ୍ ଶିକ୍ଷିତ ଓ ପ୍ରତ୍ୟେକ ବିଷୟରେ ଏକନିର୍ଦ୍ଧିଷ୍ଟ ମତ ଅଛି । ସହରର ପ୍ରତ୍ୟେକ ସମସ୍ୟା ଉପରେ ସେ ପୂରା ମାତ୍ରାର ସଜାଗ ।

 

ନବ ମନୋନୀତ ଚେୟାରମେନଙ୍କ ପ୍ରକୃତ ଦକ୍ଷତା ଜାଣିବା ପାଇଁ କ୍ଳେରେନ୍‍ସଙ୍କୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିଲାନି । କେଉଟମାନଙ୍କୁ ସପ୍ତାହରେ ଦୁଇ ଦିନ ଛୁଟିଦେଲେ ଲାଭ ହେବ ବୋଲି ଚେୟାମେନ ମତ ଦେଲେ । ପ୍ରତି ବୁଧବାର ଓ ଶନିବାର ଦିନ କେଉଟମାନେ ଛୁଟି ପାଇବା ଠିକ୍ ହେଲା । ଚେୟାମେନଙ୍କର ଏହି ମତକୁ ପ୍ରଥମେ ପ୍ରଥମେ ଅନେକେ ହସି ଉଡ଼ାଇ ଦେଉଥିଲେ । ବଡ଼ବିଚିନ୍ତ୍ର । ଚାୟାରମେନଙ୍କ ନିର୍ଦ୍ଦେଶ ପାଳିତ ହେବାଦିନଠାରୁ ସହରର ମାଛ ବ୍ୟବସାୟରେ ଆଶାତୀତ ଭାବରେ ଉନ୍ନତି ହୋଇଛି । ମ୍ୟୁନିସିପାଲିଟିର ଆୟ ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଯାଇଛି । ଏହା କେମିତି ସମ୍ଭବ ହେଲା କ୍ଳେରନ୍‍ସ ଚେୟାରମେନଙ୍କ ଝିଅଠାରୁ ଏହାର ରହସ୍ୟ ଜାଣିବାକୁ ପାଇଲେ ।

 

ସହରଠାରୁ ଦଶମାଇଲ ଉପରକୁ ଥିବା ନଦୀ କୂଳସ୍ଥ ସମରଭୀଲେ ସହରର ପାଉଁରୁଟି କାରଖାନା, କାଗଜକଳ, ତଥା ନର୍ଦ୍ଦମାରୁ ଯେଉଁ ମଇଳା ସପ୍ତାହରେ ଦୁଇଥର ନଦୀକୁ ଛଡ଼ାଯାଏ, ତାକୁ ଖାଇବା ପାଇଁ ମାଛମାନେ ପ୍ରତି ଗୁରୁବାର ଓ ରବିବାର ଦିନ ସମୁଦ୍ରରୁ ନଦୀଭିତରକୁ ସହର ପର୍ଯ୍ୟନ୍ତ ଉଠି ଆସନ୍ତି । ଅପେକ୍ଷାକୃତ ଅଧିକ ମାଛ ରବିବାର ଦିନ ଆସନ୍ତି । ସେଇ ଦିନ କେଉଟମାନେ ଛୁଟିରେ ଯାଉଥିବାରୁ ମୋଟେ ମାଛ ଧରା ପଡ଼ନ୍ତିନି । ତାଙ୍କନିର୍ଦ୍ଦେଶରେ ପ୍ରତି ରବିବାର ଓ ଗୁରୁବାର ଦିନ ମାଛ ନଦୀରେ ଧରା ହେବାରୁ ସବୁଠାରୁ ଅଧିକ ମାଛ ପଡ଼ିଲେ । ପ୍ରତ୍ୟେକ ଦିନରେ ଯାହା ପଡ଼ିଲେ ରବିବାର ଦିନ ତା’ଠାରୁ ବହୁ ଅଧିକ ପଡ଼ିଲେ । ଚେୟାରମେନ ନିଜେ ଗତ ପନ୍ଦର ବର୍ଷ ଧରି ଏହାର ସତ୍ୟାସତ୍ୟ ନିରୂପଣ କରି ଆସିଥିବାରୁ ଏହି ଲାଭ ହେଲା । ତାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାରୁ ମାଛ ବ୍ୟବସାୟରେ ଏହି ସହର ଆଉ ପଛେଇଲା ନାହିଁ । ଏହା ପୂର୍ବ ପ୍ରସିଦ୍ଧିକୁ ପୁଣି ଫେରି ଆସିଲା ।

 

ଏଥି ପୂର୍ବରୁ ନିର୍ବାଚିତ ହୋଇ ଆସୁଥିବା ଚେୟାନମେନ କିମ୍ବା କାଉନ ସିଲରମାନଙ୍କ ମୁଣ୍ଡରେ ଏତକ ବୁଦ୍ଧି ପଶୁ ନ ଥିଲା ।

 

ଆଉ ଦିନକର ଘଟଣା । ମ୍ୟୁନିସିପାଲିଟିର ଦୁଇଜଣ ଅଫିସର ଚେୟାରମେନଙ୍କୁ ସାକ୍ଷାତ କରିବା ପାଇଁ ଆସିଥାନ୍ତି । ସହରର ଗୋଟିଏ ବିରାଟ କୋଇଲା ଖଣି ଆବିଷ୍କୃତ ହୋଇଥାଏ । କୋଇଲା ଉତ୍କୃଷ୍ଟ ଧରଣରେ । ଧାତୁନିଷ୍କାସନ ପାଇଁ ବେଶ ଉପଯୁକ୍ତ । ସହରଠାରୁ କୋଡିଏ ମାଇଲ ଦୂରରେ ମ୍ୟୁନିସିପାନିଟିର ଏକ ବିରାଟ ଲୁହାଖଣି ଥାଏ । ତହିଁରେ ଖଣିଜ ଲୁହା ମଧ୍ୟ ବେଶ ଉତ୍କୃଷ୍ଟ । ଗତ ପନ୍ଦର ବର୍ଷ ଧରି ମ୍ୟୁନିସିପାଲିଟିର ଇଚ୍ଛା ନିଜର ଆୟ ବଢ଼ାଇବା ପାଇଁ ଗୋଟିଏ ଲୁହା କାରଖାନା ବସାଇବା । ଏ ଦିଗରେ ଯୋଜନା କରିବା ପାଇଁ ଦୁଇ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଲୁହାନିଷ୍କାସନ ପାଇଁ ଖଣିଜ ଲୁହା ଯେମିତି ଆବଶ୍ୟକ, କୋଇଲା ମଧ୍ୟ ସେମିତି ଅବଶ୍ୟକ । ଜଣେ ଅଫିସର ଯୋଜନା ଦେଇଥାନ୍ତି ଯେ ଲୁହା କାରଖାନାଟି ଲୁହା ଖଣିନିକଟରେ ବସିବ । ବସିଲେ ଲୁହା ଉତ୍ପାଦନ ଖର୍ଚ୍ଚ କମ୍ ହେବ । ଫଳରେ ଲୁହାର କାଟତି ବଢ଼ିବ । ଅନ୍ୟ ଜଣକ ନାନା ପ୍ରକାର ଯୁକ୍ତିବାଢ଼ି ମତ ଦେଇଥାନ୍ତି, ଲୁହା କାରଖାନା, ସହରନିକଟସ୍ଥ କୋଇଲାଖଣିନିକଟରେ ଯଦି ବସେ ତେବେ ମ୍ୟୁନିସିପାଲିଟିର ଅଧିକ ଲାଭ ହେବ । ସେ ବହୁ ଗଣନା କରି ନିଜ ମତକୁ ପ୍ରତିପାଦନ କରିଥାନ୍ତି । ମ୍ୟୁନିସିପାଲିଟି ଏହି ଅଫିସର ଦୁଇ ଜଣଙ୍କର ମତ ଦ୍ୱୈଧ ଗତ ପନ୍ଦର ବର୍ଷ ହେଲା ଗଡ଼ିଆସୁଛି । ଫଳରେ ଲୁହା କାରଖାନା କେଉଁଠି ବସି ପାରୁନି । ଦୁଇ ଜଣ ଯାକ ବଡ଼ ବଡ଼ ବିଶେଷଜ୍ଞ । ମ୍ୟୁନିସିପାଲିଟିର କର୍ମକର୍ତ୍ତାମାନେ କୌଣସି ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିପାରୁ ନ ଥାନ୍ତି । ଫଳରେ ଗତ ପନ୍ଦର ବର୍ଷ ଧରି ଲୁହା କାରଖାନା ପାଇଁ ଆଣଥିବା ଋଣର ସୁଧ ଦେଇ ମ୍ୟୁନିସିପାଲିଟି ତଳିଢଳାନ୍ତ ହେଲାଣି; ଅଥଚ କିଛି ଦେବାକୁ ନାହିଁ । ଗତ ପନ୍ଦର ବର୍ଷର ଏହି ମତ ଭେଦର ବିଚାର ପାଇଁ ଅଫିସର ଦ୍ୱୟ ସେ ଦିନ ଚେୟାରମେନଙ୍କ ଘରକୁ ଆସିଥାନ୍ତି ।

 

ଚେୟାରମେନ ଉଭୟଙ୍କ ଯୁକ୍ତି ଶୁଣି ହସିଲେ । କହିଲେ, ‘ଆପଣମାନେ ଏଡେ ବଡ଼ ବଡ଼ ବିଶେଷଜ୍ଞ ହୋଇଛନ୍ତି; ଏତିକି ବୁଦ୍ଧି ଆପଣମାନଙ୍କ ମୁଣ୍ଡକୁ ପଶୁନି ? ଯଦି ଦୁଇଟି ଲୁହା କାରଖାନା ଦୁଇଟି ସ୍ଥାନରେ ବସେ ତେବେ ଆପଣମାନଙ୍କର ତ କାହାରି ଆପତ୍ତି ରହିବ ନାହିଁ । ଗୋଟିଏ ସ୍ଥାନରେ ବସିଥିଲେ ଯେତିକି ଲାଭ ହୋଇଥାନ୍ତା, ତା’ଠାରୁ ତ ବହୁ ଗୁଣ ମ୍ୟୁନିସିପାଲିଟିର ଲାଭ ହେବ ଏଥିରେ ।

 

ବିଶେଷଜ୍ଞଦ୍ୱୟ ଚେୟାରମ୍ୟାନଙ୍କ ମୁହକୁ ବଲବଲ ହୋଇ ଚାହିଁ ରହିଲେ ।

 

ସେ କହିଲେ, ‘ଦେଖ, ତୁମମାନଙ୍କର ଯୁକ୍ତିର ପ୍ରଧାନ ପଏଣ୍ଟ ହେଉଛି ଲୁହା ଖଣିଠାରେ ଯଦି ଲୁହା କାରଖାନା ବସେ ତେବେ ଖଣିଜ ଲୁହାଟା ସୁବିଧାରେ ମିଳିଯିବ । କୋଇଲା ଏତେ ଦୂରରୁ ବୋହିବାକୁ ପଡ଼ିବ, ଯାହା ଫଳରେ ଲୁହାର ଦାମ ବଢ଼ିଯିବ ।’ ଅନ୍ୟ ଜଣଙ୍କ ଆଡ଼କୁ ଅନାଇ କହିଲେ, ‘ତୁମେ କହୁଛ ଲୁହା କାରଖାନା ଯଦି କୋଇଲାଖଣିନିକଟରେ ବସେ, ବହୁ ଦୂରରୁ ଲୁହା ବୋହି ଆଣିବାକୁ ପଡ଼ିବ; ତେଣୁ ଲୁହା ଉତ୍ପାଦନ ଖର୍ଚ୍ଚ ବହୁତ ବଢ଼ିଯିବ । ମୁଁ କହୁଛି, ଦୁଇଟି କାରଖାନା ଯଦି ଦୁଇଟି ଜାଗାରେ ବସେ ତେବେ କାହାରି ଲୁହା କି କୋଇଲା ବୋହିବା ଖର୍ଚ୍ଚ ପଡ଼ିବନି । ଫଳରେ ଉଭୟଙ୍କର ଉତ୍ପାଦନ ଖର୍ଚ୍ଚ ଢେର କମିଯିବ । ଏହା କେମିତି ହେବ ବୁଝିପାରୁଛ ? ଦେଖ–ଯେଉଁ ଓ୍ୟାଗନ ଲୁହା ଖଣିଠାରୁ କୋଇଲାଖଣିନିକଟସ୍ଥ ଲୁହା କାରଖାନାକୁ ଖଣିଜ ଲୁହା ଆଣିବ, ସେ ଖଣିଜ ଲୁହା ଢାଳି ଦେଇ ଖାଲି ଫେରିବା ପରିବର୍ତ୍ତରେ କୋଇଲା ନେଇ ଫେରିବ ଲୁହା ଖଣି ନିକଟସ୍ଥ ଲୁହା କାରଖାନା ପାଇଁ । ତେଣୁ ଲୁହା ଖଣିଠାରେ ଥିବା କାରଖାନାର କୋଇଲା ବହନ ଖର୍ଚ୍ଚ ପଡ଼ିବ ନାହିଁ । ଠିକ୍ ସେହିପରି କୋଇଲା ଖଣି ପାଖରେ ଥିବା ଲୁହା କାରଖାନାର ଖଣିଜ ଲୁହା ବୋହିବା ଖର୍ଚ୍ଚ ପଡ଼ିବନି । ତେଣୁ ଦୁଇଟି ଯାଗାରେ ଲୁହା କାରଖାନା ବସାଇଲେ ଲୁହା ଉତ୍ପାଦନ ଖର୍ଚ୍ଚ ଢେର କମିଯିବ, ନୁହେଁ ?

 

‘ଅଫିସର ଦୁହେଁ ବୁଝିଗଲେ । ବାସ୍ତବିକ୍ ଚେୟାରମେନଙ୍କ କଥା ଠିକ୍ । ଅଯଥାରେ ସେମାନେ ଗତ ପନ୍ଦର ବର୍ଷ ହେଲା ନିଜ ନିଜ ମଧ୍ୟରେ କଳହ କରି ମ୍ୟୁନିସିପାଲିଟିର ଅପର୍ଯ୍ୟାପ୍ତ କ୍ଷତି ଘଟାଉଥିଲେ ସିନା, କିନ୍ତୁ କିଛି ଲାଭ ନାହିଁ ।

 

ଆଉ ଦିନକର ଘଟଣା । କ୍ଳେରେନସ୍ ଆସି ଚେୟାରମେନ୍‍ଙ୍କ ଘରଠାରେ ପହଞ୍ଚିଛନ୍ତି କି ନାହିଁ, ଦେଖିଲେ ସହରର ଦୁଇଟି କଲେଜର କର୍ତ୍ତୁପକ୍ଷ ନିଜ ନିଜ ଭିତରେ କଳହ କରି ମୀମାଂସା ପାଇଁ ଚେୟାରମେନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସହରର ନଦୀ ଉପରେ ଥିବା ପ୍ରଧାନ ରାସ୍ତା ଉପରେ ଗୋଟିଏ ପୋଲ ଅଛି । ସେ ପୋଲକୁ ଲାଗିଛି ଗୋଟିଏ ବଡ଼ ଇଞ୍ଜିନିୟରିଂ କଲେଜ । ଅତି ବିଖ୍ୟାତ କଲେଜ । ଦେଶର ବହୁ ବଡ଼ ବଡ଼ ଇଂଜିନିଅର ସେ ଅନୁଷ୍ଠାନରୁ ପାଶ କରି ଖ୍ୟାତି ଅର୍ଜ୍ଜନ କରିଛନ୍ତି । ଇଞ୍ଜିନିୟରିଂ କଲେଜଠାରୁ ଦୁଇ ମାଇଲ ଦୂରରେ ଗୋଟିଏ ସାଧାରଣ କଲେଜ । କଲେଜଟି ଇଂଜିନିଅରିଂ କଲେଜଠାରୁ ଢେର ପୁରୁଣା । ଏହି ପୋଲଟି ଯେତେବେଳେ ତିଆରି ହେଲା ପୋଲଟିର ନାମକରଣ ହୋଇଥିଲା ସେହି ସାଧାରଣ କଲେଜର ନାମ ଅନୁସାରେ । କାରଣ ଏହି ପ୍ରଧାନ ରାସ୍ତାରେ ସେତେବେଳେ ଥିଲା ଏହି କଲେଜଟି ପ୍ରଧାନ । ଏହାର ବହୁଦିନ ପରେ ପୋଲଟିନିକଟରେ ଗଢ଼ି ଉଠିଲା ଇଂଜିନିଅରିଂ କଲେଜ । ଯେହେତୁ ପୋଲଟି ଇଂଜିନିଅରିଂ କଲେଜକୁ ଲାଗିଅଛି, କେତେକଙ୍କ ମତରେ ଏହାର ନାମକରଣ ହେବା ଦରକାର ଇଂଜିନିଅରିଂ କଲେଜ ନାମ ଅନୁସାରେ । କିନ୍ତୁ ସାଧାରଣ କଲେଜ କର୍ତ୍ତୃପକ୍ଷମାନେ ଏହାର ନାମକୁ ବଦଳାଇବା ପାଇଁ ନାରାଜ । ଗତ ଦଶବର୍ଷ ହେଲା ଏହି କଳହ ଲାଗି ରହିଛି; କିନ୍ତୁ ମୀମାଂସା ହେବାକୁ ନାହିଁ । ଉଭୟ ପକ୍ଷେ ସମାନ ଯୁକ୍ତି, କାହା କଥା ରହିବ ।

 

ବଡ଼ ଅଡ଼ୁଆରେ ପଡ଼ିଲେ ଚେୟାରମେନ । ସେଦିନ ସେମାନଙ୍କୁ ବିଦାୟ ଦେଇ ସେ ମନେ ମନେ ଭାବିଲେ କ’ଣ କରିବେ । ଏଣେ କାଉନସିଲରମାନଙ୍କର ମତ ଯେ ପୁରୁଣା ନାମକୁ ବଦଳାଇଲେ ନାନା ଅସୁବିଧା ହେବ । ତେଣେ ଇଂଜିନିଅରିଂ କଲେଜ କର୍ତ୍ତୃପକ୍ଷ ନ-ଛୋଡ଼-ବନ୍ଦା ।

 

କେମିତି ଉଭୟଙ୍କର କଥା ରହିବ ସେ ଦିନେ ଚିନ୍ତା କରୁ କରୁ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ପଶିଲା । ସଙ୍ଗେ ସଙ୍ଗେ ଇଂଜିନିଅରିଂ କଲେଜ କର୍ତ୍ତୃପକ୍ଷଙ୍କୁ ଡାକି କହିଲେ, ‘‘ଦେଖ, ପୋଲର ନାମ ବଦଳାଇବା ପାଇଁ ତୁମମାନଙ୍କର ମତ ବେଶ ଯୁକ୍ତି ଯୁକ୍ତ । ମୋର ଇଚ୍ଛା ସେହି ଅନୁସାରେ ନାମକୁ ବଦଳାଇବା ପାଇଁ । କିନ୍ତୁ ତୁମ୍ଭମାନଙ୍କର ଇଂଜିନିଅରିଂ କଲେଜର ଯେଉଁ ସୁଖ୍ୟାତ ଅଛି ଏହି ପୁରୁଣା କାଳିଆ ଢଙ୍ଗରେ ତିଆରି ପୋଲଟିର ନାମକୁ ତୁମ କଲେଜ ନାମ ଅନୁସାରେ ନାମିତ କଲେ ତୁମ କଲେଜ ସମ୍ମାନରେ କ’ଣ ବାଧା ଆସିବନି ବୋଲି ଭାବୁଛି ? ବାହାରୁ ଯେଉଁମାନେ ଏ ସହରକୁ ଆସିବେ ସେମାନେ କ’ଣ ଭାବିବେନି ଏଡ଼େ ବଡ଼ ଇଂଜିନିଅରିଂ କଲେଜର ଏଡ଼େ ପୁରୁଣା ଢଙ୍ଗରେ ତିଆରି ବାଜେ ପୋଲଟାଏ ?

 

ସଙ୍ଗେ ସଙ୍ଗେ ଇଂଜିନିଅରିଂ କଲେଜ କର୍ତ୍ତୃପକ୍ଷ ବୁଝିଗଲେ । ‘‘ଆରେ, ସତେତ ବାହାରୁ ଯେଉଁମାନେ ଆସିବେ ସେମାନେ ସତେ କ’ଣ ଭାବିବେ ? ଏହି ପୁରୁଣାକାଳିଆ ପୋଲକୁ ଇଂଜିନିଅରିଂ କଲେଜ ନାମରେ ନାମିତ କଲେ ନିଜ କଲେଜର ସୁନାମରେ ନିଶ୍ଚୟ କଳଙ୍କ ଲାଗିବ, ପୋଲର ଯେଉଁ ନାମ ଅଛି ସେହି ନାମ ଥାଉ । ଆମର ଦରକାର ନାହିଁ ?’’ ଦଶ ବର୍ଷର କଜିଆ ସାମାନ୍ୟ କେଇ ମିନିଟ୍‍ ରେ ତୁଟିଗଲା ।

 

ମ୍ୟୁନିସିପାଲିଟିର ନୂଆ ଚେୟାରମେନ୍ ଦାୟିତ୍ୱ ନେବାର ମାତ୍ର ମାସ କେଇଟା ମଧ୍ୟରେ ଏମିତି କେତେଟା କାର୍ଯ୍ୟଦକ୍ଷତାର ନମୁନା ଦେଖାଇଲେ ଯେ ମ୍ୟୁନିସିପାଲିଟିର ଯୋଗ୍ୟତମ ଚେୟାରମେନ୍ ବୋଲି ସମସ୍ତେ ତାଙ୍କ ଗୁଣ ଗାନ କରିବାକୁ ଲାଗିଲେ ।

 

କ୍ଳେରନ୍‍ସ ନିଜ ଭୁଲ ବୁଝିପାରି ଦିନେ ଯାଇ କଂପ୍ୟୁଟର ଗବେଷଣାଗାର ଡିରେକ୍ଟରଙ୍କୁ ଜଣାଇଲେ, ‘ସାର୍‍ । ଦଶମିକ ସ୍ଥାନଠାରୁ ଅଷ୍ଟମ ସ୍ଥାନରେ ଭୁଲ ଥାଇ ସୁଦ୍ଧା ମେସିନ ଯାହା ମନୋନୟନ କଲା, ତାହା ଏତେ ମାତ୍ରାରେ ଠିକ୍‍ ଯେ ଆମ ଗଣନାରେ ଭୁଲ୍‍ ହେବ ନାହିଁ ବୋଲି ଆପଣ ଯାହା କହୁଥିଲେ ତାହା ଅବାସ୍ତବ ନୁହେଁ । ମେସିନରେ ଭୁଲି ଥାଇ ମଧ୍ୟ ନିର୍ଭୁଲ ଭାବରେ ଯୋଗ୍ୟତମ ବ୍ୟକ୍ତିଟି ଯେ ବଛାଯାଇଛି, ଏଥିରେ ସନ୍ଦେହର ଅବକାଶ ନାହିଁ ।’’

 

(ଚାରି)

 

ଏଇଟା ଖାଲି ମେରିଲ୍ୟାଣ୍ଡ ରାଜ୍ୟର ନକସଭୀଲେ ସହରର ମ୍ୟୁନିସିପାଲିଟି ଚେୟାରମେନ୍ ମନୋନୟନର କାହାଣୀ ନୁହେଁ । ଆମ ଦେଶର ଶତାଧିକ ଯାଗାରେ ଅତି ଗୋପନରେ ଚେୟାରମେନ ମନୋନୟନ, ଛାତ୍ର ନେତା ମନୋନୟନ ଆଦି ଏହି ପଦ୍ଧତିରେ କାର୍ଯ୍ୟକାରୀ ହୋଇସାରିଛି । ପ୍ରତ୍ୟେକଙ୍କଠାରୁ କୃତକାର୍ଯ୍ୟ ତାର ଯେଉଁ ବାଣୀ ପାଇଛୁଁ ତାହା ଆପଣମାନେ ଦେଖନ୍ତୁ । ଏହି ସବୁ ରିପୋର୍ଟ ପାଇବା ପର୍ଯ୍ୟନ୍ତ କେଉଁ ସ୍ଥାନରେ ଏ ଯନ୍ତ୍ରର ପରୀକ୍ଷା ଚାଲିଛି ମୁଁ ଗୋପନ ରଖିଥିଲି । ବର୍ତ୍ତମାନ ସାରା ଯୁକ୍ତରାଷ୍ଟ୍ର ଅଧିବାସୀଙ୍କର ଗୋଚରାର୍ଥେ ଏଗୁଡ଼ିକୁ ପ୍ରକାଶ କରି ଦେବା ଉଚିତ୍ ମନେ କରୁଛି । ଏହି ପ୍ରଥାଟି ଯେ ଉତ୍ତମ ପ୍ରଥା, ତାହା ନିର୍ବାଚନ ବିଶେଷଜ୍ଞମାନେ ମଧ୍ୟ ମତ ଦେଇ ସାରିଲେଣି ।

 

ଏତକ କହି ମାକଡୋନାଲ୍‍ଡ଼ ଆମଠାକୁ ତାଡ଼ାଏ ରିପୋର୍ଟ ବଢ଼ାଇ ଦେଇ କହିଲେ, ‘ଏହି ସବୁ ରିପୋର୍ଟ ପ୍ରକାଶିତ ହେଲେ ଆମ ଲୋକ କହିବେ, ନିର୍ବାଚନରେ ଭୋଟ ଦେଇ ପ୍ରେସିଡେଣ୍ଟ ବାଛିବା ଯୁଗ ଗଲାଣି । କଂପ୍ୟୁଟର ମେସିନ ଆମକୁ ବାଛି ଦେବ, ଦେଶର ସବୁଠାରୁ ବେଶୀ ଦକ୍ଷ ଓ ଯୋଗ୍ୟତମ ପ୍ରେସିଡେଣ୍ଟ କିଏ ? ଗଣତନ୍ତ୍ରରେ ଡୋରି ବାନ୍ଧିବା ଯୁଗ ଆସିବା ଆଉ ବେଶୀ ଡେରି ନାହିଁ ।

✽✽✽

 

ଚତୁର୍ଥ ଅଧ୍ୟାୟ

Unknown

ଉଦ୍ଭାବନର ପୁରସ୍କାର

 

ବନ୍ଧୁତ୍ୱର ଦ୍ୱାହିଦେଇ ସେଦିନ ମୋତେ ଯିବାକୁ ପଡ଼ିଲା ମେରିଆ ଘରକୁ । ନ ଗଲେ ମେରିଆ ରାଗିବ, କଥା କହିବନି । ମୋତେ ଦେଖିଲେ ମୁହ ଫୁଲାଇ ଏଆଡ଼େ ସେଆଡ଼େ ଚାହିଁବ । ଯଦି କଥା କହିବ, ତେବେ କଥାରେ ନା ଥିବ ମିଠା, ନା ଥିବ ସରସତା । ମେରିଆକୁ କେବେ ଅସନ୍ତୁଷ୍ଟ କରିବିନି ବୋଲି ଶପଥ ନେଇଥିବାରୁ ସେ ଦିନ ବାଧ୍ୟ ହୋଇ ମେରିଆ ଘରକୁ ଗଲି । ନିଉୟର୍କ ନଗରୀର ଛାତିକୁ ବିଦୀର୍ଣ୍ଣ କରି ଏମୁଣ୍ଡରୁ ସେ ମୁଣ୍ଡକୁ ପଇତା ଖିଅଟିଏ ଭଳି ପଡ଼ିଥିବା ପୃଥିବୀପ୍ରସିଦ୍ଧ ବ୍ରଡ଼ୱେଠାରୁ ତା’ଘର ବେଶୀଦୂର ନୁହେଁ । ସୁବିଖ୍ୟାତ ୪୨ ନମ୍ବର ଷ୍ଟ୍ରୀଟ୍ ଉପରେ ମାନହଟ୍‍ଟନ୍‍ର ପଶ୍ଚିମ ପାଖରେ ମେରିଆ ବାପା ଭଡ଼ା ଘରଟିଏ ନେଇଥାନ୍ତି । ମେରିଆ ବାପା ବିଶେଷ ଧନୀ ନୁହନ୍ତି, ହେଲେ ଅଭାବ ନାହିଁ । ପିତା ତାର ନିଉୟର୍କ ନଗରୀର ଏକ ବ୍ୟବସାୟ ଅନୁଷ୍ଠାନରେ କାମ କରନ୍ତି ।

 

ମେରିଆ ସହିତ ମୋର ପରିଚୟ ଢେର ଦିନରୁ । କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବାବେଳେ ସେ ଏକ ଗ୍ରାଜୁଏଟ ଛାତ୍ରୀ ଭାବରେ ଆମ ଗବେଷଣାଗାରରେ ଯୋଗ ଦେଇଥିଲା । ମେରିଆ ଯୁବତୀ, ସୁନ୍ଦରୀ । ଦେଖିଲେ ମାନେ ହେବ ସତେ ଯେମିତି ସୌନ୍ଦର୍ଯ୍ୟ ଓ ଯୌବନର ଗୁରୁଚାପରେ ସେ ନଇଁ ପଡ଼ୁଛି, ଠିକ୍ ଯେମିତି ଶରତ୍ ଋତୁରେ ମାଳତୀ ଲତା ଫୁଲ ସମ୍ବାରରେ ତଳୁକୁ ନଇ ଆସେ । ତା’ର ଶିରୀଷକୋମଳ ସୁକୁମାର ତନୁରେ ଅସୁମାରୀସୌନ୍ଦର୍ଯ୍ୟର ଅସଂଖ୍ୟ ସଂକେତ । ଉଜ୍ଜ୍ୱସିତ ଯୌବନର ବାର୍ତ୍ତା ପ୍ରଚାରକ ଉନ୍ନତ ବକ୍ଷ ଉପରେ ତା’ର ଲୋହିତ ପିଙ୍ଗଳ ତ୍ରସ୍ତ ବିତ୍ରସ୍ତ କେଶରୀକି ଯେତେବେଳେ ଲୋଟି ପଡ଼େ, ମେରିଆର ସୌନ୍ଦର୍ଯ୍ୟ ପାଖରେ କୋଟି ଅପସରୀର ସୌନ୍ଦର୍ଯ୍ୟ ମଉଳି ଯିବାକୁ ବାଧ୍ୟ ହୁଏ । ତାର ପ୍ରତିଭା ପ୍ରଦୀପ୍ତ ବଦନରେ ଲୋକ ବିଲୋଳ ନୟନର ବିଦ୍ୟୁତ୍ ଚଞ୍ଚଳ କଟାକ୍ଷ ଯେ ଥରେ ଦେଖିଛୁ, ସେ ଭୁଲିପାରିବନି ମେରିଆର ଚାହାଣୀ । ମୋର ସେଦିନ ଗବେଷଣାଗାରରେ ଯଥେଷ୍ଟ କାମ ଥିଲେହେଁ ବାଧ୍ୟ ହୋଇ ମେରିଆ ଘରକୁ ଯିବାକୁ ପଡ଼ିଲା । ସେଦିନ ଆମର ନିଉୟର୍କ ନଗରୀର ପୂର୍ବ ପଟରେ ଥିବା ଲଙ୍ଗ୍ ଆୟର୍ଲାଣ୍ଡ ବିଚ୍‍କୁ ବିଚ୍ ଜୀବନ ଉପଭୋଗ ପାଇଁ ଯିବା କଥା ।

 

ଯଥାସମୟରେ ଆମେ, ବାହାରି ପଡ଼ିଲୁ ବିଚ୍ ଅଭିମୁଖେ । ସେଦିନ ଶନିବାର । ଆମ ଭଳି ନିଉୟର୍କ ନଗରୀର ଅଧିକାଂଶ ଅଧିବାସୀ ବିଚ୍ ମୁହାଁ । ରାସ୍ତାଗୁଡ଼ିକରେ ଗାଡ଼ି ଭରା । ଗାଡ଼ିଗୁଡ଼ିକର ମୁହଁ ପୂର୍ବକୁ । ସମସ୍ତେ ଧାଇଁ ଥାନ୍ତି ଲଙ୍ଗ ଆୟର୍ଲାଣ୍ଡ ବିଚ୍‍କୁ, ଆଟଲାଣ୍ଟିକ୍ ମହାସାଗରର ଶୀତଳ ଫେନିଳ ଜଳରାଶି ଭିତରେ ନିଜ ଗ୍ରୀଷ୍ମ ତାପଦଗ୍‍ଧ ଦେହକୁ ମିଶଇ ଦେଇ ନିଦାଘର ପ୍ରଚଣ୍ଡ ଚୌଦ୍ରର ପ୍ରକୋପରୁ ନିଜକୁ ସାମୟିକ ରକ୍ଷା କରିବା ପାଇ ।

 

ଆମ ଗାଡ଼ିର ଚାଳିକା ସ୍ୱୟଂ ମେରିଆ । ମୁଁ ମେରିଆ ପାଖରେ ବସିଥାଏ । ଗାଡ଼ିରେ ମାତ୍ର ଆମେ ଦୁଇ ଜଣ । ପଛ ସିଟ୍ ଓ ଟଙ୍କରେ ବିଚ୍ ସରଞ୍ଜାମ ଭରା । ଶନିବାର, ରବିବାର ଦୁଇ ଦିନ ବିଚରେ କଟାଇ ଫେରିବୁ ବୋଲି ଦୁଇ ଦିନ ପାଇଁ ଯାହା ଯାହା ଦରକାର ସବୁ କିଛି ମେରିଆ ନେଇଥାଏ ।

 

ବାଟରେ ଯାଉଁ ଯାଉଁ ମେରିଆ ହଠାତ୍ କହିଲା, ‘‘ତୁମେ ଜାଣ, ମୋର ବେଳେବେଳେ ଭାରି ମନଦୁଃଖ ହୁଏ ମୋ ସଙ୍ଗିନୀ ଗ୍ରେସ୍ ପାଇଁ । ଗ୍ରେସ୍ କୋଟିପତିର ଦୁଲାଳୀ । ଉଇଲିୟମସ୍‍କୁ ସେ କେତେ ଭଲପାଏ । ଗ୍ରେସର ଆଠଗୋଟି ବୟ ଫ୍ରେଣ୍ଡ ଭିତରୁ ସବୁ କଟିଯାଇ ମାତ୍ର ରହିଛି ଉଇଲିୟମସ୍‍ । ଏଥିରେ ସେ ଉଇଲିୟନସକୁ କେତେ ଭଲପାଏ ଜାଣି ପାରୁଥିବ । କିନ୍ତୁ କି ଅଦ୍ଭୁତ-। ଉଇଲିୟମସ୍‍ ଗ୍ରେସ୍ ସହିତ ଏନଗେଜଡ୍ ହେବାକୁ ରାଜି ନୁହେଁ । ଉଇଲିୟମସ୍‍ କହେ ଗବେଷଣା ସରୁ, ଏନଗେଜରେଣ୍ଟ ହେବ । ସତେ ଯେମିତି ଉଇଲିୟମସ୍ ଗବେଷଣା କରି ସାରି ବଡ଼ ଚାକିରିଟାଏ କରି ପକାଇବ ।’’

 

ଉଇଲିୟମସ୍‍କୁ ତୁମେ ଜାଣିନ ମେରିଆ । ଅତି ମେଧାବୀ ଛାତ୍ର । ତା ଭଳି ମେଧାବୀ ଛାତ୍ର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ବିରଳ । ଗବେଷଣା ପ୍ରତି ତାର ଏତେ ଆଗ୍ରହ ଯେ ଗବେଷଣା ନ ସାରିଲା ପର୍ଯ୍ୟନ୍ତ ସେ ବିବାହ ନାଁ ବି ଧରି ନ ପାରେ ।’’

 

ତୁମେ ତ ଜାଣିଛ, ଗ୍ରେସ୍ କୋଟିପତିର ଏକମାତ୍ର ଦୁଲାଳୀ । ଉଇଲିୟମସ୍‍ ଗବେଷଣା କରି କ’ଣ ଚାକିରି କରିବ ଯେ ତା’ର ଗୋଟିଏ ଡିଗ୍ରୀ ଦରକାର । ତାର ଶ୍ୱଶୁରଙ୍କ ବ୍ୟବସାୟ ବୁଝୁଁ ବୁଝୁଁ ତ ତା’ର ସବୁ ସମୟ ଚାଲିଯିବ ।’’

 

ସେଇଠି ତୁମର ଭୁଲ ମେରିଆ । ମଣିଷ କ’ଣ ମନଃ ପ୍ରାଣ ଢାଳିଦେଇ ଏତେ ଗବେଷଣା କରେ, ଖାଲି ଚାକିରି ପାଇଁ କି ଟଙ୍କା ରୋଜଗାର କରିବା ପାଇଁ ? ସତ୍ୟର ଅନୁସନ୍ଧାନରେ ଯେଉଁମାନେ ବ୍ରତୀ, ସେମାନଙ୍କୁ ଚାକିରି କି ଟଙ୍କା ବିଚଳିତ କରି ପାରେନା ମେରିଆ-। ଏମିତି କି ଷୋଡ଼ଶୀ ସୁନ୍ଦରୀ ବି ନୁହେଁ ।

 

‘ହଁ’ ତାର ମୃଗାଷୀ ଦୁଇଟିକୁ ନରଇ ମେରିଆ କହିଲା ‘‘ପୁରୁଷମାନଙ୍କର କମ ଆସ୍ପର୍ଦ୍ଧାତ ନୁହେଁ । ଗ୍ରେସ୍ ଭଳି ଝିଅକୁ ଅବହେଳା କରିବା ଉଇଲିୟମସ୍‍ର ଘୋର ଅନ୍ୟାୟ । ଗ୍ରେସ୍ ସୁନ୍ଦରୀ, ଶିକ୍ଷିତା, ସୁଯୋଗ୍ୟା ଓ ସର୍ବଗୁଣାଳଙ୍କୁତା, ପୁଣି କୋଟିପତିର ଦୁଲାଳୀ । ଏମିତି ଝିଅଟେ ଭାଗ୍ୟରେ ଜୁଟିବା କମ୍ ସୌଭାଗ୍ୟର କଥା ନୁହେଁ । ଏତେ ବଡ଼ ସୁଯୋଗକୁ ଛାଡ଼ି କଦାପି ଉଇଲିୟମସ୍ ସୁଖୀ ହୋଇ ପାରିବନି ।

 

ତୁମେ ବୋଧହୁଏ ଜାଣିନ ମେରିଆ, ଉଇଲିୟମସ୍‍ର କୋଟି ପତିମାନଙ୍କ ପ୍ରତି ଟିକିଏ ଅଲଗା ମନୋଭାବ ଅଛି । କୋଟିପତିର ଦୁଲାଳୀ ହୋଇଥିବାରୁ ସେ ଆଜି ଗ୍ରେସ୍ ସହିତ ଏନଗେଜଡ୍ ହେବାକୁ ଚାହୁଁନି ବୋଧହୁଏ ।

 

‘‘ଆଁ, ଚାହୁଁନି ବୋଧହୁଏ’’, ହଠାତ୍ ଚମକି ପଡ଼ିଲା ମେରିଆ । ‘‘ତାର କୋଟିପତିମାନଙ୍କ ପ୍ରତି ବିତୃଷ୍ଣା ଅଛି ନା କଅଣ ? ସେ କ’ଣ କମ୍ୟୁନିଷ୍ଟ କି ?’’

 

‘‘ନା, ନା, ସେ କମ୍ୟୁନିଷ୍ଟ ନୁହେଁ ମେରିଆ । ସେ ଯେଉଁ ବଂଶରୁ ଆସିଛି, ସେହି ବଂଶର ବିତୃଷ୍ଣା ମନୋଭାବ ରହିଆସିଛି ପୁଞ୍ଜିପତିମାନଙ୍କ ପ୍ରତି ।’’

 

‘‘କାହିଁକି ?’’

 

‘‘ତୁମେ ଜାଣିନ ମେରିଆ, ସେ ହେଉଛି ପୃଥିବୀର ସୁବିଖ୍ୟାତ ବୈଜ୍ଞାନିକ ରୁଡ଼ଲ୍‍ଫ ଡିଜେଲଙ୍କ ପଣନତି, ରୁଡ଼ଲ୍‍ଫଙ୍କ ଭଉଣୀର ପୁଅର ପୁଅର ପୁଅ ।’’

 

‘‘କେଉଁ ରୁଡ଼ଲ୍‍ଫ ଡିଜେଲଙ୍କ କଥା କହୁଛ ତୁମେ ?’’

 

‘‘ଯେଉଁ ରୁଡ଼ଲ୍‍ଫ ଡିଜେଲ ଇଞ୍ଜିନ୍‍ର ସର୍ବପ୍ରଥମ ଉଦ୍ଭାବକ, ସେ ହେଉଛନ୍ତି ଉଇଲିୟମ୍‍ସ୍‍ର ପଣ ଅଜା ।’’

 

‘‘ହେଲେ ତାର ପୁଞ୍ଜିପତିମାନଙ୍କ ପ୍ରତି ବିତୃଷ୍ଣା ମନୋଭାବ କାହିଁକି ?’’

 

‘‘ସେ ଗୋଟିଏ ବିରାଟ ଇତିହାସ ମେରିଆ, ସେ ଗୋଟିଏ ବିରାଟ ଇତିହାସ ।’’

 

ମୁଁ କହି ଚାଲିଛି, ଆମ ଗାଡ଼ି ଆସି ଲଙ୍ଗ୍ ଆୟର୍ଲାଣ୍ଡର ଜୋନସ ବିଚ୍ ଷ୍ଟେଟ୍ ପାର୍କରେ ଆସି ପହଞ୍ଚି ଗଲାଣି, ମୋର ସେଆଡ଼କୁ ଖିଆଲ ନାହିଁ । ସମ୍ମୁଖରେ ଅନନ୍ତ ନିଳିମାମୟ ବିଚି ବିକ୍ଷୋଭିତ ବିରାଟ ଆଟଲାଣ୍ଟିକ୍ ମହାସାଗରର ସୁବିସ୍ତୃତ ନୀଳ ଜଳରାଶି, ଆମ ପଶ୍ଚାତ୍ ଭାଗରେ ନିଘଞ୍ଚ ନିକୁଞ୍ଜ କୃତ୍ରିମ ଉପବନ, ଅସଂଖ୍ୟ ଯତ୍ନ ବିବର୍ଦ୍ଧିତ ଉଦ୍ୟାନ ତରୁରାଜି, ସ୍ଥାନଟିକୁ ସ୍ୱର୍ଗର ନନ୍ଦନକାନନ ଭଳି ମନୋରମ କରି ତୋଳି ଥାଏ ।

 

ସ୍ଥାନଟିର ଅପୂର୍ବ ସୌନ୍ଦର୍ଯ୍ୟରେ ହୋଇ ଗାଡ଼ିରୁ ଡେଇଁ ପଡ଼ିଲି । ମନେ ହେଲା, ସତେ ଯେପରି ଆମେଇ ସ୍ୱର୍ଗର ଅମରାବତୀରେ ଆସି ପହଞ୍ଚିଗଲୁଣି ।

 

ଗାଡ଼ିର ଷ୍ଟାର୍ଟ ବନ୍ଦକରି ଗାଡ଼ିରୁ ଓହ୍ଲାଇ ଆସୁଥିଲା ମେରିଆ । ସେହି ସ୍ଥାନର ଅପୂର୍ବ ମନୋରମ ପରିବେଶ ଭିତରେ ମୁଁ ଆତ୍ମବିସ୍ମୁତ ହୋଇ ପଡ଼ୁଥିଲି । ଆମେ ଗାଡ଼ିରୁ ନିଜ ପାଇଁ ଆଣିଥିବା ଯାବତୀୟ ସରଞ୍ଜାମ ବାହାର କରି ବିଚ୍ ସ୍ନାନ ପାଇଁ ପ୍ରସ୍ତୁତ ହୋଇ ପଡ଼ିଲୁ । ମେରିଆ କୃଷ୍ଣବର୍ଣ୍ଣର ଟ୍ରଙ୍କ୍ (ପୁରୁଷମାନଙ୍କ ବିଚରେ ସ୍ନାନ ପୋଷାକ) ପିନ୍ଧି ହାତ ଧରାଧରି ହୋଇ ଆଟଲାଣ୍ଟିକର ସେହି ଶୀତଳ ଜଳରେ ଝାସ ଦେବାପାଇଁ ଦୌଡ଼ିଲୁ; ବାକି ସବୁ ଜିନିଷ ସେହିଭଳି ପଡ଼ି ରହିଲା ସେଇ ବାଲି ଉପରେ ।

 

ସମୁଦ୍ରର ଥଣ୍ଡା ଜଳରେ ସନ୍ତରଣ କରି କରି ମୁଁ ଆଉ ମେରିଆ କ୍ଲାନ୍ତ ହୋଇ ପଡ଼ିଲୁ । ଜଳରୁ ଉଠି ଆସିନିକଟସ୍ଥ ବାଲି ଉପରେ ଚିତହୋଇ ଶୋଇ ପଡ଼ିଲୁ । ଜୁଲାଇ ମାସର ପ୍ରଖର ସୂର୍ଯ୍ୟାଲୋକ ଚାରିଆଡ଼େ ପରିଷ୍କାର ବିଞ୍ଚାଡ଼ି ହୋଇ ପଡ଼ିଥାଏ । ଆମଭଳି ଅସଂଖ୍ୟ ଯୁବକ ଯୁବତୀ ବାଲିରେ ଚିତହୋଇ ଶୋଇ ରହିଥାନ୍ତି, ନିଜର ଶ୍ୱେତ ଚର୍ମକୁ କିଞ୍ଚିତ୍ ସୌର ଦଗ୍‍ଧ (Sun tanning) କରିବା ପାଇଁ ।

 

ଚିତ୍ ହୋଇ ଶୋଉଁ ଶୋଉଁ ମେରିଆ ହଠାତ୍ ମୋ ଆଡ଼କୁ କଡ଼େଇ ହୋଇପଡ଼ିଲା । ମୋତେ ହଲାଇ ଦେଇ କହିଲା, ‘‘ଡିଜେଲ୍‍ଙ୍କ କଥା ପରା କହୁଥିଲ, କାହିଁ କିଛି ତ କହିଲନି ? କହୁଥିଲ ପରା ତା ପଛଆଡ଼େ ଏକ ବିରାଟ ଇତିହାସ ଅଛି ବୋଲି ?

 

କଥା ଶୁଣିବା ପାଇଁ ମେରିଆ ମୋ ଉପରକୁ ନଇଁ ଆସିଲା । ତା’ର ଟପଲେସ୍ ବେଦିଙ୍ଗ ସୁଟ୍ ଭିତରୁ ଉଦ୍ଦାମ ଯୌବନର ଦୁର୍ଦ୍ଦମ ସଂକେତ ମୋ ଆଖି ସାମନାରେ ଝଲସି ଉଠିଲା । ମୁଁ ନିଜକୁ ସମ୍ଭାଳି ନ ପାରି ତାର ଉନ୍ନତବକ୍ଷକୁ ମୋ ଛାତି ସହିତ ଭିଢ଼ି ଧରି ତାର ଆରକ୍ତ କପୋଳ ଉପେର ଆଙ୍କିଦେଲି ମଧୁର ଚୁମ୍ବନର ଏକାଧିକ ରକ୍ତିମ ଦାଗ । କ୍ଷଣକ ପାଇଁ ମେରିଆର ରକ୍ତରାଗରଞ୍ଜିତ ଅଧର ସହିତ ମୋ ସ୍ଫୁରିତ ଅଧରର ମିଳନ ହେଲା, ଅପ୍ରତ୍ୟାଶିତ ଭାବରେ ।

 

ପର ମୁହୂର୍ତ୍ତରେ ମେରିଆ ମୋ ବନ୍ଧନରୁ ନିଜକୁ ମୁକ୍ତ କରି କହିଲା, ‘‘ଏଇ ବୋଧହୁଏ, ତୁମର ବିରାଟ ଇତିହାସ, ନୁହେଁ’’ ?

 

ମୁଁ ସଙ୍ଗେ ସଙ୍ଗେ ପଡ଼ି ଗେହ୍ଲେଇ ହୋଇ କହିଲି, ‘‘ନା, ନା, ଏଟା ଇତିହାସ ନୁହେଁ, ମେରିଆ । ଏହା ମୋର ଓ ତୁମର ଏକ ସାମୟିକ ଦୁର୍ବଳତା ମାତ୍ର । ପ୍ରକୃତ ଇତିହାସଟା କହୁଛି ଏବେ ଶୁଣ ।

 

‘‘ଜର୍ମ୍ମାନୀର ସୁବିଖ୍ୟାତ ଏସେନ୍ ସହର, ଜର୍ମ୍ମାନ୍ କୋଟିପତି କ୍ରୁପ୍‍ସଙ୍କ ଅସଂଖ୍ୟ ବ୍ୟବସାୟ ପସରା ମେଲିଛି ସେହି ସହରରେ । ଦିନେ ହଠାତ୍ ଏକ ବିସ୍ଫୋରଣରେ ସହରଟି କମ୍ପିଉଠିଲା । କାଇଜର ଏଭିନିଉରେ ଥିବା ଏକ ଦରଭଙ୍ଗା ଘରେ ଏହି ବିସ୍ଫୋରଣଟି ଘଟିଲା । ବିସ୍ଫୋରଣ ବେଳେ ସେହି ଏଭିନିଉରେ ଏକ ଘୋଡ଼ା ଗାଡ଼ିରେ ଯାଉଥିଲେ ଜର୍ମାନୀର କୋଟିପତି ଫେଡେରିକ ଆଲଫ୍ରେଡ୍ ନୃପସ୍, ତାଙ୍କ ସହିତ ଥାନ୍ତି, ତାଙ୍କର ଏକମାତ୍ର ଛଅ ବର୍ଷର ଝିଅ ବାର୍ଥା ।

 

ବିସ୍ଫୋରଣଟି ଶୁଣି କ୍ରୁପସ୍‍ ଚମକି ପଡ଼ିଲେ । ତାଙ୍କ ଗାଡ଼ିଟି ମନକୁ ମନ ସେହି ରାସ୍ତାରେ ଅଟକି ଗଲା କିଛି ସମୟ ପାଇଁ । ସେ ଭାବି ପାରିଲେନି କ’ଣ ହେଲା । ଦେଖିଲେ ଲୋକେ ଗୋଟିଏ ଜୀର୍ଣ୍ଣଶୀର୍ଣ୍ଣ ଘର ଆଡ଼େ ଦୌଡ଼ୁଛନ୍ତି । ସେ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ କଚୁଆନ୍‍କୁ ଆଦେଶ ଦେଲେ ସେହି ଘର ଆଡ଼କୁ ଗାଡ଼ି ଚଳାଇବା ପାଇଁ । ଗାଡ଼ିରୁ ଓହ୍ଲାଇପଡ଼ି ସେ ଘର ଭିତରକୁ ଦୌଡ଼ିଲେ ଘର ଭିତରେ ତୀବ୍ର ଧୂଆଁ; ଯୋଗୁଁ ଘର ଭିତରେ ପୁରାପୁରୀ ଅନ୍ଧକାର । ସେହି ଅନ୍ଧକାର ଭିତରେ ସେ ଦେଖିବାକୁ ପାଇଲେ ଗୋଟିଏ ଯୁବକ ଅଚେତ୍ ହୋଇ ପଡ଼ି ରହିଛି । ନିକଟରେ ଏକ ଇଞ୍ଜିନ୍‍ ଭାଙ୍ଗି ଚୁରମାର ହୋଇଯାଇଛି । ଯୁବକଟିର ଦେହ ସାରା ପୂରାପୂରି କଳାରେ ଛାଇ ହୋଇଯାଇଛି, ସତେ ଯେମିତି ଯୁବକଟି ଅର୍ଦ୍ଧ ଦଗ୍ଧ । ଅଚେତ୍ ଯୁବକଟିକୁ ଦେଖି କୋଟିପତିଙ୍କର ଛଅ ବର୍ଷର ଝିଅ ବାର୍ଥା କହିଲା ‘‘ବାପା, ଆମେ ୟାଙ୍କୁ ହସପିଟାଲ୍‍କୁ ନେଇଯିବା ।’’

 

କ୍ରୁପ୍‍ସ କହିଲେ, ‘‘ହଁ ମା, ଆମେ ୟାଙ୍କୁ ହସପିଟାଲର ପହଞ୍ଚାଇ ଦେଲେ ଭଲ ହେବ ।’’

 

କୋଟିପତି କ୍ରୁପ୍‍ସଙ୍କୁ ଦେଖି ରୁଣ୍ଡ ହୋଇଥିବା ଲୋକମାନେ ଆଡ଼େଇ ଗଲେ ।

 

ଲୋକମାନଙ୍କ ସାହାଯ୍ୟରେ କ୍ରୁପ୍‍ସ ଯୁବକଟିର ଅଚେତ ଶରୀରକୁ ଆଣି ନିଜ ଘୋଡ଼ା ଗାଡ଼ିରେ ଥୋଇ ନିକଟବର୍ତ୍ତୀ ହସପିଟାଲରେ ପହଞ୍ଚାଇ ଦେଲେ ।

 

ଅଳ୍ପଦିନ ପରେ ଯୁବକଟି ଭଲ ହୋଇଗଲେ । ଯୁବକଟି ଯେଉଁ ଦିନ ଭଲ ହୋଇ ହସପିଟାଲରୁ ବାହାରି ଯାନ୍ତି, ସେଦିନ କ୍ରୁପ୍‍ସଙ୍କଠାରୁ ଖଣ୍ଡିଏ ଚିଠି ନେଇ ଜନୈକ ପନ୍ତ୍ରବାହକ ସେହି ଯୁବକଙ୍କ ଠାରେ ହାଜର । ଚିଠିରେ କ୍ରୁପ୍‍ସ ଯୁବକଙ୍କୁ ନିଜ ସହିତ ଦେଖାକରିବା ପାଇଁ ଆମତ୍ରଣ କରିଥାନ୍ତି । କ୍ରୁପ୍‍ସଙ୍କ ପ୍ରେରିତ ଘୋଡ଼ାଗାଡ଼ି ତାଙ୍କୁ ଆଣିବା ପାଇଁ ଅଦୂରରେ ଅପେକ୍ଷା କରୁଥାଏ ।

 

ଅଳ୍ପ ସମୟ ଭିତରେ ଯୁବକଟି କ୍ରୁପ୍‍ସଙ୍କ ନଅରେ ଆସି ପହଞ୍ଚିଗଲେ । କ୍ରୁପ୍‍ସଙ୍କ ବୈଠକଖାନା ଭିତରକୁ ପଶି ଆସିଲାବେଳକୁ କ୍ରୁପ୍‍ସ ତାଙ୍କ ଅପେକ୍ଷାରେ ବସିଥାନ୍ତି । ନିକଟରେ ତାଙ୍କୁ ଛୋଟ ଝିଅଟି ବାର୍ଥା । ଯୁବକଟିକୁ ନିକଟସ୍ଥ ସୋଫାରେ ବସାଇ କ୍ରୁପ୍‍ସ ପଚାରିଲେ, ‘‘ତୁମ ନାମ କ’ଣ ଯୁବକ ?’’

 

‘‘ରୁଡ଼ଲ୍‍ଫ ଡିଜେଲ ।’’

 

‘‘ଘର ?’’

 

‘‘ଜର୍ମାନୀରେ କିନ୍ତୁ ମୋ ଜନ୍ମିତ ସ୍ଥାନ ପାରିସ୍ । ମୋ ବାପା ପାରିସେର ରହନ୍ତି ।’’

 

‘‘ତୁମେ ଏଠି କ’ଣ କର ଯୁବକ ?’’

 

‘‘ଇନଜିନିଅରିଂ ପାସ୍ କରି ଗବେଷଣା କରୁଛି ।’’

 

‘‘ଗବେଷଣା କରୁଛ ? କେଉଁ ଗବେଷଣାଗାରରେ ?’’

 

‘‘କୌଣସି ଗବେଷଣାଗାରରେ ନୁହେଁ ଆଜ୍ଞା, ମୋ ନିଜ ଘରେ ।

 

‘‘ଯେଉଁଠି ଦୁର୍ଘଟନା ଘଟିଲା, ସେହି କ’ଣ ତୁମ ନିଜ ଘର ? ତୁମେ କ’ଣ ସେଇଠି ଗବେଷଣ। କର ?’’

 

‘‘ହଁ ଆଜ୍ଞା ।’’

 

‘‘କିନ୍ତୁ ସେ ତ ଗବେଷଣାଗର ଭଳି ଜଣା ପଡ଼ୁନି ? ସେଠି ତୁମେ କି ଗବେଷଣା କର-?’’

 

ଆଜ୍ଞା, ମୁଁ ଏକ ନୂଆ ପ୍ରକାର ମଟରଗାଡ଼ି ଇଞ୍ଜିନ୍ ତିଆରି କରିବା ପାଇଁ ଚେଷ୍ଟା କରୁଛି । ଇଞ୍ଜିନଟି ପେଟ୍ରୋଲ ଇଞ୍ଜିନ୍ ଭଳି । କିନ୍ତୁ ଏହା ପେଟ୍ରୋଲ ଇଞ୍ଜିନ୍‍ଠାରୁ ଅଧିକ ଶକ୍ତିଶଳୀ । ଏହା ପେଟ୍ରୋଲ ସାହାଯ୍ୟରେ ନ ଚାଲି ସାଧାରଣ ଖଣିଜ ତେଲ ସାହାଯ୍ୟରେ ଚାଲିପାରିବ । ପେଟ୍ରୋଲ ଇଞ୍ଜିନ୍‍ରେ ଯେଉଁ ଅନ୍ତର୍ଦହ ପଦ୍ଧତି ଅନୁସୃତ ହୁଏ ଏଠାରେ ସେହି ପଦ୍ଧତି; କିନ୍ତୁ ଟିକିଏ ଅଲଗା ।’’

 

‘‘ତୁମେ ତାହେଲେ କ’ଣ ସେହି ଯୁବକ,’’ କ୍ରୁପ୍‍ସ କହିଲେ, ‘‘ଯେ ଏହି ପୁସ୍ତକଟି ପ୍ରଣୟନ କରିଛି ?’’ କହୁଁ କହୁଁ ଖଣ୍ଡିଏ ନବ ପ୍ରକାଶିତ ପୁସ୍ତକ ନିକଟସ୍ଥ ଆଲମାରୀ ଭିତରୁ କାଢ଼ି ରୁଡ଼ଲ୍‍ଫଙ୍କ ହାତକୁ ବଢ଼ାଇଦେଲେ ।

 

ରୁଡ଼ଲଫ ଡିଜେଲ ଇଞ୍ଜିନ୍‍ ଉପରେ ନବ ପ୍ରକାଶିତ ସ୍ୱଲିଖିତ ପୁସ୍ତକଟି ଦେଖି ଚମକି ପଡ଼ିଲେ ।

 

‘‘ଅତି ଚମତ୍କାର ଏ ପୁସ୍ତକ, ଯୁବକ, ଅତି ଚମତ୍କାର’’ ଆନନ୍ଦ ଗଦ୍‍ଗଦ୍ ଚିତ୍ତରେ କୋଟିପତି କହି ଚାଲିଲେ ।’’ ଏହି ପୁସ୍ତକର ପ୍ରତି ସ୍ତରେ ତୁମ ଜ୍ଞାନର ଅନୁପମ ଗରିମା ଫୁଟି ଉଠୁଛି-। ତୁମଭଳି ବୈଜ୍ଞାନିକ ସାରା ଜର୍ମାନୀର ଗୌରବ, ତୁମେମାନେହିଁ ଦେଶର ମୁଖୋଜ୍ଜ୍ୱଳ ଗରିବ ଯୁବକ, ମୁଁ ଏହା ନିଃସନ୍ଦେହରେ କହିପାରେ ।’’ କିଛି ସମୟ ରହି ଯାଇ ପଚାରିଲେ ।

 

‘‘ହଁ, କହିପାରିବ ଯୁବକ, ତୁମ ଗବେଷଣା ପାଇଁ ତୁମେ ଅର୍ଥ ସଂଗ୍ରହ କର କେଉଁଠୁ ?’’

 

ରୁଡ଼ଲ୍‍ଫ ନିଜ ଦୂରବସ୍ଥା ପ୍ରକାଶ କଲେ, ‘‘ନାଇଁ ଆଜ୍ଞା, ମୁଁ ମୋର ଜର୍ମ୍ମାନୀରେ ଥିବା ଯାବତୀୟ ପୈତୃକ ସମ୍ପତ୍ତି ବିକ୍ରୟକରି ମୋ ଗବେଷଣାରେ ଲଗାଇ ସାରିଲିଣି । ମୋର ଶେଷ ସମ୍ବଳ ଯା’ କିଛି ଥିଲା, ସମସ୍ତ ବିକ୍ରୟ କରି ମୋର ଶେଷ ଗବେଷଣାଟି ଚଳାଇଥିଲି । ସେଇଟି ବିସ୍ଫୋରଣ ସମ୍ମୁଖୀନ ହୋଇ ପୂରାପୂରି ପ୍ରାପ୍ତ ହୋଇଯାଇଛି । ମୋର ବର୍ତ୍ତମାନ ଗବେଷଣା କରିବାର କିଛି ସମ୍ବଳ ନାହିଁ । ମୁଁ ଏହାପରେ ପାରିସ୍ ଫେରିଯିବି । ସେଠାରେ ମୋ ପିତା ଅଛନ୍ତି’’ ।

 

‘‘ତୁମ ପିତା କ’ଣ କରନ୍ତି ଯୁବକ ?’’

 

‘‘ନାଇଁ ଆଜ୍ଞା, ମାତ୍ର ଜଣେ ଦପ୍ତରୀ । ସେ ଯାହା ଆୟ କରନ୍ତି, ଆମ ପରିବାରର ପୋଷିବାକୁ ବି ଯଥେଷ୍ଟ ନୁହେଁ । ବର୍ତ୍ତମାନ ଅବସ୍ଥାରେ ମୋ ପକ୍ଷରେ ଆଉ ଇନ୍‍ଜିନ୍ ଉପରେ ଗବେଷଣା କରିବା ସମ୍ଭବପର ନୁହେଁ । କୌଣସିଠି ଚାକିରି କରି ମୋ ପରିବାରର ଭରଣପୋଷଣ ପ୍ରିତ ଦୃଷ୍ଟି ଦେବା ମୋ ଇଚ୍ଛା ।

 

‘‘ତୁମେ ହତାଶ ହୁଅ ନାହିଁ ଯୁବକ । ତୁମର ଯଦି ଆପତ୍ତି ନ ଥାଏ, ତେବେ ମୁଁ ତୁମକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ । ତୁମ ଗବେଷଣା ପାଇଁ ଗବେଷଣାଗାର ତୋଳାଇ ଦେବି; ତୁମକୁ ତୁମ ଗବେଷଣାରେ ସାହାଯ୍ୟ କରିବା ପାଇଁ ସୁଶିକ୍ଷିତ ଲୋକ ଯୋଗାଇ ଦେବି । ତୁମ ଗବେଷଣା ପାଇଁ ଯେତେ ମୂଲ୍ୟର ଯାହା ଦରକାର ସେସବୁ ଅକ୍ଳେଶର ଯୋଗାଇ ଦେଇ ପାରିବି । ଏହି ସବୁ ସୁବିଧା ପାଇଲେ ତୁମେ ଏଠି ଗବେଷଣା କରିବାକୁ ପ୍ରସ୍ତୁତ କି ଯୁବକ ?’’

 

କୋଟିପତି କ୍ରୁପ୍‍ସଙ୍କ ଦାନକଥା ଶୁଣି ରୁଡ଼ଲ୍‍ଫ କୃତକୃତ୍ୟ ହେଲେ । ଦୈବପ୍ରେରିତ ଏ ସୁଯୋଗଟିକୁ କିଏ କ’ଣ ଛାଡ଼େ ? ରୁଡ଼ଲ୍‍ଫ ଆଶା କରି ନଥିଲେ ଏମିତି ସୌଭାଗ୍ୟ ତାଙ୍କର କେବେ ମନକୁ ମନ ଆସି ପହଞ୍ଚିବ ବୋଲି । ସେ ବିନା ଦ୍ୱିଧାରେ କ୍ରୁପ୍‍ସଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ।

 

(ଦୁଇ)

 

ସେହିଦିନଠାରୁ ରୁଡ଼ଲ୍‍ଫଙ୍କ ଗବେଷଣା ଚାଲିଲା କ୍ରୁପ୍‍ସଙ୍କ ତିଆରି ନୂତନ ଗବେଷଣାଗାରରେ । ଦିନକୁଦିନ ସେ ମନଃପ୍ରାଣ ଢାଳି ଦେଇ ଗବେଷଣାରେ ଲାଗି ପଡ଼ିଲେ । ଡିଜେଲ ଇଞ୍ଜିନ୍‍ର ନୂତନ ନୂତନ ଓ ଉନ୍ନତ ଧରଣରେ କାର୍ଯ୍ୟଦକ୍ଷତା ଇଞ୍ଜିନ୍‍କୁ ଏକ ଅତି ଉପାଦେୟ ଯନ୍ତ୍ର ଭାବରେ ଛିଡ଼ା କରାଇଲା ।

 

ରୁଡ଼ଲ୍‍ଫ ଗବେଷଣା ଆରମ୍ବ କରିବାର ଅଳ୍ପ କେଇ ବର୍ଷ ଭିତରେ ବୁଦ୍ଧ କ୍ରୁପ୍‍ସ ଶେଷ ନିଃଶ୍ୱାସ ତ୍ୟାଗ କଲେ । ରୁଡ଼ଲ୍‍ଫଙ୍କ ସବୁଠାରୁ ଉନ୍ନତ ଇଞ୍ଜିନର କୃତକାର୍ଯ୍ୟତା ଦେଖିବାକୁ ସେ ବଞ୍ଚିରହି ପାରିଲେନି । ତେବେ ମଲାବେଳକୁ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ରୁଡ଼ଲ୍‍ଫ ଦିନେ ନିଜ ଗବେଷଣାରେ କୃତକାର୍ଯ୍ୟ ହେବେ ଓ ଏକ ଉନ୍ନତ, ଅତି ଉପଯୋଗୀ ଆନ୍ତର୍ଦହ ଇଞ୍ଜିନ୍‍ ତିଆରି କରି ମାନବ ସମାଜର ଅଶେଷ ଉପକାର କରିବେ ।

 

ବୃଦ୍ଧଙ୍କ ମୃତ୍ୟୁପରେ ତାଙ୍କ ବ୍ୟବସାୟ ସଂସ୍ଥାର ମାଲିକ ହେଲେ ତାଙ୍କର ଏକମାତ୍ର ଉତ୍ତରାଧିକାରିଣୀ ବାର୍ଥା । ବାର୍ଥା ମଧ୍ୟ ରୁଡ଼ଲ୍‍ଫଙ୍କୁ ଅତ୍ୟଧିକ ଭଲ ପାଉଥିଲେ । ରୁଡ଼ଲ୍‍ଫଙ୍କ ଉତ୍ତରୋତ୍ତର ଗବେଷଣା ପାଇଁ ସେ ଆହୁରି ବହୁ ସୁବିଧା ଖଞ୍ଜି ଦେଲେ ।

 

୧୯୧୬ ମସିହାରେ ଯୁବତୀ ବାର୍ଥା ଗୁଷ୍ଟଭ ଭନ୍ ହୋଏଲନ୍‍ଙ୍କ ସହିତ ବିବାହ ସୂତ୍ରରେ ବାନ୍ଧି ହୋଇ ପଡ଼ିଲେ । ବାର୍ଥାଙ୍କୁ ବିବାହ କରି ଗୁଷ୍ଟଭ୍ ହେଲେ ବିରାଟ କ୍ରୁପସ୍ ସଂସ୍ଥାର ପ୍ରଧାନ ପରିଚାଳକ । କ୍ରୁପ୍‍ସ ସଂସ୍ଥା ପାଇଁ ସେ ନିଜ ନାମ ବଦଳାଇ ରଖିଲେ କ୍ରୁପ୍‍ସ ଭନ୍ ହୋଏଲନ୍ ।

 

ବାର୍ଥାଙ୍କର ରୁଡ଼ଲ୍‍ଫଙ୍କ ସହିତ ମିଳାମିଶାକୁ ଗୁଷ୍ଟଭ୍ ପସନ୍ଦକରୁ ଫଙ୍କନଥିଲେ । ସାମାନ୍ୟ ଜଣେ ବୈଜ୍ଞାନିକଙ୍କ ସହିତ ଏତେ ବଡ଼ ସଂସ୍ଥାର ମାଲିକାଣୀଙ୍କର ମିଳାମିଶା ସାମାଜିକ ନୀତି ଦୃଷ୍ଟିରୁ ସ୍ପୁହଣୀୟ ନୁହେଁ ବୋଲି ସେ ସର୍ବାଦା ମନେ କରୁଥିଲେ । ରୁଡ଼ଲ୍‍ଫଙ୍କ ଗବେଷଣା ପଛରେ ଏତେ ଗୁଡ଼ାଏ ଅର୍ଥ ବ୍ୟୟକୁ ମୋଟେ ପସନ୍ଦ କରୁ ନ ଥିଲେ ।

 

ଦିନକର ଘଟଣା

 

ବାର୍ଥାଙ୍କ ଅଫିସ୍ ଭିତରକୁ ଗୋଟିଏ ନକସା ଓ କେତେକ କାଗଜ ପତ୍ର ଧରି ପଶିଆସିଲେ ରୁଡ଼ଲ୍‍ଫ । ବାର୍ଥାଙ୍କୁ ସେ ପିଲାଟି ଦିନରୁ ଜାଣନ୍ତି । ତେଣୁ ବାର୍ଥାଙ୍କୁ ସାକ୍ଷାତ କରିବାକୁ ହେଲେ ତାଙ୍କ ପାଇଁ ବିଭାଗୀୟ କଟକଣା କିଛି ନ ଥିଲା । ରୁଡ଼ଲ୍‍ଫଙ୍କୁ ଦେଖି ବାର୍ଥା ତାଙ୍କୁ ଯେମିତି ଭାବେରେ ସ୍ୱାଗତକଲେ ଗୁଷ୍ଟଭଙ୍କପ୍ରତି ତାହାଦେହସୁହା ହେଲାନି । ସେ ସଙ୍ଗେ ସଙ୍ଗେ ବାର୍ଥାଙ୍କଠାରୁ ଉଠିଯାଇ ରୁଡ଼ଲ୍‍ଫ ଆଣିଥିବା ନକ୍‍ସା ଓ କାଗଜ ପତ୍ର ଉପରେ ଆଖି ବୁଲାଇ ଆଣିଲେ । ରୁଡ଼ଲ୍‍ଜ ନବାବିଷ୍କୃତ ଡିଜେଲ ଇଞ୍ଜିନ ପାଇଁ ପେଟେଣ୍ଟ ରାଇଟ୍ ହାସଲ କରିବା ପାଇଁ ଏକ ନକ୍‍ସା ଓ ଦରଖାସ୍ତ ଘେନି ଆସିଥିଲେ । ଅନୁମତି ପାଇବା ଥିଲା ତାଙ୍କର ଆସିବାର ଉଦ୍ଦେଶ୍ୟ । ଗୁଷଭ୍ ବାର୍ଥାଙ୍କ ହାତରୁ ଦରଖାସ୍ତଟି ନେଇ ଏହାକୁ ଭଲଭାବରେ ପରୀକ୍ଷାକରି ଦିନକ ପରେ ଏହା ଉପରେ ମନ୍ତବ୍ୟ ଦେବା ପାଇଁ କହି ରୁଡ଼ଲ୍‍ଫଙ୍କୁ ବିଦା କରିଦେଲେ ।

 

ତହିଁ ପରଦିନ ହୋଏଲନ୍‍ଙ୍କ ଅଫିସରୁ ଡାକରା ଆସିଲା ରୁଡ଼ଲ୍‍ଫଙ୍କୁ ଦେଖାକରିବାପାଇଁ-। ରୁଡ଼ଲ୍‍ଫ ତାଙ୍କ ଅଫିସ୍ କକ୍ଷ ଭିତରକୁ ପଶି ଆସିବା କ୍ଷଣି ଗୃଷ୍ଟଭ କହିଲେ ‘‘ଦେଖନ୍ତୁ ମିଷ୍ଟର ଡିଜେଲ୍‍, ଗତକାଲି ଆପଣ ଦେଇଥିବା ଦରଖାସ୍ତଟି ବେଶ୍ ମନଧ୍ୟାନ ଦେଇ ପଢ଼ିଲି-। ଏଥିରେ ସାମାନ୍ୟ ପରିବର୍ତ୍ତନ କରିବା ଦରକାର ପଡ଼ିଲା । ମୁଁ ଯାହା ପରିବର୍ତ୍ତନ କରିଛି ଦେଖନ୍ତୁ, ଆପଣ ଯଦି ଏଥିରେ ପୂରାପୂରି ସମ୍ମତ, ତେବେ ଆପଣ ପେଟେଣ୍ଟ ରାଇଟ୍ ପାଇଁ ଏ ଦରଖାସ୍ତଟି ପଠାଇ ଦେଇ ପାରନ୍ତି ।’’

 

ଗୁଷ୍ଟଭଙ୍କ ହାତରୁ ଦରଖାସ୍ତଟି ନେଇ ରୁଡ଼ଲ୍‍ଫ ପଢ଼ିଲେ । ଦରଖାସ୍ତରେ ଅଦ୍ଭୁତ ପ୍ରକାର ପରିବର୍ତ୍ତନ । ଏପରିକି ଡିଜେଲ୍ ଇଞିନ ଉଦ୍ଭାବକ ଭାବରେ କେଉଁଠି ତାଙ୍କର ନାମୋଲ୍ଲେଖ ନାହିଁ । ଇଞ୍ଜିନ୍‍ର ନାମ ବଦଳା ଯାଇ ଡିଜେଲ ଇଞ୍ଜିନ ଯାଗାରେ ରଖାଯାଇଛି ତ୍ରୃପସ୍ ଇଞ୍ଜିନ । ଏତେ ବର୍ଷ ଧରି ନିଜର ସର୍ବସ୍ୱ ଦେଇ, ଏପରିକି ନିଜର ଜୀବକୁ ସଂକଟାପନ୍ନ କରି ସେ ଯେଉଁ ଗବେଷଣା କରିଥିଲେ, ତାର ପରିଣତି ଏପରି ହେବ ବୋଲି ସେ କେବେ ଆଶା କରି ନ ଥିଲେ । ସେ ଆଉ ଭାବି ପାରିଲେନି, ତଙ୍କ ମୁଣ୍ଡ ଘୂରାଇ ଗଲାଭଳି ବୋଧ ହେଲା । ସେ ଗୁଷ୍ଟଭଙ୍କ ଅଫିସ୍ କକ୍ଷରୁ କାଗଜଟି ଧରି ବାହାରି ଆସିଲେ ।

 

(ତିନି)

 

ବଡ଼ ମନ କଷ୍ଟରେ ରୁଡ଼ଲ୍‍ଫ ଦିନଗୁଡ଼ାକ କାଟିବାକୁ ଲାଗିଲେ । ପରଲୋକଗତ ବୃଦ୍ଧ କ୍ରୁପ୍‍ସଙ୍କ ଉତ୍ସାହବାଣୀ ତାଙ୍କର ମନେ ପଡ଼ିଗଲା । ବୃଦ୍ଧ କ୍ରୁପ୍‍ସ ଆଜି ଥିଲେ କ’ଣ ସେ ଏଭଳି ଅବସ୍ଥାର ସମ୍ମୁଖୀନ ହୋଇଥାନ୍ତେ ? ପେଟେଣ୍ଟ ରାଇଟ୍ ଦରଖାସ୍ତକୁ ନେଇ ସେ କ’ଣ କରିବେ ଠିକ୍ କରି ପାରିଲେନି । ଗୁଷ୍ଟଭଙ୍କ କଥାରେ ରାଜି ହେଲେ ଉଦ୍ଭାବନର ଗୌରବ ସେ ପାଇପାରୁ ନାହାନ୍ତି-। ଚିରଦିନ ପାଇଁ ଲୋକ ଡିଜେଲ ଇଞ୍ଜିନର ଉଦ୍ଭାବକଙ୍କୁ ଭୁଲିଯିବେ । ବିଜ୍ଞାନର ଇତିହାସେ ରହିଯିବ ଡିଜେଲ ଇଞ୍ଜିନର ଆବିଷ୍କର୍ତ୍ତା କ୍ରୁପସ୍‍ । ବେଳେ ବେଳେ ଭାବୁ ଥାଆନ୍ତି, ଏସବୁ କଥା ବାର୍ଥାଙ୍କୁ ଜଣାଇ ଦେଲେ କ୍ଷତି କଅଣ ? ବାର୍ଥା ତ ସ୍ୱାମୀଙ୍କ କାର୍ଯ୍ୟକୁ ପସନ୍ଦ କରି ନ ପାରନ୍ତି-। ପୁଣି ବେଳେ ବେଳେ ଭାବନ୍ତି, ଯଦି ଏହା ଫଳରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ହୁଏ, ତେବେ ବାର୍ଥାଙ୍କ ଜୀବନରେ ଅଶାନ୍ତି ସୃଷ୍ଟି ହେବ ସିନା । ତାଙ୍କ ଗାର୍ହସ୍ଥ୍ୟ ଜୀବନକୁ ନଷ୍ଟ କରି ସେ କି ଲାଭ ପାଇବେ ? ନା, ସେ ତା କରିପାରିବେନି । ଭାବି ଭାବି ରୁଡ଼ଲ୍‍ଫ ଠିକ୍ କଲେ ତାଙ୍କ ପକ୍ଷରେ ପେଟେଣ୍ଟ ରାଇଟ୍ ହାସଲ ନ କରିବା ହିଁ ଶ୍ରେୟସ୍କର । ସେ ନିଜ ଗବେଷଣା ଛାଡ଼ି ଜର୍ମାନୀ ତ୍ୟାଗ କରି ଅନ୍ୟତ୍ର ଚାଲିଯିବା ଉଚିତ୍ । ତେବେ ଯିବା ପୂର୍ବରୁ ବାର୍ଥାଙ୍କୁ ଦେଖା କରି ବିଦାୟ ନ ନେଲେ ଅନ୍ୟାୟ ହେବ ।

 

ବାର୍ଥାଙ୍କ ଅଫିସ କକ୍ଷ ଭିତରକୁ ପଶି ଆସିଲେ ରୁଡ଼ଲ୍‍ଫ । ତାଙ୍କର ବିମର୍ଷ ବଦନ ଦେଖି ବାର୍ଥା ଅସ୍ଥିର ହୋଇ ପଡ଼ିଲେ । ତାଙ୍କ ପାଖ ଚେୟାରରେ ବସାଇ ନିଜ ଭଲ ମନ୍ଦ କଥା ପଚାରିଲେ-। ରୁଡ଼ଲ୍‍ଫ କ’ଣ ବା କହିବେ ? ବେଳେ ବେଳେ ମନ ହେଉଥାଏ, ସବୁ କଥା ପ୍ରକାଶ କରି ଦିଅନ୍ତେ କି । କିନ୍ତୁ ପର ମୁହୂର୍ତ୍ତରେ ସେ କେତେ କଥା ଭାବି ଅଟକି ଯାଉଥାନ୍ତି । ସେ ଥର ଥର ଗଳାରେ କହିଲେ’’ ମୋର ଗବେଷଣା କାର୍ଯ୍ୟ ଶେଷ ହୋଇ ଯାଇଛି ବାର୍ଥା । ବର୍ତ୍ତମାନ ଜର୍ମାନୀ ତ୍ୟାଗ କରିବାକୁ ଇଚ୍ଛୁକ । କିଛି ଦିନପାଇଁ ଯାଇ ସେଠାରୁ ଫେରି ପାରିସରେ ବସବାସ କରିବା ମୋର ଇଚ୍ଛା ।

 

‘‘ଆଁ, ତୁମେ ଜର୍ମାନୀ ଛାଡିବ ରୁଡ଼ଲ୍‍ଫ ?’’ ବାର୍ଥା ଚମକି ପଡ଼ିଲେ ।

 

‘‘ତୁମର ଏଠି ଗବେଷଣା କ’ଣ ଶେଷ ହୋଇଯାଇଛି ?’’

 

‘‘ହଁ, ମୋର ଗବେଷଣା ପ୍ରାୟ ଶେଷ ହୋଇଯାଇଛି ।’’

 

‘‘ପେଟେଣ୍ଟ ରାଇଟ୍ ଆଦି ସବୁ ଠିକ୍ ଠିକ୍ ହୋଇଯାଇଛି ତ ? ମୋତେ ଯା’ସବୁ ସେଦିନ ଦେଖାଉଥିଲ, ଗୁଷ୍ଟଭ୍ ସେସବୁ ଠିକ୍ ଠିକ୍ କରିଦେଇଛି ବୋଧହୁଏ ।’’

 

ବଡ଼ ଅନିଚ୍ଛାସତ୍ୱେ ହଁ ଭରିଲେ ରୁଡ଼ଲ୍‍ଫ ଭୟ, କାଳେ ଯଦି ସବୁଜଣା ପଡ଼ିଯାଏ, ତେବେ ଗୋଳମାଳ ଉପୁଜିପାରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ।

 

‘‘ଜର୍ମାନୀ ଛାଡ଼ିବା କ’ଣ ତୁମର ଶେଷନିଷ୍ପତ୍ତି ରୁଡ଼ଲ୍‍ଫ ?’’

 

‘‘ହଁ’’ ।

 

‘‘ଡ୍ରୟର ଭିତରୁ ଚେକ୍ ବହିଟିଏ ବାହାରକରି ତା ଉପରେ ବାର୍ଥା କ’ଣ ଲେଖି ନିଜ ଦସ୍ତଖତ କରି ରୁଡ଼ଲ୍‍ଫଙ୍କ ହାତକୁ ବଢ଼ାଇ ଦେଲେ । ବଢ଼ାଇ ଦେଉଁ ଦେଉଁ କହିଲେ, ‘‘ବାପା ଶେଷ ନିଃଶ୍ୱାସ ତ୍ୟାଗ କଲାବେଳେ କହି ଯାଇଥିଲେ ‘‘ଦେଖ ବାର୍ଥ, ରୁଡ଼ଲ୍‍ଫ ଯେଉଁ ଦିନ ତା’ର ଗବେଷଣା ଶେଷ କରିବ, ତା’ର ଗବେଷଣା ଲବ୍ଧ ଉଦ୍ଭାବନକୁ ବ୍ୟବହାର କରି ଏକ କାରଖାନା ବସାଇବା ପାଇଁ ତାକୁ ସାହାଯ୍ୟ ଦେବ । ତେଣୁ ମୋ ସମ୍ପତ୍ତିରୁ ତାଙ୍କୁ ଦଶଲକ୍ଷ ପାଉଣ୍ଡ ମୁଦ୍ରା ଦେବାର ବନ୍ଦୋବସ୍ତ ମୁଁ କରି ଯାଉଛି ।’’ ବାପା ଯେ ସେ କଥା ମୋତେ ଖାଲି କହିଯାଇଥିଲେ ତା ନୁହେଁ, ନିଜେ ଉଇଲରେ ମଧ୍ୟ ଲେଖି ଯାଇଛନ୍ତି । ସେ ଉଇଲ ଅନୁଯାୟୀ ମୁଁ ତୁମକୁ ଏହି ଚେକଟି ପ୍ରଦାନ କରୁଛି ରୁଡ଼ଲ୍‍ଫ । ତୁମେ ନିଜ ଗବେଷଣାଲବ୍‍ଧ ଉଦ୍ଭାବନକୁ ବ୍ୟବହାର କରି ମଣିଷ ସମାଜର ଉପକାର କର, ଏଇଆ ଥିଲା ମୋର ସ୍ୱର୍ଗତଃ ପିତାଙ୍କ ଅନ୍ତିମ ଇଚ୍ଛା । ଏହି ଚେକଟି ସାହାଯ୍ୟରେ ମୋ ପିତାଙ୍କ ଅନ୍ତିମ ଇଚ୍ଛା କାର୍ଯ୍ୟକାରୀ ହେଉ ଏଇଆ ମୋର କାମନା ।

 

ବାର୍ଥା ରୁଡ଼ଲ୍‍ଫଙ୍କୁ ଦଶଲକ୍ଷ ପାଉଣ୍ଡର ଚେକ୍ ଦେଉଥିଲା ବେଳେ ସ୍ୱାମୀ ଗୁଷ୍ଟଭ ହଠାତ୍ ବାର୍ଥାଙ୍କ ଅଫିସ ଭିତରକୁ ପଶି ଆସିଲେ । ସେ ଏସବୁ ଦେଖି ବିରକ୍ତି ସୂଚକ ସ୍ୱରରେ କହିଲେ, ‘‘ବାପାଙ୍କର କୌଣସି ଉଇଲ୍ ନ ଥାଇ ଏତେଗୁଡ଼ାଏ ଟଙ୍କା ଜଣେ ସାଧାରଣ ଲୋକକୁ ଦେଇଦେବା ବିବେକତାର କାର୍ଯ୍ୟ ନୁହେଁ ବାର୍ଥା । ଯେହେତୁ ମୁଁ ଏ ସଂସ୍ଥାର ପରିଚାଳକ, ମୋ ବିନାନୁମତିରେ ଏତେଗୁଡ଼ାଏ ଟଙ୍କା ହସ୍ତାନ୍ତର କରିବା ନିହାତି ଅନ୍ୟାୟ ।’’

 

‘‘ନ୍ୟାୟ, ଅନ୍ୟାୟ ବିଚାର କରିବାର ଯଥେଷ୍ଟ ଶକ୍ତି ମୋର ଅଛି, ଗୁଷ୍ଟଭ୍ । ତୁମେ ଯଦି ଇଚ୍ଛା କରୁଛ, ତେବେ ବାପାଙ୍କ ଉଇଲ ଦେଖିପାର ।’’ ଏତକ କହି ସେ ରୁଡ଼ଲ୍‍ଫଙ୍କ ହାତକୁ ଚେକଟି ବଢ଼ାଇ ଦେଇ ଲୋତକପୂର୍ଣ୍ଣ ନୟନରେ ତାଙ୍କୁ ସେଠାରୁ ବିଦାୟ ଦେଲେ ।

 

(ଚାରି)

 

୧୯୧୩ ମସିହା, ନଭେମ୍ବର ମାସ, ରୁଡ଼ଲ୍‍ଫ ଇଂଲଣ୍ଡ ଭ୍ରମଣ ଉଦ୍ଦେଶ୍ୟରେ ଜର୍ମ୍ମାନୀ ଛାଡ଼ିଲେ । ଏଣ୍ଟୱେର୍ପ–ହାର୍‍ଉଇଚ୍ ବୋଟରେ ଲଣ୍ଡନ ଅଭିମୁଖେ ରାମାନାହେଲେ । ଜର୍ମାନୀର ବହୁ ବନ୍ଧୁ ତାଙ୍କୁ ଲୋତକପୂର୍ଣ୍ଣ ନୟନରେ ଶେଷ ବିଦାୟ ଦେଲେ । ସମସ୍ତଙ୍କ ଦୁଃଖ, ଜର୍ମାନୀର ଏକ ବିଶିଷ୍ଟ ବୈଜ୍ଞାନିକ ଜର୍ମାନୀ ଛାଡ଼ି ଚାଲିଗଲେ ।

 

କିନ୍ତୁ ବିଚିତ୍ର, ଯେତେବେଳେ ଇଂଲଣ୍ଡର ଉପକୂଳରେ ସେହି ବୋଟ୍ ଲାଗିଲା, ସେହି ବୋଟରେ ରୁଡ଼ଲ୍‍ଫ ନ ଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ଆସିଥିବା ଇଂରେଜ ବନ୍ଧୁମାନେ ତାଙ୍କୁ ନ ପାଇ ବଡ଼ ବ୍ୟସ୍ତ ହୋଇପଡ଼ିଲେ । ଡିଜେଲ୍ କେମିତି ବୋଟରୁ ଅନ୍ତର୍ଦ୍ଧାନ ହେଲେ, କେହି କହିପାରିଲେନି । ବହୁଦିନ ଧରି ଡିଜେଲଙ୍କ ଖୋଜା ଚାଲିଲା । ଏହି ଘଟଣାର ଦଶଦିନ ପରେ ତାଙ୍କ ମୃତ ଦେହ ଇଂଲଣ୍ଡର ଉତ୍ତର ସାଗରରେ ଭାସୁଥିବାର ଦେଖାଗଲା । ତାଙ୍କ ଜିନିଷ ପତ୍ର ଭିତରେ ବାର୍ଥାଙ୍କ ଦେଇଥିବା ଦଶଲକ୍ଷ ପାଉଣ୍ଡର ଚେକ୍ ଓ ପେଟେଣ୍ଟ ରାଇଟ୍ ପାଇଁ ଦରଖାସ୍ତଟି ମିଳିଲାନି । କିଏ କହିଲା ରୁଡ଼ଲ୍‍ଫ ଜାହାଜରୁ ଖସିପଡ଼ି ସମୁଦ୍ରରେ ବୁଡ଼ିମଲେ, କିଏ କହିଲା କ୍ରୁପ୍‍ସ ସଂସ୍ଥାର ପରିଚାଳକ ଗୁଷ୍ଟଭଙ୍କ ଲୋକେ ତାଙ୍କୁ ପାଣିରେ ବୁଡ଼ାଇ ମାରିଦେଲେ । ତେବେ ଦଶଲକ୍ଷ ପାଉଣ୍ଡର ଚେକ୍ ଓ ପେଟେଣ୍ଟ ରାଇଟ୍ ପାଇଁ ଦରଖାସ୍ତର ହରଣଚାଳ ସହିତ ରୁଡ଼ଲ୍‍ଫଙ୍କୁ ମୃତ୍ୟୁମୁଖକୁ ଠେଲି ଦେବା ପଛରେ କାହାର ନିଶ୍ଚୟ ଯେ ହୀନ ଚକ୍ରାନ୍ତ ଥିଲା, ଏହା କେହି ଅସ୍ୱୀକାର କରିବେ ନାହିଁ । ଏବେ ବି ଡିଜେଲଙ୍କ ସେହି ମୃତ୍ୟୁଘଟଣା ରହସ୍ୟାବୃତ ହୋଇ ରହିଛି । ନିଜେ ନିଜର ସ୍ୱାର୍ଥ ତ୍ୟାଗକରି ନ ଖାଇ ନ ପିଇ ଦିନରାତି ଗବେଷଣା କରି ବୈଜ୍ଞାନିକମାନେ ଯେଉଁ ବିରାଟ ବିରାଟ ଆବିଷ୍କାର ଓ ଉଦ୍ଭାବନ କରନ୍ତି ବେଳେବେଳେ ତାହା ଏହିଭଳି ଭାବରେ ପୁରସ୍କୃତ ହୁଏ ।

 

(ପାଞ୍ଚ)

 

କହିଲି, ‘‘ରୁଡ଼ଲ୍‍ଫ ଡିଜେଲ ଇଞ୍ଜିନ୍ ଉଦ୍ଭାବନ କରି ଯେଉଁ ଅପୂର୍ବ ପୁରସ୍କାର ପାଇଲେ, ତା’ର ପରିସମାପ୍ତି ହେଲା ଏମିତି ଭାବରେ ମେରିଆ । ଡିଜେଲ ଇଞ୍ଜିନ୍ ବ୍ୟବହାର କରୁଥିବା ଲୋକେ କ’ଣ ଜାଣନ୍ତି ଏହାର ଉଦ୍ଭାବକଙ୍କ ଜୀବନର ଏହି କରୁଣ କାହାଣୀ ? କଥାଟି କହିସାରି ଲକ୍ଷ୍ୟକଲି ମେରିଆର ଚକ୍ଷୁ ଦୁଇଟି ସେତେବେଳକୁ ଛଳଛଳ ହୋଇ ଉଠିଥିଲା । ତାର ସରସତାକୁ ଫେରାଇ ଆଣିବା ପାଇଁ କହିଲି, ‘‘ବଡ଼ ଗରମ ଲାଗିଲାଣି ମେରିଆ, ଚାଲ ପୁଣି ଥରେ ସମୁଦ୍ର ଜଳରେ ଝାସ ଦେବା ।’’

 

ଆମେ ଦୁହେଁ ଉଠିପଡ଼ି ଆଟଲାଣ୍ଟିକ ମହାସାଗରର ସେହି ଶୀତଳ ଜଳରାଶିଆଡ଼େ ହାତ ଧରାଧରି ହୋଇ ଦୌଡ଼ିଲୁଁ ।

 

ଏକ ଆଂଶିକ ସତ୍ୟ ଘଟଣା ଉପରେ ଗଳ୍ପଟି ରଚିତ ।

✽✽✽

 

(ପଞ୍ଚମ ଅଧ୍ୟାୟ)

ଚତୁର୍ଥ ପରିସର

(ଏକ)

 

ନିରାପତ୍ତା ପରିଷଦରେ ଆମେରିକା ବିରୁଦ୍ଧରେ ଋଷିଆ ଓ ଆଉ କେତେକ କମ୍ୟୁନିଷ୍ଟ ରାଷ୍ଟ୍ର ଅଭିଯୋଗ ଆଗତ କରିଥାନ୍ତି ଯେ ଆମେରିକା ମହାକାଶଚାରୀ ଦ୍ୱୟ ଗର୍ଡ଼ନ କୁପର ଓ ଚାର୍ଲସ କନରାଡ଼ ଗତ ୧୯୬୫ ମସିହା ଅଗଷ୍ଟ ମାସ ୨୧ତାରିଖଠାରୁ ଯେମିନୀ ପଞ୍ଚମ ଅଭିଯାନରେ ପୃଥିବୀ ଚାରିପଟେ ଯେଉଁ ପରିନ୍ତ୍ରମା ଆରମ୍ବ କରିଛନ୍ତି, ସେଥିରେ ସେମାନେ ବିଭିନ୍ନ ଦେଶର ସାମରିକ ପ୍ରସ୍ତୁତି ଓ ଶକ୍ତିଶାଳୀତା ସମ୍ବନ୍ଧରେ ମହାକାଶରୁ ଥାଇ ନାନା ଗୁପ୍ତ ତଥ୍ୟ ଓ ଫଟୋ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି । ସେଇ ଅଭିଯୋଗର ଆଲୋଚନା ନେଇ ସେଦିନର ନିରାପତ୍ତା ପରିଷଦ ବେଶ୍ ସରଗରମ ହୋଇ ଉଠିଥାଏ । ମାର୍କିନ ସଭ୍ୟ ଅଭିଯୋଗ ବିରୁଦ୍ଧରେ ଯେତେ ପ୍ରକାର ଯୁକ୍ତି ବାଢ଼ିଲେ ହେ କମ୍ୟୁନିଷ୍ଟ ସଭ୍ୟମାନେ ଗ୍ରହଣ କରିବାକୁ ନାରାଜ । ନୂଆହୋଇ ଆମ ଦେଶନିରାପତ୍ତା ପରିଷଦର ସଭ୍ୟ ହୋଇଥିବାରୁ ଆମେ କେଉଁ ନୀତିଟା ନେବୁଁ, ଆଗରୁ ଠିକ୍ କରିଥିଲେହେଁ ପରିଷଦର ବାଗ୍‍ବିତଣ୍ଡା ଭିତରେ ଆମ ଦେଶର ମତକୁ ଉପସ୍ଥାପିତ କରିବାକୁ ସୁବିଧା ପାଉ ନ ଥାଏ । ପରିଷଦର କେତେକ ସଭ୍ୟ ମାର୍କିନମାନଙ୍କର ଏହି ଜେମିନୀ ଅଭିଯାନ ପ୍ରତି ସନ୍ଦେହ ଦୃଷ୍ଟିର ଦେଖୁଥିବାରୁ ବିଶେଷତଃ ଭିଏଟନାମ ଯୁଦ୍ଧରେ ଉତ୍ତର ଭିଏଟ୍‍ନାମ ତଥା ଭିଏଟ୍‍କଙ୍ଗମାନଙ୍କର ସାମରିକ ପ୍ରସ୍ତୁତିର ଟିକିନିଖି ଖବର ଏହି ଉପଗ୍ରହ ଜରିଆରେ ଆମେରିକା ସଂଗ୍ରହ କରୁଥିବାର ଗୁଜବ ପୃଥିବୀର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିବାରୁ ସଭ୍ୟମାନଙ୍କର ସନ୍ଦେହବେଳକୁ ବେଳ ଘନୀଭୂତ ହେବାରେ ଲାଗିଥାଏ ।

 

ଏହି ସନ୍ଦେହକୁ ଦୂର କରିବାର ଅନ୍ୟ କୌଣସି ଉପାୟ ନ ଦେଖି ମାର୍କିନ ସଭ୍ୟ ପରିଷଦରେ ଏକ ପ୍ରସ୍ତାବ ଦେଲେ ଯେ ନିରାପତ୍ତା ପରିଷଦର ସଭ୍ୟମାନେ ଆମେରିକା ପ୍ରତି ଯଦି ଏତେ ସନ୍ଦେହୀ, ତେବେ ଜେମିନୀ-ପଞ୍ଚମ ମହାକାଶଯାନ ପୃଥିବୀପୃଷ୍ଠକୁ ଅବତରଣ କରିବା ବେଳକୁ ପରିଷଦର ସଭ୍ୟମାନେ ସେମାନଙ୍କ ନିଜ ନିଜ ବିଶେଷଜ୍ଞଙ୍କୁ ନେଇ ଅବତରଣ ସ୍ଥଳରେ ଉପସ୍ଥିତ ହୋଇ ମହାକାଶଯାନଟିକୁ ପରୀକ୍ଷା କରିନେବା ଦରକାର । ସେମାନେ ଯଦି ତା କରିବାକୁ ଇଚ୍ଛା କରନ୍ତି, ମାର୍କିନ ସରକାର ସେ ସୁବିଧା ଦେବାକୁ ପ୍ରସ୍ତୁତ । ଆମେରିକା ସରକାର ନିଜର ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ଏମିତି ଏକ ପ୍ରସ୍ତାବ ଯେ ଦେବେ, କେହି ଆଶା କରି ନ ଥିଲେ। ହେଲେ ଯେତେବେଳେ ଦେଲେଣି, ନିରାପତ୍ତା ପରିଷଦର ସଭ୍ୟମାନେ କେମିତି ଆଟଲାଣ୍ଟିକ ମହାସାଗରରେ ଜେମିନୀ ପଞ୍ଚମର ଅବତରଣ ସ୍ଥଳକୁ ଯିବେ । ପରିଷଦର ସଭ୍ୟମାନଙ୍କୁ ପରୀକ୍ଷା କରିବାରେ ସାହାଯ୍ୟ କରିବା ପାଇଁ ଋଷିଆ, ସୁଇଜେଲାଣ୍ଡ, ସୁଇଡେନ ଓ ଇଂଲଣ୍ଡର କେତେ ଜଣ ଉପଗ୍ରହ ବିଶେଷଜ୍ଞଙ୍କୁ ନିରାପତ୍ତା ପରିଷଦର ଦଳ ସହିତ ମଳିତ ହେବ ପାଇଁ ନିମନ୍ତ୍ରଣ ଚାଲିଗଲା-। ଆହୁରି ଠିକ୍ ହେଲା, ବିଶେଷଜ୍ଞମାନେ କେମିନୀ ପଞ୍ଚମର ମହାକାଶଯାନ ସମୁଦ୍ରରେ ଅବତରଣ କରିବା କ୍ଷଣି ଏହାକୁ ନିରାପତ୍ତାପରିଷଦର ସଭ୍ୟମାନଙ୍କ ସମ୍ମୁଖରେ ପରୀକ୍ଷାକରି ନିଜ ନିଜ ମତାମତ ଦେବେ । ପ୍ରକୃତରେ ଜଣାପଡ଼ିବ, ଆମେରିକା ବିରୁଦ୍ଧରେ ଥିବା ଅଭିଯୋଗ କେତେ ଦୂର ସତ୍ୟ । ତେଣୁ ସେପ୍ଟେମ୍ବର ମାସ ସତେଇଶ ତାରିଖ ବେଳକୁ ଆମ ସମସ୍ତଙ୍କର ଉପଗ୍ରହ ଅବତରଣ ସ୍ଥାନକୁ ଯିବା ଠିକ୍ ହୋଇଗଲା । ଆମ ଯିବାଆସିବାର ପୁରା ଦାୟିତ୍ୱ ବହନ କଲେ ମାକନ ସରକାର ।

 

ମହାକାଶଯାନ ପରୀକ୍ଷା ପରେ ପରେ ଆମେ ସମସ୍ତେ କେପ କେନେଡ଼ି ରକେଟ ଘାଟିକୁ ଫେରଆସିଲୁ । କୁପର ଓ ଜନରାଡ଼ ମହାକାଶଚାରୀ ଦ୍ୱୟଙ୍କୁ କେପ୍ ଜେନେଡ଼ିରେ ଯେଉଁ ସମ୍ୱର୍ଦ୍ଧନା ଦିଆଯିବ, ସେହି ସମ୍ବର୍ଦ୍ଧ ନାସଭାରେ ଆମ ସମସ୍ତଙ୍କୁ ଯୋଗଦେବା ପାଇଁ ମାର୍କିନ ସରକାରଙ୍କ ପକ୍ଷରୁ ବିଶେଷ ଆମତ୍ରଣ ଥାଏ । ତେଣୁ କେପ୍ କେନେଡ଼ିରେ ଦିନଟାଏ ରହିବା ଠିକ୍ ହୋଇଥାଏ ।

 

ଆମ ରହିବା ପାଇଁ ଯୁକ୍ତରାଷ୍ଟ୍ର ସରକାର କେପ୍ କେନେଡ଼ି ନିକଟସ୍ଥ କୋକୋ ବିଚର ଏକ ଅତି ଅଭିଜାତ୍ୟପୂର୍ଣ୍ଣ ହୋଟେଲ ‘ହଲିଡେ ଇନ’ରେ ବନ୍ଦୋବସ୍ତ କରିଥାନ୍ତି । କେପ୍ କେନେଡ଼ିରେ କିଛି ସମୟ ରହିବା ପରେ ଆମେ ସମସ୍ତେ କୋକୋ ବିଚ୍ ହୋଟେଲକୁ ଚାଲିଆସିଲୁ ବିଶ୍ରାମ ନେବା ପାଇଁ । କୋକୋ ବିଚ୍‍ର ପ୍ରାଧାନ୍ୟ କେପ୍ କେନେଡ଼ି ରକେଟ୍ ଘାଟି ପାଇଁ ଆଶତୀତ ଭାବରେ ବଢ଼ିଯାଇ । ସ୍ଥାନଟିର ଶାନ୍ତ ସୁପ୍ତ ବାୟୁମଣ୍ଡଳ, ଆଭିଜାତପୂର୍ଣ୍ଣ ଆବହୱାଓ ସର୍ବୋପରି ସମ୍ମୁଖରେ ଦିଗନ୍ତ ବାସ୍ତାରୀ ଆଟଲାଣ୍ଟିକ ମହାସାଗରର ବିରାଟ ନୀଳ ଜଳରାଶି କୋକୋ ବିଚରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଶତ ଗୁଣିତ କରୁଥାଏ । ନିରାପତ୍ତା ପରିଷଦର ସଭ୍ୟମାନଙ୍କ ପାଇଁ ହୋଟେଲର ଗୋଟିଏ ଗୋଟିଏ ସୁଟ୍ ରିଜର୍ଭ । ସହରଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ହେଉ ବା ଅନ୍ୟ କୌଣସି କାରଣ ପାଇଁ ହେଉ, କୋକୋ ବିଚଟି ମୋତେ ଭାରି ଭଲ ଲାଗୁଥାଏ । ମୁଁ ବେଶ୍‍ ଆରାମରେ ନିଜ କୋଠରୀରେ ବିଶ୍ରାମ ନେଉଛି, ସମ୍ମୁଖସ୍ଥ ଟେଲିଭିଜନରେ ଜନୈକା ମାର୍କିନ ଯୁବତୀ ଏକ ସୁମଧୁର ସଙ୍ଗୀତ ପରିବେଷଣରେ ବ୍ୟସ୍ତ, ହଠାତ୍ କୋଠରୀସ୍ଥ ଟେଲିଫୋନ ବାଜିଉଠିଲା ।

 

ଟେଲିଫୋନ ଧଇଲି, ଅଦୂରବର୍ତ୍ତୀ ମେଲବୋର୍ଣ୍ଣ ସହରରୁ ବନ୍ଧୁ ବବ ମୋତେନିମନ୍ତ୍ରଣ ଜଣାଉଛି ତା ଘରକୁ ବୁଲି ଯିବା ପାଇଁ । ବବ୍ ସହିତ ଆମର ପରିଚୟ ବହୁ ଦିନରୁ । ନିଉୟର୍କରେ ବବ୍ ଥିଲା ଆମର ପ୍ରତିବେଶୀ । ବବ୍‍ର ସ୍ତ୍ରୀ କ୍ଳାରା ସହିତ ମୋ ସ୍ତ୍ରୀଙ୍କର ବେଶ ସଭାବ । ଦୁହେଁ ଦୁହିଁଙ୍କୁ ନ ଦେଖିଲେ ପାଣି ପିଅନ୍ତିନି । ବ୍ୟବସାୟ ଉପଲକ୍ଷେ ବବ୍ ଓ କ୍ଳାରା ଯେଉଁ ଦିନ ନିଉୟର୍କ ଛାଡ଼ି ଫ୍ଳୋରିଡ଼ା ରାଜ୍ୟସ୍ଥ ଏହି ମେଲବୋର୍ଣ୍ଣ ସହରକୁ ଚାଲିଆସନ୍ତି, ସେଦିନ ଆମ ପରିବାରର ଦୁଃଖ କହିଲେ ନ ସରେ ।

 

ବନ୍ଧୁ ବବ୍‍ର ଅନୁରୋଧକୁ ମୁଁ ଯାହା ଏଡ଼ି ଦେଇଥାନ୍ତି ବନ୍ଧୁ ପତ୍ନୀ କ୍ଳାରାଙ୍କର ଅନୁରୋଧକୁ ଏଡ଼ି ଦେବାର ଶକ୍ତି କାହାର ? ଟେଲିଫୋନ ଉପରେ ବନ୍ଧୁଙ୍କର ଆମତ୍ରଣ––ଯାହେଉ ବା ନ ହେଉ ବନ୍ଧୁ ପତ୍ନୀଙ୍କର ତାଗି ଦରେ ମୋତେ ଅଗତ୍ୟା ହିଁ ଭରିବାକୁ ବାଧ୍ୟ କଲା । ସନ୍ଧ୍ୟାବେଳେ କେପକେନେଡ଼ିର ସମ୍ବର୍ଦ୍ଧନା ସଭାରେ ଆମର ଯୋଗଦେବା ନିହାତି ଦରକାର ବୋଲି କହିଲେ ହେଁ କ୍ଳାରା କ’ଣ ସହଜରେ ଛାଡ଼ିବାକୁ ତିଆର ? ତାର ତାଗିଦ୍ ମୁଁ ଯଦି ସଙ୍ଗେ ସଙ୍ଗ ମେଲବୋର୍ଣ୍ଣ ଅଭିମୁଖେ ବାହାରି ପଡ଼େ, ତେବେ ସେ ମୋତେ ନିଜେ ଆଣି ଠିକ୍‍ ସମୟରେ ସମ୍ବର୍ଦ୍ଧନା ସଭାରେ ଛାଡ଼ି ଦେଇଯିବ । କ୍ଳାରାର ଅନୁରୋଧକୁ ମୁଁ ଅନୁରୋଧ ବୋଲି ମନେକରେନି, ମନେକଲେ ସତେ ଯେମିତି ଆଦେଶ । ହଁ ଭରିବା ଛଡ଼ା ଅନ୍ୟ ଉପାୟ ନ ଥିଲା ।

 

ନିରାପତ୍ତା ପରିଷଦର ସଭ୍ୟଭାବରେ ମୋର କେପ୍-କେନେଡ଼ି ଆସିବା କଥା ସ୍ତ୍ରୀ ବୋଧହୁଏ ଫୋନ ଯୋଗେ କ୍ଳାରାକୁ ଜଣାଇ ଦେଇଥାନ୍ତି, ତା ନ ହୋଇଥିଲେ । ମୋ ଏଠାକାର ଖବର ସେ ବା ଜାଣିଥାନ୍ତି କେମିତି ?

 

କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଯନ୍ତ୍ରଚାଳିତବତ୍ ବାହାରି ପଡ଼ିଲି । ମେଲବୋର୍ଣ୍ଣ ସହର କୋକୋ ବିଚଠାରୁ ପ୍ରାୟ ପନ୍ଦର ମାଇଲ ଦୂର । କ୍ଳାରା ଦେଇଥିବା ମେଲବୋର୍ଣ୍ଣ ଠିକ୍‍ଣା ଅନୁସାରେ ଗାଡ଼ି ଧରି ବାହାରିଲି । ପରିଷଦର ଅନ୍ୟ ସଭ୍ୟମାନଙ୍କୁ ଜଣାଇ ଦେଇଗଲି—ମୋ ମେଲବୋର୍ଣ୍ଣ ଯିବା କଥା । ସମ୍ବର୍ଦ୍ଧନା ସଭାବେଳକୁ ମୁଁ ଠିକ୍ ଆସି ପହଞ୍ଚିବାର ପ୍ରତିଶ୍ରୁତି ଦେବାକୁ ଭୁଲିଲିନି ।

 

କୋକୋ ବିଚ୍‍ରୁ ବାହାରି ପେଟିକ୍ ଏୟାର ଫୋର୍ସ ବେଜ ଓ ସେଟିଲାଇଟ ବିଚ୍ ଦେଇ ମେଲବୋର୍ଣ୍ଣ ଅଭିମୁଖେ ୯ନମ୍ବର ହାଇୱେକୁ ଉଠୁଛି, ହଠାତ୍ ଲକ୍ଷ୍ୟକଲି ଗାଡ଼ିରେ ଯଥେଷ୍ଟ ଗ୍ୟାସ ନାହିଁ । ତେଣୁ ଆଗକୁ ଯିବି କଅଣ ନିକବର୍ତ୍ତୀ ଗ୍ୟାସ୍ ଷ୍ଟେସନ ଅଭିମୁଖେ ଆଗେଇଲି । ଗ୍ୟାସଷ୍ଟେସନରେ ଗାଡ଼ି ଥୋଇ ଗ୍ୟାସମେନକୁ ଗ୍ୟାସ ଦେବା ପାଇଁ କହି ଗାଡ଼ି ବନ୍ଦ କଲି । ଏଇ କେତେ ବାଟ ଯିବା ପରେ ମୋତେ କେଜାଣି କାହିଁକି ଭାରି କ୍ଳାନ୍ତ ଲାଗିଲା । ଷ୍ଟିଅରିଂ ଛାଡ଼ି ହାତଗୋଡ଼ ସଳଖି ହେଲି । ଥକ୍‍କାରେ ଆଖି ଯେମିତି ମୁଦି ହୋଇଆସୁଛି ସେହିଭଳି ବୋଧହେଲା-। ମନେ ହେଉଥାଏ, ଆଖି ବନ୍ଦ କରି ସେଠାରେ କିଛି ସମୟ ବିଶ୍ରାମ ନିଅନ୍ତି କି । ଗ୍ୟାସମେନ ଅନ୍ୟ ଦୁଇଟି ଗାଡ଼ିରେ ଗ୍ୟାସ ଦେଇ ମୋ’ଠାକୁ ଆସିବ କହି ଅପେକ୍ଷା କରିବାକୁ ଅନୁରୋଧ କରିଦେଇ ଯାଇଥାଏ । କ୍ଳାନ୍ତିର ପରିମାଣ ଏତେ ବଢ଼ିଚାଲିଥାଏ ଯେ ଆଖି ପତା ମୁଦି ଆସିଲାଭଳି ବୋଧହେଉଥାଏ ।

 

(ଦୁଇ)

 

ଗ୍ୟାସମେନ୍ ଅପେକ୍ଷାରେ ମୁଁ ଗାଡ଼ିରେ ବସିଛି, ହଠାତ୍‍ ନିରାପତ୍ତା ପରିଷଦର ଅନ୍ୟତମ ସଭ୍ୟ ମିଷ୍ଟର ଉଇଲିୟମସ୍‍ନ୍ ମୋତ ଖୋଜି ଖୋଜି ସେଠାରେ ଆସି ପହଞ୍ଚିଗଲେ । ମୋତେ କାରରେ ବସିଥିବା ଦେଖି ପଚାରିଲେ, ‘‘ତୁମେ ବୋଧହୁଏ ମେଲବୋର୍ଣ୍ଣରୁ ଫେରିନାହଁ ?’’

 

ମୁଣ୍ଡ ହଲାଇ ମନାକଲି । ‘‘ମୁଁ ତ ଯିବା ବାଟରେ, ଫେରୁଛି କେତେବେଳେ ?’’

 

‘‘ବୋଧହୁଏ ଆଉ ଯିବା ଦରକାର ପଡ଼ିବିନ ।’’

 

ଏତକ କହି ମୋ ହତକୁ ଏକ ଜରୁରୀ ତାରବାର୍ତ୍ତା ବଢ଼ାଇ ଦେଲେ । ଖୋଲି ଦେଖିଲି, ସେଥିରେ ଜାତିସଂଘ ସେକ୍ରେଟାରୀ ଜେନେରାଲଙ୍କ ଅନୁରୋଧ, ସଙ୍ଗେ ସଙ୍ଗେ ନିଉୟର୍କକୁ ଫେରିଯିବା ପାଇଁ । ନିରାପତ୍ତାପରିଷଦର ଅନ୍ୟାନ୍ୟ ସଭ୍ୟମାନେ କୋକୋ ବିଚରୁ ସିଧାସଳଖ ନିଉୟର୍କ ଅଭିମୁଖେ ଏକ ଜରୁରୀ ଉଡ଼ାଜାହାଜରେ ଯାଇ ସାରିଲେଣ । ମୁଁ ଆଉ ଉଇଲିୟମସ୍‍ନଙ୍କ ପାଇଁ ନିକଟସ୍ଥ ନିଉଗେଲି ଏୟାର ବସରେ ଏକ ବିଶେଷ ଉଡ଼ାଜାହାଜ ଅପେକ୍ଷା କରୁଛି, ଆମକୁ ନିଉୟର୍କ ଘେନିଯିବା ପାଇଁ । ତେଣୁ କାଳ ବିଳମ୍ବ ନକରି ମେଲବୋର୍ଣ୍ଣ ଆଉ ଯିବି କଣ ନିଉଗେଲି ଏୟାର ପୋର୍ଟ ଅଭିମୁଖେ ଆଗେଇଲୁ । ସେକ୍ରେଟାରୀ ଜେନାରାଲଙ୍କ ନିର୍ଦ୍ଦେଶ ଯେ ଯେଉଁଠି ଥାଆନ୍ତୁ ପଛକେ ଖବର ପାଇଲାକ୍ଷଣି ସେହି ଅବସ୍ଥାରେ ଯେମିତି ନିଉୟର୍କ ଚାଲିଆସନ୍ତି । ଉଡ଼ାଜାହାଦ ଘାଟିଠାରେ ପହଞ୍ଚିଲା ବେଳକୁ ଆମକୁ ନିଉୟର୍କ ନେବା ପାଇଁ ଏକ ଛୋଟ ଜେଟ୍ ବିମାନ ଅପେକ୍ଷା କରିଥାଏ । ସଙ୍ଗେ ସଙ୍ଗେ ଉଡ଼ାଜାହାଜରେ ବସିଲୁ । ବନ୍ଧୁପତ୍ନୀ କ୍ଳାରାଙ୍କୁ ଏତକ ବି ଜଣାଇଦେବାକୁ ସମୟ ପାଇଲିନି ।

 

ନିଉୟର୍କର କେପ କେନେଡ଼ି ଆନ୍ତର୍ଜାତୀୟ ଉଡ଼ାଜାହାଜ ଘାଟିରେ ଓହ୍ଲାଇ ସିଧାସଳଖ ଚାଲିଲ ଜାତିସଙ୍ଘ ଅଫିସ ଅଭିମୁଖେ । ଅଫିସରେ ପହଞ୍ଚିଲାବେଳକୁ ନିରାପତ୍ତା ପରିଷଦର ଅନ୍ୟମାନେ ପହଞ୍ଚିଗଲେଣି । ସେମାନଙ୍କ ପହଞ୍ଚିବା ପରେ ପରେ ପରିଷଦର ଅଧିବେଶନ ଆରମ୍ବ ହେବା କଥା । ଆମେ ଦୁହେଁ ପଶିଯାଇ ଆମ ସିଟରେ ବସିଛୁ କି ନାହିଁ ଅଧିବେଶନ କାର୍ଯ୍ୟ ଆରମ୍ବ ହେଲା । ଲକ୍ଷ୍ୟ କଲି, କଣ ଏକ ବିପଦ ଆଶଙ୍କାରେ ପରିଷଦର ସଭ୍ୟମାନଙ୍କ ମୁହଁ ଶୁଖି କଳାକାଠ ପଡ଼ିଯାଇଛି । ଯୁକ୍ତରାଷ୍ଟ୍ର ସରକାରଙ୍କ ଯୁଦ୍ଧବିଭାଗ ତରଫରୁ ଏକ ଖବର ଜାତିସଙ୍ଘ ଅଫିସରେ ଆସି ପହଞ୍ଚିଥାଏ । ଖବରଟି ପୃଥିବୀ ବାହାରର ଏମିତି ଏକ ଅଜଣା ସ୍ଥାନରୁ ଆସିଥାଏ ଯେ ଏହା କେଉଁଠୁ ଆସିଛି ତାହାର କେହି ପତ୍ତା ପାଇପାରୁ ନ ଥାନ୍ତି । ମାର୍କିନ ସାମରିକ ବିଭାଗର ବେତାର ଯନ୍ତ୍ର ସମ୍ବାଦ ସଂଗ୍ରହ କଲାବେଳେ ଏହି ବାର୍ତ୍ତାଟି ଇଂରେଜୀ ଭାଷାରେ । ମାର୍କିନ ସାମରିକ ସଂସ୍ଥାର ପୃଥିବୀ ବାହାରର ଖବର ସଂଗ୍ରହ କରିବା ପାଇଁ ଯେଉଁ ବିରାଟ ଶକ୍ତିଶାଳୀ ଯନ୍ତ୍ର କାଲିଫର୍ଣ୍ଣିଆର ଜନମାନବଶୂନ୍ୟ ମରୁଭୂମିର ଏକ ଗୁପ୍ତ ସ୍ଥାନରେ ବସିଛି, ସେହି ଯନ୍ତ୍ର ଏହି ବାର୍ତ୍ତକୁ ସଂଗ୍ରହ କରିଥାଏ । ଖବର ସଂଗ୍ରହକାରୀ ଯନ୍ତ୍ରରୁ ଆହୁରି ଜଣାପଡ଼ିଥାଏ ଯେ ଏହି ବାର୍ତ୍ତା ସଂଗୃହୀତ ହୋଇଥିଲା ପାଞ୍ଚଘଣ୍ଟା ତଳେ ପୃଥିବୀପୃଷ୍ଠରୁ ମାତ୍ର ଅଢ଼େଇଶହ କୋଟି ମାଇଲ ଦୂରରୁ । ବାର୍ତ୍ତାଟି ପଢ଼ି ସେକ୍ରେଟେରୀ ଜେନେରାଲ ଆମ ସମସ୍ତଙ୍କୁ ଶୁଣାଇଦେଲେ ।

 

‘ବନ୍ଧୁ ପୃଥିବୀବାସୀଗଣ ।’

 

ଆମେ ହେଉଛୁ ଛାୟାପଥ ନିହାରିକାର ଶେଷ ମୁଣ୍ଡରେ ଥିବା XZE–୫୦୧ ଗ୍ରହର ଅଧିବାସୀଗଣ । ଆପଣମାନେ ଯେଉଁ ବିଶ୍ୱଅଂଶର ଅଧିବାସୀ, ଆମେ ଠିକ୍‍ ସେଇ ବିଶ୍ୱ ଅଂଶର ଅଧିବାସୀ; ତେଣୁ ଆମେ ଆପଣମାନଙ୍କୁ ଆମ ଭାଇ ବୋଲି ଭାବୁଛି । ଆମ ଗ୍ରହରେ ଏକ ବିରାଟ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଆମେ ଆପଣମାନଙ୍କର ସାହାଯ୍ୟ ଓ ସହାନୁଭୂତି ଲୋଡ଼ୁଛୁ । ଖାଲି ସାହାଯ୍ୟ ନୁହେଁ, ଆପଣମାନଙ୍କର ଏକ ବିରାଟ ତ୍ୟାଗକୁ ଭିକ୍ଷା କରୁଛୁ ମଧ୍ୟ । ଆମ ଗ୍ରହର ଏକ ରାଷ୍ଟ୍ରଦୂତ ଆପଣମାନଙ୍କ ଗ୍ରହକୁ ଯାଉଛି । ଏହି ବାର୍ତ୍ତା ପହଞ୍ଚିବାର ପ୍ରାୟ ସାତ ଘଣ୍ଟା ପରେ ସେ ଆପଣମାନଙ୍କ ବିଶ୍ୱରାଜଧାନୀରେ ପହଞ୍ଚିବ ବୋଲି ଆଶା । ତେଣୁ ଆମେ ପୃଥିବୀ ଉଦ୍ଦେଶ୍ୟରେ ଏହି ବେତାର ଖବର ପଠାଉଛୁ, ଆଶା ଆପଣମାନେ ଆମ ରାଷ୍ଟ୍ରଦୂତଠାରୁ ସମସ୍ତ ଖବର ବୁଝି ଆମକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ । ଗୋଟିଏ ବିଶ୍ୱଅଂଶର ଅଧିବାସୀ ବୋଲି ଆମେ ଆପଣମାନଙ୍କଠାରୁ ସେଇ ସାହାଯ୍ୟ ଟିକକ ପାଇବୁ ବୋଲି ଆଶା ‘ବାନ୍ଧି ବସିଛୁ ।’

 

‘‘ବଡ଼ ଅଦ୍ଭୁତ କଥା । ବାର୍ତ୍ତାଟି ଆସିଛି ସୁଦୂର ମହାଶୂନ୍ୟ ଭିତରୁ, ପୃଥିବୀପୃଷ୍ଠଠାରୁ ଅଢ଼େଇଶହ କୋଟି ମାଇଲ ଦୂରରୁ । ପୁଣି ଇଂରାଜୀ ଭାଷାରେ ।’’ ମୁଁ ସେଇ କଥା ବସି ଭାବୁଛି ସେକ୍ରେଟେରୀ ଜେନେରାଲ କହିଲେ, ଆଉ ଠିକ୍‍ ଏକ ଘଣ୍ଟା ୧୫ ମିନିଟ୍‍ ପରେ ସେମାନଙ୍କ ରାଷ୍ଟ୍ରଦୂତ ଅବତରଣ କରିବ ସଶରୀରରେ ଏହି ପୃଥିବୀରେ । ଜାତିସଙ୍ଘର ନିରାପତ୍ତାବାହିନୀକୁ ଆଦେଶ ଦିଆଯାଇଥାଏ, କୌଣସି ନବାଗତ ଯଦି ଜାତିସଙ୍ଘ ଅଫିସ ଅଭିମୁଖେ ଆସେ, ତେବେ ତାକୁ ସସମ୍ମାନ ଅଫିସ ଭିତରକୁ ନେଇ ଆସିବା ପାଇଁ । ରାତ୍ରି ଏଗାରଟା ୪୬ମିନିଟ୍‍ ରେ ରାଷ୍ଟ୍ରଦୂତ ନିରାପତ୍ତା ପରିଷଦରେ ପହଞ୍ଚିବାର କଥା । ଆମେମାନେ ସମସ୍ତେ ତଟସ୍ଥ ହୋଇ ରାଷ୍ଟ୍ରଦୂତର ଆଗମନକୁ ଅପେକ୍ଷା କରି ବସିଥାଉଁ । ସମସ୍ତଙ୍କ ମନ ଏକ ଅଜଣା ଆଶଙ୍କାରେ ଉଦବେଳିତ ହେଉଥାଏ । ଏତେ ଦୂରରୁ ଏକ ଦୂତ ଏମିତି କି ଖବର ନେଇ ଆସୁଛି ଯା ପାଇଁ କି ସମସ୍ତେ ଏତେ ଉଦବିଘ୍ନ । ଭଲ କି ମନ୍ଦ ଖବର କିଛି ଭାବିପାରୁ ନ ଥାଉଁ । ଲକ୍ଷ୍ୟକଲି ସମସ୍ତଙ୍କ ମୁହଁ ଏଖ ଅଜଣା ଭୟରେ କଳାକାଠ ପଡ଼ିଗଲାଣି । ମାର୍ଜିନ, ରୁଷୀୟ, ବ୍ରିଟିଶ, ଫରାସୀ ସବୁ ରାଷ୍ଟ୍ରର ପ୍ରତିନିଧିଙ୍କ ଅବସ୍ଥା ଏକ । ସମସ୍ତେ ନିଜ ନିଜ ଘଣ୍ଟାକୁ ବାରମ୍ବାର ଅନାଇଁ ସମୟ କେତେ ଜାଣୁଥାନ୍ତି । ଯୁକ୍ତରାଷ୍ଟ୍ର ସାମରିକ ବିଭାଗ ସାରାନିଉୟର୍କ ତଥା ଜାତିସଙ୍ଘ ଅଫିସ ଆଦିକୁ ଘେରାଉକରି ରାଷ୍ଟ୍ରଦୂତର ଅବତରଣ ସମୟକୁ ଅପେକ୍ଷା କରିଥାଆନ୍ତି । ଜାତିସଙ୍ଘ ନିରାପତ୍ତା ପରିଷଦ କକ୍ଷରେ କ’ଣ ଘଟିବ ମାର୍କିନ୍ ଯୁଦ୍ଧବିଭାଗର ଅଫିସରମାନଙ୍କ ଭିତରେ ଥରକୁ ଥର ଆଲୋଚନାରେ ଚାଲିଛି-। ସାମରିକ ବିଭାଗର ଦୂରବୀକ୍ଷଣ ଯନ୍ତ୍ର ଆକାଶକୁ ତନ୍ନ ତନ୍ନ କରି ପରୀକ୍ଷା କରିବାରେ ଲାଗିଛି-। ନିର୍ଦ୍ଧାରିତ ସମୟ ୫ ମିନିଟ୍ ବାକି । ହଠାତ୍ ଅଦୂରବର୍ତ୍ତୀ ବେତାର ଦୂରବୀକ୍ଷଣ ଯନ୍ତ୍ର କେନ୍ଦ୍ରରୁ ନିରାପତ୍ତା ପରିଷଦକୁ ଖବର ଆସିଲା, ଦୂର ମହାଶୂନ୍ୟ ଭିତରୁ ଗୋଟିଏ ମହାଶୂନ୍ୟଯାନ ପୃଥିବୀ ଅଭିମୁଖରେ ଆସୁଛି । ଏହି ଖବର ନିରାପତ୍ତା ପରିଷଦରେ ପ୍ରଚାରିତ ହେବାକ୍ଷଣି ସଭ୍ୟମାନେ ଆହୁରି ଉତ୍ସୁକ ହୋଇ ଅନାଇ ବସିଲେ । ପରିଷଦର ସଦସ୍ୟମାନେ ଯେତିକି ଉତ୍ସୁକ ହେଉଥାନ୍ତି, ତାଠାରୁ ଅଧିକ ହେଉଥାନ୍ତି ନିରାପତ୍ତା ବାହିନୀର କର୍ମକର୍ତ୍ତାମାନେ ।

 

ଚାହୁଁ ଚାହୁଁ ମହାକାଶଯାନ ପାଖେଇ ଆସିଲା । ମାର୍କିନ୍‍ ଯୁଦ୍ଧବିଭାଗ ବେଶ୍ ତତ୍ପର ହୋଇ ଆକାଶ ଆଡ଼େ ଅନାଇ ରହିଥାନ୍ତି । ଗୋଟିଏ ସାଧାରଣ ରକେଟ୍ ଆକାରର ଯାନ ଆକାଶରୁ ଧୀରେ ଧୀରେ ମୁହାଁଇଲା ଜାତିସଂଘ ଅଫିସ୍ ଆଡ଼କୁ । ସମସ୍ତେ ଆଶା କରିଥାଆନ୍ତି ଯାନଟି ଜାତିସଂଘ ଅଫିସ୍ ସମ୍ମୁଖ ଉଦ୍ୟାନରେ ଅବତରଣ କରିବ । କିନ୍ତୁ ଏହା ଉଦ୍ୟାନରେ ଅବତରଣ କରିବା ପରିବର୍ତ୍ତରେ ନିରାପତ୍ତା ପରିଷଦର ପ୍ରାସାଦ ଆଡ଼କୁ ଆଗେଇଲା । ସାମରିକ ବାହିନୀର ଅଫିସରମାନେ ଭାବୁଥିଲେ ବୋଧହୁଏ ନିରାପତ୍ତା ପରିଷଦର ଛାତକୁ ଭେଦ କରି ଭିତରକୁ ପଶି ଆସିଲା । ମହାଶୂନ୍ୟ ଯାନଟି କେମିତି ଭିତରକୁ ପଶିଲା, କେହି ଧାରଣା କରିପାରିଲେ ନାହିଁ । କରିବ ବା କିଏ ? ଏହା ସିଧା ସଳଖ ଆସି ଅବତରଣ କଲା ନିରାପତ୍ତା ପରିଷଦ କକ୍ଷ ଭିତରେ ହଠାତ ଏକ ଆକାଶଯାନ କକ୍ଷ ଭିତରକୁ କେମିତି ଆସିଲା ସମସ୍ତେ ଦେଖି ତାଟଙ୍ଗା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଏହା କଣ ସତେ ଛାତ ଦେଇ ତଳକୁ ଆସିଲା ? ଛାତର କେଉଁଠାରେ କିଛି କଣା ହେବାର ତ ଦେଖାନାହିଁ । ଏ ଆସିଲା କେମିତି ? ମହାଶୂନ୍ୟ ଯାନଟି ଆକାଶରୁ ସିଧାସଳଖ ପଶିଆସିଲା ସତେ ଯେମିତି ଗୋଟିଏ ବିରାଟ ଅଦୃଶ୍ୟ ରହିଛି ଛାତରେ । ତା ନ ହୋଇଥିଲେ ଏତେ ସହଜରେ ଯାନଟି ପରିଷଦ କକ୍ଷ ଭିତରକୁ ପଶି ଅସିଥାନ୍ତା କେମିତି ?

 

ଯାନଟିର ପ୍ରବେଶରେ ସଭ୍ୟମାନେ ଏତେ ଆଶ୍ଚର୍ଯ୍ୟାନିତ ହୋଇ ପଡ଼ିଥାନ୍ତି ଯେ ଏହା ସତ କି ସ୍ୱପ୍ନ ଠିକ୍ କରିବା ସେମାନଙ୍କ ପକ୍ଷରେ ଦୁରୂହ ହୋଇ ପଡ଼ିଥାଏ । ତେବେ ଏହା ପରେ କଣ ଘଟିବ, ସେଇଆ ଲକ୍ଷ୍ୟ କରିବା ପାଇଁ ସମସ୍ତେ ଯାନଟି ଆଡ଼େ ଉତ୍ସୁକ ହୋଇ ଅନାଇ ରହିଥାନ୍ତି ।

 

ମହାକାଶ ଯାନଟି ଚଟାଣ ଉପରେ କିଛି ସମୟ ରହିବ ପରେ ତା ଭିତରୁ ମଣିଷ ଭଳି ଏକ ପ୍ରକାର ଅଦ୍ଭୁତ ଜୀବ ଦୁଆର ଆଦି କିଛି ନ ଖୋଲି ସେମିତି ବାହାରି ଆସିଲା । ସତେ ଯେମିତି ତିନି ପରିସର ବିଶିଷ୍ଟ ଯାନଟି ଜୀବଟିକୁ ଆବଦ୍ଧ କରିବାକୁ ଯଥେଷ୍ଟ ନୁହେଁ ।

 

ଜୀବଟି ବାହାରି ଆସି ନିରାପତ୍ତା ପରିଷଦର ସଭାପତିଙ୍କ ଆସନ ଆଡ଼କୁ ଅଗ୍ରସର ହେଲା । ଜୀବଟିର ଗୋଟା ସାରା ଦେହ ପୂରାପୂରି ଆଚ୍ଛାଦିତ । ମଣିଷର ଆକାର ଭଳି ଦିଶୁଥିଲେ ହେଁ ଜୀବଟି ମଣିଷ କି ନୁହେଁ କହିବା କଷ୍ଟକର ।

 

ଯାନଟି କକ୍ଷ ଭିତରେ ପହଞ୍ଚିବା କ୍ଷଣି ନିରାପତ୍ତା ବାହିନୀର ଅଫିସରମାନେ ନିରାପତ୍ତା ପରିଷଦ କକ୍ଷ ଭିତରକୁ ପଶି ଆଶିଲେ । ସମସ୍ତଙ୍କ ମନରେ ଭୟର ତୀବ୍ର ଆଶଙ୍କା । କଣ ଘଟିବ, କେହି କିଛି ଭାବିପାରୁ ନ ଥାନ୍ତି ।

ଜୀବଟି ଧୀରେ ଧୀରେ ଚେୟାରମେନଙ୍କ ଟେବୁଲ ଆଡ଼କୁ ଆଗେଇଲା ।

ଟେବୁଲ ପାଖରେ ପହଞ୍ଚି ଏକ ଲଫାଫରେ ଥିବା ଚିଠିଟିଏ ଆଣି ଚେୟାରମ୍ୟାନଙ୍କ ଟେବୁଲ ଉପରେ ଥୋଇଦେଇ ଶାନ୍ତଶିଷ୍ଟ ମଣିଷ ଭଳି ଟେବୁଲ ପାଖରୁ ଟିକିଏ ଦୂରେଇ ଯାଇ ଠିଆହେଲା । ନିରାପତ୍ତା ପରିଷଦର ଚେୟାରମ୍ୟାନ କି ଜାତିସଂଘ ସେକ୍ରେଟେରୀ ଜେନେରାଲ ସାହସ କରି ଚିଠିଟିକୁ ଧରୁ ନ ଥାନ୍ତି । ଜଣା ପଡ଼ୁଥାଏ ସମସ୍ତେ ଯେମିତି ଭୟରେ ଜୁଡ଼ୁସୁଡ଼ୁ । କଣ କରିବାକୁ ହେବ, କାହାରିକୁ ଯେମିତି ଜଣାନାହିଁ । କିଛି ସମୟ ଅପେକ୍ଷା କରିବା ପରେ ପରିଷଦର ଚେୟାରମେନ୍ ଧୀରେ ଧୀରେ ହାତ ବଢ଼ାଇ ଚିଠିଟିକୁ ଧରିଲେ । ତାଙ୍କ ହାତ ବେଶ୍ ଜୋରରେ କମ୍ପିଲା ଭଳି ଜଣ ପଡ଼ୁଥାଏ । ଚିଠିଟିକୁ ଚିରି ଖୋଲିବା ପାଇଁ ବାହାରିଛନ୍ତି ହଠାତ୍ ରାଷ୍ଟ୍ରଦୂତ ଚେୟାରମେନଙ୍କ ହାତରୁ ଜଉମୁଁଦ ଲଫାପାଟି ଛଡ଼ାଇ ନେଇ ଚିଠିଟିକୁ ନ ଚିରି ଭିତରର ଚିଠିଟି ବାହାର କରି ଚେୟାରମେନ୍‍ଙ୍କ ହାତକୁ ବଢ଼େଇ ଦେଲା । ଏହା ଦେଖି ଚେଏୟାରମେନ ତାଟଙ୍ଗା । ଚେୟାରମେନ୍ ତା ହାତରୁ ଚିଠିଟି ନେଇ ପଢ଼ିବେ କି କଣ ଭାବି ପାରିଲେ ନାହିଁ । ଭୟର ମାତ୍ରା ତାଙ୍କର ଏତେ ବଢ଼ି ଯାଇଥାଏ ଯେ କ’ଣ ପରେ କ’ଣ କରିବାକୁ ହେବ ସେ ଠିକ୍ କରି ପାରୁ ନ ଥାନ୍ତି । ଚିଠିଟିରେ କଣ ଲେଖା ହୋଇଛି ତାଙ୍କ ପ୍ରଥମେ କିଛି ଦିଶିଲାନି । କିଛି ସମୟ ପରେ ସେ ଯେତେବେଳେ ପ୍ରକୃତିସ୍ଥ ହେଲେ ଦେଖିଲେ ‘ଚିଠିଟି ଇଂରାଜୀରେ ଲେଖା । ଚିଠିଟି ପଢ଼ିସାରି ସେକ୍ରେଟେରୀ ଜେନେରାଲଙ୍କ ହାତକୁ ବଢ଼ାଇ ଦେଲେ । ସେ କିଛି ସମୟ ପଢ଼ି ଚିଠିଟିକୁ ପୁଣି ଦେବାପାଇଁ । ଚେୟାରମେନ୍ ପଢ଼ି ଶୁଣାଇଲେ ।

‘‘ପୃଥିବୀର ଭାଇ ଓ ଭଉଣୀମାନେ !’’

 

ଆମେ ହେଉଛୁଁ ଆପଣଙ୍କଠାରୁ ଏକ ଲକ୍ଷ କୋଡ଼ିଏ ହଜାର ଆଲୋକ ବର୍ଷ ଦୂରରେ ଥିବା ଗୋଟିଏ ଗ୍ରହର ଅଧିବାସୀ । ଆପଣମାନେ ଯେଉଁ ଛାୟାପଥନିହାରିକର ଅଧିବାସୀ, ଆମେ ସେହି ନିହାରିକାରେ ବସବାସ କରୁଚୁ । ତେଣୁ ଆପଣମାନଙ୍କୁ ଭାଇ ସମ୍ବୋଧନ କରିବାଛଡ଼ା ଅନ୍ୟ କିଛି କରି ପାରୁନୁ । ଆମ ଗ୍ରହରେ ଏକ ବିରାଟ ସମସ୍ୟାର ସମାଧାନ କରିବାପାଇଁ ଆମେ ଯେଉଁ ପନ୍ଥା ବାହାର କରିଛୁଁ, ସେଥିରେ ଆପଣମାନେ ସମ୍ପୃକ୍ତ ହୋଇ ପଡ଼ୁଛନ୍ତି । ତେଣୁ ଆପଣମାନଙ୍କ ସହଯୋଗ ଛଡ଼ା ଆମେ ଏ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ କରିବାକୁ ଇଚ୍ଛା କରୁନୁ ।

 

ଆପଣମାନେ ବୋଧହୁଏ ଜାଣିନାହାନ୍ତି, ଆମ ଗ୍ରହ ହେଉଛି ନକ୍ଷତ୍ର Z—246C ର ଏକମାତ୍ର ଗ୍ରହ । ଆମ ଗ୍ରହରେ ଆପଣମାନଙ୍କର ଋତୁ ବିଭାଗ ଭଳି ଋତୁ ବିଭାଗ କିଛି ବର୍ଷ ତଳେ ଥିଲା, ତାହା ଧୀରେ ଧୀରେ ବଦଳି ବର୍ତ୍ତମାନ ପୂରାପୂରି ଗ୍ରୀଷ୍ମ ମଣ୍ଡଳୀୟ ଅବସ୍ଥାକୁ ଚାଲି ଆସିଛି । ଆମ ନକ୍ଷତ୍ର ଅବସ୍ଥାନର ଏକ ଅପୂର୍ବ ପରିବର୍ତ୍ତନରେ ଆମର ଏ ଦଶା ଘଟିଛି । ଆମେ ନାନା ଗବେଷଣାରୁ ଅବଗତ ହୋଇଛୁ ଯେ ଆମ ସୂର୍ଯ୍ୟକୁ ଯଦି ଏହାର ପୂର୍ବାବସ୍ଥାକୁ ଫେରାଇ ନ ନେଉ, ତବେ ଆମର ପୂର୍ବ ଋତୁଗୁଡ଼ିକୁ ଫେରାଇ ଆଣିବା ସମ୍ଭବପର ନୁହେଁ । ସାରାଗ୍ରହରେ ବର୍ଷ ସାରା ଗ୍ରୀଷ୍ମ ମଣ୍ଡଳୀୟ ଋତୁ ହେତୁ ଲୋକମାନେ କଷ୍ଟରେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଆମେ ଆମର ପୂର୍ବ ଋତୁଗୁଡ଼ିକୁ ଫେରାଇ ଆଣିବାକୁ ଇଛୁକ ।

 

ଆମେ ନାନାଦି ଗବେଷଣା କରି ଦେଖିଛୁ ଯେ ଆପଣମାନଙ୍କ ସୂର୍ଯ୍ୟର ଆକର୍ଷଣ ପ୍ରଭାବ ଯୋଗୁଁ ଆମ ସୂର୍ଯ୍ୟର ଏ ଅପୂର୍ବ ପରିବର୍ତ୍ତନ ଘଟିଛି । ଆମ ସୂର୍ଯ୍ୟକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ହେଲେ ଆପଣମାନଙ୍କ ସୂର୍ଯ୍ୟକୁ ନଷ୍ଟ କରିଦେଉଁ, ତେବେ ଆପଣମାନଙ୍କ ଦଶା କଣ ହେବ, ତାହା ମଧ୍ୟ ଆମ୍ଭେମାନେ ଅନୁଧ୍ୟାନ କରି ଦେଖିଛୁ । ତେବେ ଆମର ସିଦ୍ଧାନ୍ତ ହେଉଛି, ଆମେ ଆପଣମାନଙ୍କ ସୂର୍ଯ୍ୟକୁ ପୂରାପୂରି ଧ୍ୱଂସ କରି ଆମ ସୂର୍ଯ୍ୟକୁ ପୂର୍ବାବସ୍ଥାକୁ ଫେରାଇ ଆଣିବୁ; ତାପରେ ଆପଣମାନଙ୍କ ପୃଥିବୀକୁ ଆମେ ଘେନି ଆସି ଆମ ସୌରଜଗତର ଏକ ଗ୍ରହ ଭାବରେ ଅବସ୍ଥାନ କରାଇ ଦେବୁ ଆପଣମାନଙ୍କ ସୌରଜଗତର ଅନ୍ୟାନ୍ୟ ଗ୍ରହଗୁଡ଼ିକୁ ମଧ୍ୟ ଆମେ ସେହିଭଳି ଭାବରେ ନେଇ ଆସି ଆମ ସୌରଜଗତରେ ଅବସ୍ଥାନ କରାଇଦେବୁ ବୋଲି ଭାବିଛୁ । ଆପଣମାନେ ଆଉ ଆପଣମାନଙ୍କ ସୂର୍ଯ୍ୟ ଚାରିପାଖରେ ନ ଘୂରି ଆମ ସୂର୍ଯ୍ୟ ଚାରିପାଖରେ ଘୂରି ବୁଲିବେ । ଏହା ଦ୍ୱାରା ଆପଣମାନଙ୍କ କକ୍ଷରେ କିଞ୍ଚିତ ପରିବର୍ତ୍ତନ ହେବ ସମ୍ଭବପର; ଫଳରେ ଆପଣମାନଙ୍କ ଋତୁର କିଛି ପରିବର୍ତ୍ତନ ହେବାର ଆଶଙ୍କା । କିନ୍ତୁ ଆମେ ସମସ୍ତ ପ୍ରକାର ଚେଷ୍ଟା କରିବୁଁ ଯେମିତି ଆପଣମାନଙ୍କ ଋତୁରେ ବିଶେଷ କିଛ ପରିବର୍ତ୍ତନ ନ ହୁଏ । କିନ୍ତୁ ଆମେ ଏହି ବିରାଟ କାର୍ଯ୍ୟଟି ସାଧନ କରି ନ ସରିଲା ପର୍ଯ୍ୟନ୍ତ ଆପଣମାନଙ୍କ ଋତୁର ଅବସ୍ଥା କଣ ହେବ, ଠିକ୍ କରି କହିପାରୁନୁ । ଗଣନାରୁ ଯାହା ଦେଖାଯାଉଛି, ହୁଏତ ଆପଣମାନଙ୍କ ଋତୁ ଯେମିତି ଅଛି ସେମିତି ରହିବ;ନଚେତ୍ ବର୍ଷରେ ଦୁଇ ଥର ଗ୍ରୀଷ୍ମ ଋତୁ, ଦୁଇ ଥର ଶୀତଋତୁ, ଦୁଇ ଥର ବସନ୍ତ ଓ ଦୁଇଥର ହେମନ୍ତ ଆସିବ । ତେବେ ଏତିକି ଆମେନିର୍ଭର ଦେଇ ଆପଣମାନଙ୍କୁ କହିପାରୁ ଯେ ଆମ ଗ୍ରହ ଭଳି ଆପଣମାନଙ୍କର ଋତୁର ଅବସାନ ଘଟିବ ନାହିଁ । କ୍ଷମା କରିବେ ଆମ୍ଭେମାନେ ଅତ୍ୟନ୍ତ ଋତୁପ୍ରେମୀ ବୋଲି ଆମକୁ ଏହି ଉପାୟ ଅବଲମ୍ବନ କରିବାକୁ ପଡ଼ୁଛି ।

 

ଆମେ ଇଛା କରିପାରିଥିଲେ ଆମ ଗ୍ରହରେ କୃତ୍ରିମ ଋତୁ ପ୍ରବର୍ତ୍ତନ କରି ଆମ ସମସ୍ୟାର ସମାଧାନ କରି ପାରିଥାନ୍ତୁ । କିନ୍ତୁ ଆମ ଗ୍ରହର ଲୋକେ କୃତ୍ରିମ ଋତୁ ଭିତରେ ସବୁଦିନ ପାଇଁ ରହିବାକୁ ସେତେ ଆଗ୍ରହୀ ନୁହନ୍ତି । ସେମାନଙ୍କ ଇଛା; ଆମର ପ୍ରାକୃତିକ ଋତୁଗୁଡ଼ିକ ଯେମିତି ଫେରିଆସୁ । ସେହି ଋତୁବିଭାଗକୁ ଫେରାଇ ଆଣିବା ପାଇଁ ଆମକୁ ଯେଉଁ କେତେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ, ସେଗୁଡ଼ିକୁ ଦୂର କରିବାକୁ ଆମ ଗ୍ରହର ଲୋକେ ଦୃଢ଼ପରୀକର ଆପଣମାନଙ୍କ ସୂର୍ଯ୍ୟକୁ ଧ୍ୱଂସ କରିବା ପାଇଁ ଆମର ଯେଉଁସବୁ ଯୋଜନା ତିଆରି ହୋଇଛି, ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଆପଣମାନେ ଯଦି ଆମ ସହିତ ଏକମତ ହୁଅନ୍ତି, ତେବେ ଆମେ ଆମର ସମସ୍ତ ଯୋଜନାକୁ ଆପଣମାନଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ।

 

ଆପଣମାନଙ୍କ ସହିତ ଆଲୋଚନା କରିବା ପାଇଁ ଆମେ ଆମର ଯାନ୍ତ୍ରିକ ରାଷ୍ଟ୍ରଦୂତକୁ ପଠାଉଛୁ । ଏହି ରାଷ୍ଟ୍ରଦୂତ ଜୀବନ୍ତ ନ ହେଲେ ହେଁ ଜୀବନ୍ତ ପ୍ରାଣୀ ଭଳି କାର୍ଯ୍ୟ କରେ । ଏହାର ଶରୀର ସାଧାରଣ ଧାତୁରୁ ତିଆରି । ହେଲେ ଏହା ମଣିଷ ଭଳି କଥା କହେ, ଚାଲବୁଲା କରିପାରେ ଓ ଏହାର ଭାବିବାର ଶକ୍ତି ମଧ୍ୟ ଅଛି । କୌଣସି ବିପଦ ପଡ଼ିଲେ, ବିପଦରୁ ଉଦ୍ଧାର ପାଇବା ପାଇଁ ସବୁପ୍ରକାର ବ୍ୟବସ୍ଥା ନିଜେ କରିପାରେ । ଆମ ଗ୍ରହରୁ ଆପଣମାନଙ୍କ ଗ୍ରହକୁ ଏହି ଜୀବଟି ନିଜେ ମହାକାଶଯାନ ଚଳାଇ ଯାଇଛି । ଆପଣମାନଙ୍କ ସହିତ ସମସ୍ତ ପ୍ରକାର ଆଲୋଚନା କରି ବିହିତ ବ୍ୟବସ୍ଥା କରିବା ପାଇଁ ଏହାର ଶକ୍ତି ଅଛି । ଏହାକୁ ଏକ ଯନ୍ତ୍ରୀକଜିବ କହିଲେ ହେଁ ଏହା ଜୀବନ୍ତ ଜୀବଠାରୁ କୌଣସି ଗୁଣରେ ହୀନ ନୁହେଁ । ଆପଣମାନେ ଏହା ସହିତ ଆଲୋଚନା କଲେ ସବୁ କିଛି ଜାଣିପାରିବେ । ଆମ ଗ୍ରହର ଯୁଦ୍ଧବିଗ୍ରହଠାରୁ ଆରମ୍ଭ କରି ବୈଜ୍ଞାନିକ ଗବେଷଣା, ନାନା କଳକାରଖାନା ଓ ଇଂଜିନିୟରିଂ କାର୍ଯ୍ୟ ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହି ଧରଣର ଜୀବଗୁଡ଼ିଏ ଆମ ଲୋକଙ୍କ ସହକାରୀ ଭାବରେ ଖୁବ୍ ଦକ୍ଷତାର ସହିତ କାମ କରୁଛନ୍ତି । ଆମେ ଆମର କୌଣସି ଲୋକକୁ ନ ପଠାଇ ଏହାକୁ ରାଷ୍ଟ୍ରଦୂତ ଭାବରେ ପଠାଇଛୁ, କାରଣ ଏହି ଯାନ୍ତ୍ରିକ ଯିବ ଉପରେ ଆମର ଯଥେଷ୍ଟ ବିଶ୍ୱାସ ଅଛି ।

 

ପରିଶେଷରେ ଆମେ ଅଧିକ କିଛି ନ କହି ଗୋଟିଏ କଥା କହି ଆମ ବାର୍ତ୍ତା ଶେଷ କରୁଛୁ । ଆପଣମାନେ ଯଦି ଆମ ପ୍ରସ୍ତାବରେ ରାଜି ନ ହୁଅନ୍ତି, ତେବେ ଆପଣମାନଙ୍କ ସହିତ ଯୁଦ୍ଧ ଘୋଷଣା କରିବାକୁ ଆମେ ପଛାଇବୁନି । ଆପଣମାନଙ୍କୁ ଯୁଦ୍ଧରେ ପରାସ୍ତକରି ଆପଣମାନଙ୍କ ସୂର୍ଯ୍ୟକୁ ନଷ୍ଟ କରିବାକୁ ଆମେ ବଦ୍ଧପରିକର । କିନ୍ତୁ ଆପଣମାନଙ୍କ ପୃଥିବୀ ଓ ଏହାର କୋଟି କୋଟି ଅଧିବାସୀଙ୍କୁ ନଷ୍ଟ ନ କରି ପୃଥିବୀକୁ ଆମ ସୂର୍ଯ୍ୟର ଏକ ଗ୍ରହ ଭାବରେ ପ୍ରତିଷ୍ଠା କରିବାକୁ ଆମର ଇଚ୍ଛା । ଆପଣମାନଙ୍କ ସୂର୍ଯ୍ୟ ନଷ୍ଟ ହୋଇଗଲେ, ଆପଣମାନେ ନଷ୍ଟ ହୋଇଯିବେ ବୋଲି ଭାବିପାରନ୍ତି; କିନ୍ତୁ ସେଭଳି ଭାବିବାରେ ଯଥାର୍ଥତା ନାହିଁ । ଆପଣମାନେ ଜାଣି ରଖନ୍ତୁ ଆମେ ଆପଣମାନଙ୍କୁ ମୃତ୍ୟୁମୂଖକୁ ଠେଲିଦେବାକୁ ଇଛୁକ ନୋହୁଁ । ଆପଣମାନଙ୍କ ସହିତ ଯଦି ଯୁଦ୍ଧ ଘୋଷଣା କରିବାକୁ ଦରକାର ପଡ଼େ, ତେବେ ଆମର ଏହି ରାଷ୍ଟ୍ରଦୂତକୁ ତାହା କରିବା ପାଇଁ କ୍ଷମତା ଦିଆଯାଇଛି । ଆପଣମାନେ ଆପଣମାନଙ୍କ ସିଦ୍ଧାନ୍ତ ଜଣାଇବା ପର୍ଯ୍ୟନ୍ତ ସେ ପୃଥିବୀରେ ଅବସ୍ଥାନ କରିବ । ଯଦି ଦରକାର ପଡ଼େ, ସେ ଆପଣମାନଙ୍କ ସହିତ ଯୁଦ୍ଧ ଘୋଷଣା କରି ଆମ ଗ୍ରହକୁ ଫେରିଆସିବ ।

 

ଏଥର ତ ଆପଣମାନେ ଆମ ଉଦ୍ଦେଶ୍ୟ ଜାଣିଲେ, ଓ ସେଥିସହ ସିଦ୍ଧାନ୍ତ ବି, ଆପଣମାନଙ୍କ ସିଦ୍ଧାନ୍ତ ଜାଣିଲେ ଆମେ ଖୁସିହେବୁ ।

 

ଆପଣମାନଙ୍କର

XZH-501-ଗ୍ରହର ଅଧିବାସୀବୃନ୍ଦ

 

ଚିଠିଟି ଶୁଣି ସାରିବା ପରେ ସମସ୍ତେ ଚୁପ୍‍ । କାହାରି ମୁହଁରୁ କିଛି ବାହାରିବାକୁ ନାହିଁ । ସତେ ଯେମିତି ସାରା ନିରାପତ୍ତା ପରିଷଦ କେତେଗୋଟି ମୂକ ଲୋକଙ୍କୁ ନେଇ ଗଠିତ । ସମସ୍ତେ ୟା ମୁହଁକୁ ତା ମୁହଁକୁ ଯା କିଛି ଅନାଉଥାନ୍ତି ।

 

ରାଷ୍ଟ୍ରଦୂତଙ୍କୁ ଜାତିସଙ୍ଘର ଏକ ସମ୍ମାନାସ୍ପଦ ଅତିଥିଭାବରେ ଜାତିସଂଘର ଅତିଥି ଭବନକୁ ସେକ୍ରେଟେରୀ ଜେନେରାଲ ଘେନିଗଲେ । ବଡ଼ ଅଦ୍ଭୁତ, ରାଷ୍ଟ୍ରଦୂତ ଗଲାବେଳେ ପରିଷଦ କକ୍ଷରୁ ସେହି ମହାକାଶଯାନରେ ବସି ଅତିଥିଭବନ ଅଭିମୁଁଖେ ବାହାରିଗଲେ । ଯେମିତି ଆସିଥିଲେ ଠିକ୍ ସେମିତି ଗଲେ । ତାଙ୍କ ସହିତ ଆମ ସେକ୍ରେଟେରୀ ଜେନେରାଲ ବି ସେହି ଯାନରେ ବସି ଗଲେ, ତାଙ୍କୁ ଅତିଥି ଭବନରେ ପହଞ୍ଚାଇ ଦେବାପାଇଁ । ଆମର ବଡ଼ ଭୟ ହେଉଥାଏ । ସେକ୍ରେଟେରୀ ଜେନେରାଲଙ୍କୁ ଧରି ରାଷ୍ଟ୍ରଦୂତ ଆମ ଗ୍ରହରୁ ବିଦାୟ ନେଇଯିବ ନାହିଁତ-? ଗଲାବେଳେ ଆମେ ଆମ ଭିତରେ ଆଲୋଚନ କରି ଆମର ସିଦ୍ଧାନ୍ତ ତାଙ୍କୁ ଜଣାଇଦେବା ପାଇଁ କହିଲୁ । ବଡ଼ ଅଦ୍ଭୁତ, ଯାନ୍ତ୍ରିକ ରାଷ୍ଟ୍ରଦୂତ ବେଶ୍ ଇଂରେଜୀ ବୁଝିପାରୁଛି ଓ କହି ପାରୁଛି ମଧ୍ୟ-। ରାଷ୍ଟ୍ରଦୂତ ପରିଷଦକକ୍ଷରୁ ବାହାରିଯିବ ପରେ ଆମ ଭିତରେ ଆଲୋଚନା ପଡ଼ିଲା-

 

ଆଲୋଚନାରେ ସର୍ବପ୍ରଥମେ ଭାଗ ନେଲେ ବ୍ରିଟିଶ ସଭ୍ୟ । ସେ ଆରମ୍ଭ କଲେ, ‘‘ଏତିକି ଭିତରେ କଣ ଏସବୁ ଘଟିଗଲା, ମୁଁ ବୁଝିପାରୁନି । ତେବେ ମୋତେ ଏସବୁ କୁହୁକ ଭଳି ଲାଗୁଛି । ଏହି ଯେଉଁ ଜୀବଟି ଏଠାରେ ପହଞ୍ଚିଛି, ସେ ଯେ କି ପ୍ରକାର ଜୀବ, ମୁଁ ବୁଝିପାରୁନି । ନିରାପତ୍ତା ପରିଷଦର କୌଣସି ବାଟ ନ ଫିଟାଇ ଏହା ଭିତରକୁ ପଶିଆସିବା, ମହାକାଶଯାନର ଦୁଆର ନ ଖୋଲି ମହାକାଶଯାନ ଭିତରୁ ବାହାରି ପଡ଼ିବା, ଉପରକୁ ପୂରାପୂରି ବନ୍ଦ ଦିଶୁଥିବା ଚିଠିରୁ ଚିଠିକୁ ନ ଚିରି ବାହାର କରି ଆଣିବା ଏ ସବୁ କୁହୁକ କି ନୁହେଁ, ତାହା ଆପଣମାନେ ବିଚାର କରିବେ ।

 

ତେବେ ରାଷ୍ଟ୍ରଦୂତ ଆଣିଥିବା ପତ୍ରର ବିଚାର କରିବା ପୂର୍ବରୁ ଆମେ ଆମର ସରକାର ସହିତ ଏ ବିଷୟରେ ପୂର୍ଣ୍ଣ ମନ୍ତ୍ରଣା କରିବା ଦରକାର । ତା ପୂର୍ବରୁ ଆମ ପକ୍ଷରେ ଏହି ନିରାପତ୍ତା ପରିଷଦରେ କୌଣସି ଆଲୋଚନାରେ ଭାଗ ନେବା ସମ୍ଭବପର ହୋଇ ନ ପାରେ । ତେଣୁ ମୁଁ ପ୍ରସ୍ତାବ ଦେଉଛି, ଆଜିର ଏ ବୈଠକ କାଲିକୁ ମୂଲତବୀ ରହୁ; ଆମେ ଆମ ସରକାର ସହିତ ଆଲୋଚନା କରି ମନ୍ତବ୍ୟ ଦେବୁ । ତା ନ ହେବା ପର୍ଯ୍ୟନ୍ତ ଆମେ ଏହି ପତ୍ର ଉପରେ ବିଶେଷ କିଛି ଆଲୋଚନା କରିପାରିବୁ ନାହିଁ । ଯଦି ଆମ ସରକାରମାନେ ମତ ଦିଅନ୍ତି, ଏହି ପତ୍ର ପାଇଁ ସାଧାରଣ ଆସେମ୍ବ୍ଲିକୁ ଡାକିବା ଦରକାର ପଡ଼େ, ତେବେ ଆସନ୍ତାକାଲି ଆମେ ସେ ସମ୍ପର୍କରେ ଆଲୋଚନା କରିବା । ମୋତେ ଯା’ ଜଣାପଡ଼ୁଛି, ରହି ବିରାଟ ପ୍ରଶ୍ନର ସମାଧାନନିରାପତ୍ତା ପରିଷଦର ପରିସର ବାହାରେ । ଏହି କିଛି ସମୟ ତଳେ ଘଟିଯାଇଥିବା ଘଟଣାରେ ମୁଁ ଏତେ ବିବ୍ରତ ଯେ ମୋ ପକ୍ଷରେ ଆଉ କିଛି ଭାବିବା ସମ୍ଭବପର ନୁହେଁ ।

 

ଋଷିଆ ସଭ୍ୟ ବ୍ରିଟିଶ ସଭ୍ୟଙ୍କ ଭଳି ମତପ୍ରଦାନ କଲେ । ଫ୍ରାନ୍ସର ବି ମଧ୍ୟ ସେଇ ମତ । ସମସ୍ତଙ୍କ ମତ ଅଧିବେଶନକୁ ଆସନ୍ତା କାଲିକୁ ମୁଲତବୀ ରଖିବାକୁ । ତେବେ ବ୍ରିଟିଶ ସଭ୍ୟଙ୍କ ଭଳି ସମସ୍ତେ ରାଷ୍ଟ୍ରଦୂତର ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ନ କରି ରହି ପାରୁ ନ ଥାନ୍ତି । ନିରାପତ୍ତା ପରିଷଦର ସଭ୍ୟମାନଙ୍କ ଭିତରେ ବିଜ୍ଞାନରେ ଅଧିକ ବୁତ୍ପତ୍ତି ଥିବାରେ ମୋର ପ୍ରସିଦ୍ଧି । ରାଷ୍ଟ୍ରଦୂତ ଆମ ଆଖି ସାମ୍ନାରେ କରିଯାଇଥିବା କେତୋଟି କାମକୁ ବୈଜ୍ଞାନିକ ବିଶ୍ଳେଷଣକରି ମତ ଦେବାକୁ ସମସ୍ତଙ୍କ ଅନୁରୋଧ ମୋତେ । ଏହି ଘଟଣାଗୁଡ଼ିକୁ ଜାତିସଂଘର ବୈଜ୍ଞାନିକ ଉପଦେଷ୍ଟା ସଂସ୍ଥାକୁ ଓ ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନକୁ ଜଣାଇବା ପୂର୍ବରୁ ସମସ୍ତେ ଏ ସମ୍ବନ୍ଧରେ ମୋ ମତ ଜାଣିବା ଦରକାର କରୁଥାନ୍ତି । ତେଣୁ ସମସ୍ତଙ୍କ ଦୃଷ୍ଟି ମୋ ଉପରେ ।

 

ମୁଁ ଉଠି ଏହାର ବୈଜ୍ଞାନିକ ବିଶ୍ଳେଷଣ କରିବା ପୂର୍ବରୁ କୋମିଂଟାଙ୍ଗ୍ ଚୀନର ସଭ୍ୟ ଉଠି ଠିଆହୋଇ କହିଲେ, ‘‘ଆପଣମାନେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ନବାଗତ ରାଷ୍ଟ୍ରଦୂତ ଜଣେ ବିରାଟ ସମ୍ମୋହନକାରୀ । ସେ ଆମକୁ ସମ୍ମୋହନ ପ୍ରକ୍ରିୟା ସାହାଯ୍ୟରେ ଏମିତି ତାଜୁବ ଘଟଣାସବୁ କରି ଦେଖାଇ ଦେଇଗଲେ ତାହା ଯେ ଆମ ଚିନ୍ତାକୁ ପୂରାପୂରି କାବୁ କରିଦେଇଛି । ତାହା ନ ହୋଇଥିଲେ ଦୁଆର ନ ଖୋଲି ଘର ଭିତରକୁ ଆସିବା, ଯାନକୁ ନ ଖୋଲି ତା ଭିତରୁ ବାହାରି ଆସିବା, ଲଫାପା ନ ଖୋଲି ଚିଠି ବାହାରକରି ପକାଇବାକୁ ଆପଣମାନେ ଆଉ କଣ ଭାବିପାରନ୍ତି ? ମୁଁ ତ ଯାହା ଦେଖୁଚି, ସେ ଆମ ସମସ୍ତଙ୍କୁ ହିପ୍ନୋଟାଇଜଡ଼୍ କରିଦେଇ ନିଜ ବାହାଦୁରି ଦେଖାଇ ଚାଲିଗଲେ । ଏଥିରେ କିଛି ବୈଜ୍ଞାନିକ ବିଶ୍ଳେଷଣର ଆବଶ୍ୟକତା ଥିଲା ଭଳି ମୋତେ ଜଣାପଡ଼ୁନି ।’’

 

ଚୀନ ସଭ୍ୟଙ୍କ ଏତାଦୃଶ ମତବ୍ୟକ୍ତର ପରିଷଦର ସଭ୍ୟମାନେ ହୋ’ ହୋ’ ହୋଇ ‘ହସି ଉଠିଲେ । କିଏ କେତେ ପ୍ରକାରେ ଚୀନ ସଭ୍ୟଙ୍କୁ ଯେ ଉପହାସ କଲେ ତାର କିଛି କଳ୍ପନା ନାହିଁ । କିନ୍ତୁ ସମସ୍ତେ ମୋ ମୁହଁରୁ କିଛି ଶୁଣିବା ପାଇଁ ବ୍ୟଗ୍ର । ସମସ୍ତଙ୍କ ଦୃଷ୍ଟି ମୋ ଆଡ଼େ । ତେଣୁ ବାଧ୍ୟ ହୋଇ ଉଠି ଠିଆ ହୋଇ କହିଲି,’’ ମାନ୍ୟବର ଚିଂ ସଭ୍ୟ ଯା’ କହିଲେ ତାକୁ ଆମେ ଯେତେ ଥଟ୍ଟା କଲେ ମଧ୍ୟ ତାହା ବିଶ୍ଳେଷଣର ଏକ ଦିଗ ହୋଇପାରେ । କିନ୍ତୁ ଏହି ପରିସ୍ଥିତିରେ ଏହା କେତେ ଦୂର ଯୁକ୍ତିକୁକ୍ତ, ତାହା ଆମର ଆଲୋଚନା କରିବା ଦରକାର ।

 

ଯେଉଁ ରାଷ୍ଟ୍ରଦୂତ ସାଧାରଣ ମଣିଷ ଭଳି ଦିଶୁଥିଲେ ହେଁ ରକ୍ତ ମାଂସର ମଣିଷ ନୁହେଁ, ଦେହ ହାତ ଧାତୁରୁ ତିଆରି, ଯେଉଁ ଗ୍ରହର ଲୋକେ ଆମ ସୂର୍ଯ୍ୟଙ୍କୁ ନଷ୍ଟ କରି ଆମ ପୃଥିବୀକୁ ହରଣଚାଳ କରିବାକୁ ପ୍ରସ୍ତୁତ, ସେହି ଗ୍ରହର ଲୋକଙ୍କୁ ଓ ତାହାର ରାଷ୍ଟ୍ରଦୂତଙ୍କୁ ଜଣେ ସାମାନ୍ୟ ସମ୍ମୋହନକାରୀ ବୋଲି କହି ଏହି ଘଟଣାର ଗୁରୁତ୍ୱକୁ କମାଇ ଦେବା କେତେ ଦୂର ଉଚିତ ଓ ଯୁକ୍ତିଯୁକ୍ତ ତା ଆପଣମାନେ ବିଚାର କରିବେ । ଏହା ସ୍ଵୀକାର୍ଯ୍ୟ ଯେ ଯେଉଁ ଗ୍ରହରୁ ଏହି ରାଷ୍ଟ୍ରଦୂତ ଏଠାକୁ ଆସିଛି; ସେହି ଗ୍ରହର ଲୋକମାନେ ବିଜ୍ଞାନ ତଥା ଏହାର ଶକ୍ତିରେ ଆମଠାରୁ କେତେ ସହସ୍ର ଗୁଣ ଯେ ଅଧିକ ଉନ୍ନତ ଓ ଶକ୍ତିଶାଳୀ, ଏହା ନ କହିଲେ ମଧ୍ୟ ଆପଣମାନେ ଧାରଣା କରି ପାରୁଥିବେ । ତା ନ ହୋଇଥିଲେ ଯାହା ଆମେ କେବେ କଳ୍ପନା କରିପାରି ନାହୁଁ, ତାକୁ ସେମାନେ କାର୍ଯ୍ୟରେ ପରିଣତ କରିପାରିବେ ବୋଲି ଆଶା ବାନ୍ଧିଥାନ୍ତେ କେମିତି ? ଯାନ୍ତ୍ରିକ ରାଷ୍ଟ୍ରଦୂତ ଆମ ଆଗରେ ଯେଉଁ କାର୍ଯ୍ୟ କରିଗଲେ ତାହା ତାଙ୍କ ଗ୍ରହରେ ଏକ ମାମୁଲି କାର୍ଯ୍ୟ ବୋଲି ମୋର ଧାରଣା । ଆମେ ସେହି କାର୍ଯ୍ୟ ସହିତ ପରିଚିତ ହୋଇ ନ ଥିବାରୁ ଆମକୁ ଆଶ୍ଚର୍ଯ୍ୟ ଲାଗୁଚି । ରାଷ୍ଟ୍ରଦୂତ ଓ ସେହି ଉପଗ୍ରହର ଅଧିବାସୀମାନେ ସମ୍ଭବତଃ ଆମ ଭଳି ତ୍ରିପରିସର (Three dimensions) ଭିତରେ ଆବଦ୍ଧ ନୁହନ୍ତି । ଆଇନଷ୍ଟାଇନ୍ ସମେତ ପୃଥିବୀର ବଡ଼ ବଡ଼ ବିଜ୍ଞାନ ମନିଷୀମାନେ ଯେଉଁ ଚତୁଃ ପରିସର (Fourd । mens । ons) କଥାର ଆଭାସ ଦେଇଛନ୍ତି, ଏମାନେ ସେହି ଚତୁଃପରିସର ଜ୍ଞାନ ଥିବା ଜୀବଜଗତର ଅନ୍ତର୍ଗତ ବୋଲି ମୋର ଧାରଣା । ସେମାନଙ୍କର ଏହି ଚତୁର୍ଥ ପରିସରଟି କଣ ହୋଇପାରେ ମୋ ପକ୍ଷରେ କହିବା ବର୍ତ୍ତମାନ ହୁଏତ ସମ୍ଭବପର ନୁହେଁ । ଏ ବିଷୟରେ ବିଶେଷ ଆଲୋଚନା ନ କରି କିଛି କହିହେବନି । ଆମ ବୈଜ୍ଞାନିକମାନେ ଆଭାସ ଦେଇଥିବା ଚତୁର୍ଥ ପରିସର ହେଉଛି ସମୟ । ଚତୁର୍ଥ ପରିସର ଭାବରେ ସମୟର ଭୂମିକା ସମ୍ବନ୍ଧରେ ବୈଜ୍ଞାନିକମାନେ କଣ କହନ୍ତି, ଶୁଣନ୍ତୁ । ବୈଜ୍ଞାନିକମାନଙ୍କ ମତରେ ବେଳେବେଳେ କୌଣସି ଏକ ଘଟଣାର ନିର୍ଦ୍ଦିଷ୍ଠତା ବ୍ୟକ୍ତ କରିବା ପାଇଁ ତ୍ରିପରିସରଯୁକ୍ତ ଆବେଷ୍ଟନୀ ଉପଯୁକ୍ତ ନୁହେଁ । ମନେକରନ୍ତୁ ଆପଣମାନେ ଦେଖିଲେ ଆପଣଙ୍କ ଘରେ ଗୋଟିଏ ମଶା ଉଡ଼ୁଛି । ଆପଣ ସେଇ କଥା ଆପଣଙ୍କ ସ୍ତ୍ରୀଙ୍କୁ ଜଣାଇବେ । ମଶାଟା କେଉଁଠି ଉଡ଼ିଥିଲା ବୋଲି ତାଙ୍କୁ କହିବେ ? ଆପଣ କହିବେ ମଶାଟିକୁ ଘରର ଅମକେଇ କୋଣଠାରୁ ଲମ୍ଵାଭାବରେ ଏତେ ଫୁଟ ଦୂରରେ ଆପଣ ଉଡ଼ିବାର ଦେଖିଥିଲେ । ମଶାଟିର ନିର୍ଦ୍ଦିଷ୍ଠତା ପାଇଁ ଏହି ତ୍ରିପରିସର ଯୁକ୍ତ ମାପ କଣ ଯଥେଷ୍ଟ ହେଲା ? ସେହି ମାପ ଅନୁଯାଇ ଯଦି ଜଣେ ଦେଖେ, ତେବେ ସେ ମଶାକୁ ସେଠି ପାଇବକି ? ତେଣୁ ମଶାର ଅବସ୍ଥାନ ନିର୍ଣ୍ଣୟ କରିବାକୁ ଆପଣ କ୍ଷମ ହେଲେନି । କାରଣ ମଶାଟି ତ ଗତିଶୀଳ । ଆପଣ ଯେତେବେଳେ ଦେଖିଲେ ସେତେବେଳେ ମଶାଟି ସେଠି ଉଡ଼ୁଥିଲା; ତାପରେ ମଶାଟି ଆଉ ସେ ସ୍ଥାନରେ ଥାଇ ପାରେ । ତେଣୁ ମଶାର ପ୍ରକୃତ ଅବସ୍ଥାନ ନିର୍ଣ୍ଣୟ କରିବା ପାଇଁ ଆପଣଙ୍କୁ ସମୟର ପରିମାପ ଗ୍ରହଣ କରିବାକୁ ପଡ଼ିବ । ଆପଣ କେଉଁ ସମୟରେ ମଶାଟିକୁ ସେଠି ଦେଖିଥିଲେ ନ କହିଲେ ଆପଣ ଅବସ୍ଥାନ ନିର୍ଣ୍ଣୟ ଠିକ୍‍ ହେବନି । ତେଣୁ ଆପଣ ଯଦି କହନ୍ତି ମଶାଟି ଘରର ଅମକେଇ କୋଣଠାରୁ ଘରର ଲମ୍ବ ଭାବରେ ଏତେ ଫୁଟ ଓସାର ଏତେ ଫୁଟ ଉଚ୍ଚତା ଭାବରେ ଏତେ ଫୁଟ ଦୂରତାରେ ଅମକେଇ ଦିନ ଦିବା ଏତେ ଘଣ୍ଟା ଏତେ ମିନିଟ୍‍ ଏତେ ସେକେଣ୍ଡରେ ଉଡ଼ୁଥିଲା ତେବେ ଆପଣଙ୍କ ମଶାର ଅବସ୍ଥାନ ନିର୍ଣ୍ଣୟ ଠିକ୍‍ । ଆପଣଙ୍କର ଏ ଅବସ୍ଥାନ ନିର୍ଣ୍ଣୟକୁ ଚତୁଃପରିସର ଅବସ୍ଥାନ ନିର୍ଣ୍ଣୟ କୁହାଯାଏ । ଗତିଶୀଳ ପଦାର୍ଥର ଅବସ୍ଥାନ ନିର୍ଣ୍ଣୟ ପାଇଁ ଏହି ଚତୁଃପରିସର ଧାରଣା ଏକାନ୍ତ ଆବଶ୍ୟକ । ଏଥିରୁ ଆପଣମାନେ ଜାଣିପାରୁଥିବେ, ଚତୁଃପରିସରର ଗୁରୁତ୍ୱ କେତେ ? ସେମାନଙ୍କର ଚତୁର୍ଥ ପରିସର ସମୟକୁ କଅଣ ବର୍ତ୍ତମାନ କହିହେବନି; ତେବେ ଏହା ସ୍ୱତସିଦ୍ଧଃ ଯେ ଯେଉଁମାନେ ଚତୁଃପରିସର ସହିତ ଅଭ୍ୟସ୍ତ, ସେମାନେ ଅକ୍ଳେଶରେ ଏସବୁ କାମ କରିପାରିବେ, ଯାହାକୁ ଆମେ ପୂରାପୂରି ଅସମ୍ଭବ ବୋଲି କହିବା ।

 

ଏ ସମ୍ପର୍କରେ ମୁଁ ଗୋଟିଏ ଉଦାହରଣ ଦେଉଛି ଶୁଣନ୍ତୁ ।

 

ମନେକରନ୍ତୁ, ଆମେ ଦ୍ୱିପରିସର ଜ୍ଞା ବିଶିଷ୍ଟ ଗୋଟିଏ ଯିବାକୁ ଆଣିଲେ । ଜୀବଟିକୁ ଆମେ ଆବଦ୍ଧ କରି ରଖିବାକୁ ଚାହୁଁ । ଜୀବଟିକୁ ମାତ୍ର ଦୁଇଟି ପରିସର ଜଣା । ଗୋଟିଏ ହେଉଛି ଦୈର୍ଘ୍ୟ, ଅନ୍ୟଟି ପ୍ରସ୍ଥ । ବେଧ କଣ ସେ ସମ୍ପର୍କରେ ତାର ଜ୍ଞାନ ନାହିଁ । ଆମେ ଜୀବଟିକୁ ଗୋଟିଏ ଖୋଲା ପଡ଼ିଆରେ ଚାରିପାଖରେ ମାତ୍ର ଏକଇଞ୍ଚିଅ ପାଚେରୀ ଗଢ଼ି ଆବଦ୍ଧ କରି ରଖିପାରିବ । ଜୀବଟିର ମାତ୍ର ଦୈର୍ଘ୍ୟ ପ୍ରସ୍ଥର ଧାରଣା ଥିବାରୁ ସେ ଯେଉଁ ଆଡ଼କୁ ଯିବ, ପ୍ରାଚୀର ଦେଖି ଫେରି ଆସିବ । ଭାବିବ ସେ ପୂରାପୂରି ଆବଦ୍ଧ ହୋଇ ରହିଛି ବୋଲି । ତାର ବେଧ ବା ଉଚ୍ଚତା ଜ୍ଞାନ ନ ଥିବାରୁ ସେ ପ୍ରାଚୀରକୁ ଡେଇଁଆସିବାର ଧାରଣା କରିପାରିବ ନାହିଁ । ମନେକର ସେହି ପାଚେରୀ ଭିତରେ ଆମକୁ ଯଦି କେହି ଆବଦ୍ଧ କରିରଖିବାକୁ ଚାହେଁ, ତେବେ ସେ ଆମକୁ ଆବଦ୍ଧ କରି ରଖିପାରିବ କି ? କାରଣ ସେ ଆମକୁ ଆବଦ୍ଧ କଲା କ୍ଷଣି ଆମେ ପାଚେରୀ ଡେଇଁ ବାହାରି ଆସିବା । କାରଣ ଆମର ତ୍ରିପରିସର ସହିତ ପ୍ରତ୍ୟକ୍ଷଜ୍ଞାନ ଥିବାରୁ ଆମକୁ ଏହା ଅତି ସହଜ ଜଣାପଡ଼ିବ । ସେହି ଦୁଇ ପରିସର ଜ୍ଞାନ ବିଶିଷ୍ଟ ପ୍ରଣୀତ ଯଦି ଧାରଣା କରିପାରିବାର କ୍ଷମତା ଥାଆନ୍ତା, ତେବେ ସେ ଆମ ବାହାରି ଆସିବା ଦେଖି କମ୍ ଆଶ୍ଚର୍ଯ୍ୟ ହୁଅନ୍ତା ନାହିଁ ? ସେ ଭବାନ୍ତ ଚାରିଆଡ଼େ ତ ତାକୁ ଆବଦ୍ଧ ଦିଶୁଚି; ଏ ଲୋକଟା ଦୁଆର ନ ଖୋଲି ପଶି ଆସୁଛି ବା ବାହାରି ଯାଉଛି କେମିତି ? ଦ୍ୱିପରିସର ଜ୍ଞାନ ଥିବା ଜୀବଠାରେ ତ୍ରିପରିସର ଜ୍ଞାନଥିବା ପ୍ରାଣୀମାନେ ଯେମିତି ଉନ୍ନତ ବୋଲି ବୋଧ ହେବେ, ତ୍ରିପରିସର ଜ୍ଞାନଥିବା ଆମଠାରେ ଏହି ଚତୁଃପରିସର ଜ୍ଞାନ ଥିବା ଜୀବଟି ଠିକ୍‍ ସେହିଭଳି ଉନ୍ନତ ବୋଲି ପ୍ରତିଭାତ ହେଉଛି । ତାକୁ ଚତୁର୍ଥ ପରିସରଟି ଜଣାଥିବରୁ ସେ ସ୍ଵଚ୍ଛନ୍ଦରେ ଏହି ଆବଦ୍ଧ ଘର ଭିତରକୁ ପଶି ଯା’ଆସ କରିପାରୁଛି; ଆବଦ୍ଧ ଜଣ ଭିତରୁ ଦୁଆର ନ ଖୋଲି ବାହାରି ଆସୁଛି । ଆମକୁ ସିନା ଚତୁର୍ଥ ପରିସରଟି ଜଣାନାହିଁ, ଆମେ ଆଶ୍ଚର୍ଯ୍ୟ ହେଉଛୁ, ସେ କେମିତି ଗଲା, କେମିତି ଆସିଲା ଭାବି ଭାବି; କିନ୍ତୁ ତାକୁ ତ ସବୁ ମାମୁଲି କଥା ବୋଲି ଜଣା ପଡ଼ୁଛି, କାରଣ ସେ ଚତୁଃପରିସର ବିଶିଷ୍ଟ ଜଗତର ସୃଷ୍ଟି । ଏହି ଜୀବଟି ତଥା ଏହା ଆସିଥିବା ଗ୍ରହର ଲୋକେ ଯେ ଚତୁଃପରିସର ଜ୍ଞାନବିଶିଷ୍ଟ ଅଧିବାସୀ, ଏହିରେ ତିଳେମାତ୍ର ସନ୍ଦେହ ନାହିଁ । ତେବେ ଆମ ପାଖରେ ବର୍ତ୍ତମାନ ଏଇଟା ତ ସମସ୍ୟା ନୁହେଁ । ଆମେ ବର୍ତ୍ତମାନ ସେମାନଙ୍କ ପ୍ରସ୍ତାବ ସମ୍ପର୍କରେ କି ପନ୍ଥା ନେବା ତାହା ହିଁ ବିଚାର୍ଯ୍ୟ । ତେଣୁ ବ୍ରିଟିଶ, ରୁଷୀୟ, ଫରାସୀ ସଭ୍ୟଙ୍କ ଭଳି ମୁଁ ମଧ୍ୟ ପ୍ରସ୍ତାବ ଦେଉଛି ଆଜିର ଆଲୋଚନା ଆସନ୍ତା କାଲିକୁ ମୁଲତବୀ ରହୁ । ଆମେ ଆମ ସରକାର ସହିତ ମନ୍ତ୍ରଣା କରି କେଉଁ ପନ୍ଥା ଗ୍ରହଣ କଲେ ଭଲ ହେବ, କାଲି ଆଲୋଚନା କରିବା । ଯଦି ସାଧାରଣ ଆସେମ୍ବ୍ଲି ବା ବିଶ୍ୱବୈଜ୍ଞାନିକ ତଥା ସାମରିକ ଅଫିସରମାନଙ୍କ ସମ୍ମିଳନୀ ଡକାଇବା ଦରକାର ପଡ଼େ ତେବେ ତାହା ଆସନ୍ତା କାଲିର ଅଧିବେଶନରେ ଆଲୋଚିତ ହେବ ।’’

 

ମୁଁ ଏତକ କହିସାରିଛି କି ନାହିଁ ନିରାପତ୍ତା ପରିଷଦର ସଭ୍ୟମାନେ ମୋ ପ୍ରସ୍ତାବକୁ ସର୍ବାନ୍ତକରଣରେ ଅନୁମୋଦନ କଲେ ।

 

ନିରାପତ୍ତା ପରିଷଦର ବୈଠକ ଆସନ୍ତାକାଲିକୁ ମୁଲତବୀ ରହିଲା ।

 

(ତିନି)

 

ତହିଁ ପରଦିନ ଯଥା ସମୟରେ ନିରାପତ୍ତା ପରିଷଦର ଅଧିବେଶନ ବସିଲା । ସଭାକକ୍ଷରେ ସଭ୍ୟମାନେ ବଡ଼ ବିମର୍ଷ ବଦନରେ ବସିଥାନ୍ତି । ପୃଥିବୀ ତରଫରୁ ରାଷ୍ଟ୍ରଦୂତକୁ କଣ ଉତ୍ତର ଦେବାକୁ ପଡ଼ିବ ସେଇ ଥାଏ ସମସ୍ତଙ୍କର ଚିନ୍ତା । ନିରାପତ୍ତା ପରିଷଦ ଯା ଠିକ୍‍ କରିବ ତାହା ପୃଥିବୀର ବିଭିନ୍ନ ଦେଶ ଦ୍ୱାରା କେତେ ଦୂର ଗ୍ରହଣଯୋଗ୍ୟ ହେବ କେହି ଭାବି ପାରୁ ନ ଥାନ୍ତି । ନିରାପତ୍ତା ପରିଷଦର ସଭ୍ୟମାନେ ଇତି ମଧ୍ୟରେ ନିଜ ନିଜ ଦେଶ ସହିତ ଆଲୋଚନା କରି ସାରିଲେଣି । ସମ୍ପୃକ୍ତ ଦେଶମାନେ ଏହି ଗୋପନୀୟ ଖବର ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନଥାନ୍ତି । ଏଭଳି ଏକ ସମସ୍ୟାର ସମାଧାନ କରିବା ପାଇଁ ସେମାନେ କି ବାଟ ବା ବତେଇବେ ? ଏତ ଏକ ଅତି ଅସାଧାରଣ ସମସ୍ୟା । ଏଭଳି ସମସ୍ୟାର ସମାଧାନର ବାଟ ସବୁ ଦେଶ ମିଳିମିଶି ଯାହା ବାହାର କରିବେ, କୌଣସି ଗୋଟିଏ ଦେଶ ପକ୍ଷରେ ଏହାର ସମାଧାନର ବାଟ ବତେଇବ କାଠିକର ପାଠ ।

 

ଜାତିସଂଘର ସେଟ୍ରେଟେରୀ ଜେନେରାଲ ସଭାକକ୍ଷ ଭିତରକୁ ପଶି ଆସିଲେ । ତାଙ୍କ ସହିତ ଆସୁଥାନ୍ତି ସ୍ପେନ୍‍ର ପ୍ରତିନିଧି । ସେହି ବର୍ଷ ପାଇଁ ସ୍ପେନ୍‍ର ପ୍ରତିନିଧି ନିରାପତ୍ତା ପରିଷଦରେ ସଭାପତି ଥାନ୍ତି । ସେକ୍ରେଟେରୀ ଜେନେରାଲ ଓ ପରିଷଦର ସଭାପତି ବେଶ ଚିନ୍ତାକୁଳ ଥିଲାଭଳି ଦିଶୁଥାନ୍ତି । ସେକ୍ରେଟେରୀ ଜେନେରାଲ ଓ ସଭାପତି ଆସନ ଗ୍ରହଣ କରି ସରିଲାପରେ ସେକ୍ରେଟେରୀ ଜେନେରେଲ ଉଠି ଆଲୋଚନା ଆରମ୍ଭ କଲେ—‘‘ମୁଁ ଆଶା କରୁଛି, ଆପଣମାନେ ଗତ ରାତି ଭିତରେ କିଛି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚି ପାରିଥିବେ । ଆପଣମାନେ ତା ଦେଖୁଛନ୍ତି, କେତେ ବଡ଼ ସମସ୍ୟା ବର୍ତ୍ତମାନ ପୃଥିବୀର ମୁଣ୍ଡ ଉପରେ । ମୁଁ ଏହାକୁ ଜୀବନ-ମରଣ ସମସ୍ୟା ବୋଲି ଭାବୁଛି । ଆପଣମାନଙ୍କ ବିଜ୍ଞ ବିଚାର ଉପରେ ପୃଥିବୀର ଭାଗ୍ୟ ଝୁଲୁଛି । ଆମ ସୂର୍ଯ୍ୟକୁ ଧ୍ୱଂସ କରି ଯଦି ସେମାନେ ଆମ ପୃଥିବୀକୁ ଏକଲକ୍ଷରୁ ଅଧିକ ଆଲୋକବର୍ଷ ଦୂରକୁ ଘେନିଯାନ୍ତି, ମୋର ଛୋଟ ବୁଦ୍ଧିରେ ଯା’ ଜଣା ପଡ଼ୁଛି ଆମେ ସେଠି ପହଞ୍ଚିଲା ବେଳକୁ ପୃଥିବୀ ପୂରାପୂରି ଜନମାନବ ଶୂନ୍ୟ ହୋଇ ଯାଇଥିବ । ଆମେ ସେମାନଙ୍କ ପ୍ରସ୍ତାବରେ ରାଜି ନ ହୋଇ ଯଦି ସେମାନଙ୍କ ସହିତ ଯୁଦ୍ଧ ଘୋଷଣା କରୁ ଆମ ପକ୍ଷରେ ହାରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଆମର ସାରା ପୃଥିବୀର ସୈନ୍ୟବଳ ଏହି ମାତ୍ର ଯାନ୍ତ୍ରିକ ରାଷ୍ଟ୍ରଦୂତର ସମକକ୍ଷ ହୋଇପାରିବ କି ନାହିଁ ସନ୍ଦେହ । ସେମାନେ ଆମଠାରୁ ବିଜ୍ଞାନରେ ଏତେ ଉନ୍ନତ ଯେ ଆମେ ସେମାନଙ୍କ ସହିତ ଯୁଦ୍ଧ କରିବା ନାଁ ଧରିବା ଉଚିତ ନୁହେଁ । ଯୁଦ୍ଧ ନାଁ ଧଇଲେ ଆମର ଧ୍ୱଂସ ହେବା ହିଁ ସାରହେବ । ଯେହେତୁ ସେମାନେ ଚତୁଃପରିସର ଜଗତର ଅଧିବାସୀ; ଆମେ ତ୍ରିପରିସର ଜଗତର ଅଧିବାସୀ ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ନିର୍ବୋଧତା ଛଡ଼ା ଅନ୍ୟ କିଛି ହୋଇ ନ ପାରେ । ମୋ ମତାମତ ତ ଶୁଣିଲେ, ଏଥର ଆପଣମାନଙ୍କର ମତାମତ କଅଣ କୁହନ୍ତି । ଆପଣମାନେ ଏହି ସମସ୍ୟା ସମାଧାନ ଦିଗରେ କି ଚିନ୍ତା କରିଛନ୍ତି ବା ନିଜ ନିଜ ଦେଶ ସହିତ କ’ଣ ଆଲୋଚନା କରିଛନ୍ତି, କୁହନ୍ତୁ ।

 

ସେକ୍ରେଟେରୀ ଜେନେରେଲ ତାଙ୍କ ଭାଷଣ ଶେଷ କରନ୍ତେ ସୁଇଡେନ୍‍ର ପ୍ରତିନିଧି ଉଠି ଠିଆହୋଇ କହିଲେ,’’ ମୁଁ ଗତ କାଲି ରାତିରେ ଆମ ସରକାର ସହିତ ଟେଲିଫୋନ ଜରିଆରେ କଥାବାର୍ତ୍ତା କରିଥିଲି । ପୃଥିବୀକୁ ଏମିତି ଏକ ବିପଦ ମାଡ଼ି ଆସୁଥିବା ଶୁଣି ସେମାନେ ସମସ୍ତେ ବିଚଳିତ । ସେମାନେ ମୋତେ କିଛି ଉପଦେଶ ଦେବା ଅବସ୍ଥାରେ ନାହାନ୍ତି । ସେମାନେ ମୋତେ ଏତିକି ଅନୁରୋଧ ଜଣାଇଛନ୍ତି ଯେ ସେକ୍ରେଟେରୀ ଜେନେରେଲଙ୍କୁ କୁହ ସାଧାରଣ ଆସେମ୍ବ୍ଲି ଡକାନ୍ତୁ, ସାଧାରଣ ଆସେମ୍ବ୍ଲି ଛଡ଼ା ଏଡ଼େ ବଡ଼ ଗୁରୁତର ସମସ୍ୟା ଉପରେ ନିରାପତ୍ତା ପରିଷଦ କିଛି ସିଦ୍ଧାନ୍ତ ନେଇ ପାରିବନି । ନେଲେ ମଧ୍ୟ ପୃଥିବୀର ସବୁ ରାଜ୍ୟ ପକ୍ଷରେ ଏହା ଗ୍ରହଣଯୋଗ୍ୟ ହୋଇ ନ ପାରେ ।’’

 

ସୁଇଡେନ୍‍ର ସଭ୍ୟ ତାଙ୍କ ବକ୍ତବ୍ୟ ଶେଷ କରିଛନ୍ତି କି ନାହିଁ ଇଂଲଣ୍ଡ, ଆମେରିକା, ଋଷିଆ, ଫ୍ରାନ୍‍ସ ସମେତ ସବୁ ରାଷ୍ଟ୍ର ସୁଇଡେନ୍ ସଭ୍ୟଙ୍କ ମତକୁ ଅନୁମୋଦନ କଲେ । ସେମାନେ କହିଲେ ଯେ ସେମାନଙ୍କ ସରକାର ଠିକ୍ ସେଇଆ ଉପଦେଶ ଦେଇଛି ।

 

‘‘କିନ୍ତୁ ଆପଣମାନେ କ’ଣ ଭାବୁଛନ୍ତି’’ ସେକ୍ରେଟେରୀ ଜେନେରେଲ ଉଠି ଠିଆହୋଇ କହିଲେ, ‘‘ଏତେ ଶୀଘ୍ର ସାଧାରଣ ଆସେମ୍ବ୍ଲି ଡାକିବା ସମ୍ଭବପର ? ଶତାଧିକ ଦେଶର ପ୍ରତିନିଧିଙ୍କୁ ଏକଜୁଟ୍ କରି କ’ଣ ଏତେ ଶୀଘ୍ର ଆଲୋଚନା କରିହେବ ?’’

 

‘‘ମାର୍କିନ୍ ସଭ୍ୟ କହିଲେ,’’ ଏହା କରିବା ମୋଟେ ଅସମ୍ଭବ ନୁହେଁ ବୋଲି ମୁଁ ଭାବୁଛି । ପୃଥିବୀ ଉପରେ ଏହା କିଛି ସାଧାରଣ ବିପଦ ନୁହେଁ । ଆଜି ଯଦି ସବୁ ଦେଶକୁ ଏହି ବିପଦପୂର୍ଣ୍ଣ ବିଷୟଟିକୁ ଅତି ଗୋପନୀୟ ଭାବରେ ଜଣାଇ ଦିଆଯାଏ, ତେବେ ଚବିଶଘଣ୍ଟା ମଧ୍ୟରେ ପୃଥିବୀର ସବୁ ଦେଶରୁ ସେମାନଙ୍କ ପ୍ରତିନିଧି ଆସି ଏଠାରେ ପହଞ୍ଚିଯିବେ । ଏହା ଜାତିସଂଘ ତଥା ପୃଥିବୀର ସହୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହୋଇଥିବାରୁ ଓ ଏହା ଉପରେ ଆମର ସିଦ୍ଧାନ୍ତ ନେବା ଅତି ଜରୁରୀ ହୋଇଥିବା ଦୃଷ୍ଟିରୁ ପ୍ରତ୍ୟେକ ରାଷ୍ଟ୍ରର ସର୍ବୋଚ୍ଚ ଶାସନକର୍ତ୍ତା ଏହି ଅଧିବେଶନରେ ଯୋଗଦେବାକୁ ନିମନ୍ତ୍ରିତ ହେବା ଉଚିତ୍ । ମୋ ମତେରେ ସବୁ ଦେଶକୁ ଅନୁରୋଧ କରାଯିବା ଦରକାର, ସେମାନେ ସାଧାରଣ ସଭ୍ୟ ନ ପଠାଇ ଏହି ଅଧିବେଶନ ପାଇଁ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ବା ଅଧିନାୟକଙ୍କୁ ପଠାନ୍ତୁ । ତା ନ ହେଲେ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଅଧିକ ମୁଣ୍ଡ ଖଟାଇ ଉପଯୁକ୍ତ ପ୍ରସ୍ତାବ ଗ୍ରହଣ କରିବା କଷ୍ଟକର ହୋଇ ପଡ଼ିବ ।’’ ଏତକ କହି ସାରି ମାର୍କିନ୍ ସଭ୍ୟ ବସିବାକୁ ଯାଉଥିଲେ; ପୁଣି ଥରେ ଉଠି ପଡ଼ି କହିଲେ, ‘‘ମହାଶୂନ୍ୟରୁ ଆସିଥିବା ଯାନ୍ତ୍ରିକ ରାଷ୍ଟ୍ରଦୂତଙ୍କୁ ଆମର ଜଣାଇଦେବା ଉଚିତ୍ ଯେ ଆମେ ଏ ଦିଗରେ ଆଲୋଚନା କରୁଛୁଁ, ସିଦ୍ଧାନ୍ତରେ ପହଞ୍ଚିଗଲେ ଆମେ ତାଙ୍କୁ ଆମ ମତ ଜଣାଇ ଦେବୁଁ । ସେ ଆମ ଅତିଥିଭବନରେ ଅପେକ୍ଷା କରନ୍ତୁ-।’’

 

ମାର୍କିନ ସଭ୍ୟ ଏତକ କରିସାରି ବସିଛନ୍ତି କି ନାହିଁ ହଠାତ୍ ଅତିଥିଭବନର ପ୍ରଧାନ ପ୍ରହରୀ ଧଇଁସଇଁ ହୋଇ ନିରାପତ୍ତାପରିଷଦ ଭିତରକୁ ପଶିଆସିଲା । ସେକ୍ରେଟେରୀ ଜେନେରେଲଙ୍କୁ ଲକ୍ଷ୍ୟକରି ଶଙ୍କିତ ସ୍ୱରରେ କହିଲା, ‘‘ସବୁ ସର୍ବନାଶ ଆଜ୍ଞା, ସବୁ ସର୍ବନାଶ, ଯାନ୍ତ୍ରିକ ରାଷ୍ଟ୍ରଦୂତ ଆମ ଅତିଥିଭବନରେ ନାହାନ୍ତି ସାର୍‍ । ସେ ଯେଉଁ ଘରେ ରହୁଥିଲେ, ସେ ଘରେ କେହିନାହାନ୍ତି । ଅତିଥି ଭବନର ବାହାରକୁ ସେ ଯିବାର କେହି ଦେଖିନାହାନ୍ତି, ସାର୍‍ ! ମୁଁ ଜାଣିପାରୁନି ଆଜ୍ଞା ସେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ଆମ ପ୍ରହରୀମାନେ ସେମାନଙ୍କ କାର୍ଯ୍ୟରେ ଅବହେଳା ନ କରି ପୂର୍ବଭଳି ଠିକ୍ ଜଗିରହିଛନ୍ତି, ଆଜ୍ଞା ।’’

 

ପ୍ରଧାନ ପ୍ରହାରୀଙ୍କଠାରୁ ଏ କଥା ଶୁଣି ସେକ୍ରେଟେରୀ ଜେନେରେଲଙ୍କ ହଂସା ଉଡ଼ିଗଲା ଭଳି ଜଣାପଡ଼ିଲା । ସେ ପ୍ରହରୀ ଠାରୁ ଏ ଖବର ଶୁଣି ପୂରାପୂରି କଳାକାଠ ପଡ଼ିଗଲେ, ସତେ ଯେମିତି ତାଙ୍କ ଗୋରା ତକ୍ ତକ୍ ଦେହରେ ଟୋପାଏ ବି ରକ୍ତ ନାହିଁ, ତାଙ୍କ ହୃଦପିଣ୍ଡ ବନ୍ଦ ହୋଇ ଯିବା ଉପରେ । ପ୍ରହରୀକୁ କ’ଣ କହିବେ ତାଙ୍କ ପାଟିକୁ ଭାଷା ଆସୁ ନ ଥାଏ । କଥା କହିବା ପାଇଁ ତାଙ୍କ ପାଟିରେ ଛେପ ଥାଏ କି ନାହିଁ ସନ୍ଦେହ ।

 

ସେକ୍ରେଟେରୀଙ୍କ ଅବସ୍ଥା ଭଳିନିରାପତ୍ତା ପରିଷଦର ସବୁ ସଭ୍ୟଙ୍କ ଅବସ୍ଥା । ଏ ଖବର ଶୁଣି କ’ଣ କରିବେ, ସବୁ ସଦସ୍ୟ କିଂକର୍ତ୍ତବ୍ୟବିମୂଢ଼ । କାହାରି ମୁଣ୍ଡରେ କିଛି ପଶୁ ନ ଥାଏ, ବର୍ତ୍ତମାନ କ’ଣ କରାଯିବ ।

 

ନିରାପତ୍ତା ପରିଷଦର ସବୁ ସଦସ୍ୟଙ୍କ ଏ ଦୂରବସ୍ଥା ଦେଖି ସେମାନଙ୍କୁ ଅଭୟବାଣୀ ଶୁଣାଇବା ଉଦ୍ଦେଶ୍ୟରେ କହିଲି, ‘‘ଆପଣମାନଙ୍କର ଏଥିରେ ଭୀତନ୍ତ୍ରସ୍ଥ ହେବାର କିଛି ନାହିଁ । ମହାଶୂନ୍ୟର ଯାନ୍ତ୍ରିକ ରାଷ୍ଟ୍ରଦୂତ ଆମର ଅତିଥି, ବନ୍ଦୀ ନୁହେଁ । ବନ୍ଦୀ ଯଦି ବନ୍ଦୀଶାଳାରୁ ଖସିପଳାଏ, ତେବେ ଚିନ୍ତା କରିବା କଥା; କିନ୍ତୁ ଅତିଥି ଯଦି ଅତିଥିଭବନରୁ ଚାଲିଯାଏ, ତେବେ ଚିନ୍ତା କରିବାର କିଛି ନାହିଁ । ଆମେ ତ ଯାନ୍ତ୍ରିକ ରାଷ୍ଟ୍ରଦୂତକୁ ବନ୍ଦୀକରି ରଖି ନ ଥିଲୁ, ସେ ଯଦି କେଉଁଠାକୁ ଚାଲିଯାଏ, ତେବେ ଆମର ଚିନ୍ତା କରିବାର କିଛି ନାହିଁ । ସେ ଯଦି କେଉଁଠାକୁ ଯାଇଥାଏ, ତେବେ ଫେରିଆସିବ ନିଶ୍ଚୟ । ସେ ତ ଏକ ବିରାଟ ଦାୟିତ୍ୱ ନେଇ ପୃଥିବୀକୁ ଆସିଛି; ନିଜ କାମ ନ ସରୁଣୁ ସେ ପଳାଇଯିବ କାହିଁକି ?’’

 

‘‘ସେ ଯଦି ଆମ ଏଠାରୁ ଖସିଯାଇ ପୃଥିବୀରେ ଆଉ କେଉଁଠି ଲୀଳା ଘଟାଏ, ତେବେ ଆମ ଅବସ୍ଥା କଅଣ ହେବ, ସେଆଡ଼କୁ ନଜର ଦେଇ କହୁଛୁ ତ ?’’ ବଡ଼ ଉଦ୍‍ବିଘ୍ନ ହୋଇ ମିଶର ସଭ୍ୟ ଠିଆହୋଇ କହିଲେ—

 

ମିଶର ସଭ୍ୟଙ୍କ ଏ ଆଶଙ୍କାରେ ନ ହସି ରହିପାରିଲିନି । କହିଲି, ‘‘ଯେଉଁ ରାଷ୍ଟ୍ରଦୂତ ବନ୍ଧୁତା ସ୍ଥାପନ ଉଦ୍ଦେଶ୍ୟରେ ଆସିଛି, ସେ ଯେ ଏଠି ଲୀଳା ଘଟାଇବ, ଏ ଆଶଙ୍କା ତ ମୁଁ କରି ପାରୁନି । ରାଷ୍ଟ୍ରଦୂତ ଯେତେବେଳେ ବିଜ୍ଞାନରେ ଆମଠାରୁ ଢେର ଉନ୍ନତ ସେ ଇଚ୍ଛା କରିଥିଲେ, ଆମ ନିଉୟର୍କ ନଗରୀକୁ କେତେବେଳୁଁ ଧ୍ୱଂସ କରି ଦେଇ ସାରନ୍ତାଣି । ଚତୁର୍ଥ ପରିସର ଜ୍ଞାନ ଥିବା ଜୀବର ଶକ୍ତି କେତେ, ଆମର ହୁଅତ କାହାରି ଧାରଣା ନାହିଁ, ବନ୍ଧୁତ୍ୱସ୍ଥାପନ ଉଦ୍ଦେଶ୍ୟ ନେଇ ଯେ ଆସିଛି, ତାକୁ ଏମିତି ଭାବରେ ସନ୍ଦେହ କରିବା ଆମର ମୋଟେ ଉଚିତ୍ ନୁହେଁ ।’’

 

‘‘ତା ଛଡ଼ା ମୁଁ ଆଉ ଗୋଟିଏ କଥା କହିବି, ଆପଣମାନେ ହସିବେନି । ମୁଁ ବର୍ତ୍ତମାନ ଅତିଥିଭବନର ପ୍ରଧାନ ପ୍ରହରୀକୁ ପଚାରୁଛି, ସେ କେମିତି ଜାଣିଲେ ଯେ ମହାଶୂନ୍ୟର ସେହି ରାଷ୍ଟ୍ରଦୂତ ଅତିଥିଭବନରେ ନାହିଁ ।’’

 

ପ୍ରଧାନ ପ୍ରହରୀ ମୋତେ ଅନାଇଁ କହିଲା, ‘‘ଆଜ୍ଞା, ମୁଁ ସବୁ କୋଠରୀ ତନ୍ନତନ୍ନ କରି ଖୋଜି ସାରିଲିଣି, କେଉଁଠି ରାଷ୍ଟ୍ରଦୂତଙ୍କୁ ତ ଦେଖିଲିନି ।’’

 

‘‘ଚତୁର୍ଥ ପରିସର ଜ୍ଞାନ ଥିବା ଜୀବକୁ ଠାବ କରିବା ସେତେ ସହଜ ନୁହେ ପ୍ରହରୀ । ସେମାନଙ୍କ ଶରୀର ଆମ ଶରୀର ଭଳି ନୁହେଁ, ଏହା ପୂରାପୂରି ଅଲଗା ବସ୍ତୁରେ ଗଢ଼ା । ଚତୁର୍ଥ ପରିସର ଜଗତର ବସ୍ତୁ ଆମ ବସ୍ତୁଭଳି ନୁହେଁ । ଏହା ବ୍ୟୋମବସ୍ତୁ ବା ‘Etherial matter’ ଭାବରେ ପରିଚିତ; ତେଣୁ ସେ ଜଗତରେ ସବୁ ଜୀବ, ନିର୍ଜୀବ, ଏହି ବ୍ୟୋମ ବସ୍ତୁରୁ ତିଆରି । ବ୍ୟୋମବସ୍ତୁର ବଡ଼ ଅଦ୍ଭୁତ ପ୍ରକୃତି; ସାଧାରଣ ବସ୍ତୁର ପ୍ରକୃତି ଠାରୁ ପୂରାପୂରି ଅଲଗା । ବ୍ୟୋମବସ୍ତୁରୁ ତିଆରି ଜୀବ ଇଚ୍ଛାନୁସାରେ ଶକ୍ତିରେ ପରିଣତ ହୋଇ ଅଦୃଶ୍ୟ ହୋଇପାରେ ଓ ଇଛାନୁସାରେ ଅଦୃଶ୍ୟାବସ୍ଥାରୁ ଦୃଶ୍ୟାବସ୍ଥାକୁ ଆସି ଆମକୁ ସାଧାରଣ ବସ୍ତୁଭଳି ଦିଶିପାରେ । ବ୍ୟୋମବସ୍ତୁର ଏହି ପ୍ରକୃତିକୁ ବୈଜ୍ଞାନିକ ଭାଷାରେ ବସ୍ତୁ-ଅବସ୍ତୁର ପରିବର୍ତ୍ତନ ବା materiallisation-dematerialissation କହନ୍ତି । ଏହା ଯେତେବେଳେ ବସ୍ତୁକୁ ପରିଣତ ହୁଏ, ଏହା ଆମ ଆଖିକୁ ଦିଶେ ଓ ଯେତେବେଳେ ଅବସ୍ତୁକୁ ରୂପାନ୍ତରିତ ହୁଏ, ଆମକୁ ଦିଶେନି-। ଆପଣମାନେ ଆମ ପୃଥିବୀକୁ ଆସୁଥିବା ଏହିଭଳି କେତେକ ମହାଶୂନ୍ୟ ଯାନ ଓ ଉଡ଼ନ୍ତା ଥାଳିଆର ପ୍ରକୃତି କଥା ଶୁଣିଥିବେ । ଆପଣମାନେ ଜାଣିଥିବେ, ଆମ ପୃଥିବୀକୁ ଏମିତି ଉଡ଼ନ୍ତା ଥାଳିଆ ଏକାଧିକବାର ଆସିଛି, ଯାହା ବେଳେ ବେଳେ ଦିଶେ ଓ ପୁଣି ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯାଏ-। ଆମ ବୈଜ୍ଞାନିକମାନେ ସେଗୁଡ଼ିକ ଚତୁଃପରିସର ଜଗତର ଯାନ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଚତୁଃପରିସର ଜଗତର ବସ୍ତୁର ଏହା ଗୋଟିଏ ବିଶିଷ୍ଟ ଗୁଣ । ବସ୍ତୁ-ଅବସ୍ତୁ ରୂପାନ୍ତର ହେଲା ସେ ଜଗତର ଜୀବର ସାଧାରଣ ପ୍ରକୃତି । ବିଶ୍ୱର ନିୟନ୍ତା ଭଗବାନଙ୍କ ବିଷୟରେ ଆଧୁନିକ ବୈଜ୍ଞାନିକମାନଙ୍କର ବିଶ୍ଳେଷଣ କ’ଣ ଆପଣମାନେ ବୋଧହୁଏ ଜାଣିନାହାନ୍ତି । ଭଗବାନ କାହିଁକି ଅଦୃଶ୍ୟ, ଭକ୍ତଙ୍କ ଛଡ଼ା ସେ କେବେ କାହିଁକି ଅନ୍ୟ କାହାକୁ ଦେଖା ଦିଅନ୍ତିନି, ସେ ପ୍ରଶ୍ନର ଉତ୍ତରରେ ବୈଜ୍ଞାନିକମାନେ ମତ ଦିଅନ୍ତି ଯେ ଭଗବାନ ସମ୍ଭବତଃ ଚତୁଃପରିସର ଜଗତର ଅନ୍ତର୍ଭୁକ୍ତ-। ତେଣୁ ତାଙ୍କର ବସ୍ତୁ-ଅବସ୍ତୁ ରୂପାନ୍ତର ଶକ୍ତି ଅଛି । ସେ ଯେତେବେଳେ ଇଚ୍ଛା କରନ୍ତି, ବସ୍ତୁକୁ ରୂପାନ୍ତରିତ ହୋଇପାରନ୍ତି; ସେତେବେଳେ ତାଙ୍କୁ ଭକ୍ତମାନେ ଦେଖିପାରନ୍ତି । ସେ ଯେତେବେଳେ ଅବସ୍ତୁଭାବରେ ଅବସ୍ଥାନ କରନ୍ତି, ସେତେବେଳେ ସେ ଅଦୃଶ୍ୟ ରହିଯାନ୍ତି । ମଣିଷ ହଜାର ହଜାର ବର୍ଷ ଧରି ଚେଷ୍ଟା କରି ଯଦି ଭଗବାନଙ୍କୁ ଦେଖି ପାରିନି ବା ଠାବ କରି ପାରିନି; ତେବେ ତା’ର କାରଣ ହେଉଛି ଏଇ । ଏହି ଦୃଷ୍ଟିରୁ ମୁଁ କହୁଛି, ଆମ ମାନନୀୟ ଅତିଥି ଅତିଥିଭବନରେ ଅଛନ୍ତି; ସେ ଅବସ୍ତୁ ଅବସ୍ଥାରେ ଅବସ୍ଥାନ କରୁଥିବାରୁ ତାଙ୍କୁ ଦେଖିବା ଆମ ପକ୍ଷରେ ସମ୍ଭବପର ନ ଥିବାରୁ ସେ ଅତିଥିଭବନରେ ନାହାନ୍ତି କହି ଭୀତତ୍ରସ୍ତ ହେବା ଉଚିତ ନୁହେ-

 

ହଠାତ୍ ଏହି ସମୟରେ ନିରାପତ୍ତା ପରିଷଦର ପୂର୍ବ ପଟ କାନ୍ଥ ଆଡ଼ୁ ଏକ ଗୁରୁଗମ୍ଭୀର ସ୍ୱର ଶୁଭିଲା, ‘‘ଆପଣ ଯାହା କହିଗଲେ, ତାହା ଯଥାର୍ଥ ନୁହେ, ମାନ୍ୟବର ପ୍ରତିନିଧି । ପ୍ରଧାନ ପ୍ରହରୀ ଯାହା କହୁଛନ୍ତି, ତାହା ପ୍ରକୃତରେ ଠିକ୍ । ମୁଁ ପ୍ରକୃତରେ ଅତିଥିଭବନରେ ନ ଥିଲି ।’’

 

ସମସ୍ତେ କାଠହୋଇ କାନ୍ଥଆଡ଼କୁ ଅନାଇ ରହିଲେ । ପୂର୍ବ ପଟ କାନ୍ଥ ପାଖରୁ ଏହି କଥା କେଇପଦ ନିରାପତ୍ତା ପରିଷଦ ହଲକୁ ସ୍ପଷ୍ଟ ଶୁଣାଯାଉ ଥିଲା । ମନେ ହେଉଥିଲା, କିଏ ଯେମିତି ପୂର୍ବ ପଟ କାନ୍ଥଠାରେ ଠିଆହୋଇ ଏହି କଥା କେଇ ପଦ କହୁଛି । ସଭ୍ୟମାନେ କିଛି ବୁଝି ନ ପାରି କାନ୍ଥ ଆଡ଼କୁ ବଲବଲ କରି ଅନାଇ ରହିଲେ । ସେମାନଙ୍କ ମୁହଁରୁ ଜଣାପଡ଼ୁଥାଏ, ସତେ ଯେମିତି ସେମାନେ କୁହୁକ ପୂରୀର କୁହୁକ ଖେଳରେ ବିଭୋର । ମୁଁ ମଧ୍ୟ ଅତ୍ୟନ୍ତ କୌତୂହଳୀ ହୋଇ ପୂର୍ବ ପଟ କାନ୍ଥ ଆଡ଼କୁ ନ ଅନାଇ ରହି ପାରିଲିନି ।

 

କାନ୍ଥ ଆଡ଼ୁ ସେହିଭଳି ଅଦୃଶ୍ୟବାଣୀ ପୁଣି ଭାସିଆସିଲା ।’’ ଆପଣମାନେ ବୋଧହୁଏ, ମୋ କଥା ବୁଝି ପାରୁନାହାନ୍ତି ମାନ୍ୟବର ପ୍ରତିନିଧିମାନେ । ମୁଁ ହେଉଛି ମହାଶୂନ୍ୟରୁ ଆସିଥିବା ସେହି ରାଷ୍ଟ୍ରଦୂତ, ଆପଣମାନଙ୍କର ଅତିଥି । ମୁଁ ବର୍ତ୍ତମାନ ଆପଣମାନଙ୍କର ଏହି ନିରାପତ୍ତା ପରିଷଦ ହଲରେ ପୂର୍ବପଟ କାନ୍ଥ ନିକଟରେ ଠିଆହୋଇଛି । ଆପଣମାନେ ମୋତେ ଦେଖିପାରୁ ନାହାନ୍ତି; ତେଣୁ ବ୍ୟସ୍ତ ହୋଇ ପଡ଼ୁଛନ୍ତି ବୋଧହୁଏ । କ୍ଷମା କରିବେ, ମୁଁ ବର୍ତ୍ତମାନ ବସ୍ତୁ ଅବସ୍ଥାକୁ ଫେରିଆସୁଛି; ତେଣୁ ମୋତେ ଦେଖିବାକୁ ଆପଣମାନଙ୍କର ଆଉ ଅସୁବିଧା ହେବନି ।’ କହୁଁ କହୁଁ ପୂର୍ବ ପଟର କାନ୍ଥ ନିକଟରେ ଯାନ୍ତ୍ରିକ ରାଷ୍ଟ୍ରଦୂତ ଠିଆହେବାର ଦିଶିଲା । ନିରାପତ୍ତା ପରିଷଦର ସଭ୍ୟମାନଙ୍କର ବିସ୍ମୟର ସୀମା ରହିଲାନି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଚାରିଆଡ଼ ତ ପୂରାପୂରି ବନ୍ଦ, ଏ ରାଷ୍ଟ୍ରଦୂତ ଏହା ଭିତରକୁ ଆସିଲା କେମିତି ? କିନ୍ତୁ ସେମାନେ ସବୁବେଳେ ଭୁଲିଯାଉଥାନ୍ତି ଯେ ଚତୁଃ–ପରିସର ଜଗତର ଜୀବକୁ ତ୍ରି–ପରିସର ଜଗତର ରୁଦ୍ଧ କକ୍ଷ କ’ଣ କେତେ ଆବଦ୍ଧ କରିପାରିବ ? ଆମେ ଧାରଣା ନ କରିପାରିଲେ ହେଁ ସେମାନେ ରୁଦ୍ଧ କୋଠରୀ ଭିତରକୁ ଯେ ଯା-ଆସ କରିପାରିବେ, ଏକଥା ସଭ୍ୟମାନେ ବାରମ୍ବାର ଭୁଲି ଯାଉଥାନ୍ତି ।

 

ଯାନ୍ତ୍ରିକ ରାଷ୍ଟ୍ରଦୂତର ବକ୍ତବ୍ୟ ଶୁଣି ସାରି ଓ ତାକୁ ବସ୍ତୁ ରୂପରେ ଦେଖି ମଧ୍ୟ ସାରା ପରିଷଦ ଚୁପ୍ । ସଭ୍ୟମାନେ ଏସବୁ ଦେଖି ଏତେ ଜଡ଼ ପାଲଟି ଯାଇଥାଆନ୍ତି ଯେ ସେମାନଙ୍କ ମୁଖରୁ ଭାଷା ବାହାରୁ ନ ଥାଏ ।

 

ସମସ୍ତଙ୍କୁ ଚୁପ୍ ରହିବା ଦେଖି ଯାନ୍ତ୍ରିକ ରାଷ୍ଟ୍ରଦୂତ କହିଲା—’’ମୁଁ କିଛି ସମୟ ତଳେ ଆପଣମାନଙ୍କ ଏହି ନିଉୟର୍କ ନଗରୀ ପରିକ୍ରମା ଉଦ୍ଦେଶ୍ୟରେ ବାହାରିଥିଲି । ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା, ମୁଁ ଯେଉଁ ଆଡ଼କୁ ଅନାଇଲି, ଆପଣମାନଙ୍କର ଘର ସବୁ ମୋତେ ଖୋଲା ଦିଶିଲା । ମୁଁ ତ ଏଠି କେହି ଘର ବନ୍ଦ କରିବା ଦେଖିଲିନି । ଆପଣମାନେ କ’ଣ ଘରକୁ ବନ୍ଦ କରିବା ଜାଣନ୍ତିନି ? ଆପଣମାନଙ୍କ ମିଉଜିୟମ୍ ଦେଖିଲି, ଆପଣମାନଙ୍କ ବ୍ୟାଙ୍କ ଦେଖିଲି, ଆପଣମାନଙ୍କ ଟଙ୍କା ସୁନା ଜମାଥିବା ଭୂଇଁ ତଳ କୋଠରୀ ସବୁ ଦେଖିଲି; ସବୁଗୁଡ଼ାକ ତ ମେଲା ପଡ଼ିଛି । ଯେ କେହି ଲୋକ ଆସିବ ସେଗୁଡ଼ାକୁ ଅକ୍ଳେଶରେ ଘେନିଯିବ । ଆପଣମାନଙ୍କ ଏହି ନିଉୟର୍କ ନଗରୀ ତଳେ ହଜାର ହଜାର ସୁନାଇଟା ଗଚ୍ଛିତ ଅଛି । ବଡ଼ ଆଶ୍ଚର୍ଯ୍ୟ ସେଗୁଡ଼ିକ ସବୁ ଖୋଲା ପଡ଼ିଛି । ମୁଁ ଯାଇଥିଲି; ସେଥିରୁ ଦୁଇଟି ସୁନାଇଟା ଉଠାଇ ଆଣିଛି । ସେସବୁ ସୁନାଇଟା ମୋତେ ଭାରି ଭଲ ଲାଗିଲା । ଆପଣମାନେ ସୁନାଇଟାଗୁଡ଼ିକୁ କାହିଁକି ମେଲାରେ ପକାଇଛନ୍ତି । ଆପଣମାନଙ୍କୁ ଦେଖାଇବା ପାଇଁ ଏ ଦୁଇଟି ଘେନି ଆସିଲି । ଏଇ ଆପଣମାନଙ୍କର ସୁନାଇଟା ନିଅନ୍ତୁ ।’’

 

ଏତକ କହି ଯାନ୍ତ୍ରିକ ରାଷ୍ଟ୍ରଦୂତ ସେକ୍ରେଟେରୀ ଜେନେରାଲଙ୍କ ଟେବୁଲ ଉପରେ ଦୁଇଟି ସୁନାଇଟା ଥୋଇଦେଇ ପୂର୍ବସ୍ଥାନରେ ଯାଇ ଠିଆ ହେଲା ।

 

ସଭ୍ୟମାନେ ଟେବୁଲ ପାଖକୁ ଦୌଡ଼ିଯାଇ ଇଟା ଦୁଇଟିକୁ ପରୀକ୍ଷା କରିବାକୁ ଲାଗିଲେ-। ଇଟା ଦେହରେ ଯୁକ୍ତରାଷ୍ଟ୍ର ସରକାରଙ୍କ ମୋହର ଛାପ । ନିଉୟର୍କ ନଗରୀର ଭୂଇଁତଳେ ଯୁକ୍ତରାଷ୍ଟ୍ର ସରକାରଙ୍କର ଫେଡେରାଲ ବ୍ୟାଙ୍କର ନିରାପାପଦ କୋଠରୀରୁ ଏହା ଅଣାଯାଇଛି-। ନିରାପଦ କୋଠରୀର କାନ୍ଥ ଷୋଳଇଞ୍ଚ ମୋଟ ଟାଣ ଇସ୍ପାତରୁ ତିଆରି । ସେହି କୋଠରୀର ବାର ଇଞ୍ଚ ମୋଟ ଇସ୍ପାତ ଆଲମାରୀରେ ଏସବୁ ସୁନାଇଟା ବନ୍ଦ କରି ରଖାଯାଇଛି । ସେଭଳି ନିରାପଦ ଜାଗାରୁ ଏ ସୁନାଇଟା କେମିତି ଆସିଲା, ସମସ୍ତେ ଦେଖି ତାଟଙ୍ଗା । ଯେଉଁ ଲୁହା ଆଲମାରୀଠାରେ ପହଞ୍ଚିବାର ଦୁଃସ୍ୱପ୍ନ, ପୃଥିବୀର ସବୁଠାରୁ କୁଖ୍ୟାତ ଡକାଏତ୍ ବି ଦେଖି ପାରେନି, ସେଠୁ ଏତେ ସହଜରେ ସୁନାଇଟା ଅପହରଣ କରି ନେଇ ଆସିବା କମ୍ ଆଶ୍ଚର୍ଯ୍ୟର କଥା ନୁହେଁ ।

 

ନିରାପତ୍ତାପରିଷଦର ସଭ୍ୟମାନେ ଏସବୁ ଦେଖି ତାଟଙ୍ଗା । ମହାଶୂନ୍ୟରୁ ଆସିଥିବା ରାଷ୍ଟ୍ରଦୂତର ଏତାଦୃଶ କରାମତି ସେମାନଙ୍କୁ କୁହୁକ ଭଳି ବୋଧ ହେଉଥାଏ ।

 

ସଦସ୍ୟମାନଙ୍କୁ ଏତାଦୃଶ ଆଶ୍ଚର୍ଯ୍ୟହେବାର ଦେଖି ରାଷ୍ଟ୍ରଦୂତ କହିଲା, ଆପଣମାନେ ଭାବନ୍ତୁନି, ମୁଁ ଆପଣମାନଙ୍କର ସୁନାଚୋରାଇ ନେବାକୁ ଆସିଛି । ମୁଁ ଜାଣେ ଆପଣମାନଙ୍କ ଗ୍ରହରେ ସୁନା ସବୁଠାରୁ ମୂଲ୍ୟବାନ ଧାତୁ । ଏହା ସାହାଯ୍ୟରେ ଆପଣମାନଙ୍କର ବାଣିଜ୍ୟ କାରବାର ଚାଲେ, ମୁଦ୍ରା ବିନିମୟ ଚାଲେ । ଯେଉଁ ସୁନା ଆପଣମାନଙ୍କ ଗ୍ରହରେ ଏତେ ମୂଲ୍ୟବାନ, ତାହାକୁ ଆପଣମାନେ ଏହି ସହରର ଗୋଟାଏ ଅଂଶରେ ଏମିତି ଖୋଲା ଭାବରେ ଜମା କରିଛନ୍ତି କାହିଁକି ? ଯେ ଇଚ୍ଛା କରିବ, ସେ ତ ଘେନି ଆସିପାରିବା ହେଇ, ଆପଣମାନେ ତ ଦେଖିଲେ ମୁଁ ଗଲି, ସିଧାସଳଖ ସୁନାଇଟା ଧରି ଚାଲିଆସିଲି । ରାଷ୍ଟ୍ରର କୌଣସି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ଏମିତି ଅବହେଳା କରି ରଖିବା କ’ଣ ଉଚିତ ? ଆପଣମାନଙ୍କ ଏ ନିଉୟର୍କ ସହର ପରିକ୍ରମା କରି ଆସିଲି, ସହରଟି ବହୁ ବଡ଼ ବଡ଼ କୋଠାରେ ପୂରିଯାଇଛି । ମୋତ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଘରଗୁଡ଼ିକ ପୂରାପୂରି ମେଲା, ଏ ଦେଶରେ ବୋଧହୁଏ, ଘରଗୁଡ଼ିକୁ ଆବଦ୍ଧ କରିବା ଦରକାର ପଡ଼େନି । ମୁଁ ଏବେ ସେହି ବଡ଼ କୋଠାପାଖରୁ ଆସିଲି । ଆପଣମାନେ ତାକୁ କ’ଣ କହୁଛନ୍ତି, ଏମ୍ପାୟାରଷ୍ଟେଟ୍ ବିଲଡିଂ । ସେହି କୋଠାଟିକୁ ଦେଖିବାକୁ ବହୁଲୋକ ଭୂମି ଉପରେ ଛିଡ଼ା ହୋଇଛନ୍ତି । କୋଠାଟି ତ ଚାରିଆଡ଼େ ମେଲା, ଯେ ଇଚ୍ଛା କରିବ, ସେ ଯେ କୌଣସି ତାଲାକୁ ଯାଇପାରିବ । ମୁଁ ତ ଏହାର ତଳୁ ଉପର ପର୍ଯ୍ୟନ୍ତ ସବୁ ତାଲାକୁ ଚାଲିଗଲି । ମୋତେ ତ କିଛି ଅସୁବିଧା ଲାଗିଲାନି । ମୁଁ ଲକ୍ଷ୍ୟ କରୁଥାଏ, ଲୋକେ ମୋ ଭଳି ସୁବିଧାରେ ଏ ତାଲା ସେ ତାଲା ଯା-ଆସ ନ କରି ଗୋଟାଏ କ’ଣ ଯନ୍ତ୍ର ସାହାଯ୍ୟରେ ଉପରତଳ ହେଉଥାନ୍ତି । ସେ ଯନ୍ତ୍ରଟିର ଆବଶ୍ୟକତା କଅଣ ମୁଁ ଏ ପର୍ଯ୍ୟନ୍ତ ବି ଧରିପାରିନି । ମୁଁ ସେଠୁଁ ଆସୁଁ ଆସୁଁ ଦେଖିଲି ତଳକୁ ରାସ୍ତାଟିଏ ଯାଇଛି । କିଛି ନ ଜାଣି ସେହି ରାସ୍ତାରେ ଗଲି । ତଳକୁ ଯାଇଦେଖିଲି ଏହି ଭଳି ସୁନାଇଟା ସବୁ ଥାକ ଥାକ ହୋଇ ଥୁଆ ହୋଇଛି । ମୁଁ ଜାଣେ ଏ ଧାତୁ ଆପଣମାନଙ୍କ ଗ୍ରହରେ ମୂଲ୍ୟବାନ । ତେବେ ସେଗୁଡ଼ିକ ଏଠି ଏମିତି ଖୋଲାଭାବରେ କାହିଁକି ଥୁଆହୋଇଛି ଜାଣିପାରିଲିନି-। ଆପଣମାନଙ୍କୁ ପଚାରିବା ପାଇଁ ଏହି ଇଟା ଦୁଇଟିକୁ ସଙ୍ଗରେ ଘେନିଆସିଲି । ଆମ ଦେଶରେ ଏ ଧାତୁ ନ ଥିଲେ ହେଁ ଏଭଳି ଏକ ଧାତୁ ଅଛି । ଉପରକୁ ଦୁଇଟିଯାକ ସମାନ ଦିଶୁଥିଲେ ହେଁ ଏଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ରହିଛି । ଆପଣମାନେ ଆମଦେଶର ସେ ଧାତୁକୁ ଦେଖିଲେ ଜାଣିପାରନ୍ତେ । ଆପଣମାନଙ୍କ ସହରରେ ଗୁଡ଼ାଏ ଗାଡ଼ି ଚାଲୁଥିବାର ଦେଖିଲି । ଏଗୁଡ଼ାକ ଆମ ଦେଶର ଗାଡ଼ିଠାରୁ ଢେର ଅଲଗା । ଏ ସହରର ସବୁ କିଛି ଆମ ଗ୍ରହଠାରୁ ଅଲଗା-। ମୋତେ ସବୁ ଅଡ଼ୁଆ ଅଡ଼ୁଆ ଲାଗୁଛି । ମୁଁ ଏ ସହରର ଚଳଣି ମୋଟେ ବୁଝି ପାରୁନି ।’’

 

‘‘ହଁ, ଆଉ ଗୋଟିଏ କଥା, ମୋତେ ଅତିଥିଶାଳାରେ ଲୋକେ ବୋକାଙ୍କ ଭଳି ଜଗି ରହିଛନ୍ତି କାହିଁକି ? ଆପଣମାନେ କ’ଣ ଭାବୁଛନ୍ତି ମୁଁ କେଉଁଆଡ଼େ ପଳାଇଯିବି ? ମୁଁ ତ ସେମିତି କିଛି ଉଦ୍ଦେଶ୍ୟ ନେଇ ଆସିନି । ଆଉ ମୋତେ ପୁଣି ଆଶ୍ଚର୍ଯ୍ୟ ଲାଗୁଛି ଅତିଥିଶାଳାରୁ ବାହାରକୁ ଯିବାକୁ ଅସଂଖ୍ୟ ବାଟ ତ ଅଛି । ଯେଉଁ ଆଡ଼କୁ ଚାହିଁବ, ବାଟ ପଡ଼ିଛି । ଘରଗୁଡ଼ାକ ପୁଣି ତ ପୂରାପୂରି ମେଲା । ଅତିଥିଶାଳାରୁ ବାହାରି ପଳାଇବା ପାଇଁ ଶହ ଶହ ବାଟ ଥାଉ ଥାଉ ମାତ୍ର ଦୁଇଟି ବାଟରେ ଲୋକେ ଜଗିଛନ୍ତି କାହିଁକି ? ଆପଣମାନଙ୍କ ପ୍ରହରୀଗୁଡ଼ାକ ବୋକା ନା କଅଣ ? ମୋତେ ଏସବୁ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ କିଛି ବୁଝିପାରୁନି । ହେଉ ମୁଁ ଆପଣମାନଙ୍କର ଯଥେଷ୍ଟ ସମୟ ନେଲିଣି; ଏବେ ଯାଉଛି ।’’

 

କହୁ କହୁ ରାଷ୍ଟ୍ରଦୂତ ହଠାତ୍ ଅଦୃଶ୍ୟ ହୋଇଗଲା ।

 

ନିରାପତ୍ତାପରିଷଦର ସଦସ୍ୟମାନେ ତାଟଙ୍ଗା ହୋଇ ରାଷ୍ଟ୍ରଦୂତ ଯେଉଁଠି ଅନ୍ତର୍ଦ୍ଧାନ ହୋଇଗଲା, ସେହି ଆଡ଼କୁ ଅନାଇ ରହିଥାନ୍ତି । କାହା ମୁହଁରେ ଭାଷା ନାହିଁ, ସମସ୍ତଙ୍କୁ ଏସବୁ ସ୍ୱପ୍ନ ଭଳି ବୋଧ ହେଉଥାଏ ।

 

(ଚାରି)

 

ଜାତିସଂଘର ସାଧାରଣ ଆସେମ୍ୱ୍ଲି ଅନ୍ୟ ଥରର ସାଧାରଣ ଆସେମ୍ବ୍ଲି ଭଳି ନୁହେଁ । ଏ ଅଧିବେଶନରେ ପୃଥିବୀର ପ୍ରତ୍ୟେକ ଦେଶର ସର୍ବୋଚ୍ଚ ଶାସନକର୍ତ୍ତାମାନେ ଏକାଠି ମିଳିତ ହୋଇଛନ୍ତି । ପୃଥିବୀର ଭବିଷ୍ୟତ କ’ଣ ହେବ, ଏହି ଭୟରେ ବିଭିନ୍ନ ଦେଶର ସର୍ବୋଚ୍ଚ ଶାସନକର୍ତ୍ତାମାରେ ଏଠି ଆସି ହାଜର୍ । ଜାତିସଂଘର ସେକ୍ରେଟେରୀ ଜେନେରେଲ୍ ମହାଶୂନ୍ୟର ରାଷ୍ଟ୍ରଦୂତ ଆଣିଥିବା ପତ୍ର ସଂପର୍କରେ ସବୁ ଟିକନିଖି କରି ବୁଝାଇ ସାରିଲେଣି । ଅଧିବେଶନରେ ଶତ୍ରୁ ରାଜ୍ୟଗୁଡ଼ିକ ପରସ୍ପରର ମିତ୍ର ଭାବରେ ଆଲୋଚନାରେ ଲାଗିଯାଇଥାନ୍ତି । ଯେଉଁମାନଙ୍କୁ କେବେ ପରସ୍ପର ସହିତ ମିତ୍ର ଭଳି ବ୍ୟବହାର କରିବା ଆଶା କରାଯାଉ ନ ଥିଲା, ସେମାନଙ୍କୁ ନିବିଡ଼ ବନ୍ଧୁଭାବରେ ପରସ୍ପର ସହିତ ଆଲୋଚନା କରିବା ଦେଖିଲେ କିଏ ଆଶ୍ଚର୍ଯ୍ୟ ନ ହେବ ? ସେମାନଙ୍କ ଆଲୋଚନା ଓ କଥାବାର୍ତ୍ତା ଦେଖିଲେ ଯେ କେହି ଲୋକ ଭାବିବ, ସେମାନେ ବହୁ ଦିନର ବନ୍ଧୁ ବୋଲି । ସାରା ପୃଥିବୀର ବିଭିନ୍ନ ଦେଶ ନିଜ ନିଜ ଭିତରେ ଭେଦଭାବ, ତିକ୍ତତା ଓ ଶତ୍ରୁତା ଭୁଲି ଏକ ହୋଇ ଯାଇଥାନ୍ତି । ପୃଥିବୀକୁ ଏ ଯେଉଁ ବିପଦ ମାଡ଼ି ଆସୁଚି, ସେଥିରୁ ପ୍ରତ୍ୟେକ କେମିତି ରକ୍ଷା ପାଇବେ, ସେଇ ହେଉଛି କଥା । ଏତେବେଳେ ନିଜ ନିଜ ଭିତରେ କଳହର ପ୍ରଶ୍ନ ଉଠୁଛି କେଉଁଠି ? ନାନା ତର୍କବିତର୍କ, ଆଲୋଚନା ପରେ ସାଧାରଣ ଆସେମ୍ବ୍ଲିରେ ସ୍ଥିର ହେଲା ଯେ ପୃଥିବୀର ବଡ଼ ବଡ଼ ବୈଜ୍ଞାନିକମାନଙ୍କୁ ଡକାଇ ମହାଶୂନ୍ୟର ରାଷ୍ଟ୍ରଦୂତ ସହିତ ଆଲୋଚନା କରାଇବେ । ଆଲୋଚନାରୁ ଜଣା ପଡ଼ିବ, ରାଷ୍ଟ୍ରଦୂତ ପ୍ରକୃତରେ କହୁଛି କ’ଣ ଓ ତା କଥାରେ ଆମର ରାଜି ବା ଅରାଜି ହେବା ଆମ ପକ୍ଷରେ କେତେ ଦୂର ମଙ୍ଗଳପ୍ରଦ ।

 

ଜାତିସଙ୍ଘ କାର୍ଯ୍ୟାଳୟର ଆଲୋଚନା କକ୍ଷ । ଗୋଟିଏ ପାଖରେ ବସିଛି ମହାଶୂନ୍ୟର ସେହି ଯାନ୍ତ୍ରିକ ରାଷ୍ଟ୍ରଦୂତ, ଅନ୍ୟ ପାଖରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ବଡ଼ ବଡ଼ ବୈଜ୍ଞାନିକ ମଣ୍ଡଳୀ । ଯାନ୍ତ୍ରିକ ରାଷ୍ଟ୍ରଦୂତର ଆଲୋଚନା ଦେଖି ପୃଥିବୀର ବୈଜ୍ଞାନିକମାନେ ଅବାକ୍ । ଯାନ୍ତ୍ରିକ ରାଷ୍ଟ୍ରଦୂତ ନାନାପ୍ରକାର ଗଣନା ସାହାଯ୍ୟରେ ବୁଝାଇ ଚାଲିଛି—ଆମ ସୂର୍ଯ୍ୟ ଧ୍ୱଂସ ପାଇଗଲେ ବି ପୃଥିବୀର ବିଶେଷ କିଛି କ୍ଷତି ହେବନି । ପ୍ରତିବସ୍ତୁ ସାହାଯ୍ୟରେ ସେମାନେ ଆମ ସୂର୍ଯ୍ୟକୁ କରିଦେବାକୁ ଚାହୁଁଛନ୍ତି । ଆମ ସୂର୍ଯ୍ୟ ଧ୍ୱଂସ ପାଇଗଲେ ଆମର ତିନୋଟି ମାତ୍ର ଗ୍ରହ ଧ୍ୱଂସ ପାଇଯିବାର ସମ୍ଭାବନା । ଆମ ସୂର୍ଯ୍ୟର ଧ୍ୱଂସବେଳେ ଯେଉଁ ବିରାଟ ଶକ୍ତିନିର୍ଗତ ହେବ ସେହି ଶକ୍ତିବଳରେ ସୂର୍ଯ୍ୟନିକଟବର୍ତ୍ତୀ ତିନୋଟି ଗ୍ରହ ଧ୍ୱଂସ ପାଇଯାଇ ପାରନ୍ତି ବୋଲି ରାଷ୍ଟ୍ରଦୂତ ଆସିଥିବା ଗ୍ରହର ବୈଜ୍ଞାନିକମାନେ ପ୍ରତିପାଦନ କରିସାରିଛନ୍ତି ।

ସୂର୍ଯ୍ୟ ନିକଟବର୍ତ୍ତୀ ତିନୋଟି ଗ୍ରହ ଧ୍ୱଂସ ପାଇଯିବା ଶୁଣି ଆମ ବୈଜ୍ଞାନିକମାନେ ଭୟଭୀତ ହୋଇପଡ଼ିଲେ । ସୂର୍ଯ୍ୟନିକଟବର୍ତ୍ତୀ ତିନୋଟି ଗ୍ରହ ଯଦି ଧ୍ୱଂସ ପାଇଯିବା ଗଣନାରୁ ପ୍ରତିପାଦିତ ହୋଇଥାଏ, ତେବେ ପୃଥିବୀର ତ ଅନିବାର୍ଯ୍ୟ । କାରଣ ପୃଥିବୀ ହେଲା ସୂର୍ଯ୍ୟଠାରୁ ଦୂରତା ଅନୁସାରେ ତୃତୀୟ ଗ୍ରହ । ରାଷ୍ଟ୍ରଦୂତର ଏ ଆଲୋଚନା ଶୁଣି ମାର୍କିନ୍ ଜ୍ୟୋତିର୍ବିଦ ଅଧ୍ୟାପକ ହିଉଟର ଉଠିପଡ଼ି ଯାନ୍ତ୍ରିକ ରାଷ୍ଟ୍ରଦୂତକୁ ପଚାରିଲେ, ‘‘ଆପଣଙ୍କ କଥା ଓ ଗଣନା ଯଦି ଠିକ୍ ହୁଏ, ତେବେ ପୃଥିବୀର ଧ୍ୱଂସ ତ ଅନିବାର୍ଯ୍ୟ । ଆପଣ କେମିତି କହୁଛନ୍ତି–ପୃଥିବୀର କିଛି କ୍ଷତି ହେବନି ବୋଲି ।’’

ଏହି ପ୍ରଶ୍ନରେ ଯାନ୍ତ୍ରିକ ରାଷ୍ଟ୍ରଦୂତ ହସିଲା, ଠିକ୍ ମଣିଷମାନେ ଯେମିତି ହସନ୍ତି । ହସି ହସି କହିଲା, ‘‘ସୂର୍ଯ୍ୟର ନିକଟତମ ତିନୋଟି ଗ୍ରହ ଭିତରୁ ପୃଥିବୀ ତ ନୁହେଁ । ଆପଣମାନେ ଅଯଥା ଭୟଭୀତ ହେଉଛନ୍ତି କାହିଁକି ?

 

‘‘କିନ୍ତୁ ସୂର୍ଯ୍ୟର ନିକଟତମ ଗ୍ରହ ଭିତରେ ପୃଥିବୀର ସ୍ଥାନ ଯେ ତୃତୀୟରେ ।’’ ରୁଷ୍ ବୈଜ୍ଞାନିକ ଡଷ୍କୋଭସ୍କି ଠିଆ ହୋଇ କହିଲେ ।

 

ପୃଥିବୀ ତୃତୀୟ ଗ୍ରହ ? ନାଁ ତ, ସୂର୍ଯ୍ୟଠାରୁ ଦୂରତ୍ୱ ଅନୁଯାୟୀ ଦେଖିଲେ ପୃଥିବୀର ସ୍ଥାନ ଯେ ଚତୁର୍ଥରେ ।

 

‘‘ଆଁ, ଚତୁର୍ଥରେ ? ଆପଣ କ’ଣ ଯେ କହୁଛନ୍ତି ଆମେ ଧରିପାରୁନୁ ।’’ ସମସ୍ତଙ୍କ ମୁହଁରେ ଆଶ୍ଚର୍ଯ୍ୟତାର ଚିହ୍ନ । ପୃଥିବୀର ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ ହେବାର ଦେଖି ରାଷ୍ଟ୍ରଦୂତ ପଚାରିଲା, ‘‘ଆପଣମାନଙ୍କ ସୌରଜଗତରେ ଗ୍ରହ ସଂଖ୍ୟା କେତେ କୁହନ୍ତୁ ତ ?’’

 

‘‘କାହିଁକି ? ନଅ ଗୋଟି ।’’ ଜନୈକ ଅତି ବିଖ୍ୟାତ ଇଂରେଜ ଜ୍ୟୋତିର୍ବିତ୍ ଠିଆହୋଇ କହିଲେ ।

 

ଯାନ୍ତ୍ରିକ ରାଷ୍ଟ୍ରଦୂତ ଏଥର ହସିଲା, ଠିକ୍ ପୂର୍ବଭଳି । ହସି ହସି କହିଲା, ‘‘ଆପଣମାନଙ୍କର ବିରାଟ ଭୁଲ୍ । ଆପଣମାନଙ୍କ ସୌରଜଗତରେ ଗ୍ରହ ସଂଖ୍ୟା ନଅ ନୁହେଁ, ତାହା ହେଉଛି ଦଶ । ବଡ଼ ଆଶ୍ଚର୍ଯ୍ୟ, ଆମେ ଆଉ ଏକ ନକ୍ଷତ୍ର ମଣ୍ଡଳରେ ଥାଇ ଆପଣମାନଙ୍କ ସୌରଜଗତର ଗ୍ରହ ସଂଖ୍ୟା କେତେ ନିର୍ଭୁଲ ଭାବରେ ଜାଣିସାରିଲୁଣି, ଅଥଚ ଆପଣମାନେ ନିଜ କଥା ଜାଣି ନାହାନ୍ତି । ହେଉ, କହିଲେ—ଆପଣମାନଙ୍କ ସୂର୍ଯ୍ୟର ନିକଟତମ ଗ୍ରହ କିଏ ?

 

‘‘ନିକଟତମ ଗ୍ରହ ? କାହିଁକି ? ବୁଧ । ଏହା ତ ସୂର୍ଯ୍ୟର ନିକଟତମ ଗ୍ରହ ।’’

 

ରାଷ୍ଟ୍ରଦୂତ ପୁଣି ହସିଲା, ‘‘ଉଁ ହୁଁ, ପୁଣି ଆପଣମାନେ ଭୁଲ୍‍ କଲେ । ବୁଧ କଣ ଆପଣମାନଙ୍କ ସୂର୍ଯ୍ୟର ନିକଟତମ ଗ୍ରହ ? ବୁଧ ଓ ସୂର୍ଯ୍ୟ ମଧ୍ୟରେ ଆଉ ଏକ ଛୋଟିଆ ଗ୍ରହ ଅଛି-। ତାହାହିଁ ହେଉଛି ସୂର୍ଯ୍ୟର ନିକଟତମ ଗ୍ରହ । ବୁଧର ସ୍ଥାନ ଦ୍ୱିତୀୟରେ ଆପଣମାନେ କଣ ସେହି ଛୋଟିଆ ଗ୍ରହଟିକୁ ଏପର୍ଯ୍ୟନ୍ତ ଆବିଷ୍କାର କରି ନାହାନ୍ତି ?’’

 

‘‘ଆଁ, ବୁଧ ଓ ସୂର୍ଯ୍ୟ ମଧ୍ୟରେ ଆଉ ଗୋଟିଏ ଗ୍ରହ ଅଛି ? ସେଇଟା ହେଉଛି ସୂର୍ଯ୍ୟର ନିକଟତମ ଗ୍ରହ ?’’ ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟରେ ପରସ୍ପରକୁ ଅନାଅନି ହେଲେ । ସେମାନେ ଠିକ୍ କରିପାରିଲେନି, ସେମାନେ ସ୍ୱପ୍ନ ଦେଖୁଛନ୍ତି କି ଜାଗ୍ରତ ଅଛନ୍ତି !

 

ପୃଥିବୀର ସୌରଜଗତ ସମ୍ବନ୍ଧରେ ବଡ଼ ଅଦ୍ଭୁତ ଖବର ଦେଇ ଯାନ୍ତ୍ରିକ ରାଷ୍ଟ୍ରଦୂତ ବୈଜ୍ଞାନିକମାନଙ୍କ ଭିତରେ ଖାଲି ଚାଞ୍ଚଲ୍ୟ ଖେଳାଇଦେଲାନି, ସେମାନଙ୍କୁ ଏକ ନିକୃଷ୍ଟ ଧରଣର ବୈଜ୍ଞାନିକ ବୋଲି ପ୍ରତିପାଦନ କରିଦେଲା । ଯାନ୍ତ୍ରିକ ରାଷ୍ଟ୍ରଦୂତର ବୈଜ୍ଞାନିକ ବୃଦ୍ଧିମତ୍ତାରେ ସମସ୍ତେ ତାଟଙ୍ଗା । ମହାଶୂନ୍ୟରୁ ଆଗତ ଏହି ଯାନ୍ତ୍ରିକ ମଣିଷଟି ଯଦି ଏତେ ବୁଦ୍ଧିମାନ ଓ ମେଧାବୀ, ତେବେ ଏହାର ସୃଷ୍ଟିକର୍ତ୍ତା, ସେହି ଗ୍ରହର ଅଧିବାସୀମାନେ ଯେ ଏହାଠାରୁ କେତେ ଗୁଣ ବୁଦ୍ଧିମାନ ଓ ମେଧାବୀ ହୋଇଥିବେ କଳ୍ପନା କରିବାକୁ ବୈଜ୍ଞାନିକମାନଙ୍କୁ ଅଧିକ ସମୟ ଲାଗିଲାନି-। ଯାନ୍ତ୍ରିକ ରାଷ୍ଟ୍ରଦୂତ ଆମ ସୂର୍ଯ୍ୟକୁ ବିନଷ୍ଟ କରି ପୃଥିବୀକୁ ହରଣଚାଳ କରିବାର ଯେଉଁ ଯୋଜନା ଆମ ବୈଜ୍ଞାନିକମାନଙ୍କୁ ଦେଉଥାନ୍ତି, ଆମ ବୈଜ୍ଞାନିକମାନେ ସେଥିରୁ ବିୟଦ୍ଦଂଶ ହୃଦୟଙ୍ଗମ କରିବାକୁ ସମର୍ଥ ହେଉ ଥିଲେହେଁ ବାକିଗୁଡ଼ିକ ବୁଝିବାକୁ ସମର୍ଥ ହେଉ ନ ଥାନ୍ତି-। ତେବେ ଆଲୋଚନା ଶେଷରେ ସେମାନେ ଯେଉଁ ମିଳିତ ବିବୃତି ଦେଲେ ସେଥିରୁ ଜଣାପଡ଼ିଲା ଯାନ୍ତ୍ରିକ ରାଷ୍ଟ୍ରଦୂତ ଯେଉଁ ଯୋଜନାଟି ଦେଇଛି, ସେହିଟି ଆପାତତଃ ଯୁକ୍ତିଯୁକ୍ତ ବୋଲି ସେମାନଙ୍କୁ ବୋଧହେଉଛି । ଯେହେତୁ ଯାନ୍ତ୍ରିକ ରାଷ୍ଟ୍ରଦୂତ ବୈଜ୍ଞାନିକ ଜ୍ଞାନରେ ପୃଥିବୀର ବୈଜ୍ଞାନିକମାନଙ୍କରଠାରୁ ଢେର ଉଚ୍ଚରେ, ତାର ସମସ୍ତ ଯୁକ୍ତି ଓ ବ୍ୟାଖ୍ୟାକୁ ହୃଦୟଙ୍ଗମ କରିବା ସେମାନଙ୍କ ପକ୍ଷରେ ସମ୍ଭବପର ନ ହେଲେହେଁ ସେମାନେ ଯେତିକି ବୁଝି ପାରୁଥାନ୍ତି, ସେଥିରୁ ପରା ଯୋଜନାଟି ସେମାନଙ୍କୁ ଯୁକ୍ତିଯୁକ୍ତ ଜଣାପଡ଼ୁଥାଏ ।

 

ଆଲୋଚନା ପରେ ବୈଜ୍ଞାନିକମାନେ ସେମାନଙ୍କ ରିପୋର୍ଟ ସାଧାରଣ ଆସେମ୍ବ୍ଲି ଆଗରେ ପେଶ୍ କଲେ । ବୈଜ୍ଞାନିକମାନେ ଯେତେବେଳେ ଯାନ୍ତ୍ରିକ ରାଷ୍ଟ୍ରଦୂତର ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି, ସେତେବେଳେ ସାଧାରଣ ଆସେମ୍ବ୍ଲି ଏହାକୁ ବିରୋଧ କରିବ କେଉଁ ଆଶାରେ ! ବୈଜ୍ଞାନିକମାନେ ମତ ଦେଇଥାନ୍ତି, ଯାନ୍ତ୍ରିକ ରାଷ୍ଟ୍ରଦୂତର ଯୋଜନା ଠିକ୍ ଯଦି ରୂପେ କାର୍ଯ୍ୟ କରେ, ତେବେ ଆମ ସୂର୍ଯ୍ୟ ପ୍ରାପ୍ତ ହୋଇ ପୃଥିବୀ ଆଉ ଏକ ସୌରଜଗତକୁ ହରଣଚାଳ ହେଲେହେଁ ପୃଥିବୀ ଅଧିବାସୀଙ୍କର କିଛି କ୍ଷତି ହେବନି । ପୃଥିବୀର ଲୋକେ କେବଳ ମାତ୍ର ସୂର୍ଯ୍ୟର କ୍ରମାଗତ ଦେଖିବାକୁ ପାଇବେ । ଆମ ସୂର୍ଯ୍ୟ ପାଉଁ ପାଉଁ ଆମ ପୃଥିବୀ ଆମ ସୌରଜଗତରୁ ଯାଇ ଆଉ ଏକ ସୌରଜଗତରେ ଅବସ୍ଥାପିତ ହୋଇ ସାରିଥିବ । ସେ ସୌରଜଗତର ସୂର୍ଯ୍ୟକୁ ଆମ ଲୋକେ ନିଜ ସୂର୍ଯ୍ୟ ବୋଲି ଭାବିବା କିଛି ବିଚିତ୍ର ନୁହେଁ । ସେମାନଙ୍କୁ ଜଣାପଡ଼ିବ, ସତେ ଯେମିତି ଆମ ସୂର୍ଯ୍ୟ ଧ୍ୱଂସ ପ୍ରାପ୍ତ ହୋଇ ପୁଣି ନୂତନ ଜନ୍ମ ପାଇଛି । ଯାନ୍ତ୍ରିକ ରାଷ୍ଟ୍ରଦୂତର ଗଣନା ଯଦି ପ୍ରକୃତରେ ଠିକ୍ ଥାଏ, ତେବେ ଆମ ପୃଥିବୀ ଧ୍ୱଂସ ପ୍ରାପ୍ତ ନ ହେବ ବୋଲି ଆଶା । ଅବଶ୍ୟ ସେହି ଗଣନାକୁ ହୃଦୟଙ୍ଗମ କରିବା ପୃଥିବୀର ବୈଜ୍ଞାନିକମାନଙ୍କ ଶକ୍ତିର ବାହାପର ।

 

ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଯାନ୍ତ୍ରିକ ରାଷ୍ଟ୍ରଦୂତର ଉଦ୍ଦେଶ୍ୟ ସାଧିତ ହେଲାଭଳି ପ୍ରସ୍ତାବ ଗୃହୀତ ହୋଇଗଲା । ବୈଜ୍ଞାନିକମାନେ ଯାହା ମତ ଦିଅନ୍ତୁ ବା ନ ଦିଅନ୍ତୁ, ସଭ୍ୟମାନେ ଯାନ୍ତ୍ରିକ ରାଷ୍ଟ୍ରଦୂତର ପ୍ରସ୍ତାବରେ ରାଜି ହେବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଯାନ୍ତ୍ରିକ ରାଷ୍ଟ୍ରଦୂତ ଯେଉଁ ଗ୍ରହରୁ ଆସିଛି, ସେ ଗ୍ରହର ଲୋକେ ବିଜ୍ଞାନରେ ପୃଥିବୀଠାରୁ ଏତେ ଉନ୍ନତ ଯେ ଆମେ ସେମାନଙ୍କ ଆଗରେ ଶିଶୁ କହିଲେ ଅତ୍ୟୁକ୍ତି ହେବନି । ସେମାନେ ବିଜ୍ଞାନରେ ଶିଖର ସ୍ଥାନରେ ଅବସ୍ଥାନ କରୁଥିଲାବେଳେ ଆମେ ମାତ୍ର ମୂଳରେ ପଡ଼ି ରହିଛୁଁ । ସେମାନଙ୍କ ପ୍ରସ୍ତାବରେ ଜାତିସଂଘ ଯଦି ଅରାଜି ହୋଇଥାନ୍ତା, ତେବେ ହୁଏତ ସେମାନେ ଜାତିସଂଘକୁ ଖାତିର ନ କରି ନିଜ କାର୍ଯ୍ୟ ସଂପାଦନ କରି ଯାଇ ଥାଆନ୍ତେ । ଜାତିସଂଘ ସେମାନଙ୍କ ପ୍ରସ୍ତାବରେ ରାଜି ନ ହୋଇ ଯଦି ଯୁଦ୍ଧ ଘୋଷଣା କରିଥାନ୍ତା, ତେବେ ପୃଥିବୀକୁ ହରାଇବା ପାଇଁ ସେମାନଙ୍କୁ ମାତ୍ର କେଇ ମିନିଟ୍‍ରୁ ଅଧିକା ସମୟ ଲାଗି ନ ଥାନ୍ତା । ତେଣୁ ଏଭଳି ପରିସ୍ଥିତିରେ ଜାତିସଂଘ ବୁଝି ବିଚାରି ପ୍ରସ୍ତାବଟି ଗ୍ରହଣ କରି ନେଇଥିବାରୁ ଏହା ପୃଥିବୀ ପକ୍ଷରେ ମଙ୍ଗଳ କର ବୋଲି ଅନେକେ ଭାବୁ ଥାଆନ୍ତି । ଜାତିସଂଘର ଏହି ଘଟଣାଟିକୁ ପୂରାପୂରି ଗୋପନ ରଖିବା ପାଇଁ ମୂଳରୁ ସଭ୍ୟମାନଙ୍କୁ ଶପଥ କରିନିଆଯାଇଥାଏ । ଜାତିସଂଘର ଏହି ଅଧିବେଶନକୁ ସଂବାଦଦାତା, ପ୍ରେସ ପ୍ରତିନିଧି ରେଡିଓ ଟେଲିଭିଜନ୍ ପ୍ରତିନିଧିମାନଙ୍କ ଛଡ଼ା ହେଉ ନ ଥିବାରୁ ଆସେମ୍ବ୍ଲି ଭିତରେ ଖବର ବାହାରକୁ ଯାଇପାରୁ ନ ଥାଏ । ତେବେ ପୃଥିବୀର ନେତୃସ୍ଥାନୀୟ ବ୍ୟକ୍ତି ତଥା ବିଭିନ୍ନ ଦେଶର ସର୍ବୋଚ୍ଚ ଶାସନକର୍ତ୍ତାମାନେ ହଠାତ୍ ଜାତିସଂଘରେ ଏକତ୍ରିତ ହୋଇଥିବାରୁ ଲୋକେ କେତେ ପ୍ରକାର କଳ୍ପନାଜଳ୍ପନା କରୁଥାଆନ୍ତି, କରିବା ମଧ୍ୟ ସ୍ୱାଭାବିକ । ଏହି ଖବରକୁ ଗୋପନୀୟ ରଖିବାର ଅନ୍ୟତମ କାରଣ ହେଲା ଯେ ଖବରଟି ଯଦି ପୃଥିବୀରେ ପ୍ରଚାରିତ ହୋଇଯାଏ, ତେବେ ଲୋକେ ଭୟ ଓ ଆତଙ୍କରେ ବ୍ୟତିବ୍ୟସ୍ତ ହୋଇ ପଡ଼ିବେ । ଲୋକେ ହୁଏତ ଜାତିସଙ୍ଘର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ପୃଥିବୀ ସାରା ଜାତିସଙ୍ଘ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଫଳରେ ପୃଥିବୀରେ କେବଳ ଜନବିକ୍ଷୋଭ, ଅସନ୍ତୋଷ, ଅରାଜକତା ଆଦି ପ୍ରବଳ ଭାବରେ ବ୍ୟାପି ଯାଇପାରେ । ଏହି ସବୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ିବା ପାଇଁ ଏହି ବିଷୟଟିକୁ ଗୋପନ ରଖିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଜାତିସଙ୍ଘ ପ୍ରତିନିଧିମାନେ ଏହାକୁ ଅତି ସାବଧାନତାର ସହିତ ଗୋପନ ରଖିବାକୁ ବାଧ୍ୟ ହୋଇଥିଲେ ।

 

ଜାତିସଙ୍ଘ ଅଧିବେଶନରେ ଯୋଗଦେଇଥିବା ବିଭିନ୍ନ ଦେଶର ପ୍ରତିନିଧିମାନଙ୍କର ମତାମତ ବୁଝିସାରି ଯାନ୍ତ୍ରିକ ରାଷ୍ଟ୍ରଦୂତ ଯେତେବେଳେ ପୃଥିବୀରୁ ବିଦାୟ ନେଲା, ସେତେବେଳେ କହି ଦେଇ ଗଲା ଆଉ ଅଳ୍ପ ଦିନ ଭିତରେ ପୃଥିବୀର ଅଧିବାସୀଙ୍କଠାକୁ ସଂପୃକ୍ତ ଗ୍ରହରୁ ଖବର ଆସିବ । ପୃଥିବୀର ସୂର୍ଯ୍ୟ ଧ୍ୱଂସ ପାଇଲେ ପୃଥିବୀକୁ କିଭଳି ଦେଖାଯିବ ଓ ପୃଥିବୀ ଉପରେ ଏହାର କି କି ପ୍ରଭାବ ପଡ଼ିବ, ତାହାସବୁ ଯଥା ସମୟରେ ଜଣାଇ ଦିଆଯିବ । ଗଲାବେଳେ ରାଷ୍ଟ୍ରଦୂତ ଜାତିସଙ୍ଘର ସଭ୍ୟମାନଙ୍କୁ ଅଭୟବାଣୀ ଶୁଣାଇ ଦେଇଗଲା ଯେ ସେମାନେ ଭବିଷ୍ୟତ ଘଟଣା ପାଇଁ ଭୟଭୀତ ହୋଇ ପଡ଼ିବା ଉଚିତ ନୁହେଁ । ପୃଥିବୀବାସୀଙ୍କର ଯେମିତି କିଛି କ୍ଷତି ନ ହୁଏ, ସେଥିପାଇଁ ତାଙ୍କ ଗ୍ରହର ଲୋକେ ବେଶ୍ ସଜାଗ ।

 

ରାଷ୍ଟ୍ରଦୂତ ବିଦାୟ ନେଲାବେଳେ ଠିକ୍ ପୂର୍ବଭଳି ଅବସ୍ଥା । ସମସ୍ତଙ୍କ ସମ୍ମୁଖରେ ସାଧାରଣ ଆସେମ୍ବ୍ଲିର ଅଧିବେଶନ ଚାଲିଥିଲାବେଳେ, ସେ ତାର ମହାଶୂନ୍ୟଯାନରେ ଆସେମ୍ବ୍ଲି କକ୍ଷଭିତରୁ ମହାଶୂନ୍ୟ ଅଭିମୁଖେ ବିଦାୟ ନେଇଗଲା । ଚାହୁଁ ଚାହୁଁ ସମସ୍ତଙ୍କ ଆଖି ସାମନାରେ ଆସେମ୍ବ୍ଲି କକ୍ଷରୁ ଉଠି ଆସେମ୍ବ୍ଲି ଛାତ ଭେଦ କରି ମହାଶୂନ୍ୟକୁ ଆଗେଇ ଚାଲିଲା । ଆସେମ୍ବ୍ଲି ଛାତକୁ ନ ଫୁଟାଇ ଛାତ ଭିତର ଦେଇ ମହାଶୂନ୍ୟକୁ ବାହାରିଯିବା ସମସ୍ତଙ୍କୁ ସ୍ୱପ୍ନ ଭଲି ବୋଧ ହେଉଥାଏ । ଚତୁଃପରିସର ଜଗତର ଲୋକେ କେତେ ଶକ୍ତିଶାଳୀ ଓ ବୈଜ୍ଞାନିକ ଜ୍ଞାନରେ କେତେ ବଳୀୟାନ, ସଭ୍ୟମାନଙ୍କୁ ହୃଦୟଙ୍ଗମ କରିବା ପାଇଁ ବେଶି ଡେରି ଲାଗିଲାନି । ରାଷ୍ଟ୍ରଦୂତ ଚାଲିଯିବା ପରେ ସଭ୍ୟମାନେ ଆସେମ୍ବ୍ଲିରେ ଟିକିଏ ନିଃଶ୍ୱାସ ମାରିଲେ । ପରମୁହୂର୍ତ୍ତରେ ରାଷ୍ଟ୍ରଦୂତ ଯେଉଁ ଭବିଷ୍ୟତ ଘଟଣା କଥା କହି ଦେଇଗଲା, ସେହି ଘଟଣା କି ରୂପରେଖ ଧାରଣା କରିବ, ଭାବିବା କ୍ଷଣି ସଭ୍ୟମାନଙ୍କ ହୃଦୟ ବନ୍ଦ ହେଲାଭଳି ବୋଧ ହେଉଥାଏ ।

 

(ପାଞ୍ଚ)

 

ଗ୍ୟାସମେନ୍‍ର ନିର୍ଦ୍ଦେଶରେ ହଠାତ୍ ମୋ ତନ୍ଦ୍ରା ଭାଜିଗଲା । ଆଖି ମଳି ମଳି ଲକ୍ଷ୍ୟ କଲି, ମୁଁ ମୋ କାରର ଷ୍ଟିଅରିଂ ଆଗରେ ବସିଛି । ନିକଟସ୍ଥ ଗ୍ୟାସଷ୍ଟେସନର ଗ୍ୟାସମେନ୍ ମୋତେ କହୁଛି, ଗାଡ଼ି ନେଇଯିବା ପାଇଁ । ସେ କେତେବେଳୁଁ ଗାଡ଼ିରେ ପେଟ୍ରୋଲ ଓ ପାଣି ଦେଇ ସାରିଲାଣି । ଗ୍ୟାସମେନ୍‍ର କଥାରୁ ହଠାତ୍ ମୁଁ କିଛି ହେଜି ପାରିଲିନି । ସ୍ମରଣ କରିବାକୁ ଚେଷ୍ଟା କଲି ମୁଁ କେଉଁଠି, ଅଳ୍ପ କିଛି ସମୟ ତଳେ ମୁଁ କ’ଣ ସବୁ ଦେଖୁଥିଲି । କିଛି ସମୟ ହେଜିବା ପରେ ଜାଣିଲି, ମୁଁ ବର୍ତ୍ତମାନ ବନ୍ଧୁପତ୍ନୀ କ୍ଲାରାଙ୍କ ଅନୁରୋଧ ରକ୍ଷା କରି ମେଲବୋର୍ଣ୍ଣ ସହର ଅଭିମୁଖେ ବାହାରିଛି । ଫ୍ଲୋରିଡା ରାଜ୍ୟର ନଅ ନମ୍ବର ହାଇଓ୍ୱେରେ ଏହି ଗ୍ୟାସଷ୍ଟେସନକୁ ଆସିଥିଲି ଗାଡ଼ିରେ ଗ୍ୟାସୋଲିନ୍ ନେବା ପାଇଁ । ଗ୍ୟାସମେନ୍ ଗ୍ୟାସୋଲିନ୍ ଦେବା ଭିତରେ ମୋତେ ତନ୍ଦ୍ରା ଲାଗି ଯାଇଥିଲା । ତା’ରି ଭିତରେ ମୁଁ ଯାହା ସବୁ ଦେଖିଗଲି, ସେସବୁ ତନ୍ଦ୍ରାବିଜଡ଼ିତ ସ୍ୱପ୍ନଛଡ଼ା ଆଉ କିଛି ନୁହେଁ ।

 

ହଠାତ୍ ଘଡ଼ିକୁ ଅନାଇ ଦେଲି, କ୍ଲାରାକୁ ଦେଇଥିବା ସମୟଠାରୁ ଢେର ଗଡ଼ିଗଲାଣି । ବନ୍ଧୁପତ୍ନୀ କ’ଣ ଭାବିବ, ଏହି ଭୟରେ ହାଇଓ୍ୱେରେ ଖୁବ୍ ଜୋରରେ ଗାଡ଼ି ଛାଡ଼ିଦେଲି ।

Image